
ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ସୂର୍ଯ୍ୟନାରାୟଣ ପ୍ରଧାନଙ୍କୁ ସମ୍ପତ୍ତି ମାଲିକାନା ବିବାଦରୁ ତାଙ୍କ ସମ୍ପର୍କୀୟ ୨ ଭାଇ ସୁରେନ୍ଦ୍ର ପ୍ରଧାନ ଏବଂ ପଞ୍ଚାନନ ପ୍ରଧାନ ଗତ ଜୁନ ୧୭ ତାରିଖ ସନ୍ଧ୍ୟାରେ ଛଣମେରି ଗ୍ରାମ ଧାନ ମିଲ୍ ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସୂର୍ଯ୍ୟନାରାୟଣଙ୍କ ସ୍ତ୍ରୀ ନନ୍ଦିନୀ ପ୍ରଧାନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ.୨୧୪/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଶୁକ୍ରବାର ପୋଲିସ ଘଟଣାରେ ସମ୍ପୃକ୍ତ ୨ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ଫାସିଗୁଡ଼ା ଗ୍ରାମର ମିଲ୍ ମାଲିକ ଘନଶ୍ୟାମ ପ୍ରଧାନ ନିଃସନ୍ତାନ ଥିଲେ। ସେ ତାଙ୍କ ଜଣେ ଭଣଜାଙ୍କୁ ପୋଷ୍ୟପୁଅ କରିଥିଲେ। ମାମୁଙ୍କ ମୃତ୍ୟୁ ପରେ ଅନ୍ୟ ଭଣଜାମାନେ ମାମୁଙ୍କ ସମ୍ପତ୍ତି ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରିବାକୁ ଚାହିଁଥିଲେ। ସୂର୍ଯ୍ୟନାରାୟଣ ଏଥିରେ ଆପତ୍ତି କରିବା ସହ ମାମୁଙ୍କ ନାଁରେ ଥିବା ଧାନ ମିଲକୁ କୌଶଳ କ୍ରମେ ନିଜ ନାଁରେ କରାଇ ନେଇଥିଲେ। ଏହା ପ୍ରଘଟ ହେବା ପରେ ୩ ପରିବାର ମଧ୍ୟରେ ବିବାଦ ଲାଗିରହିଛି। ସେମାନଙ୍କ ମଧ୍ୟରେ ୫ରୁ ଉଦ୍ଧର୍ବ ପୃଥକ୍ ମୋକଦ୍ଦମା ଦିଗପହଣ୍ଡି କୋର୍ଟରେ ବିଚାରାଧୀନ ରହିଛି ବୋଲି ପୋଲିସ କହିଛି।