Categories: ବାଣିଜ୍ୟ

‘ପ୍ରାକୃତିକ ବନାମ କୃତ୍ରିମ କୋମା’

ଭୁବନେଶ୍ୱର,୨୧।୪: ଜି-୨୦ ପରିପ୍ରେକ୍ଷୀରେ ଆଇସିଏମ୍‌ଆର୍‌ ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଭୁବନେଶ୍ୱରଠାରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ‘ପ୍ରାକୃତିକ ବନାମ କୃତ୍ରିମ କୋମା’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନଚକ୍ର ଆୟୋଜିତ ହୋଇଥିଲା। ବିଶେଷକରି ଜି-୨୦ ଜନ ଭାଗୀଦାରି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏଭଳି ଏକ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଶିକ୍ଷା କ୍ଷେତ୍ରର ଆଲୋଚନା ପାଇଁ ସ୍ବତନ୍ତ୍ର ଅନୁଷ୍ଠାନ ଦ୍ୱାରା ପରିଚାଳିତ ଉକ୍ତ କାର୍ଯ୍ୟକ୍ରମକୁ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ଗବେଷକ ଡ. ମହେଶ ଚନ୍ଦ୍ର ସାହୁ ଏବଂ ଡ. ତନ୍‌ବୀର ରେହମାନ ଆୟୋଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡା. ଲିସା ଷଡ଼ଙ୍ଗୀ ଅତିଥି ତଥା ବକ୍ତାମାନଙ୍କୁ ପରିଚିତ କରାଇଥିଲେ। କ୍ରମେ ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱରର ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ଭାରତର ଜି-୨୦ ଜନଭାଗୀଦରି ବିଷୟବସ୍ତୁ ଏବଂ ସେମିନାରର ଗୁରୁତ୍ୱ ଉପରେ ଉଦ୍‌ବୋଧନ ଦେଇଥିଲେ। ଏହାପରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡା. ଅକ୍ଷୟ କୁମାର ସାମଲ ସମସ୍ତ ଅତିଥିଙ୍କୁ ସ୍ବାଗତ ଜଣାଇ ବସୁଧୈବ କୁଟୁମ୍ବକମ୍‌ ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲର ଡିନ୍‌ ଡା.ସଂଘମିତ୍ରା ମିଶ୍ର ଉକ୍ତ ଆଲୋଚ଼ନାଚ଼କ୍ରରେ ଅଧ୍ୟକ୍ଷତା କରିଥିଲେ। ଅପରପକ୍ଷରେ କର୍ମଶାଳାର ପ୍ରଥମ ଅଧିବେଶନରେ ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲର ନ୍ୟୁରୋ ମେଡିସିନ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡା. ଶ୍ରୀକାନ୍ତ ସାହୁ କୋମାର ପ୍ରତ୍ୟାବର୍ତ୍ତନୀୟ କାରଣ ଗୁଡିକ ଯାଞ୍ଚ କରିବା ଜରୁରୀ ଏବଂ କୋମାରେ ଥିବା ରୋଗୀଙ୍କର କ୍ଲିନିକାଲ ହିଷ୍ଟ୍ରିର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି କର୍ମଶାଳାର୨ୟ ଅଧିବେଶନରେ ଅନୁଷ୍ଠାନର ଶ୍ୱାସରୋଗ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ଶରତ କୁମାର ବେହେରା କୋମା ବିଷୟ ଅନ୍ତର୍ଗତ ବିଭିନ୍ନ ଶବ୍ଦ ଓ ସଂଜ୍ଞା ଏବଂ କୋମା ରୋଗୀର ଚିକିତ୍ସା କରିବା ପାଇଁ ଭିନ୍ନ ଭିନ୍ନ କ୍ଲିନିକାଲ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

Share