ମା’ କୋଳ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ଆମ ପରମ୍ପରାରେ ଶିଶୁକୁ ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ସ୍ନେହ-ଶ୍ରଦ୍ଧା ଦେଇ ଲାଳନପାଳନ କରିବାର ବିଧି ରହିଛି (ଲାଳୟେତ୍‌ ପଞ୍ଚବର୍ଷାଣି…)। ଏହା ତାକୁ ମାତାପିତା ଏବଂ ପରିବାରବର୍ଗଙ୍କ ସହିତ ଭାବପ୍ରବଣତା ସ୍ତରରେ ସମ୍ମିଳିତ ହେବାର ଅବକାଶ ଦିଏ। ଅତଏବ, ସେମାନଙ୍କ ସହିତ ତା’ର ଗଢ଼ିଉଠେ ଏକ ସ୍ବତନ୍ତ୍ର ସମ୍ପର୍କ, ଯାହା କି ତାକୁ ଜୀବନବ୍ୟାପୀ ଅନୁଭୂତ ହୋଇଥାଏ। ତେବେ ବର୍ତ୍ତମାନ ବିଶେଷକରି ଶିକ୍ଷିତ ଓ ଧନିକ ପରିବାରରେ ଏଥିରେ ଘୋର ବ୍ୟତିକ୍ରମ ଦେଖାଯାଉଛି। ଅନେକ ସ୍ଥଳରେ ଶିଶୁଟିର ବୟସ ୬ ମାସ ଅତିକ୍ରମ କରୁ କରୁ ତାକୁ ଛାଡ଼ିଦିଆଯାଉଛି ‘କ୍ରେଚ୍‌’ରେ। ନାଭିକୀୟ ପରିବାରରେ କର୍ମଜୀବୀ ମା’ମାନଙ୍କ ପାଇଁ ଏହା ଏକ ଆବଶ୍ୟକତା ହେଲାବେଳେ ଧନିକ ମା’ମାନଙ୍କ ପାଇଁ ଏକ ଦାୟିତ୍ୱମୁକ୍ତ ବିଳାସରେ ପରିଣତ ହୋଇଛି। କୋମଳମତି ଶିଶୁ ଉପରେ ତା’ର ନକାରାତ୍ମକ ମନସ୍ତାତ୍ତ୍ୱିକ ପ୍ରଭାବ ପଡୁଛି ଅତି ଗଭୀର ଭାବେ; ଯାହା କି ତାକୁ ଭାବପ୍ରବଣ, ସ୍ନେହୀ ତଥା ଦରଦୀ ମଣିଷଟିଏ ହେବାର ଅବକାଶ ଦେଉନାହିଁ। ସେ ଅନୁଭବ କରିପାରୁ ନାହିଁ ସମ୍ପର୍କର ମହତ୍ତ୍ୱ। ଅତଏବ ଏ କ୍ଷେତ୍ରରେ ଉପୁଜିଛି ସଙ୍କଟ ଏବଂ ଆମ ପାରିବାରିକ ତଥା ସାମାଜିକ ଜୀବନରୁ ହଜି ହଜି ଚାଲିଛି ମାନବିକତା।
ଶିଶୁ ପାଇଁ ମା’କୋଳ ସର୍ବୋତ୍ତମ ସ୍ଥାନ ଉଭୟ ମାନସିକ ଏବଂ ଶାରୀରିକ ବିକାଶ ଲାଗି। ବୟସ ଅତି କମ୍‌ରେ ୬ ମାସରୁ ୨ ବର୍ଷ ହେଲା ପର୍ଯ୍ୟନ୍ତ ତାକୁ ସ୍ତନ୍ୟପାନ ସହିତ ଯଥାସମ୍ଭବ ଆଲିଙ୍ଗନ କରିବା ଏବଂ କୋଳରେ ଧରି ଶୋଇବା ତା’ର ବୋଧଶକ୍ତିକୁ ସୁଦୃଢ଼ କରିଥାଏ। ଏହା ତା’ମନକୁ ଚାପମୁକ୍ତ ଏବଂ ଶରୀରକୁ ରୋଗମୁକ୍ତ ରଖେ। ବିଶେଷକରି ଜନ୍ମକାଳରେ କମ୍‌ ଓଜନର ହୋଇଥିବା (୨ କେଜିରୁ କମ୍‌) ଶିଶୁଙ୍କୁ ମା’ ଅଧିକ ସମୟ କୋଳରେ ଧରିରଖିଲେ ତା’ର ବଞ୍ଚିବାର ସମ୍ଭାବନା ଏବଂ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ପାଏ। ଶିଶୁ ବିଜ୍ଞାନୀମାନେ ଏହାର ନାମ ଦେଇଛନ୍ତି ‘କଙ୍ଗାରୁ ମଦର୍‌ କେୟାର୍‌’ ବା କଙ୍ଗାରୁ ମା’ର ଯତ୍ନ। ଏହି ଜୀବଟି ତା’ର ଶିଶୁକୁ ସଦାସର୍ବଦା ପେଟତଳର ମୁଣାରେ ଧରି ରଖିଥାଏ। ମା’ମାନେ ସେମାନଙ୍କ ସନ୍ତାନସନ୍ତତିଙ୍କୁ ସେହିପରି କରିବାଲାଗି ଏଥିରେ ପରାମର୍ଶ ଦିଆଯାଇଛି। ଏହା ଫଳରେ ସଦ୍ୟଜାତ ଶିଶୁ ମୃତ୍ୟୁହାର ୨୫ରୁ ୩୦ ପ୍ରତିଶତ ହ୍ରାସ ପାଏ ବୋଲି ନିକଟରେ ସୁପ୍ରସିଦ୍ଧ ସ୍ବାସ୍ଥ୍ୟ ଗବେଷଣା ପତ୍ରିକା ‘ଲାନସେଟ୍‌’ (ଜାନୁୟାରୀ ୨୦୨୦)ରେ ସୂଚନା ଦେଇଛନ୍ତି ଦିଲ୍ଲୀର ସେଣ୍ଟର ଫର ହେଲ୍‌ଥ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସୋସାଇଟି ଫର ଆପ୍ଲାଏଡ ଷ୍ଟଡିଜର ନିର୍ଦ୍ଦେଶିକା ନୀତା ଭଣ୍ଡାରୀ।
ପୃଥିବୀର ୯୭ପ୍ରତିଶତ କମ୍‌ ଓଜନର ଶିଶୁ (୨ରୁ ୨.୫କେଜି) ଜନ୍ମ ନେଇଥାନ୍ତି ବିକାଶଶୀଳ ଦେଶରେ। ଆମଦେଶରେ ଏହା ୪୦ ପ୍ରତିଶତ । ପୁନଶ୍ଚ ବିକାଶଶୀଳ ଦେଶଗୁଡିକରେ ଅଧିକାଂଶ ମା’ ପ୍ରସବ କରିଥାନ୍ତି ନିଜ ନିଜ ଘରେ। ଯଦି ବି ତାହା ଡାକ୍ତରଖାନାରେ କରାଯାଏ, ତଥାପି ଖୁବ୍‌ଶୀଘ୍ର ସେମାନଙ୍କୁ ଘରକୁ ବିଦା କରାଯାଏ। ପରିବାର ମଧ୍ୟରେ ମା’ ଓ ଶିଶୁ ଅଧିକ ସମୟ ପରସ୍ପର ସହିତ ନିବିଡ ଭାବେ ସଂପୃକ୍ତ ହୋଇରହିବାର, ଅର୍ଥାତ ତଥାକଥିତ କଙ୍ଗାରୁ ମା’ ପାଇଁ ସୁବିଧା କମ୍‌। କାରଣ ଏଠାରେ ମା’କୁ ଅନ୍ୟାନ୍ୟ ଘର କାମରେ ବ୍ୟସ୍ତ ରହିବାକୁ ପଡେ । ପୁନଶ୍ଚ ପରିବାରର ଅନ୍ୟମାନେ ମଧ୍ୟ ଶିଶୁକୁ ଆପଣାଇବାକୁ ଭଲ ପାଆନ୍ତି । ଫଳରେ ଶିଶୁଟି ମା’ କୋଳରୁ ବଞ୍ଚିତ ହୁଏ । ତାହା ତା’ର ସ୍ବାସ୍ଥ୍ୟ ଏବଂ ବଞ୍ଚି ରହିବାର ସମ୍ଭାବନା ଉପରେ ନକାରାତ୍ମକ ପ୍ରଭାବ ପକାଏ। ଏସବୁ ଦେଶରେ ଶିଶୁ ମୃତ୍ୟୁ ହାର ଅଧିକ ହେବାର ଏହା ଅନ୍ୟତମ କାରଣ ହୋଇପାରେ।
ଦିଲ୍ଲୀର ଉପରୋକ୍ତ ସଂସ୍ଥା ହରିୟାଣାଠାରେ ଏଥିସମ୍ପର୍କରେ ଚଳାଇଥିଲା ଏକ ଅଧ୍ୟୟନ(୨୦୧୫-୨୦୧୮)। ତହିଁରେ ଘରେ ଜନ୍ମ ହୋଇଥିବାର ମାତ୍ର କେତେ ଘଣ୍ଟା ପରଠାରୁ ଶିଶୁମାନଙ୍କୁ ୧ରୁ ୬ମାସ ପର୍ଯ୍ୟନ୍ତ ପରିସରଭୁକ୍ତ କରାଯାଇଥିଲା।
ସେମାନଙ୍କୁ କିପରି ଅଧିକ ସମୟ ମା’ର ଯତ୍ନ ଏବଂ ମା’ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳିବ ତା’ର ବ୍ୟବସ୍ଥା କରାଯାଇଥିଲା (କଙ୍ଗାରୁ ମା’ ଯତ୍ନ ମାନକ ଅନୁସାରେ)। ଗବେଷକମାନଙ୍କ ଲକ୍ଷ୍ୟ ଥିଲା ଶିଶୁମାନଙ୍କଠାରେ ଅଳ୍ପତପ୍ତତା (ହାଇପୋଥରମିଆ) ପ୍ରତିହତ କରିବାର ଏହାର ଭୂମିକା ନିରୂପଣ । ତେବେ ତହିଁରୁ ଜଣାପଡିଥିଲା ଯେ, ଏଥିସହିତ ଏହା ମା’ଠାରେ ସ୍ତନ୍ୟପାନ କରାଇବାର ପ୍ରବୃତ୍ତି ବୃଦ୍ଧିଠାରୁ ଆରମ୍ଭ କରି ଶିଶୁକୁ ବହୁବିଧ ସଂକ୍ରମଣରୁ ରକ୍ଷା କରେ । ପୁନଶ୍ଚ ଶିଶୁର ଶାରୀରିକ ତଥା ମାନସିକ ବିକାଶ, ମା’-ଶିଶୁର ସମ୍ପର୍କ ଦୃଢ ହେବା ଏବଂ ସେ ଉଭୟଙ୍କର ମାନସିକ ଚାପ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।
ଏ ପରୀକ୍ଷାରେ ମା’ ତା’ର ସଦ୍ୟଜାତ ଶିଶୁକୁ ଅତିକମ୍‌ରେ ୨୮ଦିନ ପର୍ଯ୍ୟନ୍ତ ଦିନକୁ ୨୨ରୁ ୨୪ଘଣ୍ଟା କୋଳରେ ଧରି ରଖିବାକୁ ଏବଂ ତହିଁରୁ ଅତି କମ୍‌ରେ ୧୧ଘଣ୍ଟା ଚର୍ମ ସହିତ ଚର୍ମ ସ୍ପର୍ଶ ଅବସ୍ଥାରେ ରହିବା ଲାଗି ଉପଦେଶ ଦିଆଯାଇଥିଲା ।
ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ପରାମର୍ଶ ଅନୁସାରେ ଏହାର ଏକ ସମୟସୀମା ରହିବା ଉଚିତ ନୁହେଁ। ଶିଶୁଟିର ଓଜନ ୨.୫ ରୁ ୩ କିଲୋଗ୍ରାମ ହେଲା ପର୍ଯ୍ୟନ୍ତ ଏହା ଚାଲୁ ରଖାଯିବା ଦରକାର। ଇତିମଧ୍ୟରେ ହରିୟାଣା ସରକାର ଏହି ମାର୍ଗଦର୍ଶନ ଅନୁସରଣ କରି ‘କଙ୍ଗାରୁ ମା’ ଯତ୍ନ’ ଯୋଜନାଟିଏ ଆରମ୍ଭ କରିଛନ୍ତି। ଏହା ଫଳରେ ସେଠାରେ ଜନ୍ମ ନେଉଥିବା ହଜାର ହଜାର କମ୍‌ ଓଜନର ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କର ଜୀବନ ରକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି।
ମା’ ଓ ଶିଶୁଙ୍କ ଭାବପ୍ରବଣ ସମ୍ପର୍କ ସବୁଠାରୁ ନିବିଡ ଏବଂ ଦୀର୍ଘସ୍ଥାୟୀ। ତେବେ, ଶୈଶବ କାଳରେ ତାହା ଅଧିକ। ଶିଶୁ ମା’ କୋଳକୁ ଗଲେ ସେମାନଙ୍କ ସମ୍ପର୍କକୁ ସୁଦୃଢ଼ କରେ ସେ ଉଭୟଙ୍କଠାରେ ‘ଅକ୍ସିଟୋସିନ୍‌’ ନାମକ ହର୍‌ମୋନର କ୍ଷରଣ। ଏହା ଚାପ ହରମୋନ୍‌ କୋର୍ଟିସଲ୍‌ର ମାତ୍ରା ହ୍ରାସ କରିବା ଫଳରେ ମନ ହାଲୁକା ଓ ଚାପମୁକ୍ତ ହୋଇଯାଏ ଏବଂ ରକ୍ତଚାପ ହ୍ରାସ ପାଏ। ଅତଏବ ହୃଦ୍‌ରୋଗଠାରୁ ମଧୁମେହ ପର୍ଯ୍ୟନ୍ତ ଅନେକ ରୋଗ ପ୍ରଭାବ ପ୍ରତିହିତ ହୁଏ। ଅବଶ୍ୟ ବାପା, ଜେଜେମା’, ଜେଜେବାପା ତଥା ଅନ୍ୟ କେହି ଶ୍ରଦ୍ଧାକାରୀଙ୍କ କୋଳାଗ୍ରତ ବା ଆଲିଂଗନ ଶରୀରରେ ଏହାର ଜୈବରାସାୟନିକ ପରିବର୍ତ୍ତନ କିଛି ମାତ୍ରାରେ ଆଣେ। କିନ୍ତୁ ମା’ ଓ ଶିଶୁ କ୍ଷେତ୍ରରେ ଏହା ସର୍ବାଧିକ।
ଅନ୍ୟ ଏକ ଗବେଷଣାରୁ ଜଣାପଡିଛି ଯେ, ଆଲିଙ୍ଗନ ଅବସରରେ ଆମ କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥାର ତଥାକଥିତ ‘ପୁରସ୍କାର କେନ୍ଦ୍ର’ ସକ୍ରିୟ ହୋଇଥାଏ। ଆମ ମନସ୍ତତ୍ତ୍ୱ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ରହିଛି। ତାହା ଆମକୁ ଆନନ୍ଦ ଦିଏ। ତେଣୁ ତୁମେ ଯଦି ତୁମର ପୁତ୍ରକନ୍ୟା କିମ୍ବା ସେହିଭଳି ସମ୍ପର୍କୀୟଙ୍କର ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟ ଚାହୁଁଛ ତେବେ ତାଙ୍କୁ ଆଲିଙ୍ଗନ କର। ଏହା ତାଙ୍କୁ ଆନନ୍ଦ ଦେବ ଏବଂ ତାଙ୍କ ମାନସିକ ଚାପ ହ୍ରାସ କରିବ ବୋଲି ମତ ଦେଇଛନ୍ତି ଏହା ଚଳାଇଥିବା ଗବେଷକମାନେ।
ଆଲିଙ୍ଗନ ସମୟରେ ଆମ ଶରୀରରେ ବହୁ ଜୈବ ରାସାୟନିକ ପରିବର୍ତ୍ତନ ଆସେ। ତହିଁରେ ଅକ୍ସିଟୋସିନ୍‌ ସାଥେ ସାଥେ ଡୋପାମିନ୍‌ ଏବଂ ସେରୋଟୋନିନ୍‌ ଭଳି ହର୍‌ମୋନ୍‌ର ମଧ୍ୟ କ୍ଷରଣ ଘଟେ। ତନ୍ମଧ୍ୟରୁ ଡୋପାମିନ୍‌ ଆମକୁ ଉତ୍ତମ ଅନୁଭବ ଦେଲାବେଳେ ସେରୋଟୋନିନ୍‌ ଯନ୍ତ୍ରଣା ହ୍ରାସ କରିବା ସହିତ ଉତ୍ତମ ମାନସିକତାକୁ ଉତ୍ତୋଳିତ କରେ। ସେହିପରି ଅକ୍ସିଟୋସିନ୍‌ ଆମକୁ ଶାନ୍ତ ଅନୁଭବ କରିବାକୁ ଏବଂ ସନ୍ତୋଷ ଲାଭ କରିବାକୁ ଦିଏ। ଅନ୍ୟ ସହିତ ସମ୍ପର୍କର ରଜ୍ଜୁକୁ ଶକ୍ତ କରେ। ପୁନଶ୍ଚ ଆମ ଶରୀରରେ ହର୍‌ମୋନଗୁଡିକର ସନ୍ତୁଳନ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଫଳରେ ଆମେ ନୀରୋଗ ଏବଂ ଦୀର୍ଘଜୀବୀ ହେଉ। କେବଳ ମଣିଷ କାହିଁକି କୁକୁର ବା ବିରାଡ଼ି ଭଳି ପୋଷା ଜୀବଙ୍କୁ ଆଲିଙ୍ଗନ କଲେ ଏହି ଅନୁଭୂତି ଏବଂ ପ୍ରଭାବମାନ କିଛି ମାତ୍ରାରେ ପରିଲକ୍ଷିତ ହୁଏ। ସେହିପରି ନିଜେ ଯତ୍ନରେ ବଢ଼ାଇଥିବା ଗଛକୁ ମଧ୍ୟ ଆଲିଙ୍ଗନ ସୁଫଳ ଦାୟୀ ବୋଲି କୁହାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ଆଜିକାଲି ଜାପାନ, ଚାଇନା ଭଳି କେତେକ ଦେଶର ଅନେକ ଲୋକ ଅବିବାହିତ ରହି ବିନା ପରିବାରରେ ନିଃସଙ୍ଗ ଜୀବନଯାପନକୁ ପସନ୍ଦ କରୁଛନ୍ତି। ସେମାନେ ଏହି ନିଃସଙ୍ଗତାକୁ ଦୂର କରିବାକୁ ସହଚର ବା ସହଚରୀ ରୂପେ ରୋବଟ୍‌ମାନ ରଖିଲେଣି। ଏହାକୁ ଆଲିଙ୍ଗନ କରିବା ଏହା ସହିତ ଏକତ୍ର ନିଦ୍ରାଯିବା ଏବଂ ଏଥିପ୍ରତି ସ୍ନେହ ଆଦର ପ୍ରକଟ ଆଦି କରୁଛନ୍ତି। ଫଳରେ ସେମାନଙ୍କ ମାନସିକ ଚାପ ହ୍ରାସ ପାଇବା ସଙ୍ଗେସଙ୍ଗେ ତାଙ୍କଠାରେ ଉତ୍ତମ ଅନୁଭବ ମଧ୍ୟ ଜାତ ହେଉଛି।
ସ୍ପର୍ଶ ଏକ ସାର୍ବଜନୀନ ଭାଷା। ସାରା ଦୁନିଆରେ ଏହା ପ୍ରେମ ଓ ଭାବପ୍ରବଣତା ଆଦାନ ପ୍ରଦାନର ଏକ ମାଧ୍ୟମ। ଅତଏବ ଆମ ମାନସିକ ଚାପ ହ୍ରାସ ଏବଂ ସୁସ୍ବାସ୍ଥ୍ୟ ପାଇଁ ଏହାକୁ ବିନିଯୋଗ ନ କରିବା କାହିଁକି? ଏଣୁ ଚାଲନ୍ତୁ ଆମେ ଆମ ମାତାପିତା, ସନ୍ତାନ ସନ୍ତତି, ସ୍ବାମୀ ବା ସ୍ତ୍ରୀ, ବନ୍ଧୁ ଏବଂ ଭଲ ପାଉଥିବା ଲୋକଙ୍କୁ ଆଲିଙ୍ଗନ କରିବା (ଅବଶ୍ୟ ବର୍ତ୍ତମାନର କରୋନା ସମୟରେ ନୁହେଁ)। ଏହା କେବଳ ଆମ ପାଇଁ ନୁହେଁ ସେମାନଙ୍କ ପାଇଁ ମଧ୍ୟ ଶୁଭଙ୍କର। ତେବେ, ମା’ର ଶିଶୁକୁ କୋଳରେ ନେବା ଏବଂ ଆଲିଙ୍ଗନ କରିବାର ପ୍ରଭାବ ଏସବୁଠାରୁ ଅଧିକ ଫଳପ୍ରଦ। ଅତଏବ ମା’ କୋଳ ଏ ଦୃଷ୍ଟିରୁ ଅନନ୍ୟ।
ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri