କୃଷ୍ଣଗହ୍ବର ଗବେଷଣାକୁ ନୋବେଲ

ଡ. ଗୌରୀଶଙ୍କର ସାହୁ

ଅକ୍ଟୋବର ୬ ତାରିଖରେ ରୟାଲ ସ୍ବିଡିସ ଏକାଡେମୀ ଅଫ୍‌ ସାଇନ୍ସର ମହାସଚିବ ପ୍ରଫେସର ଗୋରାନ ହାନ୍‌ସନ୍‌ ଏ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ କେଉଁ ଗବେଷକମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ତାହା ଘୋଷଣା କରିଛନ୍ତି। ଏ ବର୍ଷ ପୁରସ୍କାର ରାଶିର ଅର୍ଦ୍ଧେକ ପାଇବେ ଇଂଲଣ୍ଡସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରଫେସର ଏମିରିଟ୍‌ସ ୮୯ ବର୍ଷ ବୟସ୍କ ଗଣିତଜ୍ଞ ସାର୍‌ ରୋଜର ଫେନ୍‌ରୋଜ୍। ପୁରସ୍କାର ରାଶିର ବାକି ଅର୍ଦ୍ଧେକ ସମାନ ଭାବେ ବଣ୍ଟା ହେବ ଜର୍ମାନୀର ମ୍ୟୁନିକ୍‌ସ୍ଥିତ ମାକ୍ସପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଏକ୍ସଟ୍ରାଟେରିଷ୍ଟିଆଲ ଫିଜିକ୍ସର ନିର୍ଦ୍ଦେଶକ ୬୮ ବର୍ଷ ବୟସ୍କ ପ୍ରଫେସର ରେନହାର୍ଡ ଜେନ୍‌ଜେଲ ଓ ଆମେରିକାର ଲସ୍‌ ଏଞ୍ଜେଲ୍‌ସସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ୫୫ ବର୍ଷ ବୟସ୍କ ପ୍ରଫେସର ଆଣ୍ଡ୍ରେୟା ଗେଜ୍‌ଙ୍କ ମଧ୍ୟରେ । ସାର ପେନ୍‌ରୋଜ ଓ ପ୍ରଫେସର ଷ୍ଟିଫେନ ହକିଂ ଅଙ୍କ କଷି ଦେଖାଇଥିଲେ ଯେ, ପ୍ରଫେସର ଆଲବର୍ଟ ଆଇନଷ୍ଟାଇନଙ୍କ ବିଶେଷ ଆପେକ୍ଷିକ ତତ୍ତ୍ୱର ଅନ୍ୟ ଏକ ନିଷ୍କର୍ଷ ହେଲା କୃଷ୍ଣ ଗହ୍ବର ବା ବ୍ଲାକ ହୋଲ୍‌ ା ପ୍ରଫେସର ଜେନ୍‌ଜେଲ ଓ ପ୍ରଫେସର ଗେଜ୍‌ ପର୍ଯ୍ୟବେକ୍ଷଣ ଦ୍ୱାରା ପ୍ରତିପାଦିତ କରିଥିଲେ ଯେ, ଆମ ଆକାଶଗଙ୍ଗାର କେନ୍ଦ୍ରରେ ଏକ ଅତି ଓଜନିଆ କୃଷ୍ଣ ଗହ୍ବର ରହିଛି, ଯାହାର ନାମ ଧନୁ-କ (ସାଗିଟାରିଅସ୍‌-ଏ) ଓ ଆମର ସୂର୍ଯ୍ୟ ଏବଂ ଅନ୍ୟାନ୍ୟ ଅନେକ ନକ୍ଷତ୍ର ଏହି କୃଷ୍ଣ ଗହ୍ବରକୁ ପ୍ରଦକ୍ଷିଣ କରୁଛନ୍ତି ା
ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ଏ ବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।
ପ୍ରଫେସର ଷ୍ଟିଫେନ୍‌ ହକିଂ ୨୦୧୮ରେ ଆରପାରିକୁ ଚାଲିଗଲେ। ନୋବେଲ ପୁରସ୍କାର ମରଣୋତ୍ତର ଭାବେ ପ୍ରଦାନ କରାଯାଏ ନାହିଁ।
ହକିଂ ବଞ୍ଚତ୍ଥିଲେ ଏ ବର୍ଷ ନୋବେଲ ପୁରସ୍କାର ପାଇଥାନ୍ତେ ବୋଲି ଅନେକ ବୁଦ୍ଧିଜୀବୀଙ୍କ ମତ।
ପ୍ରଫେସର ଆଣ୍ଡ୍ରେୟା ଗେଜ୍‌ ଚତୁର୍ଥ ମହିଳା ଭାବେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବେ। ତାଙ୍କ ପୂର୍ବରୁ ୧୯୦୩ ରେ ମାରି କପୁରୀ, ୧୯୬୩ରେ ମାରିଆ ଗୋପେର୍ଟ ମେୟର ଓ ୨୦୧୮ରେ ଡୋନା ଷ୍ଟ୍ରିକ୍‌ଲ୍ୟାଣ୍ଡ ନୋବେଲ୍‌ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ପ୍ରଫେସର ଗେଜ୍‌ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ତାଙ୍କୁ ପୁରସ୍କାର ପ୍ରଦାନ କରାଯିବା ଦ୍ୱାରା ଅନେକ ମହିଳା ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ଆଗ୍ରହୀ ହେବେ।
ଆମେ ଜାଣିଛେ ପ୍ରଫେସର ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ବିଶେଷ ଆପେକ୍ଷିକ ତତ୍ତ୍ୱର ପ୍ରଣେତା। ସେ ନଭେମ୍ବର ୧୯୧୫ରେ ଏହି କାଳଜୟୀ ତତ୍ତ୍ୱ ପ୍ରଦାନ କରିଥିଲେ। ଜାନୁୟାରୀ ୧୩, ୧୯୧୬ରେ ଜର୍ମାନ ଜ୍ୟେତିର୍ବିଜ୍ଞାନୀ କାର୍ଲ ସ୍କ୍ବାର୍ଜଚାଇଲ୍‌ଡ ଆଇନ୍‌ଷ୍ଟାଇନ୍‌ଙ୍କ ବିଶେଷ ଆପେକ୍ଷିକ ତତ୍ତ୍ୱର ସମୀକରଣଗୁଡିକର ସମାଧାନ କରିବାକୁ ଯାଇ ଦେଖିଲେ ଏପରି ଏକ ଅବସ୍ଥା ମିଳୁଛି, ଯେଉଁଠି ଭୌତିକ ମାତ୍ରା ଗୁଡ଼ିକର ମୂଲ୍ୟ ଅସୀମ ବା ଅତିକମ୍‌ ହୋଇଯାଇଛି ,ଯାହାକି ସମ୍ଭବ ହୋଇ ନ ପାରେ। ଆଇନ୍‌ଷ୍ଟାଇନ୍‌ ମଧ୍ୟ ନିଜ ସମୀକରଣଗୁଡ଼ିକର ଏପରି ଅସ୍ବାଭାବିକ ସମାଧାନ ଦେଖି ଭାବୁଥିଲେ, ତାଙ୍କ ସମୀକରଣଗୁଡ଼ିକ ପ୍ରମାଦଯୁକ୍ତ ନୁହେଁ ତ। ଷ୍ଟିଫେନ୍‌ ହକିଂ ଓ ରବର୍ଟ ପେନ୍‌ରୋଜ୍‌ଙ୍କ ଗବେଷଣା ପ୍ରମାଣିତ କଲା ଅସ୍ବାଭାବିକ ଲାଗୁଥିବା ଏହି ସମାଧାନଗୁଡ଼ିକ ପ୍ରକୃତରେ ଭୌତିକ ଦୃଷ୍ଟିରୁ ସମ୍ଭବ। ସେମାନେ କୃଷ୍ଣଗହ୍ବ୍ବରର ତାତ୍ତ୍ୱିକ ଅବଧାରଣା ଦେଲେ ଓ ଅଙ୍କ କଷି ଦେଖାଇଲେ ଅତି ଓଜନିଆ ଅଦୃଶ୍ୟ ବସ୍ତୁ ସୃଷ୍ଟି ହେବା ଅସମ୍ଭବ ନୁହେଁ। ଏହି ଅଦୃଶ୍ୟ ବସ୍ତୁ ଏତେ ଅଧିକ ମାଧ୍ୟାକର୍ଷଣ ବଳଯୁକ୍ତ ଯେ ଏହା ଆଲୋକକୁ ମଧ୍ୟ ଆକର୍ଷିତ କରି ଧରିରଖେ। ଏଥିରୁ ଆଲୋକ ବିକିରଣ ମଧ୍ୟ ସମ୍ଭବ ନୁହେଁ । ଆପତିତ ଆଲୋକରଶ୍ମି କୃଷ୍ଣଗହ୍ବର ସଂସ୍ପର୍ଶରେ ଆସିବା ପରେ ଲେଉଟି ନ ପାରିବା କାରଣରୁ ଆମ ଆଖିକୁ ଦିଶେ ନାହିଁ। ତାଙ୍କର ତାତ୍ତ୍ୱିକ ଅବଧାରଣା ସର୍ବଶେଷରେ ୧୯୬୫ରେ ବିଶ୍ୱର ସମ୍ଭ୍ରାନ୍ତ ଜର୍ନାଲ୍‌ ଫିଜିକାଲ୍‌ ରିଭ୍ୟୁ ଲେଟରରେ ପ୍ରକାଶିତ ହୋଇଥିଲା। ପେନ୍‌ରୋଜ୍‌ ଦେଖାଇଥିଲେ ଯେ, କୃଷ୍ଣଗହ୍ବରର ସାନ୍ଧ୍ରତା ଅସୀମ। ଏହା ମଧ୍ୟରେ ସ୍ଥାନକାଳକୁ ରୂପାନ୍ତରିତ ହୋଇଯାଏ। ଏହାର ପରିସୀମାଠାରେ ସ୍ଥାନ କାଳର ସତ୍ତା ନଥାଏ। ଏହା ପଦାର୍ଥ ଓ ବିକିରଣକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଏହାର ସଂସ୍ପର୍ଶରେ ଆସିଲେ ପଦାର୍ଥ ଓ ବିକିରଣ ଏହା ଦେହରେ ସମାହିତ ହୋଇଯାନ୍ତି, ଆଉ ଫେରି ଆସିପାରନ୍ତି ନାହିଁ। ତେଣୁ ଏହା ଅଦୃଶ୍ୟ। କୃଷ୍ଣଗହ୍ବର ବା ବ୍ଲାକ୍‌ ହୋଲ୍‌ର ନାମକରଣ କରିଥିଲେ ଆମେରିକୀୟ ପଦାର୍ଥବିଜ୍ଞାନୀ ରବର୍ଟ ଡିକେ। ଏହା ୧୯୬୦ ମସିହା କଥା। ଏହାକୁ ଲୋକପ୍ରିୟ କରିଥିଲେ ଜନ୍‌ ଓ୍ବିଲର୍‌।
ଜେନ୍‌ଜେଲ ଚିଲିଠାରେ ଓ ଗେଜ୍‌ ହାଓ୍ବାଇଠାରେ ଦୁଇଟି ଅତ୍ୟାଧୁନିକ ଦୂରବୀକ୍ଷଣ ଯନ୍ତ୍ର ନେଇ ଆମ ଆକାଶଗଙ୍ଗାର ବିଭିନ୍ନ ନକ୍ଷତ୍ରଙ୍କର ଗତିବିଧି ନିରୀକ୍ଷଣ କଲେ। ଅତିଲୋହିତ ରଶ୍ମି ଓ ରେଡିଓ ତରଙ୍ଗ ପର୍ଯ୍ୟବେକ୍ଷଣରେ ଏହି ଦୂରବୀକ୍ଷଣ ଯନ୍ତ୍ର କୁଶଳୀ ଥିଲା। ମହନାକି ପର୍ବତରେ ସ୍ଥାପିତ କେକ୍‌ ପର୍ଯ୍ୟବେକ୍ଷଣ କେନ୍ଦ୍ର ଯେଉଁଠାରେ ଆଣ୍ଡ୍ରେୟା ଗେଜ୍‌ ପର୍ଯ୍ୟବେକ୍ଷଣ କରୁଥିଲେ ତାହାର ଦର୍ପଣଗୁଡ଼ିକର ବ୍ୟାସ ୧୦ ମିଟର।
ଜେନ୍‌ଜେଲ ଚିଲିର ଲା ସିଲା ପର୍ବତର ନ୍ୟୁଟେକ୍ନୋଲୋଜି ଦୂରବୀକ୍ଷଣ ଯନ୍ତ୍ରରେ ଦର୍ପଣର ବ୍ୟାସ ୮ ମିଟରରୁ ଅଧିକ।
ସେମାନେ ଦେଖିଲେ ଜେନ୍‌ଜେଲଙ୍କ ଏସ୍‌-୨ ବା ଗେଜଙ୍କ ଏସ୍‌-ଓ୨ ନାମକ ଏକ ନକ୍ଷତ୍ର ଆକାଶଗଙ୍ଗାର କେନ୍ଦ୍ରକୁ ପ୍ରାୟ ୧୬ ବର୍ଷରେ ପ୍ରଦକ୍ଷିଣ କରୁଛନ୍ତି। ଆମ ସୂର୍ଯ୍ୟ ମଧ୍ୟ ଏହି କେନ୍ଦ୍ରକୁ ପ୍ରଦକ୍ଷିଣ କରୁଛି ଓ ଥରେ ବୁଲିଆସିବା ପାଇଁ ୨୦ କୋଟି ବର୍ଷ ନେଉଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଅର୍ଥାତ୍‌ ଆକାଶଗଙ୍ଗାର ନକ୍ଷତ୍ରଗୁଡ଼ିକ ଏହାର କେନ୍ଦ୍ରକୁ ପ୍ରଦକ୍ଷିଣ କରୁଛନ୍ତି। ଏହି କେନ୍ଦ୍ର ଯାହା ଧନୁରାଶି ଓ ବିଛାରାଶି ମଧ୍ୟରେ ଅବସ୍ଥିତ ପୃଥିବୀଠାରୁ ପ୍ରାୟ ୨୬,୦୦୦ ଆଲୋକବର୍ଷ ଦୂରରେ ଅଛି।
ଏହାର ବସ୍ତୁତ୍ୱ ସୂର୍ଯ୍ୟ ବସ୍ତୁତ୍ୱର ପ୍ରାୟ ୪୦ ଲକ୍ଷ ଗୁଣ ଓ ଆୟତନ ସୌରଜଗତର ଆୟତନ ସହ ସମାନ। ଏହାକୁ ଧନୁ-କ(ସାଗିଟାରିଅସ୍‌-ଏ) ବୋଲି କୁହାଯାଉଛି।
ଅଧ୍ୟାପକ, ହିମାଚଳପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧର୍ମଶାଳା
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri