ମିଶ୍ରିତ ଶିକ୍ଷା

କୋଭିଡ୍‌-୧୯ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘ ୧୫ ମାସ ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌ର ସୁବିଧା ନାହିଁ ସେମାନେ ପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଆଗକୁ ଭୂତାଣୁର ପ୍ରଭାବ କମିଲା ପରେ ଯେତେବେଳେ ସ୍କୁଲ ଖୋଲିବ ସେତେବେଳେ ଶୈକ୍ଷିକ ବାତାବରଣ କ’ଣ ରହିବ ତାହାକୁ ନେଇ ଅନେକ ଅନୁମାନ ଲଗାଯାଇପାରେ। କିନ୍ତୁ ବିଦ୍ୟାଳୟ କେବେ ଖୋଲିବ ତାହା କହିବା ଆଜିର ସ୍ଥିତିରେ କଷ୍ଟକର। ଭାରତୀୟ ଶିକ୍ଷା ବ୍ୟବସ୍ଥା ଯେଉଁ ଢାଞ୍ଚାରେ ଗଡ଼ି ଆସିଛି, ସେଥିରୁ ଅନୁମାନ ଲଗାଯାଇପାରେ ଯେ ସ୍କୁଲ ଖୋଲିବା ମାତ୍ରେ ସମ୍ପୂର୍ଣ୍ଣ ଭାବେ ପୁରୁଣା ଶୈଳୀକୁ ପିଲାଙ୍କୁ ଫେରାଇ ନିଆଯିବ। ଯେପରି କି ଏହି କରୋନା ମହାମାରୀରୁ ଭାରତୀୟ ଶିକ୍ଷା ବ୍ୟବସ୍ଥା କିଛି ଶିକ୍ଷା ପାଇଲା ନାହିଁ। କୋଭିଡ୍‌ ଯୋଗୁ ବାଧ୍ୟବାଧକତାରେ ହେଉ ପଛେ ଶିକ୍ଷା ବ୍ୟବସ୍ଥାକୁ ଅନ୍‌ଲାଇନ୍‌ ମାଧ୍ୟମ ଆପଣାଇବାକୁ ପଡ଼ିଲା। ଶିକ୍ଷୟିତ୍ରୀ ଶିକ୍ଷକଙ୍କଠାରୁ ଆରମ୍ଭକରି ଛାତ୍ରୀଛାତ୍ର ସମସ୍ତେ କ୍ରମଶଃ ଏହି ନୂଆ ପ୍ରଣାଳୀ ସହ ଅଭ୍ୟସ୍ତ ହେଲେ। ଏଥିରେ ବିଭିନ୍ନ ଅସୁବିଧା ଦେଖା ଦେଇଥିଲେ ମଧ୍ୟ ଏହାର ସକାରାତ୍ମକ ଦିଗକୁ ଅଣଦେଖା କରିହେବ ନାହିଁ। ତେବେ ସ୍କୁଲ ଖୋଲିଲେ ମନେହୁଏ ଯେପରି ଏସବୁକୁ ତୁରନ୍ତ ଭୁଲିଯାଇ ପୁଣି ଯେଉଁ କଥାକୁ ସେଇ କଥାରେ ପଡ଼ିଯିବେ। ଏମିତି ହେଲେ ପୁନଶ୍ଚ ଯେବେ କେବେ କୋଭିଡ୍‌-୧୯ ଭଳି ଅନ୍ୟ ବିପଦ ଆସିବ ସେହି ସମୟରେ ଆମର ବ୍ୟବସ୍ଥାକୁ ‘ଦାସେ ଆଇଲେ ମୂଳରୁ ଗାଆ’ ଭଳି ପ୍ରସ୍ତୁତ ହେବାକୁ ପଡ଼ିବ। ତେଣୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ପରିବର୍ତ୍ତିତ ସ୍ଥିତିକୁ ସାମ୍ନା କରିବା ଲାଗି ଆମେ କେତେ ସଜାଗ ହେଉଛେ। ଉତ୍ତର ରଖାଯାଇପାରେ ଯେ, ଏକ ହାଇବ୍ରିଡ୍‌ ବା ମିଶ୍ରିତ ଶିକ୍ଷା ବ୍ୟବସ୍ଥା ବିକଶିତ କରାଯାଇପାରିଲେ ଭବିଷ୍ୟତରେ ଯେଉଁଭଳି ସ୍ଥିତି ଉପୁଜିଲେ ମଧ୍ୟ ତାହାକୁ ସାମ୍ନା କରାଯାଇପାରନ୍ତା। ସେଥିପାଇଁ ପାଗ ଭିଡ଼ିବା ଲାଗି ଏହି ସମୟ ପ୍ରକୃଷ୍ଟ ଅବସର ସୃଷ୍ଟି କରିଛି।
ଆପ୍ତବାକ୍ୟ ରହିଛି-ଅଭାବ ହିଁ ଉଦ୍ଭାବନର ଜନନୀ। କରୋନା ହେଉଛି ସେହିଭଳି ଏକ ଆହ୍ବାନ ଯାହା ମଣିଷକୁ ବିକଳ୍ପ ସନ୍ଧାନ ଲାଗି ସୁଯୋଗ ଦେଇଛି । ତେଣୁ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ର ମିଶ୍ରଣ ଘଟି ଯେଉଁ ଶିକ୍ଷା ବ୍ୟବସ୍ଥା ପିଲାଙ୍କୁ ଭେଟି ଦିଆଯାଇପାରନ୍ତା, ତାହା ଦ୍ୱାରା ସେମାନେ ଯେକୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହୁଅନ୍ତେ। ପୂର୍ବରୁ ଆମେ ରେନିଡେ’ ବା ବର୍ଷାଦିନ ଛୁଟି ଦେଖିଥିଲୁ। ମନ ବହୁତ ଖୁସି ହେଉଥିଲା। ଏବେ ନୂତନ ପୃଥିବୀରେ ଜଳବାୟୁ ଓ ପରିବେଶଗତ ପରିବର୍ତ୍ତନ ଘଟୁଥିବାରୁ ସାଧାରଣ ଜୀବନଯାପନ ବ୍ୟାହତ ହେଉଛି। ଉଦାହରଣ ସ୍ବରୂପ ବିଗତ କେତେବର୍ଷ ହେବ ଦେଖିଆସୁଛୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଖରାଦିନ ଛୁଟିର ଅବଧିକୁ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ପିଲାଙ୍କ ପାଠ୍ୟକ୍ରମ ଶେଷ ହୋଇପାରୁ ନାହିଁ। ସେଭଳି ସ୍ଥିତିରେ ମହାମାରୀ ସମୟର ଶିକ୍ଷା ଯାହାକି ଅନ୍‌ଲାଇନ୍‌ ପାଠପଢ଼ା କରାଇ ଦେଇଥିଲା, ତାହା ବିଶେଷ କାମରେ ଆସିବ। ଅନ୍‌ଲାଇନ୍‌ ପାଠପଢ଼ାକୁ ଅନେକେ ବିରୋଧ କରନ୍ତି, କାରଣ ସେମାନଙ୍କ ଚିନ୍ତାଧାରାରେ ଗରିବ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେହି ଚିନ୍ତା ନିଶ୍ଚିତ ଯଥାର୍ଥ। ତେଣୁ ସରକାର ଯୋଗାଇଦେଉଥିବା ମଧ୍ୟାହ୍ନଭୋଜନ, ପୋଷାକ, ସାଇକେଲ ଇତ୍ୟାଦି କିଛିବର୍ଷ ପାଇଁ ବନ୍ଦ କରିଦେଇ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍‌ ଏବଂ ଇଣ୍ଟରନେଟ୍‌ ସଂଯୋଗ ଦିଆଇପାରନ୍ତେ।
ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ମାତାପିତା ଓ ଅଭିଭାବକ ପିଲାର ପାଠପଢ଼ା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ପ୍ରାୟତଃ ଛାଡ଼ି ଦେଇଥିଲେ। ଯେବେଠାରୁ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଲାଣି ମାତାପିତା ପିଲାମାନଙ୍କ ପାଠ ସହିତ ଓତପ୍ରୋତ ଜଡ଼ିତ ହେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ବୟସ୍କମାନେ ପୁନଃ ଶିକ୍ଷିତ ହେଉଛନ୍ତି। ଏଠାରେ ‘ବାଇଜୁ’ ଏବଂ ‘ଖାନ୍‌ ଏକାଡ଼େମୀ’ ଭଳି କେତେକ ଅନ୍‌ଲାଇନ୍‌ ଶିକ୍ଷାଦାନ କରୁଥିବା କମ୍ପାନୀର ଉଦାହରଣ ଦେଖାଯାଇପାରେ। ଏହିଭଳି କେତୋଟି ସଂସ୍ଥା ଅନେକ ବର୍ଷ ପୂର୍ବରୁ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ କରିବାରେ ଆଗେଇ ଆସିଥିଲେ। ଭାରତୀୟ କମ୍ପାନୀ ‘ବାଇଜୁ’ର ଆନୁମାନିକ ମୂଲ୍ୟ ଏବେ ୧୫ ବିଲିୟନ ଆମେରିକୀୟ ଡଲାର ବୋଲି କୁହାଯାଉଛି। ଏବେ ଯାହାକୁ ଯେତେ ଅନ୍‌ଲାଇନ୍‌ ଶିକ୍ଷକ ଏବଂ ପାଠପଢ଼ା ଆରମ୍ଭ ହେଲାଣି। ଏହି ସୁବିଧାକୁ ହାତଛଡ଼ା କରିବା ଉଚିତ୍‌ ନୁହେଁ। ପିଲାମାନଙ୍କ ମାନସିକ ସ୍ଥିତିକୁ ଦେଖି ଭବିଷ୍ୟତ ପଢ଼ା ବ୍ୟବସ୍ଥାକୁ ସେହି ପୁରୁଣା ଢାଞ୍ଚାକୁ ଟାଣିନେବା ପରିବର୍ତ୍ତେ ନୂତନ ବ୍ୟବସ୍ଥାକୁ ସ୍ବୀକାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?