କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ ଭୂକମ୍ପ ନୁହେଁ । ବରଂ ଏକ ଗ୍ଲେସିୟରର ଅଂଶ ତରଳିବା ପରେ ମାଟି, ପଥର ଓ ପାଣିର ଭୟଙ୍କର ପ୍ରବାହ ଯୋଗୁଁ ଏହି ବିପର୍ଯ୍ୟୟ ଘଟିଥିବା ଜଣାପଡ଼ିଛି।
ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁସାରେ, ପ୍ରଥମେ ୪.୪ ତୀବ୍ରତାର ଭୂକମ୍ପ ସିଗ୍ନାଲ ଭାବେ ରେକର୍ଡ ହୋଇଥିବା କମ୍ପନ ବାସ୍ତବରେ ଗ୍ଲେସିୟରର ଏକ ଅଂଶ ଖସିପଡ଼ିବା ଏବଂ ମାଟି-ପଥରର ଦ୍ରୁତ ପ୍ରବାହ ଯୋଗୁଁ ସୃଷ୍ଟି ହୋଇଥିଲା। ପରେ ଏହି ଘଟଣା ସହ ଜଡ଼ିତ କମ୍ପନକୁ ପ୍ରାୟ ୫.୨ ତୀବ୍ରତାର ସିଗ୍ନାଲ ଭାବେ ଆକଳନ କରାଯାଇଛି। ସାଟେଲାଇଟ୍ ଚିତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୫୨୦୦ ମିଟର ଉଚ୍ଚତାରେ ଥିବା ଗ୍ଲେସିୟରର ତଳ ଅଂଶ ଭାଙ୍ଗି ପ୍ରାୟ ୧୨୦୦ ମିଟର ତଳେ ଥିବା ଉପତ୍ୟକାକୁ ଖସିପଡ଼ିଥିଲା। ଏହାପରେ ଲେନ୍ଦେ ଖୋଲା ନଦୀର ପ୍ରବାହ କିଛି ସମୟ ପାଇଁ ଅଟକି ଯାଇଥିଲା।
ପାଣି, ମାଟି ଓ ପଥରର ଚାପ ବଢ଼ିବା ପରେ ହଠାତ୍ ବହୁ ପରିମାଣର ମାଟି-ପଥର ଓ ପାଣି ଭୋଟେକୋଶୀ ନଦୀ ଦିଗକୁ ପ୍ରବାହିତ ହୋଇଥିଲା। ବିଶେଷ କଥା ହେଉଛି, ଘଟଣା ଦିନ ରସୁୱା ଅଞ୍ଚଳରେ ବର୍ଷା ପରିମାଣ ବହୁତ କମ୍ ଥିଲା। ତେଣୁ ସାଧାରଣ ମୌସୁମୀ ବନ୍ୟା ଅପେକ୍ଷା ଗ୍ଲେସିୟର ଭୁଶୁଡ଼ିବା ଓ ଏହାପରେ ସୃଷ୍ଟି ହୋଇଥିବା ମାଟି-ପଥର ପ୍ରବାହକୁ ବନ୍ୟାର ମୁଖ୍ୟ କାରଣ ଭାବେ ଦେଖାଯାଉଛି।ଲ୍ୟାଙ୍ଗଟାଙ୍ଗ ଲିରୁଙ୍ଗ ଶିଖର ନିକଟରେ ଥିବା ଏକ ଗ୍ଲେସିୟରର ତଳ ଅଂଶ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଏହି ସ୍ଥାନ ବନ୍ୟା ପ୍ରଭାବିତ ଅଞ୍ଚଳଠାରୁ ପ୍ରାୟ ୧୫ କିଲୋମିଟର ପଶ୍ଚିମରେ ରହିଛି। ଗ୍ଲେସିୟରର ଅଂଶ ଉତ୍ତର-ପଶ୍ଚିମ ଦିଗକୁ ଖସିବା ପରେ ନଦୀ ସହ ପଶ୍ଚିମ ଦିଗକୁ ଗତି କରିଥିଲା। ଗ୍ଲେସିୟର ଉପତ୍ୟକାକୁ ଖସିବା ସମୟରେ ଯେଉଁ କମ୍ପନ ସୃଷ୍ଟି ହୋଇଥିଲା, ତାହା ଏତେ ତୀବ୍ର ଥିଲା ଯେ ଏହାକୁ ପ୍ରଥମେ ଭୂକମ୍ପ ଭାବେ ରେକର୍ଡ କରାଯାଇଥିଲା।

