ମୁଁ ଜାଣିପାରେନି ସକାଳ ହେଲେ ବୋଉ ଉଠିବ ନା ବୋଉ ଉଠିବ ବୋଲି ସକାଳ ହୁଏ। ମୁଁ ଜାଣିପାରେନି ବୋଉକୁ ହିସାବପତ୍ର ଆସେ କି ନାହିଁ, କାରଣ ମୁଁ ଖାଇବାକୁ ଦୁଇଟି ରୁଟି ମାଗିଲେ ସେ ତିନୋଟି ଦିଏ। ମୋ ବୋଉ ମିଛ କୁହେ। ଖାଇବାକୁ ଭାତ ବାଢିଲା ବେଳେ ସବୁବେଳେ କୁହେ- ଅଳ୍ପ ଭାତ ଦେଇଛି, ପଛରେ ମାଗିବୁ। ଯେତିକି ଭାତ ଦେଇଥାଏ ସେତିକି ମୁଁ ଖାଇପାରେନି। ଯେତେ ମୋଟା ଦେଖାଗଲେ ବି ବୋଉ କୁହେ ମୋ ଛୁଆଟାର ଦେହରେ ଜମା ଲାଗୁନାହିଁ। ବୋଉ କେବେ ତା’ର ପିଲାଙ୍କୁ ପଚାରେନି କ’ଣ ଖାଇବୁ। ସେ ଯାହା ଖାଇବାକୁ ଦିଏ ତାହା ଥାଏ ପିଲାଙ୍କର ପ୍ରିୟ ଖାଦ୍ୟ । ବୋଉର ହାତରେ ଥାଏ ଅମୃତ ସ୍ପର୍ଶ। ଲୁଗାକାନିର ଗଣ୍ଠି ଖୋଲି ଯେତେବେଳେ ସେ ଖୁଚୁରା ପଇସା ପିଲାଙ୍କୁ ଦିଏ ତାହା ଭରିଦିଏ ପିଲାଙ୍କ ମନରେ କୋଟିଏ ଟଙ୍କାର ଅଫୁରନ୍ତ ଖୁସି । ସେ ଡାକ୍ତରୀ ପାଠ ପଢିନି, ହେଲେ ପିଲାର ସବୁ ଶାରୀରିକ ଓ ମାନସିକ କ୍ଳେଶର ସମାଧାନ ଜାଣିଥାଏ। ବୋଉ ଦୁନିଆର ଏପରି ଏକ ଶବ୍ଦ ଯାହାର ବ୍ୟାଖ୍ୟାର ଆବଶ୍ୟକତା ପଡେ ନାହିଁ। କାରଣ ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଅନାବିଳ ପ୍ରେମ, ଅସୀମ ତ୍ୟାଗ ଓ ଅନନ୍ତ ସେବାର ଜୀବନ୍ତ ମୂର୍ତ୍ତିଟିଏ। ଜୀବନର ପ୍ରଥମ ସୃଷ୍ଟି ବୋଉ, ପ୍ରଥମ ସ୍ପର୍ଶ ବୋଉ, ପ୍ରଥମ ତୃଷ୍ଣା ବୋଉ,ପ୍ରଥମ ଉଚ୍ଚାରଣ ବୋଉ ଓ ପ୍ରଥମ ପ୍ରେମ ବି ବୋଉ।
ଥରେ ମନେପକାନ୍ତୁ ତ ବୋଉର କଥା। ଅଫୁରନ୍ତ ଶାନ୍ତି ଓ ଆନନ୍ଦର ଲହଡି ସୃଷ୍ଟି ହେଉନାହିଁ ମନରେ? ଜଣକୁ ଅନ୍ୟମନସ୍କ କରିବା ପାଇଁ ବୋଉ ଉଚ୍ଚାରଣ କ’ଣ ଯଥେଷ୍ଟ ନୁହେଁ? ପିଲାବେଳେ କେତେ ଶାନ୍ତି ଓ ନିରାପଦର ସ୍ଥାନ ଥିଲା ବୋଉର କୋଳ। ବୋଉ ପାଖରେ ଥିଲେ ଦୁନିଆକୁ ଡର ନ ଥାଏ। ଏ ସଂସାରକୁ ଆସିବା ପରେ ପ୍ରଥମେ ଯାହାର ବକ୍ଷରୁ ଅମୃତ ପିଇ ଏ ଶରୀର ଚଳତକ୍ଷମ ହେଲା, ଏ ଆଖି ପ୍ରଥମେ ଯାହାକୁ ଦେଖିଲା, ଖନେଇ ଖନେଇ ଯାହାର ନାମ ଏ ପାଟିରୁ ପ୍ରଥମେ ବାହାରିଲା, ସେ ହିଁ ଆମର ବୋଉ। ଛୋଟବେଳେ ଯେତେ ଅବୁଝା ହେଲେ ଓ ଋଷିଲେ ଯିଏ କୋଳେଇ କାଖେଇ, ସୁନାରେ ଧନରେ କହି, ଜହ୍ନ ମାମୁ ଦେଖାଇ, ବାଘମାମୁକୁ ଡାକି ବଳେଇ ବଳେଇ ଖୁଆଇଥାଏ ସେ ଆମର ବୋଉ। ବାର ଓଷା ତେର ବ୍ରତ କରି ଠାକୁର ମନାସି ଯିଏ ଆମର ସର୍ବଦା ସୁଖ, ସମୃଦ୍ଧି କାମନା କରିଥାଏ ସେ ହିଁ ଆମର ବୋଉ। ଦୁଃଖରେ, କଷ୍ଟରେ ଓ ବିପଦରେ ପ୍ରଥମେ ଯେଉଁ ଶବ୍ଦ ପାଟିରୁ ବାହାରି ଆସେ, ସେ ହିଁ ବୋଉ। ସନ୍ତାନ କିଛି ନ କହିଲେ ବି ଯିଏ ସବୁକଥା ଜାଣିପାରେ ସେ ହେଉଛି ବୋଉ।
ଗତବର୍ଷ ବାଙ୍ଗାଲୋର ଯାଇଥିବା ବେଳର କଥା। ଗୋଟିଏ ମଲ୍‌ରେ କିଛି କିଣୁଥିବା ବେଳେ ହଠାତ୍‌ ଚାରି ପାଞ୍ଚ ବର୍ଷର ପୁଅଟିଏ ବୋଉ ବୋଉ ଡାକି ଜଣେ ମହିଳାଙ୍କ ପାଖକୁ ଦୌଡୁଥିବା ଦେଖିଲି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ବାଙ୍ଗାଲୋର ଭଳି ଏକ କନ୍ନଡ ଭାଷାଭିତ୍ତିକ ଆଧୁନିକ ସହରରେ ଆମ ଓ ଅତି ପ୍ରିୟ ବୋଉ ଶବ୍ଦ କିପରି ମୁଁ ଶୁଣିଲି। ମୁଁ ନିଶ୍ଚିତ ହୋଇଗଲି ଯେ ପିଲାଟି ନିଶ୍ଚିତ ଆମ ରାଜ୍ୟର। ପିଲାଟିର ମା’ ପାଖକୁ ଯାଇ ପଚାରି ଯାହା ବୁଝିଲି ସେଥିରେ ମୁଁ ଆଶ୍ଚର୍ଯ୍ୟ ହେଲି। ମହିଳା ଜଣଙ୍କ ଅଣଓଡ଼ିଆ ଓ ବାଙ୍ଗାଲୋର ବାସିନ୍ଦା। ତାଙ୍କ ସ୍ବାମୀ ଜଣେ ବ୍ୟାଙ୍କ କର୍ମଚାରୀ। ଭୁବନେଶ୍ବରରେ ଥିଲା ସ୍ବାମୀଙ୍କର ପ୍ରଥମ ପୋଷ୍ଟିଂ ଓ ସେଠାରେ ଏହି ପୁଅଟି ଜନ୍ମ ହୋଇଥିଲା। ତାଙ୍କର ପଡୋଶୀ ଘରର ମହିଳା ଓ ତାଙ୍କ ସ୍ବାମୀ ଥିଲେ ସ୍ଥାନୀୟ ବାସିନ୍ଦା ଓ ଉଭୟ ଥିଲେ କର୍ମଜୀବୀ। ତାଙ୍କର ଅନୁପସ୍ଥିତିରେ ଛୋଟ ପୁଅଟିର ଯତ୍ନ ନେବା ପାଇଁ ଅନ୍ୟ ଜଣେ ମହିଳା ଥିଲେ ମଧ୍ୟ ସେ ଛୋଟ ପୁଅଟି ଅଧିକାଂଶ ସମୟ ତାଙ୍କ ଘରେ ରହୁଥିଲା। ସେହି ଛୁଆଟି ତାଙ୍କଠାରୁ ବୋଉ ଶିଖି ତାଙ୍କୁ ପ୍ରଥମରୁ ବୋଉ ଡାକିବା ଆରମ୍ଭ କଲା ଯାହାକି ପରେ ତା’ର ଅଭ୍ୟାସରେ ପରିଣତ ହୋଇଗଲା। ପୁଅଟି ତାଙ୍କୁ ବୋଉ ଡାକୁଥିବାରୁ ସେ ଖୁବ୍‌ ଖୁସି ବୋଲି ମହିଳା ଜଣଙ୍କ ଇଂରାଜୀରେ କହିଥିଲେ। ବୋଉର ଅନେକ ପ୍ରତିଶବ୍ଦ। ହେଲେ ପ୍ରତି ପ୍ରତିଶବ୍ଦରେ ବୋଉର ମୌଳିକତା ଅପରିବର୍ତ୍ତିତ। ସେ ମା’ ହୋଇପାରେ, ସେ ମାମା ହୋଇପାରେ, ସେ ମମି ହୋଇପାରେ ଓ ସେ ମମ୍‌ ବି ହୋଇପାରେ। ହେଲେ ପ୍ରତିଟିରେ ତା’ର ବୋଉ ରୁହେ ଅକ୍ଷୁଣ୍ଣ।
ଶାସ୍ତ୍ରରେ ଅଛି- ପିତୁଃ ଦଶଶତଃ ମାତା ଅର୍ଥାତ୍‌ ପିତାଙ୍କଠାରୁ ମା’ ହଜାରେ ଗୁଣ ବଡ। ଏହା କହି ମହର୍ଷି ମନୁ ମା’କୁ ବାପାଙ୍କଠାରୁ ଅଧିକ ସମ୍ମାନିତ କରିଛନ୍ତି। ମାନ୍ୟତେ ପୂଜ୍ୟତେ ଯା ସା ମା ଅର୍ଥାତ୍‌ ଯିଏ ମାନ୍ୟତା ଓ ପୂଜାର ସର୍ବଶ୍ରେଷ୍ଠ ଅଧିକାରିଣୀ, ସେ ହିଁ ମା। ଗର୍ଭ ବେଦନା, ପ୍ରସବ ବେଦନା ଓ ପ୍ରସବ ପରେ ସନ୍ତାନ ଲାଳନପାଳନର ଉପକାର ପାଇଁ ସନ୍ତାନମାନେ ମାମାନଙ୍କଠାରେ ସର୍ବକାଳ ଋଣୀ ହୋଇଯାଇଥାନ୍ତି। ଋଷି ଋଣ,ପିତୃ ଋଣ,ବନ୍ଧୁ ଋଣ, ସମାଜ ଋଣ ଓ ଗୁରୁ ଋଣ ପରିଶୋଧ ସମ୍ଭବ, ମାତ୍ର ମାତୃ ଋଣ ନୁହେଁ। ଶାସ୍ତ୍ର କୁହେ, ମାତା-ପିତାଙ୍କୁ ଏକତ୍ର ଭେଟିଲେ ପ୍ରଥମେ ମା’କୁ ପ୍ରଣାମ କରିବା ଉଚିତ। କାରଣ ପିତାଙ୍କଠାରୁ ମାତା ଶ୍ରେଷ୍ଠ। ପିତା ପୋଷଣ କରନ୍ତି, ମାତା ପୋଷଣ ସହ ଗର୍ଭଧାରଣ କରି ସନ୍ତାନକୁ ଜନ୍ମ ଦିଅନ୍ତି। ସେଥିପାଇଁ ଉପନିଷଦରେ କୁହାଯାଇଛି ମାତୃ ଦେବୋ ଭବଃ । ମନୁଷ୍ୟର ସର୍ବଶ୍ରେଷ୍ଠ ତପସ୍ୟା ହେଉଛି ମାତୃ ସେବା। ବ୍ରହ୍ମାଙ୍କୁ ସୃଷ୍ଟି କର୍ତ୍ତା କୁହାଯାଏ। ବ୍ରହ୍ମାଙ୍କୁ କେହି ଦେଖିନାହାନ୍ତି କି ସେ ବ୍ରହ୍ମାଣ୍ଡ ସୃଷ୍ଟି କରିବାର ପ୍ରମାଣ ମଧ୍ୟ ନାହିଁ। କିନ୍ତୁ ବୋଉ ଗର୍ଭରୁ ଆମେ ସୃଷ୍ଟି ହୋଇଥିବାର ପ୍ରମାଣ ଅଛି। ବିଷ୍ଣୁ ଏ ସଂସାରକୁ ପାଳନ କରୁଛନ୍ତି ବୋଲି କୁହାଯାଏ ଯାହାର ବି ପ୍ରମାଣ ନାହିଁ। କିନ୍ତୁ ବୋଉ ଆମକୁ ପାଳିପୋଷି ଛୋଟରୁ ବଡ କରିଛି। ମହାଦେବ ମହେଶ୍ବର ସବୁ ସଙ୍କଟରୁ ଉଦ୍ଧାର କରି ଆମର କଲ୍ୟାଣ କରନ୍ତି ବୋଲି ଆମେ ବିଶ୍ବାସ କରିଥାଉ ହେଲେ ବୋଉ ଆମର ସବୁ ଦୁଃଖ କଷ୍ଟକୁ ଦୂରେଇ ଦେବା ପାଇଁ ଅହରହ ଲାଗିରହିଥାଏ। ତେଣୁ ବୋଉ ଆମ ପାଇଁ ସାକ୍ଷାତ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର। ସେଥିପାଇଁ କୁହାଯାଏ ଈଶ୍ବର ସବୁସମୟରେ ସମସ୍ତଙ୍କ ପାଖରେ ପହଞ୍ଚିପାରନ୍ତି ନାହିଁ ବୋଲି ସେ ବୋଉ ସୃଷ୍ଟି କରିଛନ୍ତି। ବୋଉର ଆଶୀର୍ବାଦ କୌଣସି ମହାନ୍‌ ସନ୍ଥଙ୍କ ଆଶୀର୍ବାଦଠାରୁ କମ୍‌ ନୁହେଁ। କୌଣସି ପ୍ରତିଦାନର ଆଶା ନ ରଖି ଯିଏ ଅବିରତ ଆଶୀର୍ବାଦର ବର୍ଷା ଢାଳିଥାଏ, ସେ ହିଁ ବୋଉ। ଜଣେ ଲେଖକଙ୍କୁ କୁହାଗଲା ବୋଉ ସମ୍ପର୍କରେ କିଛି ଲେଖିବାକୁ। ଲେଖକ ଭାବପୂର୍ଣ୍ଣ କଣ୍ଠରେ କହିଲେ ସେ ବୋଉ ସମ୍ପର୍କରେ କ’ଣ ଲେଖିବେ, ବୋଉ ତ ନିଜେ ତାଙ୍କୁ ଲେଖିଛି। ବୋଉଠାରୁ ଛୋଟ ଶବ୍ଦ ଯଦି କିଛି ଥାଏ କୁହନ୍ତୁ ଓ ଯଦି କିଛି ବଡ ଶବ୍ଦ ଥାଏ ତାହା ବି କୁହନ୍ତୁ। ଏହାର ଉତ୍ତର ନିଶ୍ଚିତ ନା । ମରିବା ପାଇଁ ତ ଅନେକ ରାସ୍ତା ଅଛି, ହେଲେ ଜନ୍ମ ନେବା ପାଇଁ କେବଳ ବୋଉ ଅଛି। ଏ ସଂସାରରେ ସେହିମାନେ ହିଁ ଭାଗ୍ୟବାନ୍‌ ଯେଉଁମାନେ ବୋଉ ଓ ବାପା ପାଖରେ ରୁହନ୍ତି ଓ ସେମାନଙ୍କ ସାନ୍ନିଧ୍ୟ ଲାଭ କରନ୍ତି। ବୋଉଠାରୁ କୌଣସି ଧନ, ସମ୍ପଦ, ସମ୍ମାନ ଓ ପଦ ପଦବୀ ବଡ ନୁହେଁ। ଥରୁଟିଏ ନିଜକୁ ଛୋଟ ପିଲା ବୋଲି ଭାବି ନିଅନ୍ତୁ, ଦେଖିବେ ଆପଣଙ୍କ ବୋଉ ପୂର୍ବର ସେହି ବୋଉ ହୋଇ ଆଜି ବି ରହିଛି। କିଛି ବଦଳି ନାହିଁ।

ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?