Posted inଜାତୀୟ

ନା ପରେ ବି ମନ ମାନୁନି

ନୂଆଦିଲ୍ଲୀ,୨୭ା୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ ଲଗାତର କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ଦର୍ଶାଇ ଜୁଲାଇ ୩୧ରେ ପଦ ଛାଡ଼ିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ପୂରିବାକୁ ଆଉ ୫ ଦିନ ବାକି ଥିବାବେଳେ ସଞ୍ଜୟଙ୍କୁ ଇଡି ନିର୍ଦ୍ଦେଶକ ପଦରେ ଆସନ୍ତା ଅକ୍ଟୋବର ୧୫ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦେବା ପାଇଁ ବୁଧବାର କେନ୍ଦ୍ର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ନିରୋଧୀ ବୈଶ୍ୱିକ ଜଗୁଆଳି ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ଚଳିତ ବର୍ଷର ସମୀକ୍ଷା କରୁଛି। ସମୀକ୍ଷା ବେଳେ ସଞ୍ଜୟଙ୍କ ଅନୁପସ୍ଥିତି ଜାତୀୟ ସ୍ବାର୍ଥକୁ ଗଭୀର ପ୍ରଭାବିତ କରିବ ବୋଲି କେନ୍ଦ୍ର ପକ୍ଷରୁ ଯୁକ୍ତି ବଢ଼ାଯାଇଛି।
ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟ ଜଷ୍ଟିସ୍‌ ବି.ଆର୍‌. ଗଭାଇ, ହିମା କୋହଲି ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠରେ ଜୁଲାଇ ୧୧ ରାୟରେ ପରିବର୍ତ୍ତନ ଆଣିବା ପାଇଁ ଏକ ପିଟିଶନ୍‌ ଦାଖଲ କରିଛନ୍ତି। ଉକ୍ତ ଆବେଦନର ତ୍ୱରିତ ଶୁଣାଣି କରିବାକୁ ମେହେଟ୍ଟା ଅନୁରୋଧ କରିଛନ୍ତି। ଜଷ୍ଟିସ୍‌ ଗଭାଇ କହିଛନ୍ତି, ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ସଞ୍ଜୟ କାରୋଲ ସାମିଲ ଥିବା ୩ ଜଣିଆ ଖଣ୍ଡପୀଠ ଜୁଲାଇ ୧୧ରେ ଏହି ରାୟ ଦେଇଥିଲେ। ଜଷ୍ଟିସ୍‌ ନାଥ ଏବଂ କାରୋଲ ଏବେ ପୃଥକ୍‌ ପୀଠରେ ଅଛନ୍ତି। ତେଣୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ଏକ ଭିନ୍ନ ଖଣ୍ଡପୀଠ ଗଠନ ପାଇଁ ରେଜେଷ୍ଟ୍ରି ଅନୁରୋଧ କରନ୍ତୁ। ମେହେଟ୍ଟା ଯୁକ୍ତି ବାଢ଼ିଥିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଜୁଲାଇ ୨୮ ସୁଦ୍ଧା ଏହାର ବିଚାର କରାଯାଉ। ଏହା ଶୁଣିବା ପରେ ଜଷ୍ଟିସ୍‌ ଗଭାଇ କହିଥିଲେ, ଗୁରୁବାର ଅପରାହ୍ନ ୩ଟା ୩୦ରେ ଏହା ଉପରେ ବିଚାର କରାଯିବ।
ସରକାରଙ୍କ ମତରେ ୧୯୮୪ ବ୍ୟାଚ୍‌ର ଜଣେ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ସଞ୍ଜୟ ମିଶ୍ରା ଜଣେ ଅର୍ଥନୀତି ବିଶେଷଜ୍ଞ। ସଞ୍ଜୟ ଦିଲ୍ଲୀରେ ଆୟକର ବିଭାଗର ମୁଖ୍ୟ କମିଶନର ଥିବାବେଳେ ଅନେକ ଉଚ୍ଚସ୍ତରୀୟ ମାମଲାର ତଦନ୍ତ କରି ସଫଳତା ହାସଲ କରିଥିବା ଦର୍ଶାଇ ତାଙ୍କୁ ୨୦୧୮ ଅକ୍ଟୋବରରେ ୩ ମାସ ପାଇଁ ଇଡିର ଅନ୍ତରୀଣ ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ପୂର୍ଣ୍ଣକାଳୀନ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୦ ନଭେମ୍ବରରେ ସଞ୍ଜୟ ୬୦ ବର୍ଷରେ ଉପନୀତ ହୋଇ ଅବସର ନେବାକୁ ଥିବାବେଳେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କେନ୍ଦ୍ର ସରକାର ଏହି ଅବଧିକୁ ଆଉ ବର୍ଷେ ବଢ଼ାଇଦେଇଥିଲେ। ସେତେବେଳେ ଏନ୍‌ଜିଓ କମନ୍‌ କଜ୍‌ ଏହି ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲା। ତେବେ କେନ୍ଦ୍ର ସରକାର ଏହା ପୂର୍ବରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଆଇନ ଏବଂ ଦିଲ୍ଲୀ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟରେ ସଂଶୋଧନ ଆଣିଥିବାରୁ ୨୦୨୧ରେ ସୁପ୍ରିମକୋର୍ଟ ସଞ୍ଜୟଙ୍କ ନିଯୁକ୍ତି ଅବଧି ବୃଦ୍ଧିକୁ ଅନୁମତି ଦେଇଥିଲେ। ଉକ୍ତ ସଂଶୋଧନ ଫଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମୁଖ୍ୟ ନିଜ ୨ ବର୍ଷିଆ କାର୍ଯ୍ୟକାଳ ପୂରଣ କରିବା ପରେ ଆଉ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ବ୍ୟବସ୍ଥା ହୋଇଛି। ଏହି ଦୃଷ୍ଟିରୁ ସଞ୍ଜୟଙ୍କ ଅବଧି ୨୦୨୧ ନଭେମ୍ବରରେ ଶେଷ ହେବାକୁ ଥିବାବେଳେ ସରକାର ଏହାକୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ପୁଣି ବଢ଼ାଇଥିଲେ। ସଞ୍ଜୟଙ୍କ ଶେଷ ବର୍ଦ୍ଧିତ ଅବଧି ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ରହିଥିଲା। ଥରକୁ ଥର ଅବଧି ବୃଦ୍ଧି ମଧ୍ୟରେ ସଞ୍ଜୟ ଅନେକ ହାଇ-ପ୍ରୋଫାଇଲ ରାଜନେତା ବିଶେଷକରି ବିରୋଧୀ ଦଳଗୁଡ଼ିକର ନେତାଙ୍କ ବିରୋଧରେ ତଦନ୍ତ ଚଳାଇ ଚର୍ଚ୍ଚିତ ହୋଇଥିଲେ। ତେଣୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିରୋଧରେ ସରକାର ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ବଢ଼ିଥିଲା। ଇତିମଧ୍ୟରେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲା, ଜୟା ଠାକୁର ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରଙ୍କ ସମେତ ଆଉ କେତେଜଣ ବ୍ୟକ୍ତି ସଞ୍ଜୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ନାଥ ଏବଂ କାରୋଲ ସାମିଲ ଥିବା ୩ ଜଣିଆ ଖଣ୍ଡପୀଠ ଜୁଲାଇ ୧୧ ରାୟରେ କହିଥିଲେ, ସଞ୍ଜୟଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୧ରେ ଦିଆଯାଇଥିବା ରାୟରେ ଥିବା ନିୟମକୁ ଉଲ୍ଲଂଘନ କରୁଛି। ତେବେ ଏଫ୍‌ଏଟିଏଫ୍‌ ଚଳିତ ବର୍ଷର ସମୀକ୍ଷା ଚଳାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସହଜ ଦାୟିତ୍ୱ ହସ୍ତାନ୍ତର ପାଇଁ ସଞ୍ଜୟ ଜୁଲାଇ ୩୧ ପର୍ଯନ୍ତ ଇଡି ନିର୍ଦ୍ଦେଶକ ପଦରେ ରହିପାରିବେ। ଏହା ପରେ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ମୁଖ୍ୟ ଭାବେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri