ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନର ପରିବର୍ତ୍ତିତ ଏସ୍ଓପି ମଧ୍ୟ ସୂଚନା ଦେଉଛି। ଏହା କେତେଦୂର ଫଳପ୍ରଦ ହେବ ତାହା ଭବିଷ୍ୟତରେ ଜଣାପଡ଼ିବ । କିନ୍ତୁ ଏହା ପଛରେ ଯେଉଁ ପରାମର୍ଶଦାତାଙ୍କ ଭୂମିକା ରହିଛି ସେମାନେ କେବେବି ସ୍ଲଟ୍ ବୁକିଂ ବ୍ୟବସ୍ଥା ଥିବା ମନ୍ଦିରରେ ବାସ୍ତବ ଉପଲବ୍ଧି ପରିବର୍ତ୍ତେ ବିଶିଷ୍ଟ ଲୋକ ଭାବରେ ଦର୍ଶନ କରିଛନ୍ତି। ଠିକ୍ ଯେପରି ଅତୀତରେ ଦର୍ଶନରେ ସୁଧାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କେତେଜଣ ସେବକ ଓ ବିଶିଷ୍ଟ ବ୍ୟକ୍ତି ଦେଶର ବିଭିନ୍ନ ମନ୍ଦିରକୁ ଅନୁଭବ ଯାତ୍ରା କରିଥିଲେ। କିନ୍ତୁ ଅନୁଭବ ସାଉଁଟିବାକୁ ଯାଇଥିବା ସେଇ ବ୍ୟକ୍ତିମାନେ କୌଣସି ମନ୍ଦିରକୁ ଧାଡ଼ିଦର୍ଶନ ବ୍ୟବସ୍ଥାରେ ଯାଇ ନ ଥିଲେ । କିନ୍ତୁ ସମ୍ପୃକ୍ତ ମନ୍ଦିରମାନଙ୍କରେ ବ୍ୟାରିକେଡ୍କୁ ଦେଖି ଧାଡ଼ି ଦର୍ଶନ ପାଇଁ ପ୍ରସ୍ତାବ ଦେଲେ। ସେମାନେ ବୋଧହୁଏ ଅନୁଭବ କରି ନ ଥିଲେ ଯେ ସମ୍ପୃକ୍ତ ମନ୍ଦିରରେ ବର୍ଷସାରା କେବଳ ଗୋଟିଏ ବିଗ୍ରହଙ୍କ ଦର୍ଶନ ବ୍ୟବସ୍ଥା ଯୋଗୁ ସ୍ଥାୟୀ ବ୍ୟାରିକେଡ୍ କରାଯାଇଛି । ତଥାପି ଶ୍ରୀମନ୍ଦିର ଦର୍ଶନର ସ୍ବତନ୍ତ୍ର ଧାର୍ମିକ ବିଧି ସହ ନିରବଚ୍ଛିନ୍ନ ଭାବରେ ବର୍ଷସାରା ଏବଂ ଶ୍ରୀଜୀଉମାନଙ୍କ ଦର୍ଶନ ସ୍ଥାନ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ଅସମ୍ଭବ ଜାଣି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ତାହା ଗ୍ରହଣକଲେ। ୨୦୧୮ ଅକ୍ଟୋବର ୩ରେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନର ପ୍ରଥମ ଦିନ ତାହାକୁ ବିରୋଧ କରାଯିବା ନିଶ୍ଚିତ ଥିବାରୁ ତତ୍କାଳୀନ ଶାସକ ଦଳର ଅନୁଗୃହୀତ ସେବକ ତାକୁ ଦଙ୍ଗାର ଭ୍ରମ ସୃଷ୍ଟି କରାଇବା ଏବଂ ଅନେକ ଲୋକ ସଙ୍ଗିନ ଦଫାରେ ମାସାଧିକ ଜେଲରେ ରହିବା ଅନେକଙ୍କ ମନୋବଳକୁ ଦୁର୍ବଳ କରିଦେଲା। ତା’ପରେ ଧାଡ଼ି ଦର୍ଶନ କେବଳ ସାତ ପାହାଚ ପାଖରେ ସ୍ବଳ୍ପ ସ୍ଥାନ ବ୍ୟାରିକେଡ୍ରେ ସୀମିତ ରହଥିଲେ ମଧ୍ୟ ଭିତରେ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଅବ୍ୟବସ୍ଥିତ ହେଲା। ପରେ ପରେ କୋଭିଡ୍ ମହାମାରୀ ପାଇଁ ଶ୍ରୀମନ୍ଦିର ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା। ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ କେବଳ ସିଂହଦ୍ୱାର ଦେଇ ଧାଡ଼ିରେ ପ୍ରବେଶକୁ ବିରୋଧକରି ସହରବାସୀଙ୍କୁ ସବୁ ଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ ଦାବିକରି ପୁରୀର ଏକ ସଂଗଠନ ଦସ୍ତଖତ ଅଭିଯାନ ଆରମ୍ଭ କରିବାରୁ ସେମାନଙ୍କ ପାଇଁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବାସ୍ତବରେ ଏହା ପଛରେ ବହିରାଗତ ଯାତ୍ରୀଙ୍କ ପ୍ରବେଶ ପାଇଁ ସେବକ ସନ୍ତୁଷ୍ଟୀକରଣ ଉଦ୍ଦେଶ୍ୟ ରହିଥିଲା। ଏହି ସମୟରେ ବହୁ ଲକ୍ଷ ଟଙ୍କା ବ୍ୟୟରେ ସିଂହଦ୍ୱାର ପର୍ଯ୍ୟନ୍ତ ହେଉଥିବା ଧାଡ଼ିର ଫଟୋ ଦେଖାଇ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନର ବ୍ୟାପକ ପ୍ରଚାର ଯୋଗୁ ଭକ୍ତଙ୍କ ସଂଖ୍ୟା ବଢ଼ିଗଲା। ଅପରପକ୍ଷରେ ୪ଦ୍ବାର ଖୋଲିବା ୨୦୨୪ ନିର୍ବାଚନ ପୂର୍ବରୁ ଭାଜପାର ନିର୍ବାଚନୀ ମୁଦ୍ଦା ହୋଇଗଲା ଓ ଫଳଦାୟୀ ମଧ୍ୟ ହେଲା। ଭାଜପା ସରକାର ଶପଥ ଗ୍ରହଣ ଦିନ ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣାକରି କିଛିଦିନ ପରେ ତାହା କାର୍ଯ୍ୟକାରୀ କରିବାରେ ପୂର୍ବରୁ ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀଙ୍କ ପ୍ରବେଶ ବାଧାପ୍ରାପ୍ତ ହେଲା।
ପୁରୀ ବାସିନ୍ଦା ସେମାନଙ୍କ ଅତି ଆବଶ୍ୟକ ସମୟରେ ଶ୍ରୀମନ୍ଦିର ପ୍ରବେଶରୁ ବଞ୍ଚିତ ହେବାରୁ ୧ା୪ା୨୬ ତାରିଖରୁ ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଚେତନତା ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ବିଭିନ୍ନ ବର୍ଗର ମହିଳାଙ୍କ ସମେତ ବରିଷ୍ଠ ନାଗରିକ ଯୋଗଦେଉଛନ୍ତି। ପୁରୀ ସହରବାସୀଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କୁହାଗଲେ ମଧ୍ୟ ତାହା ଏଯାବତ୍ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ସ୍ଲଟ୍ ବୁକିଂ ବ୍ୟବସ୍ଥା ସେମାନଙ୍କୁ ଅଧିକ ଅସନ୍ତୁଷ୍ଟ କରାଇଛି। ଏଠାରେ ସ୍ପଷ୍ଟହେବା ଦରକାର ଯେ ଶ୍ରୀମନ୍ଦିରର ବ୍ୟବସ୍ଥାବଳୀ ସାରା ଦେଶର ସମସ୍ତ ମନ୍ଦିରଠାରୁ ଭିନ୍ନ। ଏଠାରେ ନୀତି ଅଧିକ ଥିବାବେଳେ ଅନେକ ସମୟରେ ମହାସ୍ନାନ, ବଡ଼ ମହାସ୍ନାନ ପାଇଁ ନୀତି ପ୍ରଭାବିତ ହୋଇଥାଏ। ଶ୍ରୀଜୀଉମାନଙ୍କ ଦର୍ଶନରେ ଅନ୍ୟତମ ବାଧକ ହେଉଛି ଅବରୋଧ। ଜଗମୋହନରେ ଥିବା ହୁଣ୍ଡି ସ୍ଥାନାନ୍ତର ପାଇଁ ବିବିଧ ବିବୃତି ମଧ୍ୟରେ କିଏ ଆଦେଶ ପାଇଁ ପ୍ରାଧିକୃତ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଜଗମୋହନର ଅନ୍ୟାନ୍ୟ ଭାଗ ମଧ୍ୟ ଅବରୋଧମୁକ୍ତ ହୋଇପାରିନାହିଁ। କିନ୍ତୁ ରାମ୍ପ ମାଧ୍ୟମରେ ଦର୍ଶନ ସୁଗମ ହୋଇପାରିବ ବୋଲି ବହୁ ଲକ୍ଷ ଅର୍ଥ ଖର୍ଚ୍ଚ ହୋଇସାରିଛି। ଆଗରୁ ପାଟ ଅଗଣାରେ ବିଭିନ୍ନ ବ୍ୟକ୍ତି ସେମାନଙ୍କ ପୂର୍ବ ପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଟଙ୍କା ଦାଖଲକରି ମାର୍ବଲ ପଥର ପକାଇଥିଲେ। ସେଥିରେ କିଛି ନାମ ଖୋଦିତ ଯୋଗୁ ଯାତାୟାତରେ ଅସୁବିଧା ନ ଥିଲା। କିନ୍ତୁ ତାହା ବାହାର କରାଯାଇ ଯେଉଁ ପଥର ପକାଗଲା ତାହା ସାମାନ୍ୟ ସୂର୍ଯ୍ୟାଲୋକରେ ତାତିଯିବାରୁ ସେଥିରେ ଚାଲିବା ଅସହ୍ୟ ହେଉଛି। ତାକୁ ପ୍ରତିହତ ପାଇଁ ଚୂନ ଲଗାଇବା ବା ଗାଲିଚା ବିଛାଇବା ଓ ଜଳ ସିଞ୍ଚନରେ ଅର୍ଥ ବ୍ୟୟ ହୋଇ ଚାଲିଛି। ପରିକ୍ରମା ମାର୍ଗ ମଧ୍ୟ ସେଥିରୁ ମୁକ୍ତ ନୁହେଁ। କିଛି ମାସ ପୂର୍ବରୁ ବାତାନୁକୂଳିତ ବ୍ୟାରିକେଡ୍ରେ ବହୁ କୋଟି ଟଙ୍କା ବ୍ୟୟ ପରେ ତାହା ଅପସାରିତ ହୋଇଗଲା। ଏବେ ଜଗମୋହନକୁ ବାତାନୁକୂଳିତ ଓ ମନ୍ଦିରର ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ଆଲୋକୀକରଣ ପାଇଁ ଯୋଜନା ହେଉଛି ଯଦିଓ ଆଗରୁ ଆଲୋକ ହୋଇଥିଲା। ସେଥିରେ ବ୍ୟବହୃତ ଜିନିଷ କୁଆଡ଼େ ଗଲା ତାହା ସନ୍ଦେହ ଘେରରେ। ଗରମ ପାଣି ପ୍ରକ୍ରିୟା ମଧ୍ୟ ବନ୍ଦ ହୋଇଯାଇଛି। କିନ୍ତୁ ଏହା ସତ୍ୟ ଯେ କୌଣସି ଭକ୍ତ ଦର୍ଶନ ପାଇଁ ସ୍ବାଚ୍ଛନ୍ଦ୍ୟ ଚାହେଁ ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ପ୍ରଶାସନ ଭକ୍ତଙ୍କ ଦର୍ଶନ ସମୟରେ ସାମ୍ନାରେ ଥାଳି ଧରି ରହୁଥିବା ସେବକଙ୍କୁ ଅପସାରଣ କରିବାରେ ବ୍ୟର୍ଥ ହୋଇଛି। ଫଳରେ ନିର୍ବିରୋଧ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେଉଥିବା ବେଳେ ସେମାନଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଯେଉଁ ସ୍ଲଟ୍ ବୁକିଂ ମାଧ୍ୟମରେ ସରକାର ଦର୍ଶନରେ ସୁଧାର ଆସିବ ବୋଲି କହୁଛନ୍ତି ସେଥିପାଇଁ ପର୍ଯ୍ୟାପ୍ତ ପ୍ରତୀକ୍ଷା ଗୃହ, ଶୌଚାଳୟ ଓ ଜଳଯୋଗାଣ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପାଖରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ଯାହାକି ସେହି ବ୍ୟବସ୍ଥାରେ ଦର୍ଶନ ପାଇଁ ବାସ୍ତବ ଜରୁରୀ। ନତୁବା ଅପେକ୍ଷାରତ ଭକ୍ତଙ୍କ ଦର୍ଶନ ଯଦି ନୀତି ବା ମହାସ୍ନାନ ପାଇଁ ବିଳମ୍ବିତ ହୁଏ ତେବେ ପରବର୍ତ୍ତୀ ସ୍ଲଟ୍ ବୁକିଂ କରିଥିବା ଭକ୍ତଙ୍କ ପାଇଁ ସମସ୍ୟା ସୃଷ୍ଟିକରିବ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପାଇଁ ଜଣେ ସ୍ଥାୟୀ ପ୍ରଶାସକ ନିଯୁକ୍ତିରେ ବ୍ୟର୍ଥ ହୋଇଥିବା ସରକାର ଅସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କ ଏହି ପରୀକ୍ଷା ନିରୀକ୍ଷାର ନୀରବ ସମର୍ଥକ ହେବା ଦୁର୍ଭାଗ୍ୟଜନକ। ଦେଖାଯାଉଛି ଯେ ସେବକଙ୍କ ପାଖରେ ମଥାନତ ଅସ୍ଥାୟୀ ମୁଖ୍ୟ ପ୍ରଶାସକ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନାମରେ ସରକାରଙ୍କୁ ବିଭିନ୍ନ ବାଟ ଦେଖାଇ ବିଭ୍ରାନ୍ତ କରାଉଛନ୍ତି। ପଦଭିତ୍ତିକ ବିଶିଷ୍ଟ ଲୋକ ନିର୍ଦ୍ଧାରଣ ସହ ଆଭ୍ୟନ୍ତରୀଣ ଶୃଙ୍ଖଳାକୁ ପ୍ରାଥମିକତା ଏବଂ ଅବରୋଧମୁକ୍ତ ଜଗମୋହନ ପରେ ମନ୍ଦିର ସଂସ୍କୃତିରେ ଥିବା ଖେଦା ଦର୍ଶନ ହିଁ ଏହି ସମସ୍ୟାର ସ୍ଥାୟୀ ସମାଧାନ, ଏଥିରେ ଦ୍ବିରୁକ୍ତି ନାହିଁ।
-ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮

