ଅନ୍ତରୁ ନୂଆ ମାର୍ଗ

କଂଗ୍ରେସ ୨୮ ଡିସେମ୍ବରରେ ତା’ର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ବରିଷ୍ଠ ନେତା ଏ.କେ. ଆଣ୍ଟୋନି ଦଳୀୟ ପତାକାକୁ ଉତ୍ତୋଳନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁତ୍ର ତଥା ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବାକୁ ନେଇ ବିଭିନ୍ନ ଆଡ଼ୁ ପ୍ରଶ୍ନ ଉଠିଛି। କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ପୂର୍ବଦିନ ଇଟାଲୀ ଭ୍ରମଣରେ ଯାଇଥିବା ସୋନିଆ ଓ ରାହୁଲ ହୁଏତ ସମଗ୍ର ଦେଶକୁ ବିଶେଷକରି କଂଗ୍ରେସକର୍ମୀଙ୍କୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ପ୍ରତିଷ୍ଠା ଦିବସକୁ ସେମାନେ ଭୁଲିଯାଇଥିବେ ଚିନ୍ତା କରିବା ଭୁଲ ହେବ। ଯଦି ତା’ ନ ହୁଏ, ତେବେ ବୁଝିବାକୁ ହେବ ଯେ ଗାନ୍ଧୀ ପରିବାରକୁ ବାଦ୍‌ ଦେଇ କଂଗ୍ରେସ ନେତୃବୃନ୍ଦ ଯଦି ନିଜର ପଥ ଆଲୋକିତ କରିପାରିବେ ତେବେ ସୋନିଆ-ରାହୁଲଙ୍କ କୌଣସି ଆପତ୍ତି ନାହିଁ। କିନ୍ତୁ କଂଗ୍ରେସରେ ବିଦ୍ରୋହର ସ୍ବର ଉତ୍ତୋଳନ କରିଥିବା ଅଧିକାଂଶ ନେତାଙ୍କର ନିଜସ୍ବ ଏକ ସୁରକ୍ଷିତ ଲୋକ ସଭା ନିର୍ବାଚନମଣ୍ଡଳୀ ନାହିଁ। ସେମାନେ ହେଉଛନ୍ତି ମୁଖ୍ୟତଃ ରାଜ୍ୟ ସଭା ଆସନ ଅକ୍ତିଆର କରିଥିବା ହିରୋ। ତେବେ କଂଗ୍ରେସ ପକ୍ଷରୁ ସଫେଇ ଦିଆଯାଇଛି ଯେ, ରାହୁଲଙ୍କ ଆଈମା ଇଟାଲୀର ମିଲନ୍‌ରେ ରହୁଥିବାରୁ ତାଙ୍କୁ ଦେଖିବା ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ସେ ସେଠାକୁ ଯାଇଛନ୍ତି। ଅନ୍ୟପକ୍ଷରେ କେତେକେ କହୁଛନ୍ତି ଯେ, କଂଗ୍ରେସର ପ୍ରିନ୍ସ ନୂଆବର୍ଷ କଟାଇବା ପାଇଁ ଇଟାଲୀ ଯାଇଛନ୍ତି। ସୋସିଆଲ ମିଡିଆରେ ରାହୁଲଙ୍କୁ କଟାକ୍ଷ କରାଯାଇ ମନ୍ତବ୍ୟ ଦିଆଯାଉଛି। କୁହାଯାଉଛି ରାଜନୀତି ପ୍ରତି ରାହୁଲ ଆଉ ତତ୍ପର ନ ଥିବାରୁ ବ୍ୟକ୍ତିଗତ କାର୍ଯ୍ୟରେ ସମୟ ବିନିଯୋଗ କରୁଛନ୍ତି। ଯଦି ସୋସିଆଲ ମିଡିଆ କଥା ସତ୍ୟ ହୋଇଥାଏ ସେଥିରେ ଦେଶବାସୀଙ୍କର କୌଣସି ଆପତ୍ତି ରହିବା କଥା ନୁହେଁ। ଏହାବ୍ୟତୀତ ରାହୁଲଙ୍କ ତଥାକଥିତ ଖାମଖିଆଲ ମନୋଭାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସ୍ବାଗତଯୋଗ୍ୟ ହେବା କଥା। ଆଜିର ସରକାର କୌଣସି ରାଜନୈତିକ ବିରୋଧର ସମ୍ମୁଖୀନ ହେଉନାହିଁ। ହୁଏତ ସେଥିପାଇଁ ମନଇଚ୍ଛା ଆଇନ ପ୍ରଣୟନ କରିବା ଫଳରେ ଦେଶବ୍ୟାପୀ ଅଶାନ୍ତି କ୍ରମଶଃ ସୃଷ୍ଟି ହେଉଛି।
ପୁରୁଣା ଜାତୀୟ ଦଳ ଭାବେ କଂଗ୍ରେସ ଏବେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ପାର୍ଲାମେଣ୍ଟରେ ବିରୋଧୀ ଆସନରେ ବସିବା ପାଇଁ ସର୍ବନିମ୍ନ ଯେତିକି ଆସନ ଦରକାର ତାହା ସେହି ଦଳ ପାଇପାରିଲା ନାହିଁ। ସଦ୍ୟ ଘଟଣା ଦେଖିଲେ ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ପ୍ରଦର୍ଶନ ଯୋଗୁ ନିର୍ବାଚନ ପୂର୍ବର ମେଣ୍ଟରେ ଥିବା ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଶାସନ ଗାଦିରେ ବସିପାରିଲା ନାହିଁ। ଓଡ଼ିଆରେ ଢଗ ଅଛି-‘ଯେଉଁ ଡାଳକୁ ଧରିଲେ, ସେହି ଡାଳ ଭାଙ୍ଗିଲା’। କଂଗ୍ରେସ ସ୍ଥିତି ସେହିଭଳି ହୋଇଛି। ତାଙ୍କ ସାଙ୍ଗରେ ଯିଏ ମେଣ୍ଟ ବାନ୍ଧିଲା ସିଏ ମଧ୍ୟ ବୁଡ଼ିଲା। ଏଥିରୁ ବୁଝିବାକୁ ହେବ ଯେ, କଂଗ୍ରେସ ଏକ ମୃତ ଘୋଡ଼ା। ଛାଟ ମାରିଲେ ମଧ୍ୟ ଦୌଡ଼ିପାରିବ ନାହିଁ। ଅଦ୍ୟାବଧି କଂଗ୍ରେସ ଜଣେ ପୂର୍ଣ୍ଣକାଳୀନ ସଭାପତି ବାଛିବାରେ ସକ୍ଷମ ହୋଇପାରୁ ନାହିଁ। ଦଳରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଦେଖା ଦେଉଥିବାରୁ ଜଣେ ପରେ ଜଣେ ନେତା କଂଗ୍ରେସ ଛାଡ଼ୁଛନ୍ତି। ନେତୃତ୍ୱ ନେବାରେ ବରିଷ୍ଠ ନା ଯୁବବର୍ଗଙ୍କୁ ଗୁରୁତ୍ୱ ଦିଆଯିବ, ସେନେଇ ସ୍ପଷ୍ଟ ବାର୍ତ୍ତା ଦଳୀୟ କର୍ମୀଙ୍କ ନିକଟକୁ ଯାଇପାରୁନାହିଁ। ଅନ୍ୟପଟେ ଜନସାଧାରଣ ବାରମ୍ବାର କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଚାଲିଛନ୍ତି। ଦଳୀୟ କନ୍ଦଳ ବିଷୟରେ ଅନେକ ଚର୍ଚ୍ଚା ହେଉଛି।
୨୮ ଡିସେମ୍ବରରେ ଏଆଇସିସି ପକ୍ଷରୁ ତା’ର ସଦସ୍ୟମାନଙ୍କୁ ‘ତ୍ରିରଙ୍ଗା ଯାତ୍ରା’ ଓ ଅନ୍ୟାନ୍ୟ ଅଭିନବ ଅଭିଯାନ କରିବା ଲାଗି କୁହାଯାଇଛି। କେବଳ ପରାମର୍ଶ, ହାଇକମାଣ୍ଡ୍‌ଙ୍କ ନିର୍ଦ୍ଦେଶରେ ଦଳ ସୁଦୃଢ଼ ହୋଇ ନ ଥାଏ। ଜନପ୍ରିୟତା ପାଇବାକୁ ହେଲେ ଲୋକଙ୍କ ସହ ନିରନ୍ତର ମିଶି କାମ କରିବାକୁ ପଡ଼େ। ସେଥିପାଇଁ ଯେଉଁ ନେତୃତ୍ୱ ଏବଂ ସେହି ନେତୃତ୍ୱର ଯେଉଁ ଚରିତ୍ରର ଆବଶ୍ୟକତା ରହିଛି, ତାହାର କୌଣସି ଆଭାସ କଂଗ୍ରେସରେ ମିଳୁନାହିଁ। ପୃଥିବୀବ୍ୟାପୀ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଦେଖିବାକୁ ମିଳେ ଯେ, କ୍ଷମତା ହରାଇବା ପରେ ମଧ୍ୟ ଅନେକ ରାଜନୈତିକ ଦଳ ଏବଂ ନେତା ନିଜର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଚକ୍ଷୁରେ ରହିବା ସହିତ ସଙ୍ଗଠନକୁ ବଞ୍ଚାଇକରି ରଖିପାରିଛନ୍ତି। ସେହି ଦିଗରେ ଭାରତୀୟ ଜାତୀୟ କଂଗ୍ରେସର ରେକର୍ଡ ଅତ୍ୟନ୍ତ ଖରାପ। କ୍ଷମତାରେ ଥିବାବେଳେ ସବୁ ଦଳ ପାଇଁ ଲୋକବଳ, ବାହୁବଳ ଏବଂ ଅର୍ଥବଳ ବନ୍ୟା ଭଳି ମାଡ଼ିଆସେ। କ୍ଷମତାରୁ ଯିବା ପରେ ବାସ୍ତବ ସାଙ୍ଗଠନିକ ଶକ୍ତି କେତେ ଅଛି ପ୍ରମାଣିତ ହୁଏ। ଉଦାହରଣ ଭାବେ ଭାଜପାକୁ ଦେଖାଯାଇପାରେ। ଗତ ଶତାବ୍ଦୀର ୮୦ ଦଶନ୍ଧିରେ ଭାଜପାର ମାତ୍ର ଦୁଇଜଣ ସଦସ୍ୟ ଲୋକ ସଭାରେ ଥିବାବେଳେ ୧୯୯୮ରେ ସଂଖ୍ୟାଲଘୁ ସରକାର ଗଢ଼ିପାରିଥିଲା। ତାହା ଥିଲା ବାଜପେୟୀଙ୍କ ଭାଜପା ସରକାର। ୨୦୦୪ରେ ବାଜପେୟୀ ସରକାରଙ୍କ ପତନ ପରେ ଭାଜପାର ଶକ୍ତି ୧୦ ବର୍ଷ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ସେହି ଦଶନ୍ଧିରେ ଆଡ୍‌ଭାନୀଙ୍କ ନେତୃତ୍ୱକୁ ଦେଶବାସୀ ସ୍ବୀକାର କଲେ ନାହିଁ। ୨୦୧୩ ମସିହାରେ ଯେତେବେଳେ ଭାଜପା ଏକ ନୂଆ ମୁଖ ଭାବେ ନରେନ୍ଦ୍ର ମୋଦିଙ୍କୁ ଆଣିଲା ସେତେବେଳେ ଭୋଟର ତାହାକୁ ସ୍ବୀକାର କଲେ। କଂଗ୍ରେସର ସମସ୍ୟା ହେଲା ଯେ ଏକ ଦଶନ୍ଧି ମଧ୍ୟରେ କୌଣସି ନୂଆ ଚିନ୍ତାଧାରା ବା ନେତୃତ୍ୱ ଆଣିପାରୁ ନାହିଁ। ସେଥିପାଇଁ ତାହାର ପ୍ରବେଶ ଦେଶର ହୃଦୟ ଭିତରକୁ ହୋଇପାରୁ ନାହିଁ। କଂଗ୍ରେସବାଲା ସାଧାରଣରେ ଜିତିଲା ବେଳକୁ ନିଜର ବାହାଦୁରି ଦେଖାନ୍ତି। ହାରିଲେ ତାହା ଗାନ୍ଧୀ ପରିବାର ଦୋଷ ବୋଲି କୁହନ୍ତି। ଏହିଭଳି ଅନେକ ମୌଳିକ ଦୁର୍ବଳତା କଂଗ୍ରେସକୁ ପୁନର୍ଜୀବିତ ହେବାକୁ ଦେଉନାହିଁ। କଂଗ୍ରେସ ଯେତେଶୀଘ୍ର ନିପାତ ହୋଇଯିବ, ଦେଶ ପାଇଁ ସେତିକି ଭଲ। ଇତିହାସକୁ ଦେଖିଲେ ମଧ୍ୟବିତ୍ତ ଏବଂ ବୁଦ୍ଧିଜୀବୀ ସବୁବେଳେ ସମାଜକୁ କ୍ଷତି ପହଞ୍ଚାଇ ଥାଆନ୍ତି। ଧନୀଙ୍କ ପ୍ରତି ହିଂସା ଏବଂ ଗରିବଙ୍କ ପ୍ରତି ଘୃଣା କରୁଥିବା ଏହି ବର୍ଗ ଯେତେବେଳେ ଆନ୍ଦୋଳନ କରେ ତାହାର ପରବର୍ତ୍ତୀ ଫଳସ୍ବରୂପ ଜଣେ ଅଗଣତାନ୍ତ୍ରିକ ଏକଚ୍ଛତ୍ରବାଦୀ ଶାସକ ସୃଷ୍ଟି ହୋଇଥାଏ। ଏହାର ଏକ ସୁନ୍ଦର ଉଦାହରଣ ଆରବ ସ୍ପ୍ରିଙ୍ଗ୍‌ ବିପ୍ଳବରୁ ଦେଖାଦେଇଥିଲା। ଯେତେବେଳେ ଚାଷୀ, ମୂଲିଆ ଏବଂ ଖଟିଖିଆଙ୍କ ଦ୍ୱାରା ବିପ୍ଳବ ଆସିଛି ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଛି। ସେହି ନୂଆ ବ୍ୟବସ୍ଥା ଲୋକାଭିମୁଖୀ ଏବଂ ଗଣତାନ୍ତ୍ରିକ ହେବାର ସବୁବେଳେ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।
ଯେହେତୁ କଂଗ୍ରେସ ଚରିତ୍ରରେ ପରିବର୍ତ୍ତନ ଆଣିବାର କୌଣସି ଉଦାହରଣ ନାହିଁ, ସେଥିପାଇଁ ସେହି ଦଳର ଅନ୍ତ ଭାରତକୁ ଏକ ନୂଆ ମାର୍ଗ ଦେଖାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri