ମାନସିକତାରେ ପରାଧୀନ

ଭାରତ ଆଜି ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି। ଏହି ସ୍ବତନ୍ତ୍ରତାକୁ ସ୍ମରଣୀୟ କରି ରଖିବା ଲାଗି ବର୍ଷେବ୍ୟାପୀ ଦେଶସାରା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାକୁ ସମ୍ମାନ ଦେଇ ତିନି ରଙ୍ଗର ଜାତୀୟ ପତାକାକୁ ଅନେକ ଲୋକ ତାଙ୍କ ଘରେ ଉଡ଼ାଇବାର ଦେଖାଯାଉଛି। ଏଭଳି ଦେଶପ୍ରେମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ତେବେ ଘର ଘର ବୁଲି କିଏ ପତାକା ଉଡ଼ାଇଲେ ଓ କିଏ ନ ଉଡ଼ାଇଲେ ବୋଲି ହିସାବ ରଖାଯିବାର ଯେଉଁ ଧମକ ଦିଆଯାଉଛି, ସେହି ଧମକ ସାମାଜିକ ପରିବର୍ତ୍ତନ ପାଇଁ ଦିଆଯାଇ ପାରିଲେ ଏହି ଭୂଖଣ୍ଡର ଉନ୍ନତି ଘଟିପାରନ୍ତା। ନିକଟରେ ରାଜସ୍ଥାନରେ ଘଟିଥିବା ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଉ। ଗତ ଜୁଲାଇ ୨୦ ତାରିଖରେ ରାଜସ୍ଥାନ ଜାଲୋର ଜିଲା ସୁରାନା ଗ୍ରାମରେ ଥିବା ସରସ୍ବତୀ ବିଦ୍ୟାମନ୍ଦିରରେ ପଢ଼ୁଥିବା ତୃତୀୟ ଶ୍ରେଣୀର ୯ ବର୍ଷର ଦଳିତ ଛାତ୍ର ଇନ୍ଦର ମେଘଓ୍ବାଲ ତାଙ୍କ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ମାଟିପାତ୍ରରୁ ପାଣି ପିଇ ଦେବାରୁ ତାଙ୍କୁ ପ୍ରବଳ ମାଡ଼ ଖାଇବାକୁ ପଡ଼ିଥିଲା। ‘ଉଚ୍ଚ ଜାତି’ର ଶିକ୍ଷକ ଚୈଲ ସିଂ ପିଲାଟିକୁ ଏଭଳି ବାଡ଼େଇଲେ ଯେ ସେ ଅସୁସ୍ଥ ହୋଇ ସ୍ଥାନୀୟ ହସ୍‌ପିଟାଲ ଓ ପରେ ଉଦୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର ହେଲେ। ସ୍ବାସ୍ଥ୍ୟାବସ୍ଥା ଅତି ଗମ୍ଭୀର ହେବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଲାଗି ଅହମଦାବାଦ ନିଆଯାଇଥିଲା। ହେଲେ ୧୩ ଅଗଷ୍ଟରେ ତାଙ୍କର ମୃତ୍ୟୁ ଘଟିଲା। ଇତିମଧ୍ୟରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ଦୋଷ ନ ଥାଇ ସରସ୍ବତୀ ବିଦ୍ୟାମନ୍ଦିରର ନିରୀହ ଛାତ୍ରର ପାଣି ପିଇବାର ପ୍ରଚେଷ୍ଟା ଯୋଗୁ ଯେଭଳି ଜୀବନ ଗଲା ତାହା ଭାରତର ପ୍ରତ୍ୟେକ ନାଗରିକଙ୍କ ବିବେକକୁ ଦଂଶନ କରିବା କଥା। କିନ୍ତୁ ଆମେ ଏଭଳି ଏକ ନୃଶଂସ ଜାତିରେ ପାଲଟି ଗଲୁଣି ଯେ, ଏପରି ଘଟଣାକୁ ଅତି ଶୀଘ୍ର ଭୁଲିଯିବାର ସବୁ ଚେଷ୍ଟା କରିବୁ। ଗୋଟିଏପଟେ ପତାକା ଉଡ଼ାଇ କ୍ଷମତା ରାଜନୀତି କରିବାର ଇଚ୍ଛା ପ୍ରବଳତର ହେଉଥିବା ବେଳେ ଅନ୍ୟପଟେ ଭାରତର ସମାଜ ଖଣ୍ଡବିଖଣ୍ଡିତ ହେବାରେ ଲାଗିଛି।
ସ୍ବାଧୀନତାର ଅର୍ଥ ଆଜି ପର୍ଯ୍ୟନ୍ତ ଭାରତୀୟମାନେ ବୁଝିବାକୁ ଅକ୍ଷମ। ଅନେକ ଶହ ବର୍ଷରୁ ଚାଲିଆସୁଥିବା ଜାତିଆଣ ବିବାଦ, ଅସ୍ପୃଶ୍ୟତା ଓ ଅସହିଷ୍ଣୁତା ଆଜି ମଧ୍ୟ ସଜାଗ ଓ ଶକ୍ତିଶାଳୀ ଅଛି। ସେହି ମନୋଭାବକୁ ଆଜିର ଶାସକମାନେ ପରୋକ୍ଷ ଭାବେ ଉତ୍ସାହିତ କରୁଥିବା ବିଷୟ ସ୍ପଷ୍ଟ ଜଣାପଡ଼େ। କ୍ଷମତା ରାଜନୀତି ପାଇଁ ହିନ୍ଦୁ-ମୁସଲମାନ ବିଭେଦ ଯେତିକି ସହାୟକ ହେଉଛି, ତାହାଠାରୁ ଅଧିକ ଉଚ୍ଚନୀଚ ଜାତିର ପ୍ରଭେଦ ବଢ଼ାଇଲେ ନିର୍ବାଚନରେ ସଫଳତା ମିଳୁଛି। ଗୋଟିଏ ଦେଶ କେବଳ ଏକ ରାଜନୈତିକ କିମ୍ବା ସେନା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ ସୀମିତ ରହିବା କଥା ନୁହେଁ। ରାଷ୍ଟ୍ରର ଚରିତ୍ର ଗଢ଼ାଯାଏ ସେଠାକାର ଲୋକଙ୍କୁ ନେଇକରି। ଯେତେବେଳେ ଗୋଟିଏ ଦେଶର ନାଗରିକ ସୁଖ, ସମୃଦ୍ଧି ଓ ଭୟବିହୀନ ପରିବେଶରେ ବଞ୍ଚିଥାଏ, ସେତେବେଳେ ବାସ୍ତବ ସ୍ବାଧୀନତା ମିଳିଛି ବୋଲି କୁହାଯାଇପାରେ। ପତାକା ଉଡ଼ାଇ ଦେଶ ପ୍ରତି ପ୍ରେମ ବାଧ୍ୟବାଧକତାମୂଳକ କରାଇବା କେବେହେଲେ ସମ୍ଭବପର ହୁଏ ନାହିଁ। ଦେଖିବାକୁ ଗଲେ ଅତ୍ୟଧିକ ମାତ୍ରାର ପାପ କରୁଥିବା ଲୋକ ଯେମିତି ମନ୍ଦିର ବ୍ୟତୀତ ସାଧୁସନ୍ଥଙ୍କ ପାଖକୁ ଧାଇଁ ଥାଆନ୍ତି, ସେହିଭଳି ଅତ୍ୟଧିକ ମାତ୍ରାର ଦୁର୍ନୀତି, ଅତ୍ୟାଚାର ଓ ଅନ୍ୟାୟ ଘଟାଉଥିବା ନାଗରିକ ବିରାଟକାୟ ପତାକା ଉଡ଼ାଇ ନିଜର ଜାତୀୟତାବାଦ ପ୍ରମାଣ କରିବାକୁ ଚେଷ୍ଟା କରିଥାନ୍ତି। ଯେତେବେଳେ କୁହାଯାଉଛି ଯେ ହିନ୍ଦୁ ଧର୍ମାବଲମ୍ବୀଙ୍କ ପ୍ରତି ବିପଦ ଉପୁଜୁଛି ସେତେବେଳେ ସେହି ନିଃଶ୍ୱାସରେ କୁହାଯିବା ଦରକାର ଯେ ହିନ୍ଦୁ ଚିନ୍ତାଧାରାକୁ ବିପଦ ହିନ୍ଦୁ ଧର୍ମାନ୍ଧଙ୍କଠାରୁ ସୃଷ୍ଟି ହେଉଛି। ଏହି ଧର୍ମରେ ଗଭୀର ଚେର ମାଡ଼ିଥିବା ଜାତିଆଣ ବିଭେଦକୁ ଶେଷ କରା ନ ଯିବା ପର୍ଯ୍ୟନ୍ତ ‘ହିନ୍ଦୁ ବିପଦରେ ରହିଛି’। ହିନ୍ଦୀରେ କହୁଛନ୍ତି ‘ହିନ୍ଦୁ ଖତ୍‌ରେ ମେଁ ହୈ’, କାରଣ ଆମ ଆଭ୍ୟନ୍ତରୀଣ ଅସୂୟାଭାବ ଆମକୁ ଶଢ଼ି ପଚେଇ ଦେଲାଣି। ଯେପର୍ଯ୍ୟନ୍ତ ସେହି ମାନସିକତାକୁ ତ୍ୟାଗ କରି ହିନ୍ଦୁମାନେ ଆଗକୁ ଯାଇପାରିବେ ନାହିଁ, ସେ ପର୍ଯ୍ୟନ୍ତ ଏହି ଦେଶର ପିଲାମାନେ ପାଣି ପିଇଲା ବେଳକୁ ମାଡ଼ ଖାଇ ମରିବେ। ଏଥିସହିତ ଦଳିତ ଯୁବତୀ ଓ ମହିଳାଙ୍କ ପ୍ରତି ଯେଉଁ ଯୋଜନାବଦ୍ଧ ଅତ୍ୟାଚାର ଓ ଅନ୍ୟାୟ ଘଟାଯାଉଛି କୌଣସି ସ୍ବାଧୀନ ଦେଶର ସଭ୍ୟ ସମାଜ ସହିବା କଥା ନୁହେଁ। ଯେପର୍ଯ୍ୟନ୍ତ ଏହି ଦେଶର ଗୋଟିଏ ବି ନାଗରିକ ଅବିଚାର ଏବଂ ଅସହିଷ୍ଣୁତା ଯୋଗୁ ଅନ୍ୟାୟର ଶିକାର ହେବ, ସେ ପର୍ଯ୍ୟନ୍ତ ଏହି ଦେଶ ଏକ ବିକୃତ ମାନସିକତାରେ ପରାଧୀନ ହୋଇ ରହିଛି ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri