ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ରାୟ ଦେଇଛନ୍ତି ଯେ, ବୋହୂକୁ ମିଳୁଥିବା ଫ୍ୟାମିଲି ପେନସନରୁ ଶାଶୂ ନିଜର ଭାଗ ଦାବି କରିପାରିବେ ନାହିଁ।
ଏହି ମାମଲାଟି କେରଳର ଅଟେ। ଏଠାରେ ରହୁଥିବା ୮୩ ବର୍ଷୀୟା ବୃଦ୍ଧା ମହିଳା ଏସ. ଥାଙ୍କାମ୍ମା ନିଜେ କେରଳ ସରକାରଙ୍କ ମତ୍ସ୍ୟ ବିଭାଗରୁ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କୁ ପ୍ରତି ମାସରେ ପେନସନ ମଧ୍ୟ ମିଳୁଛି। ତାଙ୍କ ସ୍ୱାମୀ ମଧ୍ୟ ଏହି ବିଭାଗରେ ବରିଷ୍ଠ ଅଧିକାରୀ ରହିସାରିଛନ୍ତି ଏବଂ ତାଙ୍କୁ ବି ପେନସନ ମିଳୁଛି। ଥାଙ୍କାମ୍ମାଙ୍କ ପୁଅ ଟି. ରାଜ କୁମାର କେରଳ ଷ୍ଟେଟ ଇଲେକ୍ଟ୍ରିସିଟି ବୋର୍ଡ (KSEB)ରେ ସିନିୟର ସୁପରିଣ୍ଟେଣ୍ଡେଣ୍ଟ ପଦବୀରେ କାର୍ଯ୍ୟରତ ଥିଲେ। ତେବେ ଚାକିରି କାଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଏବେ ଫ୍ୟାମିଲି ପେନସନ ମିଳୁଛି, ଯେଉଁଥିରୁ କିଛି ଅଂଶ ଥାଙ୍କାମ୍ମା ମଧ୍ୟ ନିଜ ବୋହୂଠାରୁ ମାଗିବା ଆରମ୍ଭ କରିଥିଲେ।
ଥାଙ୍କାମ୍ମା କେବଳ ନିଜ ବୋହୂ ନୁହନ୍ତି, ବରଂ କଲେଜରେ ପଢ଼ୁଥିବା ନିଜ ନାତୁଣୀଠାରୁ ମଧ୍ୟ ପ୍ରତି ମାସରେ ୧୫,୦୦୦ ଟଙ୍କା (ଭରଣପୋଷଣ ଖର୍ଚ୍ଚ) ଦାବି କରିଥିଲେ। ଟଙ୍କା ନ ମିଳିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଏହି ଆଶାରେ ଯେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇ ଫ୍ୟାମିଲି ପେନସନରେ ତାଙ୍କ ଅଂଶ ସ୍ଥିର କରିବେ। କିନ୍ତୁ ଏହାର ଓଲଟା ଫଳାଫଳ ମିଳିଥିଲା।
କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ସିନିୟର ସିଟିଜେନ୍ସ ଆକ୍ଟ (Senior Citizens Act)ରେ ଏପରି କୌଣସି ଆଇନଗତ ବ୍ୟବସ୍ଥା ନାହିଁ, ଯାହା ଅଧୀନରେ ଶାଶୂ ନିଜ ପୁଅର ବିଧବା ପତ୍ନୀଙ୍କୁ ମିଳୁଥିବା ଫ୍ୟାମିଲି ପେନସନରୁ ଅଂଶ ପାଇପାରିବେ। କୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ ତାଙ୍କ ନାତୁଣୀ କଲେଜ ପାଠପଢ଼ା ପାଇଁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରୁ ଏଜୁକେସନ ଲୋନ (ଶିକ୍ଷା ଋଣ) ନେଇଛନ୍ତି। ଏପରି ସ୍ଥିତିରେ ତାଙ୍କଠାରୁ ଭରଣପୋଷଣ ଖର୍ଚ୍ଚ ନେଇ ତାଙ୍କ ଉପରେ ଆର୍ଥିକ ବୋଝ ପକାଇବା ଉଚିତ୍ ନୁହେଁ।
ଶୁଣାଣି ସମୟରେ କୋର୍ଟଙ୍କୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ପୁଅର ମୃତ୍ୟୁ ପରେ ସର୍ଭିସ ବେନିଫିଟ୍ସ (ସେବା ସୁବିଧା ବାବଦ ଅର୍ଥ) ମଧ୍ୟରୁ ଥାଙ୍କାମ୍ମାଙ୍କୁ ୧୨.୨୮ ଲକ୍ଷ ଟଙ୍କା ପୂର୍ୱରୁ ହିଁ ମିଳିସାରିଛି ଏବଂ ଅବଶିଷ୍ଟ ଟଙ୍କା ତାଙ୍କ ପତ୍ନୀଙ୍କୁ ମିଳିଥିଲା। କୋର୍ଟ କହିଛନ୍ତି ଯେ କେବଳ ବୟସ ଅଧିକ ହୋଇଥିବା କାରଣରୁ ବୋହୂ କିମ୍ୱା ନାତୁଣୀଠାରୁ ଟଙ୍କା ମାଗିବାର ଅଧିକାର ମିଳିଯାଏ ନାହିଁ। ଏଥିପାଇଁ ଦେଖିବାକୁ ପଡ଼େ ଯେ କାହାର ଆର୍ଥିକ ସ୍ଥିତି କିପରି ଅଛି ଏବଂ ଆଇନ କ’ଣ କହୁଛି।

