ନିଅଁ ନାହିଁ

ଜମି କିଣିବା ପରେ ଏବଂ ଘର ତିଆରି ଆରମ୍ଭ ହେବା ପୂର୍ବରୁ ନିଅଁ ଖୋଳିବା ପ୍ରଥମ କାର୍ଯ୍ୟ ହୋଇଥାଏ। ଘର ଯେତିକି ଉଚ୍ଚା ଓ ନିଦା କରିବାର ଇଚ୍ଛା ଥାଏ, ସେତିକି ଗଭୀର ନିଅଁ ଖୋଳିବାକୁ ହୋଇଥାଏ। ଏପରିକି ପାଣି ଭିତରେ ଘର କରିବାକୁ ଇଚ୍ଛା ଥିଲେ ଭିତରୁ ଖମ୍ବ ଉଠାଇବାକୁ ପଡ଼ିଥାଏ। ଏହା ହେଉଛି ପୃଥିବୀର ବ୍ୟବସ୍ଥା। ସମାଜ ନିର୍ମାଣ କରିବା ଲାଗି ସେହିଭଳି ଗଭୀରକୁ ଯିବାକୁ ପଡ଼େ। ସେଥିପାଇଁ କୁହାଯାଏ ଯେ, ଏକ ସାମାଜିକ ଚରିତ୍ର ଗଠନ ସକାଶେ ଅନେକ ପିଢ଼ିର ଚେଷ୍ଟା ଆବଶ୍ୟକ। ମଣିଷ ଜାତିର ବୁଦ୍ଧି ଜାଗିବା ସମୟରୁ ଶିକ୍ଷାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।
ଓଡ଼ିଶାର ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ଓଡ଼ିଶା ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୮ ଡିସେମ୍ବରରେ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ଏ ନେଇ ଏକ ସଙ୍କଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାକୁ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ। ସର୍ବଭାରତୀୟ ସ୍ତରରେ ଏନ୍‌ଇଇଟି ଏବଂ ଜେଇଇ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ହେବା ପରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ରାଜ୍ୟର ସରକାରୀ ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସରକାର ଏଭଳି ଏକ ସଂକଳ୍ପ ଅଣିଥିବା କହିଛନ୍ତି।
ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଅଧିକାଂଶ ସ୍କୁଲରେ ଭଲ ଶ୍ରେଣୀକକ୍ଷ, ପାଠାଗାର ଓ ପାଇଖାନା ଭଳି ସର୍ବନିମ୍ନ ଭିତ୍ତିଭୂମିର ଘୋର ଅଭାବ ରହିଛି। ଶିକ୍ଷକଙ୍କ ସଂଖ୍ୟା ଏତେ ନଗଣ୍ୟ ଯେ ଜଣେ ଶିକ୍ଷକ ଏକାଧିକ ବିଷୟ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। କେବଳ ଯେ ଏକାଧିକ ବିଷୟ ପଢ଼ାଉଛନ୍ତି ତାହା ନୁହେଁ, ଏକାକୀ ଏକାଧିକ ଶ୍ରେଣୀରେ ତଦାରଖ କରୁଛନ୍ତି। ଶୁଣିବାକୁ ମିଳେ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି)ମାନେ ସ୍ଥଳବିଶେଷରେ ବିଜ୍ଞାନ ଓ ଗଣିତ ଭଳି ମୁଖ୍ୟ ବିଷୟ ପଢ଼ାଉଛନ୍ତି। ଏଭଳି ଏକ ସ୍ଥିତିରେ ପାଠପଢ଼ା କିଭଳି ହେଉଥିବ ସହଜରେ ଅନୁମେୟ। ସ୍କୁଲକୁ ପିଲାମାନଙ୍କୁ ଆକର୍ଷିତ କରିବା ସକାଶେ ସରକାର ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠରେ ସଂରକ୍ଷଣ ସୁବିଧା ସୃଷ୍ଟି କରିଛନ୍ତିି। କିନ୍ତୁ ଦୁଃଖର ବିଷୟ ହେଉଛି ରାଜ୍ୟର ସ୍କୁଲ ବ୍ୟବସ୍ଥାରେ ଆବଶ୍ୟକ ନିଅଁ ଖୋଳାଯାଇ ନାହିଁ। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସରକାର ଆସିବା ପରେ ସରକାରୀ ବିଦ୍ୟାଳୟ ଉପରେ ଦୃଷ୍ଟି ପକାଇଲେ। କେବଳ ଭିତ୍ତିଭୂମି ନୁହେଁ, ତା’ସହିତ ପାଠ୍ୟକ୍ରମ, ଯଥେଷ୍ଟସଂଖ୍ୟକ ଶିକ୍ଷୟିତ୍ରୀଶିକ୍ଷକ ଏବଂ ତତ୍‌ସହିତ ଖେଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ସ୍କୁଲଗୁଡ଼ିକର ମାନ ଅତ୍ୟନ୍ତ ଉଚ୍ଚସ୍ତରକୁ ନେଲେ। ସେଠାକାର ସରକାରୀ ସ୍କୁଲଗୁଡ଼ିକରେ ସ୍ଥିତିର ସୁଧାର ଦେଖି ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲରୁ ଆଣି ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ କେଜ୍‌ରିଓ୍ବାଲଙ୍କ ସରକାର ଦ୍ୱିତୀୟ ଥର ପାଇଁ ଜିତିବା ପଛରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଏକ ମୂଳ କାରଣ ଭାବେ ଦର୍ଶାଯାଉଛି।
ବାସ୍ତବ ପରିସ୍ଥିତିକୁ ଦେଖିଲେ ଇଞ୍ଜିନିୟର ଏବଂ ଡାକ୍ତର ହେବା ପାଇଁ ଯେଉଁ ସ୍ତରର ଶିକ୍ଷାର ଆବଶ୍ୟକତା ରହିଛି, ତାହା ଆଜି ଓଡ଼ିଶାର ସରକାରୀ ସ୍କୁଲରେ ମିଳିବା ଅସମ୍ଭବ। ଯେଉଁ ଛାତ୍ରୀଛାତ୍ର ଭଲ ସଂଖ୍ୟାରେ ଉତ୍ତୀର୍ଣ୍ଣ ହେଉଛନ୍ତି ସେମାନେ ନିଜ ପ୍ରଚେଷ୍ଟାରେ ଆଗଉଛନ୍ତି। ସେଥିରେ ସ୍କୁଲ ପରିଚାଳନାର କୌଣସି ଅବଦାନ ନ ଥାଏ। ଓଡ଼ିଶାର ଗ୍ରାମାଞ୍ଚଳରେ ପୂର୍ବର ପରିଚାଳନା କମିଟି ହେଉ ବା ଏବର ପରିବର୍ତ୍ତିତ ପରିସ୍ଥିତିରେ ଅଭିଭାବକଙ୍କ ଗୋଷ୍ଠୀ ହେଉ, କାହାରି ଗୋଟେ ଶିକ୍ଷା ପ୍ରତି ଆକର୍ଷଣ ଥିବାର ନଜିର ଦେଖିବାକୁ ମିଳେନାହିଁ। ହାତଗଣତି ବିଦ୍ୟାଳୟଗୁଡ଼ିକୁ ବାଦ୍‌ ପକାଇଲେ ସାଧାରଣରେ ଗ୍ରାମବାସୀ ସ୍କୁଲକୁ ମିଳୁଥିବା ସରକାରୀ ଅର୍ଥ ଉପରେ ନଜର ପକାଇ ଥାଆନ୍ତି। ପୁରୁଷଙ୍କ ପରିବର୍ତ୍ତେ ଗ୍ରାମୀଣ ମହିଳାଙ୍କର ସ୍କୁଲଗୁଡ଼ିକ ପ୍ରତି ଅଧିକ ଯତ୍ନବାନ ହେଉଥିବାର ଦେଖିବାକୁ ମିଳେ। ସରକାରୀ ବ୍ୟବସ୍ଥାରେ ସର୍କଲ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ କ୍ୱଚିତ୍‌ ଶିକ୍ଷାର ମାନ ପ୍ରତି ଦୃଷ୍ଟି ଦେଇଥାନ୍ତି। ଗୋଟିଏପଟେ ଜିଲାପାଳଙ୍କୁ ଖୁସି କରିବା ସହିତ ଏହି କର୍ମଚାରୀମାନେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ଦେଉଥିବାର ଦୃଷ୍ଟାନ୍ତ ରହିଛି। ଏହିଭଳି ଅନେକ ବିନ୍ଦୁକୁ ଏକାଠି କଲେ ଗୋଟିଏ କଥା ସ୍ପଷ୍ଟ ବୁଝାପଡ଼େ। ସେହି କଥାଟି ହେଲା, ଶିକ୍ଷାର ମାନକୁ କୌଣସି ଗୁରୁତ୍ୱ ଦିଆଯାଏ ନାହିଁ। ଏବେ କରୋନା ଏକ ନୂଆ ଶିକ୍ଷାଯୁଗ ଆରମ୍ଭ କରିଛି। ଅନ୍‌ଲାଇନ୍‌ ପାଠପଢ଼ା ହେତୁ ଗ୍ରାମାଞ୍ଚଳରେ ଅନେକ ଛାତ୍ରୀଛାତ୍ର ବାଦ୍‌ ପଡ଼ିଯାଉଛନ୍ତି। ଅର୍ଥାତ୍‌ ଏହି ସମୟ ପରେ ସରକାରଙ୍କୁ ଏକ ନୂତନ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବାର ସୁବର୍ଣ୍ଣ ସୁଯୋଗ ଖୁବ୍‌ଶୀଘ୍ର ମିଳିବ। କେବଳ ନୀତି ନୁହେଁ, ପ୍ରକୃତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦିଲ୍ଲୀ ଏବଂ ଅନ୍ୟ କେତେକ ସଫଳ ରାଜ୍ୟର ଉଦାହରଣକୁ ଦେଖାଯିବା ଦରକାର। କେବଳ ସଂରକ୍ଷଣ ମାଧ୍ୟମରେ ସରକାରୀ ସ୍କୁଲର ଭାଗ୍ୟ ବଦଳିବ ନାହିଁ। ଅଳ୍ପ କେତେକ ବିଷୟ ଉପରେ ଦୃଷ୍ଟି ପକାଇ ପରିବର୍ତ୍ତନ ଆଣିବାକୁ ପଡ଼ିବ। ମାତୃଭାଷା ସହିତ ଇଂଲିଶ୍‌ ଶିକ୍ଷାର ମାନବୃଦ୍ଧି କରାଯାଇପାରିଲେ, ଡାକ୍ତର କିମ୍ବା ଇଞ୍ଜିନିୟର ହେବା ସହଜ ହେବ। ଏହା ବ୍ୟତୀତ ପିଲାଙ୍କ ମନ ଏବେ ହ୍ୟୁମାନିଟିଜ୍‌ ଏବଂ ଲିବେରାଲ୍‌ ଆଟର୍‌ସ ଭଳି ବିଷୟ ପଢ଼ିବାର ସମୟ ଆସିଯାଇଛି। ସେଥିପାଇଁ ଉଚିତ ଶିକ୍ଷାପ୍ରାପ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କ ଆବଶ୍ୟକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହିଭଳି ଅନେକ ବିଷୟ ଉପରେ ଏକାଠି ଧ୍ୟାନ ଦିଆଯାଇ ପାରିଲେ ସରକାରୀ ସ୍କୁଲରେ ପାଠ ପଢ଼ିବାକୁ ପିଲାଙ୍କ ଆଗ୍ରହ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri