
ଓ୍ବାଶିଂଟନ୍,୧୮।୨: ଗୁରୁବାର (ଫେବୃଆରୀ ୬) ପଶ୍ଚିମ ଆଲାସ୍କାରୁ ନିଖୋଜ ହୋଇଥିବା ଏକ ଛୋଟ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏନେଇ ଶୁକ୍ରବାର ଆମେରିକା ତଟରକ୍ଷୀ ବାହିନୀ ସୂଚନା ଦେଇଛି। ଏହି ଦୁର୍ଘଟଣାରେ ଛୋଟ କମ୍ୟୁଟର ବିମାନରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ନୋମର ଉତ୍ତର-ପୂର୍ବରେ ୩୪ ମାଇଲ (ପ୍ରାୟ ୫୫ କିଲୋମିଟର) ଦୂରରେ ଯାତ୍ରୀବାହୀ ବିମାନଟି ମିଳିଥିଲା।
USCG ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଦୁର୍ଘଟଣା ବିଷୟରେ ପୋଷ୍ଟ କରିଛି। ଏହି ପୋଷ୍ଟରେ USCG କହିଛି, ବିମାନରେ ଥିବା ୧୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ବିମାନରେ ମିଳିଛି। ବାକି ୭ ଜଣଙ୍କ ମୃତଦେହ ବିମାନ ଭିତରେ ରହିବାର ସମ୍ଭାବନା ରହିଛି। କିନ୍ତୁ ଦୁର୍ଘଟଣାଗ୍ରସ୍ତ ବିମାନର ଅବସ୍ଥା ଯୋଗୁ ବର୍ତ୍ତମାନ ବିମାନ ଭିତରକୁ ପ୍ରବେଶ କରିବା କଷ୍ଟକର।