ନିଅଁ ନାହିଁ

ଜମି କିଣିବା ପରେ ଏବଂ ଘର ତିଆରି ଆରମ୍ଭ ହେବା ପୂର୍ବରୁ ନିଅଁ ଖୋଳିବା ପ୍ରଥମ କାର୍ଯ୍ୟ ହୋଇଥାଏ। ଘର ଯେତିକି ଉଚ୍ଚା ଓ ନିଦା କରିବାର ଇଚ୍ଛା ଥାଏ, ସେତିକି ଗଭୀର ନିଅଁ ଖୋଳିବାକୁ ହୋଇଥାଏ। ଏପରିକି ପାଣି ଭିତରେ ଘର କରିବାକୁ ଇଚ୍ଛା ଥିଲେ ଭିତରୁ ଖମ୍ବ ଉଠାଇବାକୁ ପଡ଼ିଥାଏ। ଏହା ହେଉଛି ପୃଥିବୀର ବ୍ୟବସ୍ଥା। ସମାଜ ନିର୍ମାଣ କରିବା ଲାଗି ସେହିଭଳି ଗଭୀରକୁ ଯିବାକୁ ପଡ଼େ। ସେଥିପାଇଁ କୁହାଯାଏ ଯେ, ଏକ ସାମାଜିକ ଚରିତ୍ର ଗଠନ ସକାଶେ ଅନେକ ପିଢ଼ିର ଚେଷ୍ଟା ଆବଶ୍ୟକ। ମଣିଷ ଜାତିର ବୁଦ୍ଧି ଜାଗିବା ସମୟରୁ ଶିକ୍ଷାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।
ଓଡ଼ିଶାର ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ଓଡ଼ିଶା ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୮ ଡିସେମ୍ବରରେ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ଏ ନେଇ ଏକ ସଙ୍କଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାକୁ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ। ସର୍ବଭାରତୀୟ ସ୍ତରରେ ଏନ୍‌ଇଇଟି ଏବଂ ଜେଇଇ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ହେବା ପରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ରାଜ୍ୟର ସରକାରୀ ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସରକାର ଏଭଳି ଏକ ସଂକଳ୍ପ ଅଣିଥିବା କହିଛନ୍ତି।
ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଅଧିକାଂଶ ସ୍କୁଲରେ ଭଲ ଶ୍ରେଣୀକକ୍ଷ, ପାଠାଗାର ଓ ପାଇଖାନା ଭଳି ସର୍ବନିମ୍ନ ଭିତ୍ତିଭୂମିର ଘୋର ଅଭାବ ରହିଛି। ଶିକ୍ଷକଙ୍କ ସଂଖ୍ୟା ଏତେ ନଗଣ୍ୟ ଯେ ଜଣେ ଶିକ୍ଷକ ଏକାଧିକ ବିଷୟ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। କେବଳ ଯେ ଏକାଧିକ ବିଷୟ ପଢ଼ାଉଛନ୍ତି ତାହା ନୁହେଁ, ଏକାକୀ ଏକାଧିକ ଶ୍ରେଣୀରେ ତଦାରଖ କରୁଛନ୍ତି। ଶୁଣିବାକୁ ମିଳେ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି)ମାନେ ସ୍ଥଳବିଶେଷରେ ବିଜ୍ଞାନ ଓ ଗଣିତ ଭଳି ମୁଖ୍ୟ ବିଷୟ ପଢ଼ାଉଛନ୍ତି। ଏଭଳି ଏକ ସ୍ଥିତିରେ ପାଠପଢ଼ା କିଭଳି ହେଉଥିବ ସହଜରେ ଅନୁମେୟ। ସ୍କୁଲକୁ ପିଲାମାନଙ୍କୁ ଆକର୍ଷିତ କରିବା ସକାଶେ ସରକାର ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠରେ ସଂରକ୍ଷଣ ସୁବିଧା ସୃଷ୍ଟି କରିଛନ୍ତିି। କିନ୍ତୁ ଦୁଃଖର ବିଷୟ ହେଉଛି ରାଜ୍ୟର ସ୍କୁଲ ବ୍ୟବସ୍ଥାରେ ଆବଶ୍ୟକ ନିଅଁ ଖୋଳାଯାଇ ନାହିଁ। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସରକାର ଆସିବା ପରେ ସରକାରୀ ବିଦ୍ୟାଳୟ ଉପରେ ଦୃଷ୍ଟି ପକାଇଲେ। କେବଳ ଭିତ୍ତିଭୂମି ନୁହେଁ, ତା’ସହିତ ପାଠ୍ୟକ୍ରମ, ଯଥେଷ୍ଟସଂଖ୍ୟକ ଶିକ୍ଷୟିତ୍ରୀଶିକ୍ଷକ ଏବଂ ତତ୍‌ସହିତ ଖେଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ସ୍କୁଲଗୁଡ଼ିକର ମାନ ଅତ୍ୟନ୍ତ ଉଚ୍ଚସ୍ତରକୁ ନେଲେ। ସେଠାକାର ସରକାରୀ ସ୍କୁଲଗୁଡ଼ିକରେ ସ୍ଥିତିର ସୁଧାର ଦେଖି ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲରୁ ଆଣି ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ କେଜ୍‌ରିଓ୍ବାଲଙ୍କ ସରକାର ଦ୍ୱିତୀୟ ଥର ପାଇଁ ଜିତିବା ପଛରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଏକ ମୂଳ କାରଣ ଭାବେ ଦର୍ଶାଯାଉଛି।
ବାସ୍ତବ ପରିସ୍ଥିତିକୁ ଦେଖିଲେ ଇଞ୍ଜିନିୟର ଏବଂ ଡାକ୍ତର ହେବା ପାଇଁ ଯେଉଁ ସ୍ତରର ଶିକ୍ଷାର ଆବଶ୍ୟକତା ରହିଛି, ତାହା ଆଜି ଓଡ଼ିଶାର ସରକାରୀ ସ୍କୁଲରେ ମିଳିବା ଅସମ୍ଭବ। ଯେଉଁ ଛାତ୍ରୀଛାତ୍ର ଭଲ ସଂଖ୍ୟାରେ ଉତ୍ତୀର୍ଣ୍ଣ ହେଉଛନ୍ତି ସେମାନେ ନିଜ ପ୍ରଚେଷ୍ଟାରେ ଆଗଉଛନ୍ତି। ସେଥିରେ ସ୍କୁଲ ପରିଚାଳନାର କୌଣସି ଅବଦାନ ନ ଥାଏ। ଓଡ଼ିଶାର ଗ୍ରାମାଞ୍ଚଳରେ ପୂର୍ବର ପରିଚାଳନା କମିଟି ହେଉ ବା ଏବର ପରିବର୍ତ୍ତିତ ପରିସ୍ଥିତିରେ ଅଭିଭାବକଙ୍କ ଗୋଷ୍ଠୀ ହେଉ, କାହାରି ଗୋଟେ ଶିକ୍ଷା ପ୍ରତି ଆକର୍ଷଣ ଥିବାର ନଜିର ଦେଖିବାକୁ ମିଳେନାହିଁ। ହାତଗଣତି ବିଦ୍ୟାଳୟଗୁଡ଼ିକୁ ବାଦ୍‌ ପକାଇଲେ ସାଧାରଣରେ ଗ୍ରାମବାସୀ ସ୍କୁଲକୁ ମିଳୁଥିବା ସରକାରୀ ଅର୍ଥ ଉପରେ ନଜର ପକାଇ ଥାଆନ୍ତି। ପୁରୁଷଙ୍କ ପରିବର୍ତ୍ତେ ଗ୍ରାମୀଣ ମହିଳାଙ୍କର ସ୍କୁଲଗୁଡ଼ିକ ପ୍ରତି ଅଧିକ ଯତ୍ନବାନ ହେଉଥିବାର ଦେଖିବାକୁ ମିଳେ। ସରକାରୀ ବ୍ୟବସ୍ଥାରେ ସର୍କଲ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ କ୍ୱଚିତ୍‌ ଶିକ୍ଷାର ମାନ ପ୍ରତି ଦୃଷ୍ଟି ଦେଇଥାନ୍ତି। ଗୋଟିଏପଟେ ଜିଲାପାଳଙ୍କୁ ଖୁସି କରିବା ସହିତ ଏହି କର୍ମଚାରୀମାନେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ଦେଉଥିବାର ଦୃଷ୍ଟାନ୍ତ ରହିଛି। ଏହିଭଳି ଅନେକ ବିନ୍ଦୁକୁ ଏକାଠି କଲେ ଗୋଟିଏ କଥା ସ୍ପଷ୍ଟ ବୁଝାପଡ଼େ। ସେହି କଥାଟି ହେଲା, ଶିକ୍ଷାର ମାନକୁ କୌଣସି ଗୁରୁତ୍ୱ ଦିଆଯାଏ ନାହିଁ। ଏବେ କରୋନା ଏକ ନୂଆ ଶିକ୍ଷାଯୁଗ ଆରମ୍ଭ କରିଛି। ଅନ୍‌ଲାଇନ୍‌ ପାଠପଢ଼ା ହେତୁ ଗ୍ରାମାଞ୍ଚଳରେ ଅନେକ ଛାତ୍ରୀଛାତ୍ର ବାଦ୍‌ ପଡ଼ିଯାଉଛନ୍ତି। ଅର୍ଥାତ୍‌ ଏହି ସମୟ ପରେ ସରକାରଙ୍କୁ ଏକ ନୂତନ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବାର ସୁବର୍ଣ୍ଣ ସୁଯୋଗ ଖୁବ୍‌ଶୀଘ୍ର ମିଳିବ। କେବଳ ନୀତି ନୁହେଁ, ପ୍ରକୃତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦିଲ୍ଲୀ ଏବଂ ଅନ୍ୟ କେତେକ ସଫଳ ରାଜ୍ୟର ଉଦାହରଣକୁ ଦେଖାଯିବା ଦରକାର। କେବଳ ସଂରକ୍ଷଣ ମାଧ୍ୟମରେ ସରକାରୀ ସ୍କୁଲର ଭାଗ୍ୟ ବଦଳିବ ନାହିଁ। ଅଳ୍ପ କେତେକ ବିଷୟ ଉପରେ ଦୃଷ୍ଟି ପକାଇ ପରିବର୍ତ୍ତନ ଆଣିବାକୁ ପଡ଼ିବ। ମାତୃଭାଷା ସହିତ ଇଂଲିଶ୍‌ ଶିକ୍ଷାର ମାନବୃଦ୍ଧି କରାଯାଇପାରିଲେ, ଡାକ୍ତର କିମ୍ବା ଇଞ୍ଜିନିୟର ହେବା ସହଜ ହେବ। ଏହା ବ୍ୟତୀତ ପିଲାଙ୍କ ମନ ଏବେ ହ୍ୟୁମାନିଟିଜ୍‌ ଏବଂ ଲିବେରାଲ୍‌ ଆଟର୍‌ସ ଭଳି ବିଷୟ ପଢ଼ିବାର ସମୟ ଆସିଯାଇଛି। ସେଥିପାଇଁ ଉଚିତ ଶିକ୍ଷାପ୍ରାପ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କ ଆବଶ୍ୟକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହିଭଳି ଅନେକ ବିଷୟ ଉପରେ ଏକାଠି ଧ୍ୟାନ ଦିଆଯାଇ ପାରିଲେ ସରକାରୀ ସ୍କୁଲରେ ପାଠ ପଢ଼ିବାକୁ ପିଲାଙ୍କ ଆଗ୍ରହ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri