ନୂଆଦିଲ୍ଲୀ,୧୧।୭: ତୃଣମୂଳସ୍ତରରେ ଲୋକଙ୍କ ପାଇଁ ନିସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପିପୁଲସ୍ ପଦ୍ମ ସମ୍ମାନ ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ରବିବାର ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି। ସେବା କରୁଥିବା ଲୋକ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ପଦ୍ମ ସମ୍ମାନ ଓ୍ବେବସାଇଟ୍ ମାଧ୍ୟମରେ ସୂଚନା ଅପଲୋଡ୍ କରିବାକୁ ମୋଦି କହିଛନ୍ତି। ୨୦୨୧ ଜାନୁୟାରୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନନ୍ତ୍ରୀ ନିସ୍ବାର୍ଥପର ଭାବେ ଲୋକସେବା କରୁଥିବା ଲୋକଙ୍କ ଉପରେ ଗୁରୁତ୍ୱାରୋପ କରିଥିଲେ। ପିପୁଲସ୍ ପଦ୍ମ ସମ୍ମାନ ନୋମିନେଶନ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ମୋଦି ଟୁଇଟ୍ କରି କହିଛନ୍ତି।
ସୂଚନାଯୋଗ୍ୟ, ଦେଶରେ ୧୯୫୪ଠାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ସମ୍ମାନ ଅନ୍ତର୍ଗତ ପଦ୍ମ ବିଭୁଷଣ, ପଦ୍ମ ଭୁଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥାଏ। ପଦ୍ମ ସମ୍ମାନ କଳା, ସାହିତ୍ୟ, ଶିକ୍ଷା, ଖେଳ, ଔଷଧ, ସାମାଜିକ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ଲୋକ ବ୍ୟାପାର, ପ୍ରଶାସନିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଆଦି କ୍ଷେତ୍ରରେ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ଏନେଇ ଏକ ନିଦ୍ଦିଷ୍ଟ ସରକାରୀ ଫର୍ମାଟ୍ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ୮୦୦ ଶବ୍ଦରେ ଲେଖିବାକୁ ହୋଇଥାଏ।