ପୁଣେ ପରେ ମୁମ୍ବାଇ

କୌଣସି ଅସ୍ବାଭାବିକ ଘଟଣା ଘଟିଲେ ଅଭିଯୁକ୍ତଙ୍କୁ ତତ୍‌କ୍ଷଣାତ୍‌ ଗିରଫ କରିବା ଓ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ମୁମ୍ବାଇ ପୋଲିସର ଗୋଟେ ନାଁ ରହିଆସିଥିଲା। ହେଲେ ଦେଖାଯାଉଛି ଦେଶର ଅନ୍ୟାନ୍ୟ ପ୍ରାନ୍ତ ଭଳି ଏହି ପୋଲିସ ତା’ର ମୂଳ ପୋଲିସିଆ ଚରିତ୍ର ପ୍ରଦର୍ଶନ କଲାଣି। ଜୁଲାଇ ୭ ଭୋର ସମୟରେ ଶିବସେନା (ଏକନାଥ ଶିନ୍ଦେ ଗୋଷ୍ଠୀ)ର ବରିଷ୍ଠ ନେତା ରାଜେଶ ଶାହାଙ୍କ ପୁଅ ୨୪ ବର୍ଷୀୟ ମିହିର ଶାହା ନିଜ ବିଏମ୍‌ଡବ୍ଲ୍ୟୁ କାର୍‌ରେ ଦ୍ରୁତଗତିରେ ଯାଉଥିବା ବେଳେ ମୁମ୍ବାଇର ଓ୍ବର୍ଲିଠାରେ ଏକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ସ୍କୁଟିର ଆରୋହୀ ମତ୍ସଜୀବୀ ଦମ୍ପତି ବିଏମ୍‌ଡବ୍ଲ୍ୟୁର ବନେଟ୍‌ ଉପରେ ପଡ଼ି କିଛି ବାଟ ଗଲା ପରେ ଛିଟିକି ପଡ଼ିଯାଇଥିଲେ। ଏହାର ପରିଣତି ସମ୍ପୃକ୍ତା ମହିଳା କାବେରୀ ନକ୍‌ଭାଙ୍କ ଜୀବନ ଯାଇଥିବା ବେଳେ ସ୍ବାମୀ ପ୍ର୍ରଦୀପ ଗୁରୁତର ଆହତ ହୋଇଥିଲେ। ପରେ ଜଣାପଡ଼ିଥିଲା ମିହିର ନିଶାସକ୍ତ ଥିଲେ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ଏଭଳି ଅପରାଧ ଘଟାଇବା ପରେ ତାଙ୍କୁ କେଉଁଭଳି ଭାବେ ସୁରକ୍ଷା ଦିଆଯାଇପାରିବ ସେଥିଲାଗି ସମ୍ଭବତଃ ଭିତିରି ଯୋଜନା ଚାଲିଥିଲା। ମିହିର ବିଏମ୍‌ଡବ୍ଲ୍ୟୁ ଚଲାଇବାକୁ ଇଚ୍ଛା କରିବାରୁ ଡ୍ରାଇଭର ତାଙ୍କୁ ଷ୍ଟିୟରିଂ ଛାଡ଼ିଦେଇଥିଲେ। ତେଣୁ ଡ୍ରାଇଭରଙ୍କ ମୁଣ୍ଡ ଉପରେ ଦୋଷ ଦେବା ଲାଗି ମିହିରଙ୍କ ପିତା ସବୁ ବନ୍ଦୋବସ୍ତ କରିଥିଲେ। ହେଲେ ସିସିଟିଭି ତାଙ୍କ ଯୋଜନାକୁ ପଣ୍ଡ କରିଥିଲା। ଅବଶ୍ୟ ଦୁର୍ଘଟଣାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦୁର୍ଭାଗ୍ୟଜନକ କହିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ତଥାପି ଦୁର୍ଘଟଣାର ୩ ଦିନ ପରେ ଜୁଲାଇ ୯ରେ ମିହିରଙ୍କୁ ଗିରଫ କରାଯିବାର ମାନେ ଆଇନଗତ ଦିଗକୁ ବିଚାର କରାଯାଇ ଏତକ ସମୟ ନିଆଯାଇଥିବା ବୁଝାପଡ଼ିଯାଉଛି। ସବୁବେଳେ କୁହାଯାଇଥାଏ ଆଇନ ତା’ ନିଜ ବାଟରେ ଯିବ। ବାସ୍ତବତା ହେଉଛି ଆଇନ କୌଣସି ଜୀବନ୍ତ ପ୍ରକ୍ରିୟା ନୁହେଁ। ବହି ମଲାଟ ମଧ୍ୟରେ ଲିପିବଦ୍ଧ ହୋଇଥିବା ଆଇନକୁ ସଚ୍ଚୋଟ ଭାବେ କାର୍ଯ୍ୟକାରୀ କରିବାକୁ ହେଲେ ସେହିଭଳି ସଚ୍ଚୋଟ ମଣିଷର ଆବଶ୍ୟକତା ରହିଛି। ମୁମ୍ବାଇ ପୋଲିସର ବିଳମ୍ବ କାର୍ଯ୍ୟାନୁଷ୍ଠାନ ପ୍ରମାଣ କରୁଛି ଯେ, ଭାରତବର୍ଷରେ ଆଇନ କେବେହେଲେ ନିଜ ବାଟରେ ନିଜେ ଯାଇପାରେ ନାହିଁ। ଯେଉଁ ବ୍ୟକ୍ତି, ପୋଲିସ ହେଉ କିମ୍ବା ବିଚାରପତି, ତାଙ୍କର କାର୍ଯ୍ୟକୁ ନିଷ୍ଠାର ସହିତ କରିବେ ସେତିକିବେଳେ ସେହି ଆଇନର ବାସ୍ତବତା ଜଣାପଡ଼େ।
ଏବର ମୁମ୍ବାଇ ହିଟ୍‌-ଆଣ୍ଡ୍‌-ରନ୍‌ ବିଷୟରେ ଆଲୋଚନା କଲାବେଳେ ଗତ ମେ’ ୧୯ ତାରିଖରେ ପୁଣେର ୧୭ ବର୍ଷୀୟ ବେଦାନ୍ତ ଅଗ୍ରଓ୍ବାଲ ମଦ୍ୟପାନ କରି ପୋର୍ସେ କାର୍‌ ଚଳାଇ ଦୁର୍ଘଟଣା ଘଟାଇବା କଥା ମନେ ପକାଇଦିଆଯାଇପାରେ। ଧନଶାଳୀ ବ୍ୟକ୍ତିଙ୍କ ପୁଅ ବେଦାନ୍ତଙ୍କ ଗାଡ଼ି ଧକ୍କାରେ ଦୁଇ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। କୌତୂହଳର କଥା ଯେ, ବେଦାନ୍ତଙ୍କ ପାଇଁ ୩୦୦ ଶବ୍ଦ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ ପ୍ରବନ୍ଧ ଲେଖିବା ପାଇଁ ସେତେବେଳେ କୁହାଯାଇ ଜାମିନ ଦିଆଯାଇଥିଲା। କୋର୍ଟ, ପୋଲିସ ଏପରିକି ଡାକ୍ତର ବେଦାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ହେଲେ ଗଣମାଧ୍ୟମରେ ଏସବୁ ବିଷୟ ପ୍ରଚାର ହେବା ପରେ ତାଙ୍କ ପିତା, ଜେଜେ ଗିରଫ ହୋଇଥିବା ବେଳେ ସେ ପର୍ଯ୍ୟବେକ୍ଷଣ ଗୃହରେ ଅଟକ ରହିଥିଲେ। ସଦ୍ୟ ଖବର ହେଲା ସମ୍ପୃକ୍ତ ନାବାଳକ ପର୍ଯ୍ୟବେକ୍ଷଣ ଗୃହରୁ ମୁକ୍ତ ହୋଇଥିବା ବେଳେ ଏବେ ସେ ସଡ଼କ ସୁରକ୍ଷା ଉପରେ ୩୦୦ ଶବ୍ଦର ଏକ ପ୍ରବନ୍ଧ ଲେଖି ତାହାକୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ (ଜେଜେବି) ନିକଟରେ ଦାଖଲ କରିଛନ୍ତି। ଏହା ତାଙ୍କ ଜାମିନ ପାଇବାର ଅନ୍ୟତମ ସର୍ତ୍ତ ମଧ୍ୟ ରହିଥିଲା।
କେନ୍ଦ୍ର ସରକାର ଜୁଲାଇ ପହିଲାରୁ ନୂତନ ଭାବେ ୩ଟି ଆପରାଧିକ ଆଇନ କାର୍ଯ୍ୟକାରୀ କରିଛନ୍ତି। ଏହାର ପ୍ରଭାବ ଅପରାଧକୁ ହ୍ରାସ କରିବାରେ ସହାୟକ ହେବ ବୋଲି କୁହାଯାଉଛି। ଏହି ଆଇନ ଆସିବା ପୂର୍ବରୁ ପୁଣେ ଘଟଣା ଘଟିଥିବାରୁ ସମ୍ଭବତଃ ନାବାଳକ ଡ୍ରାଇଭରଙ୍କ ଦୋଷକୁ ସର୍ବନିମ୍ନ ସ୍ତରରେ ଛାଡ଼ି ଦିଆଯାଇଛି। ତେବେ ସାବାଳକ ମିହିରଙ୍କ ପାଇଁ ଦଣ୍ଡ କିଭଳି ରହିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଧାରା ୧୦୬ ଅନୁଯାୟୀ ବେପରୁଆ ଭାବେ ଗାଡ଼ି ଚାଳନା ଯୋଗୁ ଯଦି କାହାର ମୃତ୍ୟୁ ଘଟେ ଓ ତା’ର ଚାଳକ କାହାକୁ ନ ଜଣାଇ ଉଭାନ ହେବାକୁ ଚେଷ୍ଟା କଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୧୦ ବର୍ଷ ଯାଏ କାରାଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। କିନ୍ତୁ ସେହି ପୁରୁଣା ପ୍ରଶ୍ନ ଉଠାଯାଇପାରେ ଯେ ଏହି ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାକୁ କିଏ ତଦାରଖ କରିବେ।
ଦେଖିବାକୁ ଗଲେ ଭାରତରେ ବିଦେଶୀ ଗାଡ଼ିର ଆମଦାନୀ ବଢ଼ିଲାଣି। ସ୍ବାଭାବିକ ଭାବେ ଅଶୋକ ଲିଲାଣ୍ଡ୍‌ ଓ ଟାଟା ଟ୍ରକ୍‌ର ଗତି ଯାହା ହେବ, ତା’ଠାରୁ ଭଲ୍‌ଭୋର ଗତି ଯଥେଷ୍ଟ ଅଧିକ ହେବ। ଭିତ୍ତିଭୂମି ନାମରେ ଚାରି କିମ୍ବା ୬ ଟିକିଆ ରାଜପଥ ଯେତେବେଳେ ତିଆରି କରାଯାଉଛି ସେଗୁଡ଼ିକ ଗ୍ରାମାଞ୍ଚଳ ମଧ୍ୟ ଦେଇ ଯାଉଛି। ଗ୍ରାମବାସୀ ଏଯାବତ ଆଧୁନିକ ଗାଡ଼ିର ଗତି ସହିତ ଖାପ୍‌ ଖୁଆଇ ନିଜକୁ ସୁରକ୍ଷିତ ରଖିବା ଦରକାର ବୋଲି ଭାବୁନାହାନ୍ତି। ନିଜ ଗ୍ରାମ ସମ୍ମୁଖରେ ଥିବା ବିରାଟକାୟ ରାଜପଥକୁ ବାଡିଆଡ଼ ଭାବି ବ୍ୟବହାର କରୁଛନ୍ତି, ଯାହାଫଳରେ ଅନେକ ଦୁର୍ଘଟଣା ଘଟୁଛି। ଅବଶ୍ୟ ପୁଣେ ଓ ମୁମ୍ବାଇ ସହର ମଧ୍ୟରେ ହୋଇଥିବା ଦୁର୍ଘଟଣା ସମ୍ପୂର୍ଣ୍ଣ ଭିନ୍ନ। ଉଭୟ ଚାଳକ ଯୁବକ ଓ ଅତ୍ୟଧିକ ମାତ୍ରାରେ ନିଶାସକ୍ତ ଥିଲେ। ସେହିଭଳି ଭାବରେ କିଛି ଦଶନ୍ଧି ପୂର୍ବେ ଦିଲ୍ଲୀର ନନ୍ଦା ପରିବାରର ଯୁବକ ଏକାଥରକେ କେତେଜଣ ପୋଲିସବାଲାଙ୍କ ଉପରେ ଗାଡ଼ି ଚଢ଼ାଇ ମାରିଦେଇଥିଲେ। ସମସ୍ତେ ସଲ୍‌ମାନ୍‌ ଖାନ୍‌ଙ୍କ ଭଳି ଭାଗ୍ୟବାନ୍‌ ନୁହନ୍ତି। ଅନ୍ୟପଟେ ବିଶ୍ୱବ୍ୟାପୀ ହିଟ୍‌ ଆଣ୍ଡ୍‌ ରନ୍‌ ବା ଧକ୍କା କରି ଲୁଚି ପଳାଇଯାଉଥିବା ଅପରାଧୀଙ୍କୁ ଅତ୍ୟନ୍ତ କଠୋର ଦଣ୍ଡ ଦିଆଯାଇଥାଏ। ତେବେ ଧକ୍କା ହୋଇଗଲେ ଯଦି ପୀଡ଼ିତଙ୍କୁ ଗାଡ଼ିଚାଳକ ସାହାଯ୍ୟ କରିଥାଏ, ତାହାପ୍ରତି ଆଇନ କୋହଳ ହୋଇଥାଏ। କିନ୍ତୁ ଭାରତବର୍ଷରେ ତାହା କରିବା କଷ୍ଟକର। କାରଣ ରାସ୍ତାକଡ଼ରେ ଦେଖଣାହାରୀ ଘେରିଗଲେ ସେହିସ୍ଥାନରେ ଚାଳକଙ୍କୁ ପିଟି ପିଟି ମାରିଦେବା ଏକ ସୁନିଶ୍ଚିତ ଘଟଣା ବୋଲି ସମସ୍ତେ ଜାଣନ୍ତି। ଏହାବ୍ୟତୀତ ନୂତନ ଭାରତରେ ମଣିଷ ଜୀବନଠାରୁ ଗୋମାତାଙ୍କ ଜୀବନ ଅଧିକ ମୂଲ୍ୟବାନ ପ୍ରମାଣିତ ହେବା ପରେ ଅନେକ ଡ୍ରାଇଭର ଗାଈଙ୍କୁ ଧକ୍କା ଦେବା ପରିବର୍ତ୍ତେ ଏପାଖସେପାଖ ହୋଇ ଦୁଇଚକିଆ ଚାଳକଙ୍କୁ ଧକ୍କା ଦେଉଛନ୍ତି। ଏଠାରେ ଦୁଇଚକିଆ ଗାଡ଼ିର ଚାଳକଙ୍କ ବେପରୁଆ ଚାଳନା ସମ୍ପର୍କରେ ମଧ୍ୟ ବଖାଣିବାର ପ୍ରୟୋଜନ ନାହିଁ। ସେମାନେ ବି ଅନେକ ସମୟରେ ଚାରିଚକିଆ ଚାଳକଙ୍କୁ ସମସ୍ୟାରେ ପକାଇ ଦୁର୍ଘଟଣା ଘଟାଇଥାଆନ୍ତି। ଏଭଳି ପରିପ୍ରେକ୍ଷୀରେ ଦେଖିବାକୁ ହେବ ନୂଆ ଆଇନ ମୁମ୍ବାଇରେ ଘଟାଇଥିବା ଦୁର୍ଘଟଣାର ଆସାମୀ ମିହିର ଶାହାଙ୍କୁ କେଉଁଭଳି ଦଣ୍ଡ ଦେଇପାରୁଛି ଏବଂ ସେହି ଦଣ୍ଡ ସମ୍ପର୍କିତ ରାୟ କେତେ ଦଶନ୍ଧି ପରେ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri