କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଖୁଣ୍ଟ ଓ ଗଛରେ ବିଦ୍ୟୁତ୍ ସଂଯୋଗ ହୋଇଥିବା ଅଭିଯୋଗ ଆସିଥିବା ବେଳେ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ପରିବାର ଓ ଗ୍ରାମବାସୀ। ଏଥିସହ ମୃତ ନାବାଳିକାଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ମୃତ ନାବାଳିକା ହେଲେ କୁର୍ମାନୁର ପଞ୍ଚାୟତ ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମର ବଜେୟା କାରୀନେନଙ୍କ ୧୩ ବର୍ଷୀୟା ଝିଅ ମାନାମା।
ସୂଚନା ଅନୁଯାୟୀ, ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲୁଥିବାରୁ ମାନାମା ଧାନ ରୁଆ କାମରେ ସହଯୋଗ କରିବା ପାଇଁ ନିଜ ବଡ଼ବାପାଙ୍କ ଘର ଗୁରାଲୁର ଗ୍ରାମକୁ ଆସିଥିଲେ। ଘର ନିକଟରେ ବିଦ୍ୟୁତ୍ ଖୁଣ୍ଟ ଥିବା ସହ ତାହା ପାଖରେ ଏକ ଗଛ ରହିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କୌଣସି କାରଣରୁ ବିଦ୍ୟୁତ୍ ଲାଇନର ତାର ଖୁଣ୍ଟ ଓ ଗଛ ସହ ସଂସ୍ପର୍ଶରେ ଆସିଥିଲା। ଫଳରେ ଖୁଣ୍ଟ ଓ ଗଛରେ ବିଦ୍ୟୁତ ପ୍ରବାହିତ ହେଉଥିଲା। ଏହା ସମ୍ପର୍କରେ ଅବଗତ ନ ଥିବା ମାନାମା ବିଦ୍ୟୁତ ଖୁଣ୍ଟ ନିକଟକୁ ଯିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଘଟଣା ପରେ ପରିବାର ଲୋକେ ତାଙ୍କୁ ଏକ ଅଟୋ ଯୋଗେ ଦୁର୍ଗମ ରାସ୍ତା ଦେଇ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଡାକ୍ତର ମାନାମାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଗମ କୁର୍ମାନୁର ଓ ଘାଟି ଅଞ୍ଚଳରେ ଟାଟା ପାୱାର ବିଦ୍ୟୁତ୍ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ନିରାପତ୍ତା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ଖୁଣ୍ଟ ଓ ଗଛରେ ବିଦ୍ୟୁତ୍ ପ୍ରବାହ ଭଳି ବିପଜ୍ଜନକ ସ୍ଥିତି ରହିଥିଲେ ମଧ୍ୟ ଏହାର ଠିକଣା ସମୟରେ ମରାମତି କିମ୍ବା ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିବା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାରେ କାହାର ଅବହେଳା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏଭଳି ଦୁର୍ଘଟଣା ଯେପରି ଆଗକୁ ନ ଘଟେ, ସେଥିପାଇଁ ଜିଲା ପ୍ରଶାସନ ଓ ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ଅଧିକାରୀମାନେ ଘଟଣାକୁ ଗୁରୁତର ସହ ନେଇ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟ, ତାର ଓ ଲାଇନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ମୃତ ନାବାଳିକାଙ୍କ ପରିବାର ଆର୍ଥିକ ଭାବେ ଅସହାୟ ହୋଇପଡ଼ିଥିବାରୁ ସରକାରୀ ନିୟମ ଅନୁଯାୟୀ ଉଚିତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପରିବାର ଓ ସ୍ଥାନୀୟ ଲୋକେ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

