ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିଥିବାରୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ଏବଂ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ବିଶେଷକରି ପାଳିବନ୍ଧ ପଞ୍ଚାୟତର ଗୋଖରକୁଦା ଗ୍ରାମ ଏଥିରେ ପ୍ରଭାବିତ ହୋଇଛି। ବନ୍ୟାଜଳ ଗାଁ ଭିତରେ ପଶିବା ସହ ଗ୍ରାମବାସୀ ପାଣିଘେରରେ ରହିଥିବା ନେଇ ଗତକାଲି ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଶୁକ୍ରବାର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗୋଖରକୁଦା ଗ୍ରାମରେ ପହଞ୍ଚି ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ସେ ଉପକୂଳବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଅଞ୍ଚଳବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।
ବାତ୍ୟା ସମୟରେ ଜନସାଧାରଣଙ୍କ ସୁରକ୍ଷା, ଆଶ୍ରୟ, ଖାଦ୍ୟ ଓ ପାନୀୟଜଳ ବ୍ୟବସ୍ଥା ସହ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ମୌଳିକ ସମସ୍ୟା ଆଦି ଉପରେ ବିଧାୟକ ଆଲୋଚନା କରିଥିଲେ।
ବିଧାୟକଙ୍କ ପରିଦର୍ଶନ ସମୟରେ ବିଡିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ବନୋଜ ନାୟକ ଓ ବିଧାୟକ ପ୍ରତିନିଧି ମାନସ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ, ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ଗୋଖରକୁଦା ଗସ୍ତ କରିଥିଲା। ପ୍ରତିନିଧି ଦଳରେ ସୁଧୀର କୁମାର ପାଢ଼ୀ, ସୁଦାମ ଚରଣ ଜେନା, ବିଜେଡି ଯୁବନେତା ବିଭୂତି ପଲାଇ, ବିକ୍ରମ ମହାରଣା ଓ ଉମା ମହାନ୍ତି ପ୍ରମୁଖ ରହିଥିଲେ। ସେମାନେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।

