ଏକଚ୍ଛତ୍ରବାଦ ନିର୍ବାଚନ

ଫ୍ରିଡମ୍‌ ହାଉସ୍‌ର ୨୦୨୪ ରିପୋର୍ଟରେ ବାଂଲାଦେଶକୁ ‘ଆଂଶିକ ସ୍ବାଧୀନ’ ଭାବେ ଦର୍ଶାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟ ଏହି ସମାନ ବର୍ଗରେ ଶ୍ରେଣୀଭୁକ୍ତ ହୋଇଛନ୍ତି। ଇକୋନୋମିଷ୍ଟ ମାଗାଜିନ ମୁତାବକ ବାଂଲାଦେଶ ଏବେ ଏକକ ଦଳର ଦେଶ। ଅବଶ୍ୟ ସେଠାରେ ପାର୍ଲାମେଣ୍ଟ ଓ ଅନ୍ୟ ଦଳ ସବୁ ଅଛନ୍ତି। କିନ୍ତୁ ମୁଖ୍ୟ ବିରୋଧୀ ନାହିଁ ଏବଂ ତାହାର ନେତା ଖାଲେଦା ଜିଆ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜାନୁଆରୀ ୨୦୨୪ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ଶାସକ ଆୱାମୀ ଲିଗ୍‌ ପାର୍ଲାମେଣ୍ଟର ୩୦୦ ସିଟ୍‌ ମଧ୍ୟରୁ ୨୨୪ଟି ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ପୂର୍ବ ନିର୍ବାଚନରେ ଖାଲେଦା ନିର୍ବାଚନ ପରିଚାଳନା ପାଇଁ ଏକ କାମଚଳା ସରକାର ଲାଗି କହିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଅଗ୍ରାହ୍ୟ କରିଦେଇଥିଲେ। ବିରୋଧୀଙ୍କୁ ଜେଲରେ ରଖିବା ଓ ଉପତ୍ୀଡ଼ନ ସମେତ ସରକାରୀ କଳର ଅପବ୍ୟବହାର କାରଣରୁ ବାଂଲାଦେଶକୁ ଆଂଶିକ ସ୍ବାଧୀନ ଭାବେ ବର୍ଗୀକୃତ କରାଯାଇଛି। ହେଲେ ବାଂଲାଦେଶ ନିର୍ବାଚନକୁ ଭାରତ ପ୍ରଶଂସା କରିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ କଥା ହୋଇ ସଂସଦୀୟ ନିର୍ବାଚନରେ ଲଗାତର ଚତୁର୍ଥ ଥର ବିଜୟ ପାଇଁ ହାସିନାଙ୍କୁ ଏବଂ ନିର୍ବାଚନର ସଫଳ ପରିଚାଳନା ସକାଶେ ବାଂଲାଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ବିଷୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି, ଏହି ନିର୍ବାଚନ ଅବାଧ କିମ୍ବା ନିରପେକ୍ଷ ନୁହେଁ ଏବଂ ସମସ୍ତ ଦଳ ଏଥିରେ ଭାଗନେଇ ନ ଥିବାରୁ ଦୁଃଖିତ। ନିର୍ବାଚନ ପରବର୍ତ୍ତୀ ମାସ ଅର୍ଥାତ୍‌ ଫେବୃଆରୀ ୨୦୨୪ରେ ପାକିସ୍ତାନରେ ନିର୍ବାଚନ ହୋଇଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଜେଲରେ ରଖାଯାଇଥିଲା। ଆମେରିକା କହିଥିଲା, ଆମେ ବିଶ୍ୱାସଯୋଗ୍ୟ ଅନ୍ତର୍ଜାତୀୟ ତଥା ସ୍ଥାନୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସିଦ୍ଧାନ୍ତ ସହ ଏକମତ ଯେ, ଏହି ନିର୍ବାଚନରେ ଅଭିବ୍ୟକ୍ତି, ସଙ୍ଗଠନ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ସ୍ବାାଧୀନତା ଉପରେ ଅତ୍ୟଧିକ କଟକଣା ଅଣାଯାଇଛି। ଆମେ ନିର୍ବାଚନ ହିଂସା, ମାନବ ଅଧିକାର କାର୍ଯ୍ୟକାରିତା ଓ ମୌଳିକ ସ୍ବାଧୀନତା ଉପରେ ପ୍ରତିବନ୍ଧକ ସମେତ ଗଣମାଧ୍ୟମ କର୍ମଚାରୀଙ୍କ ଉପରେ ଆକ୍ରମଣ, ଇଣ୍ଟରନେଟ୍‌ ଏବଂ ଟେଲି ଯୋଗାଯୋଗ ସେବା ଉପରେ ପ୍ରତିବନ୍ଧକକୁ ନିନ୍ଦା କରୁଛୁ। ଏହା ସହ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗକୁ ନେଇ ଆମେ ଚିନ୍ତିତ। ହସ୍ତକ୍ଷେପ କିମ୍ବା ଅନିୟମିତତାର ଦାବି ଉପରେ ବିଧିବଦ୍ଧ ତଦନ୍ତ କରାଯିବା ଉଚିତ ବୋଲି ଆମେରିକା ଦର୍ଶାଇଥିଲା। ବାଂଲାଦେଶ ପରି ବିରୋଧୀ ମୁକ୍ତ ଗଣତନ୍ତ୍ର ହେବାକୁ ପାକିସ୍ତାନ ଚେଷ୍ଟା କରି କମ୍‌ ସଫଳ ହୋଇଥିଲା। ଜେଲରେ ଥିବା ଇମ୍ରାନ୍‌ ଏକ ତୃତୀୟାଂଶ ଭୋଟ ପାଇବାରେ ସକ୍ଷମ ହୋଇଥିଲେ। ୧୯୭୭ରେ ପାକିସ୍ତାନରେ ଏକ ନିର୍ବାଚନ ହୋଇଥିଲା। ଏଥିରେ ଶାସକ ଦଳ ଜିତିଥିଲା ଓ ସେତେବେଳେ ପ୍ରଧାନମନ୍ତ୍ରୀ ଜେ.ଏ. ଭୁଟ୍ଟୋ ଲୋକପ୍ରିୟ ଥିବା ସତ୍ତ୍ୱେ ନିର୍ବାଚନ ମୁକ୍ତ କିମ୍ବା ନିରପେକ୍ଷ ନୁହେଁ ବୋଲି କୁହାଯାଇଥିଲା। ସେଠାରେ ବିରୋଧୀ ଦଳ ଦୁର୍ବଳ ହୋଇଥିଲେ ମଧ୍ୟ ତାହାକୁ ପୂରା ଶକ୍ତିହୀନ କରିଦିଆଯାଇଥିଲା। ସେହି ସମୟର ଘଟଣାଗୁଡ଼ିକ ଯୋଗୁ ପାକିସ୍ତାନ ୪ ଦଶନ୍ଧି ପ୍ରଭାବିତ ହୋଇଥିଲା। ଯେଉଁଠାରେ ନିର୍ବାଚନ ଆୟୋଗ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଭଳି ଅନୁଷ୍ଠାନର ସ୍ବାଧୀନତା ସକ୍ରିୟ ଓ ଦୃଢ଼ ସେଠାରେ ଗଣତନ୍ତ୍ର ସୁସ୍ଥ। କିନ୍ତୁ ବିରୋଧୀଙ୍କ ବିରୋଧରେ ଏଗୁଡ଼ିକ ପକ୍ଷପାତି ହୋଇଯାଇଛନ୍ତି। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ର ଗଣତନ୍ତ୍ର ସୂଚକାଙ୍କ ନାଗରିକ ସ୍ବାଧୀନତା, ସାଂସ୍କୃତିକ ବିବିଧତା, ରାଜନୈତିିକ ସଂସ୍କୃତି ଓ ଭାଗୀଦାରି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ନିରୀକ୍ଷଣ କରିଥାଏ। ଏଥିରେ ୨୦୧୪ରେ ଭାରତ ୨୭ ତମ ସ୍ଥାନରେ ଥିଲା। ୨୦୨୦ରେ ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା ଓ ଗତ ବର୍ଷ ଭାରତ ୪୧ତମ ସ୍ଥାନରେ ରହିଥିଲା। ଏହା ଥିଲା ଗଣତାନ୍ତ୍ରିକ ପଶ୍ଚାତଗମନ ଏବଂ ମୋଦିଙ୍କ ସମୟରେ ବୃଦ୍ଧି ପାଇଥିବା ଧର୍ମୀୟ ପ୍ରଭାବର ପରିଣାମ। ମୋଦିଙ୍କ ନୀତିଗୁଡ଼ିକ ବିଶେଷକରି ମୁସଲମାନ ବିରୋଧୀ ଭାବ ଓ ଧର୍ମୀୟ ସଂଘର୍ଷ ବୃଦ୍ଧି କରି ଦେଶର ରାଜନୈତିକ ଢାଞ୍ଚାକୁ ନଷ୍ଟ କରିଦେଇଛି।
ସିଭିକସ୍‌ ମନିଟରର ନ୍ୟାଶନାଲ ସିଭିକ୍‌ ସ୍ପେସ୍‌ ରେଟିଂ ମୁଖ୍ୟତଃ ଗଣତନ୍ତ୍ର ପାଇଁ ଜରୁରୀ କୁହାଯାଉଥିବା ସଙ୍ଗଠନ, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ନିରୀକ୍ଷଣ କରିଥାଏ। ଏହା ୨୦୧୭ରେ ଭାରତକୁ ‘ଅବରୋଧିତ’ ଭାବେ ଦର୍ଶାଇଥିଲା ଓ ପରେ ଭାରତ ‘ଦମନକାରୀ’କୁ ଖସି ଆସିଛି। ନାଗରିକ ସ୍ବାଧୀନତାର ଦ୍ରୁତ ଅବକ୍ଷୟ ହୋଇଥିବା ଦେଶଗୁଡ଼ିକର ସୂଚୀ ମଧ୍ୟରେ ଭାରତକୁ ସାମିଲ କରାଯାଇଛି ଏବଂ ଆଲୋଚକଙ୍କ ମୁହଁ ବନ୍ଦ କରିବା ଲାଗି ମୋଦି କଠୋର ପଦକ୍ଷେପ ନେଉଛନ୍ତି ବୋଲି ମାର୍ଚ୍ଚ ୨୦୨୨ରେ ସିଭିକସ୍‌ ପ୍ରକାଶ କରିଥିଲା। ଫ୍ରିଡମ୍‌ ହାଉସ୍‌ ରିପୋର୍ଟ ଅନୁଯାୟୀ, ଭାଜପା ରାଜନୈତିକ ବିରୋଧୀଙ୍କ ବିରୋଧରେ ସରକାରୀ ସଂସ୍ଥାଗୁଡ଼ିକୁ ଅତ୍ୟଧିକ ବ୍ୟବହାର କରିଛନ୍ତି। ଗୋଥେନବର୍ଗ ବିଶ୍ୱବିଦ୍ୟାଳୟର ଭି-ଡେମ୍‌ ରିପୋର୍ଟରେ କୁହାଯାଇଛି ଯେ, ମୋଦିଙ୍କ ଅଧୀନରେ ଭାରତ ଗଣତନ୍ତ୍ରର ମାନ୍ୟତା ହରାଇଛି ଏବଂ ଏକ ‘ଏକଚ୍ଛତ୍ରବାଦ ନିର୍ବାଚନ’ ଭାବେ ଶ୍ରେଣୀଭୁକ୍ତ ହୋଇ ହଙ୍ଗେରୀ ଏବଂ ତୁର୍କୀ ଭଳି ନିଜକୁ ପ୍ରତିପାଦିତ କରିଛି। ଅଭିବ୍ୟକ୍ତି, ଗଣମାଧ୍ୟମ ଏବଂ ନାଗରିକ ସମାଜର ସ୍ବାଧୀନତାରେ ଭାରତ ପାକିସ୍ତାନ ଭଳି ଏକଚ୍ଛତ୍ରବାଦୀ ଏବଂ ଉଭୟ ବାଂଲାଦେଶ ଏବଂ ନେପାଳ ତୁଳନାରେ ଏହା ଖରାପ।
ଏହିପରି ଭାବରେ ଆମ ଦୁନିଆରେ ଗଣତନ୍ତ୍ରଗୁଡ଼ିକ ନଷ୍ଟହୁଏ, ଆଶାନୁରୂପ ଭାବେ ପ୍ରଭାବୀ ହୋଇପାରେ ନାହିଁ। ସମୟକ୍ରମେ ସଂସ୍ଥାଗୁଡ଼ିକର ସ୍ବାଧୀନତା ଶୂନ୍ୟ ହୋଇଯାଏ, ଧୀରେ ଧୀରେ ଦୁର୍ବଳ ହୋଇଯାଆନ୍ତି। ନିର୍ବାଚନ ସବୁ ଅନୁଷ୍ଠିତ ହୁଏ, କିନ୍ତୁ ବାହାର ଦୁନିଆକୁ ସେଗୁଡ଼ିକ ଅବାଧ କି ନିରପେକ୍ଷ ଜଣାପଡ଼େ ନାହିଁ। ଏହାର ଅନ୍ୟ କୌତୂହଳପୂର୍ଣ୍ଣ ଦିଗ ହେଉଛି, ଏହି ପ୍ରକାର ପରିସ୍ଥିତି ଥରେ ହାସଲ ହେଲେ ପାକିସ୍ତାନ ଏବଂ ବାଂଲାଦେଶର ଏବକାର ସ୍ଥିତି ଭଳି ସୃଷ୍ଟି ହେବ ଓ ସେଭଳି ଅବସ୍ଥାରୁ ମୁକୁଳିବା ଯଦିଓ ଅସମ୍ଭବ ନୁହେଁ ତଥାପି କଷ୍ଟକର। ସେହିସବୁ ଦେଶରେ ନିର୍ବାଚନ ବିନା ତିକ୍ତତା, ବିଦ୍ୱେଷ ଏବଂ ଏକତରଫା ଭାବନାରେ ଅନୁଷ୍ଠିତ ହୋଇନାହିଁ ଏବଂ ଏହାକୁ ଭୁଲ୍‌ ବୋଲି କୁହାଯାଇଛି। ତେବେ ଆମେ ଆରମ୍ଭରୁ ସେଇଠି ଅଛୁ କିମ୍ବା ତା’ ପାଖାପାଖିରେ ପହଞ୍ଚିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଚାଲିବା କେଉଁଠି

ସୁପ୍ରିମକୋର୍ଟ ୧୯ ଜୁନ୍‌ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍‌ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri