ଭୁବନେଶ୍ୱର,୩୦।୬: ରାଜଧାନୀର ବହୁଚର୍ଚ୍ଚିତ ଖଣ୍ଡଗିରି ହତ୍ୟାକାଣ୍ଡରେ ମୃତକଙ୍କ ପରିବାରକୁ ଆଉ ଏକ ବଡ଼ ଝଟକା ଲାଗିଛି। ହତ୍ୟାକାଣ୍ଡ ସମୟରେ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିବା ବାପାଙ୍କର ମଧ୍ୟ ଭୁବନେଶ୍ୱର AIIMSରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୃତକଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି।
ସୂଚନା ଅନୁସାରେ, ସୋମବାର ଖଣ୍ଡଗିରି ଅଞ୍ଚଳରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ବାପା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ AIIMS ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ଯାଇ ପାରି ନ ଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି।
ଏହି ଘଟଣାକୁ ନେଇ ଖଣ୍ଡଗିରି ପୋଲିସ ତଦନ୍ତକୁ ଜୋରଦାର କରିଛି। ପୂର୍ବରୁ ଏହି ମାମଲାରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣାର ପ୍ରକୃତ କାରଣ, ଆକ୍ରମଣ ପଛର ଷଡ଼ଯନ୍ତ୍ର ଏବଂ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ବାପାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଅଳ୍ପ ସମୟ ବ୍ୟବଧାନରେ ବାପା-ପୁଅଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଶୀଘ୍ର ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିବା ସହ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦେଇଛି।

