
ଭଞ୍ଜନଗର,୨୪/୪(ବାବୁଲା ପ୍ରଧାନ)-ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ ଭଞ୍ଜନଗର ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ହେଉଛି। ଯେଉଁଥିପାଇଁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ଏହିଭଳି ପରିସ୍ଥିତିରେ ଗୁରୁବାର ସକାଳ ୬ ଟାରେ ବିଦ୍ୟୁତ ଚାଲି ଯାଇଥିଲା। ଲୋକେ ସକାଳୁ ଉଠିଲେ ପାଣି ପମ୍ପ ଲଗାଇଥାନ୍ତେ। କରେଣ୍ଟ ନଥିବା ଯୋଗୁଁ ପମ୍ପ ଲାଗି ପାରୁନାହିଁ। ସକାଳୁଆ ଅଫିସ ଯୋଗୁଁ ଲୋକେ କାର୍ଯ୍ୟାଳୟକୁ ଯିବାର ଥିଲା। କିନ୍ତୁ ଗାଧୋଇନପାରି ଅନେକ କର୍ମଚାରୀ କାର୍ଯ୍ୟାଳୟକୁ ଆଜି ନିର୍ଦ୍ଧାରିତ ସମୟରେ ଯାଇ ପାରିନାହାଁନ୍ତି। ଏଥିସହ ସଧାରଣ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ପଚାରିଲେ କେତେବେଳେ କହୁଛନ୍ତି ସାମାନ୍ୟ ଖରାପ୍ ହୋଇଛି ଖୁବ୍ ଶୀଘ୍ର ଆସିଯିବ। ଆଉ କେତେବେଳେ କହୁଛନ୍ତି କଣ୍ଟେଇପଲ୍ଲୀ ଗ୍ରିଡ୍ ରେ ସମସ୍ୟା ହୋଇଛି। ମାଙ୍କଡ ଡେଇଁ ପଡିବା ଯୋଗୁଁ ଏହି ସମସ୍ୟା ଦେଖାଦେଇଛି। କେତେବେଳେ ବିଦ୍ୟୁତ୍ ଆସିବ ତାହର ଉତ୍ତର ଟାଟା ପାୱାର କର୍ମଚାରୀ ଏବଂ ଯନ୍ତ୍ରୀ ମାନେ ଉତ୍ତର ଦେଇ ପାରୁନାହାଁନ୍ତି। ଫଳରେ ଲୋକେ ବିଦ୍ୟୁତ୍ କାଟ ପାଇଁ ଗୋଟିଏ ପଟେ ଛଟପଟ ହେଉଥିବା ବେଳେ ଅନ୍ୟପଟେ ଗାଧୋଇବା ମଧ୍ୟ ସମସ୍ୟା ଦେଖାଦେଇଛି। ଏହିଭଳି ମାସର ଅନେକ ଦିନରେ ମରାମତି ନାମରେ ମଧ୍ୟ ବିଦ୍ୟୁତ କାଟ କରାଯାଉଛି । ଯେତିକି ସମୟ କାଟିବା ପାଇଁ ଘୋଷଣା କରିଥାଉଛନ୍ତି ତାଠାରୁ ଅଧିକ ସମୟ ପାୱାର କାଟ ହେଉଛି। ଏହିଭଳି ସମସ୍ୟାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଟାଟା ପାୱାର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବାପରେ ରାଜ୍ୟରେ ବିଦ୍ୟୁତ୍ ସେବା ରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେଭଳି କିଛି ଉନ୍ନତୀ ଦେଖାଯାଉନାହିଁ। ବିଦ୍ୟୁତ୍ ସେବାର ଉନ୍ନତୀ ବାହାନାରେ ଉପଭୋକ୍ତାଙ୍କ ଉପରେ ବର୍ଦ୍ଧିତ ବିଦ୍ୟୁତ ଦର ଲଦି ଦିଆଯାଉଛି। ପ୍ରି ପେଡ ମିଟର ଲଗାଯାଉଛି । ପୁର୍ବ ଭଳି ଆଉ ବକେୟା ବିଲ୍ ରହୁନାହିଁ। ଚୋରୀ ମଧ୍ୟ ପ୍ରାୟ କମିଯାଇଛି। ତଥାପି ସେବାରେ ଯେତିକି ଉନ୍ନତୀ ଆସିବା କଥା ଆସିପାରୁନାହି ବୋଲି ଅଭିଯୋଗ ହେଉଛି। ପାୱାର କାଟ ପାଇଁ ଅନେକ ପରିବାର ଆଜି ରୋଷେଇ ମଧ୍ୟ ଘରେ କରି ପାରିନଥିବା ଜଣାପଡ଼ିଛି।