ସବୁ ମନ୍ଦିର ଧାମ ନୁହେଁ

ବିଗତ କିଛି ଦିନ ହେବ ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ଓ ତଜ୍ଜନିତ କିଛି ଉକ୍ତି, ଅନୁକ୍ତି ଓ ଦ୍ୱିରୁକ୍ତିକୁ ନେଇ ଅନେକ ତର୍କବିତର୍କର ସୂତ୍ରପାତ ହୋଇଛି। ଏମିତିରେ ଦୀଘାରେ ବା ବିଶ୍ୱର ଯେଉଁ ପ୍ରାନ୍ତରରେ ହେଉ କୌଣସିଠାରେ ନୂଆ କୌଣସି ଜଗନ୍ନାଥ ମନ୍ଦିର ନିର୍ମାଣ ହେବାରେ ବାଧା ନାହିଁ ବା ତାକୁ କେହି ବିରୋଧ କରିବେ ନାହିଁ। ବରଂ ଏହାଦ୍ୱାରା ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବ ଓ ତାଙ୍କ ମହିମା ଅଧିକରୁ ଅଧିକ ପ୍ରଚାରିତ ପ୍ରସାରିତ ହେବ। ପୃଥିବୀର ବିଭିନ୍ନ ପ୍ରାନ୍ତରରେ ଏପରିକି ସୁଦୂର ଆମେରିକା, ଇଂଲଣ୍ଡରେ ମଧ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି ଏବଂ ଏହି ସଂଖ୍ୟା ପ୍ରାୟ ଛଅ ହଜାର ପାଖାପାଖି ପହଞ୍ଚିଗଲାଣି। ତାକୁ ନେଇ କୌଣସି ବିବାଦ ବାଦବିବାଦ ନାହିଁ ବରଂ ପ୍ରତ୍ୟେକ ଓଡ଼ିଆ ଏଥିପାଇଁ ନିଜକୁ ଗର୍ବିତ ଅନୁଭବ କରନ୍ତି। ବିବାଦ ହେଲା ତାକୁ ’ଧାମ ’ ବୋଲି ନାମିତ କରିବା ଉଚିତ କି ନାହିଁ। ଏମିତିରେ ହିନ୍ଦୁଧର୍ମରେ ଚାରିଧାମ କଥା ଉଲ୍ଲିଖିତ ଅଛି, ଯାହାକି ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ହେଇଥିଲା। ଏହି ଚାରିଧାମ ହେଲା ପୂର୍ବରେ ପୁରୀ , ପଶ୍ଚିମରେ ଦ୍ୱାରକା, ଉତ୍ତରରେ ବଦ୍ରିନାଥ ଓ ଦକ୍ଷିଣରେ ରାମେଶ୍ୱରମ। ଏମାନଙ୍କ ବ୍ୟତୀତ ଆଉ କୌଣସି ଧାମ ସ୍ବୀକୃତ ନୁହେଁ। ଯେମିତି ବିଶାଳ ଏକ ଚର୍ଚ୍ଚ ଟିଏ କୋଉଠି ଗଢି ଦେଲେ ସେ ଜାଗା ଭାଟିକାନ ସିଟି ପାଲଟି ଯିବନାହିଁ କି ବିଶାଳ ମସ୍‌ଜିଦଟିଏ କୋଉଠି ଗଢ଼ା ହୋଇଗଲେ ତାହା ମକ୍କା ମଦିନାର ମର୍ଯ୍ୟାଦା ପାଇବ ନାହିଁ ସେମିତି ଯେଉଁଠି ସେଇଠି ଜଗନ୍ନାଥ ମନ୍ଦିରଟିଏ ଗଢିଦେଇ ତାକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ। ଯେଉଁଠି ସାଇ ମନ୍ଦିର ହୁଏ ତାହା ଶିରିଡି ପାଲଟି ଯାଏନି। ଯେଉଁଠି ମଙ୍ଗଳା ମନ୍ଦିର ହୁଏ ତାହା କାକଟପୁର ହୁଏନି କି ଯେଉଁଠି ତାରିଣୀ ମନ୍ଦିର ଗଢ଼ା ହୁଏ ତାହା ଘଟଗାଁର ସ୍ଥାନ ନେଇପାରେନି। ମୂଳ ଧାମ ବା ପୀଠର ମର୍ଯ୍ୟାଦା ସଦାସର୍ବଦା ଅକ୍ଷୁଣ୍ଣ ରହେ। ତେଣୁ ଦୀଘାକୁ କେହି ଯଦି ମନକୁ ମନ ଏକ ଧାମ ଘୋଷଣା କରିଦିଏ ତାହା ବିଭ୍ରାନ୍ତ ସୃଷ୍ଟି କରିବI ସ୍ବାଭାବିକ କଥା।
ପୃଥିବୀରେ ହଜାର ହଜାର ଜଗନ୍ନାଥ ମନ୍ଦିର ଅଛି ଓ ତହୁଁ ତହୁଁ ବଳି ବଡ ମନ୍ଦିର ଭବିଷ୍ୟତରେ ନିର୍ମାଣ ହେଇପାରେ। ମାତ୍ର କେହି ଶ୍ରୀମନ୍ଦିର ସହ ସମତୁଲ ହେବେ ନାହିଁ କି ସେସବୁକୁ ଶ୍ରୀମନ୍ଦିର କୁହାଯାଇ ପାରିବନାହିଁ। ସବୁ ଜଗନ୍ନାଥ ମନ୍ଦିର ଥିବା ସ୍ଥାନ ଶଙ୍ଖକ୍ଷେତ୍ର ହେବ ନାହଁ କି ସବୁଠି ଥିବା ଜଗନ୍ନାଥ ନୀଳାଦ୍ରିନାଥ ବୋଲାଇବେ ନାହିଁ। ପୁରୀର ମହାତ୍ମ୍ୟ ଅଲଗା। ଏହା ଏକ ପୁରାଣ ପ୍ରସିଦ୍ଧ ସହର। ଏହାର ଐତିହାସିକ ଓ ପୌରାଣିକ ମାନ୍ୟତା ରହିଛି। ଏଠି ଠାକୁରଙ୍କୁ ବଡ଼ଠାକୁର, ମନ୍ଦିରକୁ ବଡ ଦେଉଳ, ଦାଣ୍ଡକୁ ବଡଦାଣ୍ଡ, ପ୍ରସାଦକୁ ମହାପ୍ରସାଦ କୁହାଯାଏ। ପ୍ରଧାନସେବକ ରାଜାଙ୍କୁ ଗଜପତି କୁହାଯାଏ ଓ ଚଳନ୍ତି ବିଷ୍ଣୁଙ୍କୁ ମାନ୍ୟତା ଦିଆଯାଏ। ଅନ୍ୟକେଉଁଠି ତାହାର ସମକକ୍ଷ ବା ପ୍ରତିରୂପ ଗଠନ ସମ୍ଭବ ନୁହେଁ। ଦୀଘା ଯେତେ ଚେଷ୍ଟା କଲେ ମଧ୍ୟ ପୁରୀର ସମକକ୍ଷ ହେବ ନାହିଁ ଏହା ସର୍ବଜନ ବିଦିତ।
ଏବେ ଶୁଣାଯାଉଛି ସେଠି କୁଆଡେ ପଥରର ମୂର୍ତ୍ତି ର୍ନିମିତ ହୋଇଥିଲା। ତେବେ ତାହା ଦାରୁବ୍ରହ୍ମ ହେବେ କେମିତି? ହେଲେ ହୁଏତ ଶିଳାବ୍ରହ୍ମ ହୋଇଥାନ୍ତେ। ମାତ୍ର ସେଠି ବ୍ରହ୍ମପଦାର୍ଥ ହିଁ ଆରୋପିତ ହୋଇନଥିବାରୁ ତାକୁ ଆଦୌ ବ୍ରହ୍ମ ବୋଲି କୁହାଯାଇପାରିବ ନାହିଁ। ଅନ୍ୟାନ୍ୟ ହଜାର ହଜାର ମନ୍ଦିର ଭଳି ସେଠି କେବଳ ପ୍ରାଣପ୍ରତିଷ୍ଠା ହେଇଥିବ। ସେ ପୂଜାବେଦୀ ଉପରେ ନିମକାଠରେ ଗଢା ମୂର୍ତ୍ତିଟିଏ ସାମୟିକ ଭାବେ ଥୋଇଦେଲେ ତାହା ଦାରୁବ୍ରହ୍ମ ବୋଲାଇବ ନାହିଁ। ସେ ପୂଜାବେଦୀ ମଧ୍ୟ କେଉଁ ରତ୍ନବେଦୀ ନୁହେଁ ଯେ ତାହା ଆପେ ମହିମାମଣ୍ଡିତ ହୋଇଯିବ। କହିରଖେ ଯେ ସବୁ ନିମକାଠ ଦାରୁର ମାନ୍ୟତା ପାଇନଥାଏ। ନବକଳେବର ସମୟରେ ଦଇତାପତିମାନେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ମା ମଙ୍ଗଳାଠାରୁ ସ୍ବପ୍ନାଦେଶ ପାଇ ଦାରୁ ଚିହ୍ନଟ ପାଇଁ ବନଯାଗ ଯାତ୍ରାରେ ଯାଆନ୍ତି ଓ ବିଭିନ୍ନ ଦିବ୍ୟଚିହ୍ନ ଥିବା ଅକ୍ଷତ ନିମ୍ବ ଗଛକୁ ଦାରୁ ଉଦ୍ଦେଶ୍ୟରେ ନିରୂପିତ କରାଯାଏ। ତାକୁ ପୂଜାପାଠ ଓ ଯଜ୍ଞ କରି କର୍ତ୍ତନ କରାଯାଏ ଏବଂ ସସମ୍ମାନେ ଆଣି ଶ୍ରୀମନ୍ଦିର ପରିସରରେ କୋଇଲି ବୈକୁଣ୍ଠଠାରେ ନୂଆ ଦିଅଁଙ୍କ କଳେବର ନିର୍ମିତ ହୁଏ। ବଜାରରେ ଏମିତି ଅନେକ ନିମ୍ବକାଠ ନିର୍ମିତ ଜଗନ୍ନାଥ ମୂର୍ତ୍ତି ମିଳୁଛି, ମାତ୍ର ସେସବୁକୁ ଦାରୁ ମୂର୍ତ୍ତି କୁହାଯାଇପାରିବନି। ଦୀଘା ମନ୍ଦିରରେ ଯେଉଁ ନିମକାଠର ମୂର୍ତ୍ତିକୁ ସାମୟିକ ଭାବେ ବସାଯାଇଥିଲା ତାହା ଶ୍ରୀମନ୍ଦିରରୁ ଯାଇଥିବା ଦାରୁରେ ନିର୍ମିତ କି ନାହିଁ ତାହା ସ୍ପଷ୍ଟ ନୁହେଁ। ସମ୍ପୃକ୍ତ ସେବାୟତ କେତେବେଳେ ପୁରୀରୁ ବଳକା ଦାରୁରେ ଗଢି ନେଇ ସେଠି ଦେଇଛି କହୁଛନ୍ତି ତ କେତେବେଳେ କହୁଛନ୍ତି ଏଭଳି ମନ୍ତବ୍ୟ ଦେଇନି। ମୂର୍ତ୍ତିକାର କହୁଛନ୍ତି ଯେଉଁ ଦାରୁ ବଳକା ଥିଲା ସେଥିରେ ମୂର୍ତ୍ତି ଗଢିବା ସମ୍ଭବ ନୁହେଁ। ଜଣେ ବାଡ଼ଗ୍ରାହୀ କହିଲେ ଯେଉଁଠି ଦାରୁ ଅଛି ସେଠୁ ବାହାରକୁ ନେବା ସମ୍ଭବ ନୁହେଁ। ଆଉ ଜଣେ ବା କହିଲେଣି ସମ୍ପୃକ୍ତ ସେବାୟତ ପଇସା ପାଇଁ ସେଠି ମିଛ କହି ନକଲି ନିମ୍ବର ମୂର୍ତ୍ତି ଦେଇଦେଇଛନ୍ତି। ହୁଏତ ତାହା ଏମିତିରେ ବଜାରରେ ମିଳୁଥିବା ରେଡିମେଡ ମୂର୍ତ୍ତିଟିଏ ହେଇପାରେ। ମାତ୍ର ସତରେ ବି ଯଦି ପୁରୀରୁ ବଳକା ଦାରୁ ଯାଇ ସେ ମୂର୍ତ୍ତି ତିଆରି ହେଇଥାନ୍ତା ତଥାପି ମଧ୍ୟ ଦୀଘା ଏକ ଧାମ ପାଲଟି ଯାଇନଥାନ୍ତା ଏହା ସ୍ପଷ୍ଟ।
ଦୀଘIରେ ମନ୍ଦିର ସିନା ଗଢ଼ା ହୋଇଗଲା ସେଠି ମହାପ୍ରଭୁଙ୍କ ସେବା ପାଇଁ ଛତିଶା ନିଯୋଗ କେଉଁଠୁ ଆସିବେ ? କୋଉଠି ବସିବ ତାଙ୍କ ମୁକ୍ତି ମଣ୍ଡପ ? କିଭଳି କରିବେ ତାଙ୍କ ରଥଯାତ୍ରା ? କୋଉଠି ହେବ ଚନ୍ଦନ ଯାତ୍ରା , ସାହିଯାତ ? ଏମାନଙ୍କ ବିନା କ’ଣ କେଉଁ ମନ୍ଦିର ସତକୁ ସତ ବଡ଼ଦେଉଳର ସ୍ଥାନ ନେଇପାରିବ ? ଏମିତିରେ ପୃଥିବୀର ବିଭିନ୍ନ ଜାଗାରେ ଥିବା ଜଗନ୍ନାଥ ମନ୍ଦିରମାନଙ୍କରେ ରଥଯାତ୍ରା ହୁଏ। କେଉଁଠି ତିନିରଥ ହୁଏତ କେଉଁଠି ଗୋଟିଏ ଗୋଟିଏ ରଥରେ ତିନି ଠାକୁରଙ୍କୁ ନିଆଯାଏ। ସେ ରଥ ସବୁ ନନ୍ଦିଘୋଷ ନା ତାଳଧ୍ୱଜ ନା ଦର୍ପଦଳନ କେଉଁ ନାମରେ ନାମିତ ହେବେ ? ଅନେକ ଜାଗାରେ ମାଉସୀ ମା’ ମନ୍ଦିର ନଥାଏ କି ଗୁଣ୍ଡିଚା ମନ୍ଦିର ନଥାଏ। ତେଣୁ ସେ ସବୁ ରଥଯାତ୍ରା କେବଳ ପ୍ରତୀକାତ୍ମକ। କାର୍ତ୍ତିକ ପୂର୍ଣ୍ଣିମାରେ ଘରେ ପାଣି କୁଣ୍ଡ ଭିତରେ କାଗଜ ଡଙ୍ଗା ଭସେଇଲା ଭଳି କଥା। ଦୀଘାରେ ସେମାନେ କ’ଣ କରିବେ ଜଣାନାହିଁ। ଶୁଣାଯାଉଛି ସେଠି ଉପମା, ରୁଟି ଆଦି ଭୋଗରେ ଲାଗୁଛି। ହାସ୍ୟାସ୍ପଦ କଥା। ମାତ୍ର ତାକୁ ନେଇ ବିଶେଷ ବିବ୍ରତ ହେବାର କିଛି କଥା ନାହିଁ। ବିବ୍ରତ ହେଲାଭଳି କଥା ହଉଚି ଯେଉଁମାନଙ୍କୁ ଭରସା କରିବାର କଥା ସେମାନେ ଏ ଘଟଣା ପରେ ଭରସାଯୋଗ୍ୟ ହୋଇ ଆଉ ରହିନାହାନ୍ତି। ତାଙ୍କ ନିଜ ସ୍ବୀକାରୋକ୍ତି ମତେ ଯଦି ସେମାନେ ଦାରୁ ଚାଲାଣ କରିପାରୁଛନ୍ତି, ମନ୍ଦିରରୁ ଅନ୍ୟ କଣ କଣ କେତେବେଳେ ଚାଲାଣ ଯେ କରିନଦେବେ କୋଉ ଭରସା ଅଛି ? ଅତୀତରେ ଏମିତି ଅନେକ ବିଭ୍ରାଟ ହେଇଚି, ଯାହା ସେମାନଙ୍କର ବିଶ୍ୱସନୀୟତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସେବକଙ୍କ ବିଶ୍ୱସନୀୟତା ଉପରେ ଅବିଶ୍ୱାସ ଯେବେ ବଢିବ ଭକ୍ତଙ୍କ ମନରେ ତତ୍‌ ସଂପୃକ୍ତ ପ୍ରତ୍ୟେକ କ୍ରିୟା କର୍ମ, ନୀତି କାନ୍ତି ଉପରେ ଅବିଶ୍ୱାସ ବଢ଼ିବ। ତେଣୁ ସେବକମାନେ ଏବେ ଆତ୍ମପ୍ରଚାର ଅପେକ୍ଷା ଆତ୍ମ ନିୟନ୍ତ୍ରଣ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅନୁଭୂତ ହେଉଛି। ସେବକମାନେ ଯେତେ ନମ୍ର, ଭଦ୍ର, ଉଦାର , ଯେତେ ସହନଶୀଳ ଓ ନିଷ୍ଠାପର ହେବେ ସେତେ ସମ୍ମାନ ପାଇବେ। ସେମାନେ ବୁଝିବା ଦରକାର ଯେ ଯେମିତି ସବୁ ନିମ୍ବ ଦାରୁ ହେଇପାରେନି ସେମିତି ସେବକ କୁଳରେ ଜନ୍ମିଲେ ମଧ୍ୟ ତା’ ଭିତରୁ ସମସ୍ତେ ବନ୍ଧୁ ହେବା, ଭାଇ ହେବା, ଭଗାରି ହେବା ତ ଦୂରର କଥା ବେଳେବେଳେ ସାଧାରଣ ଭକ୍ତଟିଏ ମଧ୍ୟ ବୋଲାଇବାକୁ ଅଯୋଗ୍ୟ ବିବେଚିତ ହୁଅନ୍ତି। କେଉଁ ଜନ୍ମର ପୁଣ୍ୟବଳରୁ ସେମାନେ ସେବକ କୁଳରେ ଜନ୍ମ ପାଇଥାନ୍ତି। ଅନ୍ତତଃ ସେଇ ଜନ୍ମଦାତାଙ୍କ ସମ୍ମାନ ରଖିବାକୁ ସେମାନେ ନିଜ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ। ତାଙ୍କ ନିଜର ମାନ ରହିବ, ଜଗନ୍ନାଥଙ୍କର ମଧ୍ୟ ମାନ ରହିବ।

ରଂଜନ କୁମାର ଦାସ
ଭୁବନେଶ୍ୱର, ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?