ମେଧାବୀ ଅପରାଧୀ

ଓଡ଼ିଆରେ କଥା ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର’। ଜଣେ ଯେତେ ପ୍ରତିଭାସମ୍ପନ୍ନ ହୋଇଥିଲେ ମଧ୍ୟ ତାଙ୍କର ଚାରିତ୍ରିକ ପତନ ଘଟିଲେ ସେ ଦୁନିଆ ଆଗରେ ନିନ୍ଦିତ ହୋଇଥାଆନ୍ତି। ହେଲେ ଏବେ ଗୁଆହାଟୀ ହାଇକୋର୍ଟଙ୍କ ଏକ ରାୟ ବିଚାର ବ୍ୟବସ୍ଥାର ଅବାଞ୍ଛିତ ଚିନ୍ତାଧାରାକୁ ସର୍ବସମ୍ମୁଖକୁ ଆଣିଛି। ଘଟଣାଟି ଏହିପରି। ଗତ ମାର୍ଚ୍ଚ ୨୮ ରାତିରେ ଗୁଆହାଟୀ ଆଇଆଇଟିର ଜଣେ ଛାତ୍ର ତାଙ୍କ ସହପାଠିନୀଙ୍କୁ ବଳାତ୍କାର କରିଥିଲେ। ସମ୍ପୃକ୍ତା ଛାତ୍ରୀଙ୍କୁ ତା’ ପର ଦିନ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୩ ତାରିଖରେ ବଳାତ୍କାର କରିଥିବା ଛାତ୍ରଙ୍କୁ ଗିରଫ କରାଗଲା। ଏବେ ଗୁଆହାଟୀ ହାଇକୋର୍ଟ ସେହି ମାମଲାର ବିଚାରକରି ଅଭିଯୁକ୍ତଙ୍କୁ ମାତ୍ର ୩୦ ହଜାର ଟଙ୍କାର ଅର୍ଥରାଶି ଓ ଦୁଇଜଣ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଅଜିତ ବୋର୍‌ଠାକୁର ଶୁଣାଣି ବେଳେ କହିଛନ୍ତି ଯେ, ଅଭିଯୁକ୍ତ ଓ ପୀଡ଼ିତା ମେଧାବୀ ହୋଇଥିବାରୁ ସେମାନେ ରାଜ୍ୟର ଭବିଷ୍ୟତ ସମ୍ପଦ। ଏଥିସହିତ ଅଭିଯୁକ୍ତ ମର୍ଯ୍ୟାଦାଜନକ ଆଇଆଇଟି-ଗୁଆହାଟୀର ପ୍ରତିଭାସମ୍ପନ୍ନ ଛାତ୍ର ହୋଇଥିବାରୁ ତାଙ୍କୁ ଅଧିକ ଦିନ ଅଟକ ରଖିବାର ଆବଶ୍ୟକତା ନାହିଁ। ତେଣୁ ଏ ସଂକ୍ରାନ୍ତ ମାମଲାର ତଦନ୍ତ ଶେଷ ହେଲା ବୋଲି ବୋର୍‌ଠାକୁର ମତ ଦେଇଛନ୍ତି।
ଏଭଳି ଅସ୍ବାଭାବିକ ରାୟ ବିଚାରପତି ବୋର୍‌ଠାକୁରଙ୍କ ନିଜ ଚରିତ୍ର ଓ ଆଭିମୁଖ୍ୟକୁ ପଦାରେ ପକାଇଛି। ଗୁଆହାଟୀ ଆଇଆଇଟିର ଅଭିଯୁକ୍ତ ଛାତ୍ର ଯେତେ ମେଧାବୀ ହେଲେ ମଧ୍ୟ ସେ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିଥିବା ବିଷୟକୁ ବୋର୍‌ଠାକୁର ହେୟଜ୍ଞାନ କରିଦେଲେ। ଏହାଦ୍ୱାରା ସେ ପକ୍ଷପାତିତା ଅବଲମ୍ବନ କରିବା ସହ ମହିଳା ବିରୋଧୀ ରାୟ ଦେଇଛନ୍ତି। ଏ ସଂକ୍ରାନ୍ତରେ ଯେଉଁ ଖବର ପଦାକୁ ଆସିଛି ସେଥିରେ ପୀଡ଼ିତା ଛାତ୍ରୀଙ୍କ ପ୍ରତିକ୍ରିୟା ନ ଥିବାରୁ ଘଟଣାକୁ ରଫାଦଫା କରାଯିବା ନେଇ ଚେଷ୍ଟା ହୋଇଥାଇପାରେ ବୋଲି ମନେହେଉଛି। ଏହି ମାମଲାରେ ନ୍ୟାୟପାଳିକା ସମ୍ପୂର୍ଣ୍ଣ ଅନ୍ୟାୟ ବାଟ ଧରିବା କାହାରିକୁ ଆଶ୍ଚର୍ଯ୍ୟ କରୁ ନ ଥିବ। ଭାରତବର୍ଷରେ ବିଚାର ବ୍ୟବସ୍ଥା କେଉଁଭଳି ଚାଲିଛି ତାହାର ଅନେକ ଦୃଷ୍ଟାନ୍ତ ଦେଶବାସୀ ପାଇସାରିଛନ୍ତି। ଅନେକ ଶିଳ୍ପପତି ରାୟ କିଣିବା ହେଉ ବା ଖୁବ୍‌ ସ୍ବଳ୍ପ ସମୟରେ ବଡ଼ବଡ଼ିଆ ନିଜ ସପକ୍ଷରେ ମତ ରଖିବା ଲାଗି ବିଚାରପତିଙ୍କ ଉପରେ ଚାପ ପ୍ରୟୋଗ ହେଉ, ଏଭଳି ଖବର ଗଣମାଧ୍ୟମରେ ନିୟମିତ ପ୍ରକାଶ ପାଇଥାଏ। ଯେଉଁ ବିଚାରପତି ଅବାନ୍ତର ଓ ଅବାସ୍ତବ ରାୟ ଦେଇ ନ୍ୟାୟବ୍ୟବସ୍ଥାରେ ହଟଚମଟ ସୃଷ୍ଟି କରିଥାଆନ୍ତି, ସେମାନଙ୍କ ମତକୁ ଭଲ ଭାବେ ସମୀକ୍ଷା କରିବାର ସମୟ ଆସିଲାଣି। ଚଳିତ ମାସ ପ୍ରଥମାର୍ଦ୍ଧରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଖଣ୍ଡପୀଠ ଏକ ମାମଲାର ବିଚାରକରି ରାୟରେ କହିଥିଲେ ଯେ, ଭାରତୀୟ କୁମାରୀମାନେ ବିବାହ ପ୍ରତିଶ୍ରୁତି ନ ପାଇବା ଯାଏ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚାହିଁ ନ ଥାଆନ୍ତି। କୌଣସି ପ୍ରମାଣ ସଂଗ୍ରହ ନ କରି ଏହିଭଳି ସାର୍ବଜନୀନ ରାୟ ଦେବାକୁ ବିଚାରପତିମାନେ କିଭଳି ଚିନ୍ତା କରିଥାଆନ୍ତି ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ।
ବିଚାରପତିମାନେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶପଥ ନେଇଥାଆନ୍ତି ନାଗରିକଙ୍କୁ ନିରପେକ୍ଷ ରାୟ ପ୍ରଦାନ କରିବେ। ଅଧିକାଂଶଙ୍କଠାରୁ ଏହା ମିଳିବା କଷ୍ଟକର ହୋଇପଡ଼ିଲାଣି। ବଳାତ୍କାର ଭଳି ସଙ୍ଗିନ ଅପରାଧକୁ ହାଲୁକା ଭାବେ ନେବା ଆଦୌ କ୍ଷମଣୀୟ ନୁହେଁ। ଏହା ନା ଯେ କେବଳ ପୀଡ଼ିତାଙ୍କ ପ୍ରତି ଘୋର ଅନ୍ୟାୟ ତାହା ନୁହେଁ, ଏପରି ରାୟ ସମାଜକୁ ଏକ ଭୁଲ ବାର୍ତ୍ତା ଦେବ। ବିଚକ୍ଷଣ ବୁଦ୍ଧି ଓ ଉଚ୍ଚଶିକ୍ଷା ଥିଲେ ଯେ ଜଣେ ଭଲ ମଣିଷ ବିବେଚିତ ହେବେ ଭାବିବା ବାଚାଳାମି। ବରଂ ଆଇଆଇଟି ଭଳି ପ୍ରତିଷ୍ଠାନରେ ଶିକ୍ଷାଲାଭ କରୁଥିବା ଅଭିଯୁକ୍ତ ଛାତ୍ର ଅପରାଧ ଓ ଦଣ୍ଡବିଧାନ ବିଷୟରେ ଭଲ ଭାବେ ଜାଣିଥିବେ। ସେଭଳି ଶିକ୍ଷିତ ମେଧାବୀଙ୍କୁ ସବୁଠାରୁ କଠୋର ଦଣ୍ଡ ଦିଆଗଲେ ସମାଜକୁ ବାର୍ତ୍ତା ମିଳିପାରନ୍ତା ଯେ, କେହି ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି। ଦୁଃଖର ବିଷୟ ଭାରତରେ ଅନେକ ଘଟଣାରେ ଆଇନକୁ ତାଚ୍ଛଲ୍ୟ କରି ଅପରାଧୀ ସହଜରେ ଖସି ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri