କେସିଙ୍ଗା, ତା. ୨୨।୧୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ଡାକ୍ତର ନିଯୁକ୍ତି ହୋଇନଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ସିଡିଏମ୍ଓ ନାକରୁଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ସୌମ୍ୟରଞ୍ଜନ ମାଝୀଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି କରିବା ସହ ଯୋଗଦାନ ପାଇଁ ଆଦେଶ ଦେଇଛନ୍ତି।
ଆଦେଶ ଅନୁଯାୟୀ, ଡା. ମାଝୀ ଗତ ୨୦ ତାରିଖରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେବା କଥା। ନାକରୁଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥୁଆମୂଳ ରାମପୁର ବ୍ଲକ ଅଧୀନରେ ଥିବାରୁ ସେଠାକାର ବ୍ଲକ ପବ୍ଲିକ୍ ହେଲ୍ଥ ଅଫିସର ମଧ୍ୟ ଗତ ୨୦ ତାରିଖରୁ ତାଙ୍କୁ କେସିଙ୍ଗାରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ତିନି ଦିନ ବିତିଯାଇଥିଲେ ମଧ୍ୟ ଡା. ମାଝୀ ଏଯାଏଁ ଯୋଗଦାନ କରିନାହାନ୍ତି।
ଫଳରେ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ନିୟମ ଓ ସିଡିଏମ୍ଓଙ୍କ ଆଦେଶକୁ ଅବମାନନା କରାଯାଉଥିବାରୁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ କେସିଙ୍ଗା ସହରବାସୀ ଦାବି କରିଛନ୍ତି। ଏଥିସହ ସିଡିଏମ୍ଓ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଡା. ମାଝୀଙ୍କୁ କେସିଙ୍ଗାରେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
ଉଲ୍ଲେଖଯୋଗ୍ୟ, ଏହିଭଳି ବଦଳି ଆଦେଶକୁ ଅବମାନନା କରିବା ଅଭିଯୋଗରେ ଗଞ୍ଜାମ ଜିଲାର ଦୁଇଜଣ ଡାକ୍ତରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

