ପ୍ରବାସୀ ହଟହଟା

ନିକଟରେ ଆମେରିକାର ଟେକ୍ସାସ ଅନ୍ତର୍ଗତ ପ୍ଲାନୋରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବଦ୍ୱେଷର ଶିକାର ହୋଇଥିଲେ। ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ମହିଳା ହେଉଛନ୍ତି ମେକ୍ସିକୀୟ-ଆମେରିକୀୟ ଏସ୍‌ମେରାଲ୍ଡା ଅପଟୋନ୍‌। ସେ ଭାରତୀୟ ମହିଳାଙ୍କୁ କହିଥିଲେ ‘ମୁଁ ତୁମ ଭଳି ଭାରତୀୟଙ୍କୁ ଘୃଣା କରେ (ଆଇ ହେଟ୍‌ ୟୁ ଇଣ୍ଡିଆନ୍ସ)। ତୁମ୍ଭେମାନେ ଉନ୍ନତ ଜୀବନ ବିତାଇବାକୁ ଆମେରିକା ଆସିଛ। ଭାରତକୁ ଫେରିଯାଅ କହି ସେମାନଙ୍କୁ ସେ ଦୁର୍ବ୍ୟବହାର କରିଥିଲେ। ସମ୍ପୃକ୍ତ ଭାରତୀୟଙ୍କ ପ୍ରତି ଏସ୍‌ମେରାଲ୍ଡାଙ୍କ ଏଭଳି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ସେ ନିଜେ ମେକ୍ସିକୀୟ ହୋଇଥିବାରୁ ଆମେରିକାରେ ପ୍ରବାସୀ ଭାବେ ଗଣାଯିବେ। ଯେହେତୁ ଭାରତୀୟମାନେ ଆମେରିକାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି, ସେହେତୁ ତାଙ୍କ କ୍ରୋଧ ପ୍ରକାଶ ପାଇଥିବା ଅନୁମାନ କରାଯାଇପାରେ। ଏହା ପଛରେ ଅଧିକ କାରଣ ଖୋଜିଲେ ଦେଖାଯାଏ ଯେ, ଭାରତୀୟମାନେ ବିଦେଶରେ କେବଳ ଅପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ ପଛରେ ଗୋଡ଼ାଇଥାଆନ୍ତି। ସାଧାରଣରେ ସେମାନେ ସ୍ଥାନୀୟ ଲୋକଙ୍କ ପ୍ରତି ସାହାଯ୍ୟ କିମ୍ବା ସହାନୁଭୂତି ଦେଖାଇ ନ ଥାଆନ୍ତି। ଏକାକୀ ଧନ ଅର୍ଜନ କରି ସୁଖରେ ରହିବାର ଉଦ୍ଦେଶ୍ୟ ସର୍ବଉପରେ ହୋଇଯାଇଥିବାରୁ ଭାରତୀୟମାନେ ଏକଘରିକିଆ ହୋଇଯାଉଛନ୍ତି। ସେମାନେ କେବଳ ଭାରତୀୟଙ୍କ ସହିତ ସମ୍ପର୍କ ରଖନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସହିତ ସାମାଜିକ ସମ୍ବନ୍ଧ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି ନାହିଁ। କେବଳ ଆମେରିକା ନୁହେଁ, ଇଂଲିଶ ଭାଷୀ ରାଷ୍ଟ୍ର ବ୍ରିଟେନ, ଅଷ୍ଟ୍ରେଲିଆ ଏପରି କି ଦକ୍ଷିଣ ଆଫ୍ରିକା, ଥାଇଲାଣ୍ଡ ଓ ସିଙ୍ଗାପୁରରେ ମଧ୍ୟ ଭାରତୀୟମାନଙ୍କ ଏହି ଚରିତ୍ର ଯୋଗୁ ସେମାନେ ହଟହଟା ହୋଇଆସୁଛନ୍ତି।
ଜଣାଶୁଣା ଯେ, ଭାରତୀୟମାନେ ଆଫ୍ରିକୀୟ-ଆମେରିକୀୟମାନଙ୍କୁ ଘୃଣା ଚକ୍ଷୁରେ ଦେଖନ୍ତି ଓ ସେମାନଙ୍କଠାରୁ ଦୂରେଇ ରହନ୍ତି। ଅନ୍ୟପଟେ ଗୋରାମାନେ ଭାରତୀୟଙ୍କୁ ହୀନ ଚକ୍ଷୁରେ ଦେଖନ୍ତି ଏବଂ ସେମାନଙ୍କ ସହିତ ସାମାଜିକ ସମ୍ପର୍କ ରଖିବାକୁ କୁଣ୍ଠାବୋଧ କରନ୍ତି। ଏପରିକି ଭାରତୀୟମାନଙ୍କୁ ଅନେକ ସ୍ଥାନରେ ମଧ୍ୟ ଘରଭଡ଼ା ମିଳେ ନାହିଁ। ସେମାନେ ବାଧ୍ୟହୋଇ ନିଜେ ଘର କିଣି ରହନ୍ତି। ଆମେରିକା ଭଳି ଦେଶରେ କେବଳ ଭାରତୀୟ ନୁହନ୍ତି, ଚାଇନା ଓ କୋରିଆ ଭଳି ଦେଶରୁ ଯାଇଥିବା ପ୍ରବାସୀମାନଙ୍କୁ ଏସୀୟ କହି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥାଏ। ଏହି ଘୃଣାର ଅତ୍ୟଧିକ ମାତ୍ରା ପହଞ୍ଚତ୍ଥିଲା କରୋନା ସମୟରେ। ଅନ୍ୟ ଏକ ଘଟଣାକୁ ଦେଖିଲେ କିଛିବର୍ଷ ପୂର୍ବେ କାନାଡ଼ାର ଏକ ଯୁବଗୋଷ୍ଠୀ ‘ଡଟ୍‌ ବଷ୍ଟର’ ଅର୍ଥାତ୍‌ ଭାରତୀୟ ମହିଳା ବ୍ୟବହାର କରୁଥିବା ‘ବିନ୍ଦିକୁ ମାଡ଼’ ଗୋଷ୍ଠୀ ନାମରେ ସୃଷ୍ଟି ହୋଇଥିଲେ। ଅନେକକାଳ ପର୍ଯ୍ୟନ୍ତ ସେହି ଗୋଷ୍ଠୀ ଭାରତୀୟ ଦୋକାନୀ ଓ ବ୍ୟବସାୟୀମାନଙ୍କୁ ଯେଉଁଠି ଦେଖିଲେ ସେଠି ପିଟିଲେ।
ବିଦେଶରେ କାର୍ଯ୍ୟ କରିବାର ବୟସ ଶେଷ ହେବାପରେ ଅଧିକାଂଶ ଭାରତୀୟ ସ୍ବଦେଶ ଫେରିବାକୁ ଇଚ୍ଛୁକ ଥିବା ସ୍ପଷ୍ଟ ଜଣାପଡ଼େ। ସେମାନେ ଅନେକ ଅର୍ଥ ଖର୍ଚ୍ଚ କରି ନିଜ ନିଜ ରାଜ୍ୟରେ ବିରାଟକାୟ ଜମି ଓ ଘର କିଣୁଛନ୍ତି। ବିଦେଶରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଏକାକୀ ବୋଲି ହୃଦ୍‌ବୋଧ କରି ବୁଢ଼ା ବୟସରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ଇଚ୍ଛୁକ ଏହି ପ୍ରବାସୀ ନାଗରିକ ଯୁବାବସ୍ଥାରେ ଦେଶକୁ ଗୋଇଠା ମାରି ଚାଲିଯାଇଥିଲେ। ମନେ ରଖିବାକୁ ହେବ ଯେ, ଏଭଳି ଲୋକ ଭାରତୀୟ କରଦାତାଙ୍କ ଅର୍ଥବ୍ୟୟ କରି ଏବଂ ଭାରତୀୟ ସମାଜର ସୁବିଧା ନେଇ ଆଇଆଇଟି, ବିଭିନ୍ନ ମେଡିକାଲ କଲେଜରୁ ପାଠ ପଢ଼ିସାରିବା ପରେ ନିଜ ଦେଶକୁ ଛାଡ଼ି ଅନ୍ୟତ୍ର ପଳାଇଥିଲେ।
ଭାରତୀୟଙ୍କ ତୁଳନାରେ ମେକ୍ସିକୋ କିମ୍ବା ଦକ୍ଷିଣ ଆମେରିକୀୟ ସ୍ପାନିସ୍‌ ଭାଷୀ ଲୋକେ ସାଧାରଣରେ ଉତ୍ତର ଆମେରିକାରେ ଲେବର କ୍ଲାସ୍‌ ବା ଶ୍ରମଜୀବୀ ଗୋଷ୍ଠୀ ଭାବେ ଜୀବନ ନିର୍ବାହ କରନ୍ତି। ସେମାନଙ୍କୁ ସ୍ଥାନୀୟ ଗୋରା ଲୋକ ମୂଲିଆ, ମିସ୍ତ୍ରି ଭାବେ ଦେଖିଥାଆନ୍ତି। କଳା ଲୋକ (ଆଫ୍ରିକୀୟ-ଆମେରିକୀୟ)ଙ୍କ ପାଇଁ ଯେଉଁ ପ୍ରବଳ ଘୃଣାଭାବ ବର୍ଣ୍ଣବିଦ୍ୱେଷ ଭାବେ ରହିଆସିଛି, ତାହା ଏବେ ମଧ୍ୟ ହ୍ରାସ ପାଉନାହିଁ। କିନ୍ତୁ ଭାରତୀୟଙ୍କଠାରେ ସେହି ପରିମାଣର ଘୃଣାଭାବ ପରିଲକ୍ଷିତ ହେଉ ନ ଥିବା ବେଳେ ସେମାନେ ମଧ୍ୟ ବର୍ଣ୍ଣବୈଷମ୍ୟର ଶିକାର ହୋଇ ଆସୁଛନ୍ତି। ଏହିସବୁ ବିଭିନ୍ନ ପରିସ୍ଥିତିକୁ ଦେଖିଲେ ଭାରତୀୟମାନେ ସାମ୍ନା କରୁଥିବା କ୍ରୋଧ ପାଇଁ ନିଜେ ନିଜକୁ ଦୋଷ ଦେବା ଦରକାର। ଦୁବାଇ କିମ୍ବା ଆବୁଧାବିକୁ ଯାଉଥିବା ଭାରତୀୟ ମୂଲିଆଙ୍କଠାରୁ ଆରମ୍ଭକରି ଆମେରିକା ଯାଉଥିବା ଆଇଟି ପ୍ରଫେଶନାଲଙ୍କ ଆଭିମୁଖ୍ୟ ଏକପ୍ରକାର ହୋଇଯାଇଛି। କେବଳ ଅର୍ଥ ଅର୍ଜନ କରିବାର ଲକ୍ଷ୍ୟ ନେଇ ଯାଉଥିବା ଭାରତୀୟମାନେ ସ୍ଥାନୀୟ ଲୋକଙ୍କ ସହିତ ସାମାଜିକ ସମ୍ପର୍କ ଗଠନ ପାଇଁ କୌଣସି ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଜଣେ କଳା କିମ୍ବା ଗୋରା ଆମେରିକୀୟ ଭଲ ଭାବେ ବଞ୍ଚତ୍ବା ପାଇଁ ଅର୍ଥ ଅର୍ଜନ କରିସାରିବା ପରେ, ଅଧିକାଂଶ ସମୟରେ ଦେଖାଯାଏ ନିଜର ପଡ଼ୋଶୀ କିମ୍ବା ଅଞ୍ଚଳରେ ସାମାଜିକ ସେବା କ୍ଷେତ୍ରରେ ସକ୍ରିୟ ହୋଇଥାଆନ୍ତି। ସେମାନଙ୍କ ତୁଳନାରେ ଭାରତୀୟମାନେ ଗୋଟିଏ ଡଲାର ମଧ୍ୟ କାହାରିକୁ ସାହାଯ୍ୟ କରିବାକୁ ଚିନ୍ତା କରନ୍ତି ନାହିଁ। ସବୁ ଭାରତୀୟ ଏହି ଗୋଷ୍ଠୀରେ ପଡୁଥିବା ବେଳେ ସେହି ମାଟିରୁ ଯାଉଥିବା ପଞ୍ଜାବୀ ଶିଖ୍‌ମାନେ ସବୁବେଳେ ଦାତବ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବାର ଦେଖାଯାଏ। ଏହାର ଅର୍ଥ ନୁହେଁ ଯେ, ସେମାନେ ଗାଳି ଶୁଣନ୍ତି ନାହିଁ କିମ୍ବା ସେମାନଙ୍କୁ ଟାର୍ଗେଟ କରାଯାଏ ନାହିଁ।
ଏଠାରେ ଆଉ ଏକ ପ୍ରସଙ୍ଗ ମନେପଡ଼େ। ପଞ୍ଜାବର ଅମୃତସର ସ୍ବର୍ଣ୍ଣମନ୍ଦିରରେ ଖଲିସ୍ତାନୀଙ୍କୁ ହଟାଇବା ପାଇଁ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ହୋଇଥିବା ‘ବ୍ଲୁ-ଷ୍ଟାର’ ଅପରେଶନରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ବୁଟା ସିଂଙ୍କ ବଡ଼ ଭୂମିକା ରହିଥିଲା। ବୁଟା ସିଂଙ୍କୁ ସେତେବେଳେ କ୍ଷମା ମାଗିବାକୁ କୁହାଯାଇଥିଲା। ହେଲେ ସେଠାକାର ଗ୍ରନ୍ଥି ବା ଧର୍ମଗୁରୁମାନେ ତାଙ୍କ କ୍ଷମାକୁ ସ୍ବୀକାର କରି ତାଙ୍କୁ ‘କର ସେବା’ ଆଳରେ ସ୍ବର୍ଣ୍ଣମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଜୋତା ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତରେ ସେବାକୁ ସର୍ବଦା ଧର୍ମ ସହ ଯୋଡ଼ି ଦିଆଯାଇଥାଏ। ଏପରି କି ସରକାରଙ୍କୁ ଆଇନ ପ୍ରଣୟନ କରି କମ୍ପାନୀଗୁଡ଼ିକୁ କର୍ପୋରେଟ୍‌ ସୋସିଆଲ୍‌ ରେସପନ୍‌ସିବିଲିଟି (ସିଏସ୍‌ଆର୍‌) ନାମରେ ଲାଭର କ୍ଷୁଦ୍ର ଅଂଶ ଜନତାଙ୍କ ସେବାରେ ଲଗାଇବାକୁ ବାଧ୍ୟ କରାଯାଉଛି। ସେହି ଅର୍ଥକୁ ମଧ୍ୟ ସମସ୍ତେ ବାଟମାରଣା କରିବା ସକାଶେ ଉଦ୍ଦେଶ୍ୟ ରଖି ଜଗି ବସିଛନ୍ତି। ଅର୍ଥାତ୍‌ ଭାରତୀୟଙ୍କ ରକ୍ତରେ ଜନ କିମ୍ବା ସାମାଜିକ ସେବାର ତିଳେମାତ୍ର ଲକ୍ଷଣ ନ ଥିବାରୁ ତାହାର କୁପ୍ରଭାବ ସବୁ ଭାରତୀୟଙ୍କ ଉପରେ ପଡ଼ୁଛି। ଯଦି ପାଶ୍ଚାତ୍ୟ ବିଶେଷକରି ଆମେରିକାକୁ ଦେଖାଯାଏ, ସେଠାରେ ଧନୀ ଲୋକ ସେମାନଙ୍କ ଆୟର ଅନେକାଂଶ ଦାତବ୍ୟ ଅନୁଷ୍ଠାନକୁ ସ୍ବଇଚ୍ଛାରେ ଦାନ କରିବାକୁ ଆଗେଇ ଆସିଥାନ୍ତି। ଭାରତରୁ ଯାଇ ସେଠାରେ ବଡ଼ ଡାକ୍ତର ହେବା ବା ଆଇଟି ପ୍ରଫେଶନାଲ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବହୁତ ପଇସା ରୋଜଗାର କରୁଛନ୍ତି, ସମ୍ପତ୍ତି ଯଥା ବଡ଼ ଘର ଓ ଗାଡ଼ି କରିବା ସହ ଅନେକେ ନିଜର ବ୍ୟବସାୟକୁ ମଧ୍ୟ ବିସ୍ତାର କରିପାରିଛନ୍ତି। ହେଲେ ସେମାନଙ୍କ ନିକଟରେ ଦାନ କରିବା ମାନସିକତା ଦେଖାଯାଇ ନ ଥାଏ। ପ୍ଲାନୋ ଘଟଣା ପରେ ବିଦେଶରେ ରହୁଥିବା ଭାରତୀୟମାନେ ସେମାନଙ୍କ ଚରିତ୍ରଗତ ଦୁର୍ବଳତା ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri