Posted inଫୁରସତ

ନନ୍ଦିନୀ: ଏକ ସଂକଳ୍ପର ନାଁ

ନନ୍ଦିନୀ ଶତପଥୀ ଥିଲେ ବାସ୍ତବରେ ଏକ ସଂକଳ୍ପ, ଏକ ସ୍ବାଭିମାନ। ଉଭୟ ରାଜନୀତିରେ, ମାନବ ସେବାରେ, ସାହିତ୍ୟ ରଚନାରେ। ୧୯୩୧ ମସିହା ଆଜିର ଦିନରେ କଟକରେ ତାଙ୍କର ଜନ୍ମ। ଯୁଗନ୍ଧର ଲେଖକ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ତା’ଙ୍କ ବାପା। ଧୂଳିବାଲିରୁ ଉଠି ଉଠି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି! ରାଜନୀତିର ନାନା ଝଡ଼ଝଞ୍ଜା ଭିତରେ ଥାଇ ବି ନିଜକୁ ତହିଁରୁ ମୁକୁଳାଇ ଗଳ୍ପ, କବିତା, ନିବନ୍ଧ ଲେଖୁଥିଲେ। ଓଡ଼ିଆ ଭାଷାକୁ ବହୁ କାଳଜୟୀ ପୁସ୍ତକର ଅନୁବାଦ କରି ଯଶସ୍ବିନୀ ହୋଇଥିଲେ।
ନନ୍ଦିନୀ ଶୈଶବରୁ ତାଙ୍କ ବୟସର ପୁଅ ଝିଅଙ୍କଠାରୁ ଅଲଗା ଥିଲେ ମନରେ, ବିବେକରେ ଓ ଆଚରଣରେ। ଯାହା ମନସ୍ଥ କରୁଥିଲେ, କରୁଥିଲେ। ଯେଉଁ ବାଟରେ ଯିବା ସ୍ପୃହଣୀୟ ମଣୁଥିଲେ, ସେହି ବାଟରେ ଚାଲୁଥିଲେ। ନିଜ ବିଷୟରେ କହିବାବେଳେ ଠାଏ ସେ କହିଥିଲେ: ‘ମୁଁ ମୋ’ ନିଜ ପାଇଁ ବଞ୍ଚତ୍ନାହିଁ, ବଞ୍ଚତ୍ଛି ସମାଜ ପାଇଁ, ଦେଶ ପାଇଁ।“ ଏକଥା କେବଳ ସେ କହି ନ ଥିଲେ, ନିଜର କର୍ମମୟ ଜୀବନର ପ୍ରତି ପଦପାତରେ କାର୍ଯ୍ୟରେ କରି ଦେଖାଇ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀ ହେଲା ବେଳକୁ ଓଡ଼ିଶାରେ ଭୂ-ସଂସ୍କାର ଆଇନ ଥିଲା, କିନ୍ତୁ ଠିକ୍‌ ଭାବେ କାର୍ଯକାରୀ ହୋଇପାରୁ ନ ଥିଲା। ତାହାକୁ ସେ କାର୍ଯ୍ୟକାରୀ କରାଇଥିଲେ ବିହିତ ସଂସ୍କାର ସହ। ସେ ବୁଝିଥିଲେ- ଓଡ଼ିଶାର କ୍ଷେତକୁ ଅଧିକ ଅମଳକ୍ଷମ କରିବା ପାଇଁ ସାର ଦରକାର। ତେଣୁ ତାଳଚେରରେ ସାର କାରଖାନା ବସାଇଥିଲେ। ସେ ଶାସନକୁ ଆସିବା ଆଗରୁ ଜମିଦାରି ଉଚ୍ଛେଦ ହୋଇଥିଲା ସତ, କିନ୍ତୁ ସରକାରମାନେ ମଠ ମନ୍ଦିର ଅଧିକାରୀମାନଙ୍କୁ ଡରି ମଠ, ମନ୍ଦିର ଟ୍ରଷ୍ଟ ଉଚ୍ଛେଦ କରି ନ ଥିଲେ। ନନ୍ଦିନୀ ଦେବୀ ଏକ ଘୋଷଣାନାମାରେ ଟ୍ରଷ୍ଟବୋର୍ଡ ଉଚ୍ଛେଦ କରିଦେଇଥିଲେ। ତାଙ୍କ ନାଅଁାରେ ପ୍ରଚାର ହୋଇଥିଲା- ‘ଶ୍ରୀଜଗନ୍ନାଥ ଆଜିଠାରୁ ଭୂମିହୀନ ହେଲେ।’ ସରକାରଙ୍କୁ ବଦନାମ କରାଇବା ପାଇଁ ସେବକମାନଙ୍କୁ ମତାଇ ଚକ୍ରାନ୍ତକାରୀଏ ରଥାଯାତ୍ରା ପହଣ୍ଡିରେ ବିଳମ୍ବ କରାଇଥିଲେ। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ହେଲେ ଏହାର ୧୪ ବର୍ଷ ପରେ ୧୯୮୮ରେ ସୁପ୍ରିମ କୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ଆଇନସିଦ୍ଧ ବୋଲି ରାୟ ଦେଇଥିଲେ।
ନନ୍ଦିନୀ ଦେବୀଙ୍କ ସରକାର ମହାଜନୀ କାରବାରକୁ ବେଆଇନ ଘୋଷଣା କରିଥିଲେ। ଯୌତୁକ ପ୍ରଥା ବିରୋଧରେ ଆମୃତ୍ୟୁ ଲଢ଼ିଥିଲେ। ତାଙ୍କର ନିନ୍ଦୁକମାନେ କହୁଥିଲେ- ”ନନ୍ଦିନୀ ଶତପଥୀଙ୍କର କିଛି କାମ ନାହିଁ, ‘ଯୌତୁକ ପ୍ରଥା’ ଭଳି ମାମୁଲି କଥାର ପିଛା ଧରିଛନ୍ତି।“ ଏବେ ସେ ନାହାନ୍ତି। ହେଲେ ତାଙ୍କ କଥା ଯେ କେତେ ଉଚିତ ଥିଲା, ତାହା ହେଜିବା ବାକି ରହେନାହିଁ। ଆଜିର ‘ଚିଟ୍‌ଫଣ୍ଡ’ ଠକେଇ ଯୁଗରେ ବୁଝି ହୁଏ, ମହାଜନୀ କାରବାରକୁ ବେଆଇନ କରିବା ସେ ସମୟରେ କିପରି ଥିଲା ଖୁବ୍‌ ପ୍ରାସଙ୍ଗିକ ପଦକ୍ଷେପ। ନନ୍ଦିନୀଙ୍କ ସମୟରେ ବସା ହୋଇ ଉପତ୍ାଦନ ଆରମ୍ଭ କରିଥିଲା ରାଉରକେଲାର ଏସିଆଟିକ୍‌ ଅକ୍ସିଜେନ୍‌। ଆଜି କରୋନା କାଳରେ ଅକ୍ସିଜେନ୍‌ ଯେତେବେଳେ ଜୀବନ ରକ୍ଷା ପାଇଁ ଅତି ଦୁର୍ଲଭ, ସେତେବେଳେ ବୁଝିହୁଏ ଅକ୍ସିଜେନ୍‌ ଉପତ୍ାଦନ କାରଖାନା ପ୍ରତିଷ୍ଠା କିପରି ସେତେବେଳେ ଥିଲା ନନ୍ଦିନୀଙ୍କର ଏକ ଦୂରଦୃଷ୍ଟିସମ୍ପନ୍ନ ନିର୍ଣ୍ଣୟ।
ନନ୍ଦିନୀ ଦେବୀ ଏପରି ଏକ ନେତ୍ରୀ ଥିଲେ, ଯିଏ ନିଜେ ବଞ୍ଚୁଥିବା ସମୟର ବହୁ ଆଗକୁ ଦେଖିପାରୁଥିଲେ। ୧୯୭୪ରେ ଇନ୍ଦିରା ଗାନ୍ଧୀ ସରକାର ଯେଉଁ ‘କଳିଙ୍ଗ କୁଟୀର’ ଯୋଜନାର ଶୁଭାରମ୍ଭ କରିଥିଲେ, ଅନେକେ ଜାଣନ୍ତି ନାହିଁ ଯେ ତାହା ନନ୍ଦିନୀଙ୍କର ହିଁ ଚିନ୍ତାପ୍ରସୂତ ଥିଲା। ପ୍ଲାନିଂ କମିଶନର ଡେପୁଟି ଚେୟାରମ୍ୟାନ ଥାଆନ୍ତି ପି.ଏନ୍‌. ହକ୍‌ସର। ଇନ୍ଦିରା ଗାନ୍ଧୀ ଥାଆନ୍ତି କମିଶନର। ଓଡ଼ିଶାର ୫ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇବାକୁ ପଡ଼ିବ କହି ନନ୍ଦିନୀ ଯେତେବେଳେ କମିଶନ ନିକଟରେ ଅଡ଼ି ବସିଲେ, ହକ୍‌ସର କହିଲେ- ”ନନ୍ଦିନୀଜୀ! ମୁଝେ ଲଗ୍‌ତା ଆପ୍‌ ଓଡ଼ିଶାକୋ ଏକ୍‌ ଅଟୋନମସ୍‌ ଷ୍ଟେଟ୍‌ ବନାଏଙ୍ଗେ।“ ଏପରି ଟିପ୍ପଣୀ ସତ୍ତ୍ୱେ ନନ୍ଦିନୀ ତାଙ୍କ ଜିଦ୍‌ରେ ଅଟଳ ରହିଲେ ଓ ଶେଷରେ ତାଙ୍କର ଦାବି ମଞ୍ଜୁର ହେଲା।
ନନ୍ଦିନୀଙ୍କ ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ନିଷ୍ପତ୍ତିର ତାଲିକା କରିବସିଲେ ତାହା ଖୁବ୍‌ ଲମ୍ବା ହେବ। ଜଳସେଚନ ପ୍ରକଳ୍ପ, କେନ୍ଦୁପତ୍ର ଜାତୀୟକରଣଠାରୁ ଜନହିତର ନାନା ସ୍ତର ଯାଏଁ ତା’ର ବ୍ୟାପ୍ତି। ଶାସନରେ କଠୋର ଥିଲେ ବି ଅନ୍ତରରେ ବେଶ୍‌ ଦରଦୀ ଥିଲେ ନନ୍ଦିନୀ। ମରୁଡ଼ିପୀଡ଼ିତ ନୂଆପଡ଼ାରେ ତାଙ୍କୁ ଅଖିଆଅପିଆ ଦିନଦିନ ବୁଲିବାର ଯିଏ ଦେଖିଛି, ସେ ଅବଶ୍ୟ ବୁଝିଛି ଯେ ତାଙ୍କ ଭିତରେ କିପରି ସମାହିତା ଥିଲେ ଦେବୀ ଅନ୍ନପୂର୍ଣ୍ଣା। ଏକଦା ସେ କହିଥିଲେ: ”ମୁଁ ବିଜୟୀ ହେବାଟାକୁ ଆଖି ଆଗରେ ରଖି କୌଣସି କଥାରେ କେବେ ବି ଲଢ଼େ ନାହିଁ। ଯେଉଁ କଥା ପାଇଁ ଲଢ଼ିବାକୁ ନିଷ୍ପତ୍ତି ନିଏ, କେବଳ ସେହି କଥା ପାଇଁ ଲଢ଼େ।“ ଆଜି ତାଙ୍କର ପୁଣ୍ୟ ଜନ୍ମ ଦିନରେ ତାଙ୍କ କଥା ସ୍ମରଣକୁ ଆଣିଲେ ମଥା ସ୍ବତଃ ନଇଁଯାଏ। ଲାଗେ, ଆମ ଗହଣରେ, ଏଇ ଭାରତମାଟିରେ ଆଜି ଥାଆନ୍ତେ କି ନନ୍ଦିନୀ ଦେବୀ।

ଡ. ହୃଷୀକେଶ ମଲ୍ଲିକ
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?