ଉପେକ୍ଷିତ ଶୈଶବ, ଦୁଃଖଦ ବାର୍ଦ୍ଧକ୍ୟ

ପ୍ରକାଶ ତ୍ରିପାଠୀ

ପିଲାବେଳର ଅନୁଭୂତି ଓ ସ୍ମୃତିକୁ କୌଣସି ମଣିଷ ସେମାନଙ୍କ ଜୀବନକାଳ ମଧ୍ୟରେ ଭୁଲିପାରି ନ ଥାନ୍ତି। ବିଶେଷକରି ପରିଣତ ସମୟରେ ନିଜର ସେହି ଅଭୁଲା ସ୍ମୃତିକୁ ମନେପକାଇ ସମସ୍ତେ ଭାବପ୍ରବଣ ହୋଇଥାନ୍ତି। ସେଥିପାଇଁ ବୋଧହୁଏ ପରିଣତ ବୟସରେ ନାତୁଣୀନାତିଙ୍କ ସହ ଅଧିକ ସମୟ ବିତାଇ ଶୈଶବମନସ୍କ ହେବାକୁ ବୟସ୍କମାନେ ଅଧିକ ପସନ୍ଦ କରିଥାନ୍ତି। ଶୈଶବ ସମୟରେ ପ୍ରତ୍ୟେକ ମଣିଷ ସମସ୍ତ ଚିନ୍ତାରୁ ଦୂରରେ ରହି ନିଜର ମାତାପିତାଙ୍କ ପୂର୍ଣ୍ଣ ହେପାଜତରେ ସମସ୍ତ ଇଚ୍ଛାର ପୂର୍ତ୍ତି କରିଥାନ୍ତି। ଘରର ସମସ୍ତ ଯୋଜନା ପିଲାମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଏ। ଘରର ପ୍ରତ୍ୟେକ ସଦସ୍ୟ ପିଲାମାନଙ୍କ ପ୍ରତି ସହାନୁଭୂତିଶୀଳପୂର୍ବକ ସେମାନଙ୍କୁ ସ୍ନେହ ଓ ପ୍ରେମ କରିଥାନ୍ତି। ବିଶେଷ କରି ଜେଜେ ମା’ ଜେଜେ ବାପାଙ୍କର ଅତିପ୍ରିୟ ହୋଇଥାନ୍ତି ପିଲାମାନେ। ସେମାନଙ୍କଠାରୁ ଅଯାଚିତ ସ୍ନେହ ଓ ଭଲପାଇବା ଯୋଗୁ ନିଜର ମାତାପିତାଙ୍କ ଅପେକ୍ଷା ପିଲାମାନେ ସେମାନଙ୍କର ଜେଜେ ମା’ଜେଜେ ବାପାଙ୍କ ପାଖରେ ଅଧିକ ସମୟ ରହିବା ପାଇଁ ଭଲପାଇଥାନ୍ତି। ଯେଉଁ ଇଚ୍ଛା ନିଜର ମା’ବାପାଙ୍କଠାରୁ ପୂର୍ଣ୍ଣ ହୋଇ ପାରି ନ ଥାଏ, ସେହି ଇଚ୍ଛା ଜେଜେ ମା’ ଜେଜେ ବାପାଙ୍କ ମାଧ୍ୟମରେ ସହଜରେ ପୂର୍ଣ୍ଣ ହୋଇଯାଇଥାଏ। ଘରର ଗୁରୁଜନମାନେ ପିଲାମାନଙ୍କୁ ଭଲ ସଂସ୍କାର ପ୍ରଦାନ କରିବାରେ ଅବହେଳା କରି ନ ଥାନ୍ତି। ଛୋଟ ପିଲାମାନଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ଘରର ପ୍ରତ୍ୟେକ ଗୁରୁଜନ ପ୍ରଥମରୁ ଯତ୍ନବାନ ହୋଇଥାନ୍ତି। ଘରର ଜେଜେ ମା’ ଜେଜେ ବାପା ଓ ଅନ୍ୟାନ୍ୟ ଗୁରୁଜନମାନେ ପିଲାମାନଙ୍କ ପାଇଁ ଏକ ପୂର୍ଣ୍ଣକାଳୀନ ଶିକ୍ଷକ ଭାବେ କାର୍ଯ୍ୟ କରିଥାନ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ପିଲାମାନଙ୍କୁ ଉତ୍ତମ ଚରିତ୍ର ସହ ଶ୍ରେଷ୍ଠ ସଂସ୍କାରପୂର୍ଣ୍ଣ କରିବା ପାଇଁ ବିଶେଷ ସହଯୋଗ କରିଥାନ୍ତି।
ଉପରବର୍ଣ୍ଣିତ ତଥ୍ୟ ନିଶ୍ଚିତ ପାଠକମାନଙ୍କ ମନରେ ଏକ ସଂଯୁକ୍ତ ପରିବାର ବା ଯୌଥ ପରିବାରର ଚିତ୍ର ଆଙ୍କି ସାରିଥିବ। ସଂଯୁକ୍ତ ପରିବାର ଭାରତୀୟ ସଂସ୍କୃତିର ପରିଚୟ । ପ୍ରାଚୀନ ଭାରତୀୟ ସଂସ୍କୃତିର ସମସ୍ତ ପରିଚୟ ମଧ୍ୟରେ ସଂଯୁକ୍ତ ପରିବାର ଏକ ମୁଖ୍ୟ ପରିଚୟ ଧାରଣ କରିଥାଏ। ଏହି ପ୍ରକାର ପରିବାରରେ, ଅତି କମରେ ତିନି ପିଢି ଲୋକ ଏକାଠି ରୁହନ୍ତି ଏବଂ ଖୁସିରେ ଜୀବନ ଅତିକ୍ରାନ୍ତ କରନ୍ତି। ଏହା ଯେକୌଣସି ଶିଶୁର ସମ୍ପୂର୍ଣ୍ଣ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ସର୍ବୋତ୍ତମ କ୍ଷେତ୍ର ଭାବେ ବିବେଚିତ ହୁଏ । ମିଳିତ ପରିବାରରେ ବଢୁଥିବା ପିଲାମାନେ ଏକ ଶୃଙ୍ଖଳିତ ଜୀବନଯାପନ କରନ୍ତି ଏବଂ ସର୍ବଦା କିଛି ବୟସ୍କଙ୍କ ତତ୍ତ୍ୱାବଧାନରେ ରହିଥା’ନ୍ତି। କିନ୍ତୁ ଆଧୁନିକତା, ମାତ୍ରାଧିକ ବ୍ୟକ୍ତି ସ୍ବାଧୀନତା ଓ ଭୌତିକ ସୁଖ ଅର୍ଜନ ଦୌଡରେ ସଂଯୁକ୍ତ ପରିବାରର ସ୍ଥିତି ଆଜି ବିପନ୍ନ। ସଂଯୁକ୍ତ ପରିବାରର ବିଘଟନରେ ଘର ବିଭାଜିତ ହୁଏ, ଧନ ସମ୍ପତ୍ତି ବିଭାଜିତ ହୁଏ ଓ ପାରସ୍ପରିକ ସମ୍ପର୍କ ବି ଦୁର୍ବଳ ହୋଇଯାଏ। ସଂଯୁକ୍ତ ପରିବାରର ବିଘଟନରେ ସର୍ବାଧିକ କ୍ଷତିଗ୍ରସ୍ତ ହୁଅନ୍ତି ଘରର ଛୋଟ ଛୋଟ ପିଲା, ଜେଜେମା ଓ ଜେଜେ ବାପାଙ୍କ ଭଳି ବୟସ୍କ ଗୁରୁଜନମାନେ। ଉଭୟ ଅବହେଳିତ ହୋଇଯାନ୍ତି ଏକକ ବା ଅଣୁ ପରିବାରରେ। ଛୋଟ ପିଲାମାନେ ସେମାନଙ୍କ ଆଦରର ଜେଜେମା ଓ ଜେଜେବାପାଙ୍କଠାରୁ ଦୂରେଇଯାନ୍ତି ଏବଂ ବୟସ୍କ ଜେଜେମା ଓ ଜେଜେ ବାପାମାନେ ନାତୁଣୀ-ନାତିଙ୍କ ମମତାଠୁ ଦୂରରେ ରହିଯାନ୍ତି। ପରିବାର ଚଳାଇବା ପାଇଁ ଏବେ ଅଧିକାଂଶ ପରିବାରରେ ଉଭୟ ପତ୍ନୀ-ପତିଙ୍କୁ ରୋଜଗାରକ୍ଷମ ହେବାକୁ ପଡୁଛି, ଯଦ୍ଦ୍ବାରା କି ପିଲାମାନକୁ ସେମାନେ ସମୟ ଦେଇ ପାରୁନାହାନ୍ତି। ପିଲାଙ୍କ ଦାୟିତ୍ୱ ଦିଆଯାଉଛି ଆୟାମାନଙ୍କୁ। ପରିବାର ସଦସ୍ୟ ଓ ଆୟାଙ୍କ ମଧ୍ୟରେ ଅନେକ ଫରକ। ମାନସିକ ତଥା ଭାବନାତ୍ମକ ସ୍ତରରେ ପିଲାମାନେ ଆୟାମାନଙ୍କ ନିକଟରେ ନିଜକୁ ଅସହାୟ ମନେକରୁଥିଲେ ବି ସେମାନଙ୍କ ନିକଟରେ ଅନ୍ୟ ବିକଳ୍ପ ନ ଥାଏ। ନିଜ ଲୋକଙ୍କଠାରୁ ଦୂରେଇଯାଇ ପର ଲୋକଙ୍କ ପାଖରେ ଲାଳନପାଳନ ହେବାକୁ ପଡିଥାଏ ଛୋଟ ଛୁଆମାନଙ୍କୁ। ଯେଉଁଠାରେ ହୃଦୟର ସମ୍ପର୍କ ରୁହେନାହିଁ, ସେଠାରେ ପିଲାମାନେ ଅଧିକ ଏକଲାପଣର ଶିକାର ନ ହେବେ ବା କେମିତି। ଯେଉଁ ପରିବାରରେ ଛୋଟ ପିଲାମାନଙ୍କୁ ଘରର ଅଭିଭାବକମାନେ ସମୟ ଦେଇପାରୁନାହାନ୍ତି, ସେଠାରେ ବୟସ୍କ ଗୁରୁଜନଙ୍କ ଯତ୍ନ ନେବାକୁ ସେମାନେ କୁଆଡୁ ସମୟ ପାଇବେ। ବାଧ୍ୟ ହୋଇ ସ୍ବଇଚ୍ଛାରେ ବା ବୋହୂ-ପୁଅଙ୍କ ଇଚ୍ଛାରେ ଅନାଥାଶ୍ରମ ବା ବୃଦ୍ଧାଶ୍ରମକୁ ଆଦରି ନେଉଛନ୍ତି ବୟସ୍କ ମା-ବାପାମାନେ। ନିଜ ସନ୍ତାନମାନଙ୍କ ଗହଣରେ ଶେଷ ଜୀବନ ବିତାଇବାକୁ ଆଶା ରଖିଥିବା ଏହି ବୟସ୍କମାନେ ଶେଷରେ ଏକୁଟିଆ ହୋଇଯାନ୍ତି ନତୁବା ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ଗହଣରେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି।
ପ୍ରାରମ୍ଭିକ ସମୟରେ ପିଲାମାନଙ୍କର ମସ୍ତିଷ୍କ ବିକାଶ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଅତି ଚତୁରତାର ସହ ସେମାନଙ୍କର ମାନସିକ ବିକାଶରେ ପରିବାରର ସଦସ୍ୟମାନେ ସହଯୋଗ କରିବା ଆବଶ୍ୟକ। ଶିଶୁଟିଏ ଜନ୍ମ ହେବାର ପ୍ରଥମ ହଜାର ଦିନ ମଧ୍ୟରେ ତାର ମସ୍ତିଷ୍କ ତୀବ୍ର ଭାବରେ ବିକାଶ ହୋଇଥାଏ। ଏହି ସମୟରେ ଶିଶୁଟିଏ ଶାରୀରିକ ବୃଦ୍ଧି ସହ ପାରିପାର୍ଶ୍ୱିକ ପରିବେଶରୁ ଅନେକ କିଛି ଶିଖିଥାଏ, ଯାହାକି ତା’ର ଭବିଷ୍ୟତ ଗଠନର ମୂଳଦୁଆ ହୋଇଥାଏ। ଗୋଟିଏ ଶିଶୁକୁ ଠିକ୍‌ ଭାବରେ ପ୍ରଥମରୁ ଗଢ଼ିପାରିଲେ ଗୋଟିଏ ସୁସ୍ଥ ଓ ବିକଶିତ ସମାଜ ଗଠନ ସହଜ ସମ୍ଭବ ହୁଏ । କିନ୍ତୁ ଗୋଟିଏ ଏକକ ପରିବାରରେ ଶିଶୁଟିଏ ସର୍ବଦା ସମ୍ପର୍କ ଓ ସମ୍ବନ୍ଧ ଅଭାବରେ ଦିନ କାଟିଥାଏ । ସମ୍ପର୍କର ଅଭାବରେ ଜର୍ଜରିତ ହୋଇଯାଏ ତା’ର ଶୈଶବ। ମାତା, ପିତାମାନେ ସେମାନଙ୍କ ପିଲାମାନଙ୍କ ପାଇଁ ସବୁ ଖୁସି ଓ ସୁବିଧା ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେହି ପିଲା ବଡ ହେବା ପରେ ସେମାନଙ୍କ ସାହାରା ହେବା ବଦଳରେ ବୃଦ୍ଧାଶ୍ରମରେ ଛାଡିଦେବା ପାଇଁ କୁଣ୍ଠାପ୍ରକାଶ କରୁନାହାନ୍ତି। ଯେତିକି ଯେତିକି ସଂଯୁକ୍ତ ପରିବାର ଭାଙ୍ଗି ଅଣୁ ପରିବାର ବଢୁଛି, ସେହି ଅନୁପାତରେ ବୃଦ୍ଧାଶ୍ରମ ସଂଖ୍ୟା ବଢୁଛି। ଏକ ଭଲ ସମାଜ ଗଠନରେ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବାରରୁ ହିଁ ଜଣେ ବ୍ୟକ୍ତି ନିଜ ମାତୃଭାଷା, ସଂସ୍କୃତି ଏବଂ ସଂସ୍କାର ଜ୍ଞାନ ପାଇଥାଏ। ପ୍ରତ୍ୟେକ ପଦକ୍ଷେପରେ ସେ ନିଜର ଭାବର ଆଦାନ ପ୍ରଦାନ ପାଇଁ ଏକ ସାଥୀ ଆବଶ୍ୟକ କରେ। ପରିବାରରେ ସେ ସେହି ସାଥୀକୁ ତାଙ୍କ ଭାଇ, ଭଉଣୀ, ମାତା,ପିତା ଏବଂ ପତ୍ନୀ ଆକାରରେ ପାଇଥା’ନ୍ତି, ଯାହାଫଳରେ ସେ ନିଜ ଜୀବନକୁ ଖୁସିରେ ଆଗକୁ ବଢାଇଥାଏ। ସେଥିରେ ଅଭାବ ରହିଲେ ସେ ଏକଲାପଣର ଶିକାର ହେବା ସ୍ବାଭାବିକ। ଯଦି ଗୋଟିଏ ଶିଶୁକୁ ଭଲ ଖେଳଣା ଦିଆ ନ ଯାଏ, ତେବେ ସେ କିଛିସମୟ କାନ୍ଦିପାରେ, ମାତ୍ର ଯଦି ତାକୁ ଭଲ ସଂସ୍କାର ଦିଆ ନ ଯାଏ, ତେବେ ସେ ଜୀବନସାରା କାନ୍ଦି ଥାଏ। ଭଲ ସଂସ୍କାର ଶିଶୁଟି ପାଇଥାଏ ନିଜ ପରିବାରରୁ, ବିଶେଷ କରି ସଂଯୁକ୍ତ ପରିବାରରୁ। ଆଜିର ସମୟରେ ଭାରତରେ ସେହି ଭାରତୀୟ ମହାନ୍‌ ସଂସ୍କୃତିର ମୂଳପିଣ୍ଡ ସଂଯୁକ୍ତ ପରିବାରର ପୁନଃ ସ୍ଥାପନର ଆବଶ୍ୟକତା ଅନୁଭବ ହେଉଛି। ବିଖଣ୍ଡିତ ପରିବାରକୁ ପୁନଃ ଅଖଣ୍ଡ ପରିବାରରେ ପରିଣତ କରିପାରିଲେ ଉଭୟ ଶିଶୁ ଓ ବୟସ୍କ ନାଗରିକମାନେ ଏକ ସୁସ୍ଥ ଓ ସୁଖକର ପରିବେଶରେ ସମୟ କାଟିପାରନ୍ତେ। ଶିଶୁଙ୍କ ଦେଖାଚାହାଁ ଆୟା ନୁହେଁ, ଜେଜେ ମା’ ଜେଜେ ବାପାଙ୍କ ପାଖରେ ହେଉ ଓ ଜେଜେ ମା’ ଜେଜେ ବାପାଙ୍କ ସମୟ ବୃଦ୍ଧାଶ୍ରମ ନୁହେଁ, ନାତୁଣୀ ନାତିଙ୍କ ଗହଣରେ କଟୁ। ଏହା ହିଁ ଆଜିର ସମୟରେ ସବୁଠାରୁ ବଡ ସାମାଜିକ ଆହ୍ବାନ।
ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri