
ଦାରିଙ୍ଗବାଡି, ୧୮।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ପାଇଁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବନ୍ୟା, ବାତ୍ୟା ତଥା ବିପତ୍ତି ସମୟରେ ବିପନ୍ନଙ୍କୁ କିଭଳି ଉଦ୍ଧାର କରାଯିବ, ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନିଆଯିବ, ରାସ୍ତା କିମ୍ବା ଘର ଉପରେ ପଡିଥିବା ଗଛକୁ କିଭଳି ହଟାଯିବ ସେ ସବୁକୁ ସାଧାରଣ ଲୋକଙ୍କ ସାମ୍ନାରେ ଅଗ୍ନିଶମ ବିଭାଗର ଅଫିସର, କର୍ମଚାରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏବେଠାରୁ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟକୁ ପ୍ରାୟ ବନ୍ୟା, ବାତ୍ୟା ଭଳି ବିପତ୍ତିର ଭୟ ରହିଛି। ଏଥିରେ କିଭଳି ଗୋଟିଏ ମଧ୍ୟ ଜୀବନ ନଷ୍ଟ ହେବନାହିଁ, ଲୋକଙ୍କ ସୁରକ୍ଷା କିଭଳି କରାଯିବା ଦରକାର ସେନେଇ ଲୋକଙ୍କୁ ତାଲିମ ଦିଆଯିବା ସହ ଅଭ୍ୟାସ କରାଯାଇଥିଲା। ବିପତ୍ତି ସମୟରେ ଉପସ୍ଥିତି ବୁଦ୍ଧି ଖଟାଇ ବିପନ୍ନଙ୍କୁ କିଭଳି ଉଦ୍ଧାର କରାଯିବା ସହ ସମସ୍ତେ ନିରାପଦ ସ୍ଥାନକୁ ଆସି ନିଜ ଜୀବନ ବଞ୍ଚାଇ ପାରିବେ ସେନେଇ ଅଗ୍ନିଶମ ଅଧିକାରୀମାନେ ଶିଖାଇଥିଲେ ଓ ଅଭ୍ୟାସ କରାଇଥିଲେ। ସେହିପରି ରନ୍ଧନ ଗ୍ୟାସ ଟାଙ୍କିରେ ଅଚାନକ କୌଣସି ପ୍ରକାରେ ନିଆଁ ଲାଗିଲେ ମହିଳାମାନେ ଭୟଭୀତ ନ ହୋଇ ତାକୁ ଲିଭାଇ ପାରିବେ ସେ କୌଶଳକୁ ଅଗ୍ନିଶମ ବିଭାଗ ଶିଖାଇବା ସହ ଉପସ୍ଥିତ ମହିଳାଙ୍କୁ ଅଭ୍ୟାସ କରାଇଥିଲେ। ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ କିଭଳି ସମନ୍ବୟ ରଖି କାର୍ଯ୍ୟ କରିବେ, ଗାଁରେ କୌଣସି ବିପତ୍ତି ଘଟିଲେ ଅଗ୍ନିଶମ ବିଭାଗକୁ ସୂଚନା ଦେବେ ଏସବୁ ନେଇ ମକ୍ଡ୍ରିଲ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିବା ବେଳେ ତହସିଲଦାର ଧୀରୋଜ ପାତ୍ର, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନ ଓ ତାଙ୍କ ଦଳ ଏହି ମକ ଡ୍ରିଲ କରାଇଥିଲେ।