ମୀମାଂସା ଦର୍ଶନ

ଡା. ଗୋପାଳ ଚନ୍ଦ୍ର ଦାଶ

ଷଟ୍‌ ଦର୍ଶନ ମଧ୍ୟରେ ମୀମାଂସା ଦର୍ଶନ ବୃହତ୍ତମ। ଏହାର ସ୍ବତ୍ରସଂଖ୍ୟା ୨୬୪୪। ଅନ୍ୟ ପାଞ୍ଚଗୋଟି ଦର୍ଶନରେ ଯେତିକି ସ୍ବତ୍ର ଅଛି, ଏକାକୀ ମୀମାଂସା ଦର୍ଶନରେ ସେତକି ସୂତ୍ର ଅଛି। ମହର୍ଷି ଜୈମନୀ ଏହି ଦର୍ଶନର ରଚୟିତା। ଏହି ଦର୍ଶନ ପ୍ରାୟ ଦୁଇ ହଜାର ବର୍ଷରୁ ଅଧିକ ପୁରୁଣା। ମୀମାଂସା ଦର୍ଶନକୁ ପୂର୍ବ ମୀମାଂସା କୁହାଯାଏ। ବ୍ୟାସଦେବଙ୍କ ରଚିତ ବ୍ରହ୍ମସ୍ବତ୍ରକୁ ଉତ୍ତର ମୀମାଂସା ଦର୍ଶନ କୁହାଯାଏ। ମୀମାଂସା ଦର୍ଶନ ୧୨ ଗୋଟି ଅଧ୍ୟାୟରେ ବିଭକ୍ତ ଓ ପ୍ରତି ଅଧ୍ୟାୟ କେତେଗୋଟି ପାଦକୁ ନେଇ ଗଠିତ। ଏହି ଦର୍ଶନ ବେଦକୁ ଧର୍ମ ସମ୍ବନ୍ଧରେ ପ୍ରମାଣ ବୋଲି ମାନ୍ୟତା ପ୍ରଦାନ କରିଥାଏ। ଏହା ବେଦ ବର୍ଣ୍ଣିତ ଯଜ୍ଞକୁ ସ୍ବୀକାର କରେ। ପ୍ରଥମ ସ୍ବତ୍ରରେ ଧର୍ମର ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରି ମହର୍ଷି ଜୈମନୀ କହିଛନ୍ତି, ”ଅଥତୋ ଧର୍ମ ଜିଜ୍ଞାସା“। ତାଙ୍କ ମତରେ ଗୃହସ୍ଥିମାନେ କର୍ମକାଣ୍ଡ ମୂଳକ ଧର୍ମ ଦ୍ୱାରା ଧର୍ମ, ଅର୍ଥ, କାମ ଓ ମୋକ୍ଷ ଆଦି ଚାରି ପୁରୁଷାର୍ଥ ସିଦ୍ଧ କରିଥାଆନ୍ତି। ଜୈମନୀଙ୍କ ମତରେ ଧର୍ମ ପସନ୍ଦ ଉପରେ ନିର୍ଭର ପଦାର୍ଥ ନୁହେଁ, ଏହା ଏକ ନୈତିକ ନିୟମ ଯାହା ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ଆବଶ୍ୟକ। ତେଣୁ ଦ୍ୱିତୀୟ ସ୍ବତ୍ରରେ କହିଛନ୍ତି, ”ଚୋଦନା ଲକ୍ଷଣୋ ଆର୍ଥୋ ଧର୍ମଃ।“ ଅର୍ଥାତ୍‌ ବିଧାନରେ ଆସିଥିବା ଅର୍ଥକୁ ଧର୍ମ କୁହାଯାଏ। ସରଳ ଭାଷାରେ, ସମାଜର କଲ୍ୟାଣ ଦୃଷ୍ଟିରୁ ମହାପୁରୁଷମାନଙ୍କର ଆଦେଶକୁ ମାନି ଯେଉଁ କାର୍ଯ୍ୟ କରିବା ଉଚିତ୍‌ ତାହା ଧର୍ମ ।
ଏହି ଦର୍ଶନର ପ୍ରଥମ ଭାଷ୍ୟକାର ଆଦିତ୍ୟ ଦେବ। ଯାହାଙ୍କୁ ଶବର ସ୍ବାମୀ କୁହାଯାଏ। ବୌଦ୍ଧ ଧର୍ମର ପ୍ରବଳ ପ୍ରଚାର ଓ ପ୍ରସାର ଯୋଗୁ ଏହି ଦର୍ଶନ ଅଜ୍ଞାତ ବା ଲୁପ୍ତ ଅବସ୍ଥାରେ ପଡ଼ି ରହିଥିଲା। ସମ୍ଭବତଃ ଦ୍ୱିତୀୟ ଶତାବ୍ଦିରେ ଆଦିତ୍ୟଦେବ ଏହି ଦର୍ଶନର ଭାଷ୍ୟ କରିଥିବା ଅନୁମାନ କରାଯାଏ। ପ୍ରବଳ ବିରୋଧ ଯୋଗୁ ଆଦିତ୍ୟ ଦେବ ଶବର ବେଶରେ ଜଙ୍ଗଲରେ ଲୁଚି ରହିଥିଲେ। ତେଣୁ ତାଙ୍କୁ ଶବର ସ୍ବାମୀ କୁହାଯାଏ। ବୌଦ୍ଧଧର୍ମୀମାନଙ୍କର ବେଦ ବିରୁଧ ମନ୍ତବ୍ୟ ଯୋଗୁ ଲୁପ୍ତ ହୋଇଥିବା ଏହି ଦର୍ଶନ ଶାସ୍ତ୍ରକୁ କୁମାରିଲ ଭଟ୍ଟ ଓ ତାଙ୍କ ଶିଷ୍ୟମାନେ ପୁନଃ ପ୍ରତିଷ୍ଠା କରିଥିଲେ। ପ୍ରାୟ ସପ୍ତମ ଶତାବ୍ଦିରେ କୁମାରିଲ ଭଟ୍ଟ ଓ ତାଙ୍କର ଦୁଇ ଶିଷ୍ୟ ମଣ୍ଡନ ମିଶ୍ର ଓ ପ୍ରଭାକର ମିଶ୍ର ବୌଦ୍ଧ ମତକୁ ଖଣ୍ଡନ କରି ବୈଦିକ ମତର ପୁନଃ ପ୍ରତିଷ୍ଠା କରିଥିଲେ। ମାତ୍ର ଏହା ତିଷ୍ଠି ରହିପାରିଲା ନାହିଁ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ଓ ତାଙ୍କ ଦ୍ୱାରା ପ୍ରଚାରିତ ଅଦୈତ ବେଦାନ୍ତ ସର୍ବଜନ ପ୍ରିୟ ହୋଇଉଠିଲା। ଫଳରେ ମୀମାଂସା ଦର୍ଶନ ସମିତି ହୋଇ ରହିଗଲା। କୁମାରିଲ ଭଟ୍ଟଙ୍କ ଶିଷ୍ୟ ମଣ୍ଡନ ମିଶ୍ର ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଶାସ୍ତ୍ରରେ ପରାଜୟ ହୋଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ଓ ଅଦୈତ ବେଦାନ୍ତର ପ୍ରଚାର କଲେ। ପ୍ରଭାକର ମିଶ୍ର ଶବର ସ୍ବାମୀଙ୍କର ଭାଷ୍ୟ ଭାଷାରେ ନୂତନ ଟିକା ଲେଖି ମୀମାଂସା ଦର୍ଶନର ସିଦ୍ଧାନ୍ତକୁ ପ୍ରଚାର କଲେ।
ଏହି ଦର୍ଶନ କର୍ମସିଦ୍ଧାନ୍ତ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ମୀମାଂସାରେ ମୋକ୍ଷ ଭାବନା ଦର୍ଶାଯାଇଛି। ସକାମ କର୍ମ ଅନୁଷ୍ଠାନ ଦ୍ୱାରା ଜୀବାତ୍ମା କର୍ମଫଳ ଭୋଗ କରିବା ପାଇଁ ଜନ୍ମ-ମୃତ୍ୟୁ ଚକ୍ରର ବନ୍ଧନରେ ଘୂରିବୁଲିଥାଏ। ଆତ୍ମଜ୍ଞାନ ପ୍ରାପ୍ତି ହେଲେ ପୂର୍ବ କର୍ମର ସଙ୍କିତ ସଂସ୍କାର ନଷ୍ଟ ହୋଇଯାଏ। କାରଣ, ଜ୍ଞାନ ପ୍ରାପ୍ତି ହେଲେ ଜୀବାତ୍ମା ଧର୍ମାଚାରଣ ଦ୍ୱାରା ନିଷ୍କାମ କର୍ମ କରିଥାଏ। ନିଷ୍କାମ କର୍ମ ଜୀବାତ୍ମାକୁ ମୋକ୍ଷ ପ୍ରଦାନ କରିଥାଏ। ମୀମାଂସକମାନେ କର୍ମବାଦୀ। ସେମାନେ ବେଦ ବିହୀତ କର୍ମକୁ ସର୍ବାଧିକ ମହତ୍ତ୍ୱ ଦିଅନ୍ତି। ତେଣୁ ମୀମାଂସାର ମୁଖ୍ୟ ଆଧାର- କର୍ମ ସିଦ୍ଧାନ୍ତ। ଏହା ଏକ କର୍ମକାଣ୍ଡମୂଳକ ଦର୍ଶନ, ଯାହା ବେଦବିହୀତ ଯଜ୍ଞକୁ ସ୍ବୀକାର କରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କର୍ମ ଯଜ୍ଞ ଅଟେ। ଏହି ଦର୍ଶନରେ ମାନବର ସମସ୍ତ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟକୁ ଯଜ୍ଞ ଭାବରେ ଗ୍ରହଣ କରାଯାଇଛି। ଅଗ୍ନିହୋତ୍ରକୁ ଯଜ୍ଞ ବୋଲି ଏହି ଦର୍ଶନରେ କୁହାଯାଇଛି। ବ୍ୟକ୍ତି ନିଜର ଯୋଗ୍ୟତା, ପରିସ୍ଥିତି ଓ ସାଧନ ଅନୁସାରେ ଯଜ୍ଞ ଅନୁଷ୍ଠାନ କରିବା ଉଚିତ। ଯଜ୍ଞରୁ ଉତ୍ପନ୍ନ ହେଉଥିବା ପୂଣ୍ୟ ଓ ପୂଣ୍ୟରୁ ଉତ୍ପନ୍ନ ହେଉଥିବା ଫଳ ସ୍ବର୍ଗ ବା ମୋକ୍ଷ ପ୍ରଦାନ କରିଥାଏ। ଅର୍ଥାତ୍‌ ଯଜ୍ଞାନୁଷ୍ଠାନ ଦ୍ୱାରା ବ୍ୟକ୍ତି ସ୍ବର୍ଗପ୍ରାପ୍ତ ହୁଏ। ତତ୍ତ୍ୱ ବିଚାର ଦୃଷ୍ଟିରୁ ମୀମାଂସା ଦର୍ଶନ ଭୌତିକ ଜଗତକୁ ନିତ୍ୟ ମାନେ। ମୋକ୍ଷ ସମ୍ବନ୍ଧର ମୀମାଂସାର ଦୁଇ ପ୍ରକାର ମତ ମିଳିଥାଏ। ପ୍ରଭାକରଙ୍କ ମତରେ ଆତ୍ମାଠାରୁ ସୁଖ ଓ ଦୁଃଖ ଭଳି ଅନେକ ଗୁଣ ଥାଏ। କୁମାରିଲଙ୍କ ମତରେ ପ୍ରତ୍ୟେକ ପ୍ରାଣୀର ଉଦ୍ଦେଶ୍ୟ ସୁଖ ପ୍ରାପ୍ତି। ସେଥିପାଇଁ ସେ ପୁରୁଷାର୍ଥ କରେ। ପୁରୁଷାର୍ଥ ଦ୍ୱାରା ଦୁଃଖର ନାଶ ହୁଏ ଓ ବ୍ୟକ୍ତି ମନ ଦ୍ୱାରା ସୁଖ ଉପଭୋଗ କରେ। ଜୈମନୀଙ୍କ ରଚିତ ପୂର୍ବ ମୀମାଂସା ଧର୍ମ ସମ୍ବନ୍ଧରେ ଆଲୋଚନା କଲାବେଳେ ବ୍ୟାସଦେବଙ୍କ ରଚିତ ଉତ୍ତର ମୀମାଂସା ଜ୍ଞାନ ସମ୍ବନ୍ଧରେ ଆଲୋଚନା କରିଥାଏ। ଜୈମନୀଙ୍କ ମତରେ ମନୁଷ ବେଦ ଦର୍ଶିତ ଧର୍ମନୀଷ୍ଠ କର୍ମ କରିବା ବେଳେ ବ୍ୟାସଦେବଙ୍କ ମତରେ ମନୁଷ୍ୟ ଜ୍ଞାନନିଷ୍ଠ କର୍ମ କରିବା ଉଚିତ। ମୋଟ ଉପରେ ମୀମାଂସା ଦର୍ଶନରେ ଧର୍ମ ବିଷୟରେ ଜ୍ଞାନ ଲାଭ ପୂର୍ବକ ବୈଦିକ କର୍ମକାଣ୍ଡଗୁଡ଼ିକୁ ନିର୍ଭୁଲ ଭାବରେ ପ୍ରତିପାଦନ କରିବା ପାଇଁ ପରାମର୍ଶ ଦିଆଯାଇଛି।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri