ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା

 

ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ ଗଛବୃଚ୍ଛକୁ ମୂଳପୋଛ କରିଦେଉଛି। ଗାଁଗଣ୍ଡାର ମୁଣ୍ଡରେ ଥିବା ସାଂସ୍କୃତିକ କେନ୍ଦ୍ର, ତୋଟାମାଳ ଆଜି ଖାଁ ଖାଁ ଲାଗୁଛି। ରାସ୍ତାକଡ଼ରେ ଥିବା ଗଛର ଛାଇ ପଥିକ ମୁଣ୍ଡ ଉପରୁ ହଜିଗଲାଣି। ତାପତପ୍ତ ଧରିତ୍ରୀରେ ଅତି ବିକଳରେ ଛାଇ ଟିକିଏ ଖୋଜିଚାଲିଛନ୍ତି ପଶୁପକ୍ଷୀ, ଜୀବଜନ୍ତୁ ଓ ମଣିଷ। ଟାଣଖରାରେ ଥକିପଡ଼ିଲେ ଜୀବମାନେ ଗଛ ଛାଇରେ ବିଶ୍ରାମ ନେଉଥିଲେ ଓ ଟିକିଏ ଆରାମ ପାଉଥିଲେ। ଗଛମୂଳେ ଘାସରେ କିଏ ଗାମୁଛା ପାରି ଶୋଇପଡ଼ୁଥିଲା। ବିଲ ମଝିରେ ଗଛଟିଏ ଥିଲେ ଚଷାପୁଅ ବଳଦ ସହିତ ତା’ ତଳକୁ ଆସି ମୁଣ୍ଡ ଗୁଞ୍ଜୁଥିଲେ। ଚାଲି ଚାଲି ଥକିଗଲେ ବାଟୋଇ ଭାଇ ଗଛମୂଳରେ ଦଣ୍ଡେ ବସି ପଡ଼ୁଥିଲା। ଶୀତଳ ଛାଇରେ ତା’ ଆଖିକୁ ଆପେ ଆପେ ନିଦ ଚାଲିଆସୁଥିଲା। ପ୍ରଥମ ଶତକର ମହାକବି କାଳିଦାସ ଅଭିଜ୍ଞାନଶାକୁନ୍ତଳମ୍‌ ନାଟକରେ ପ୍ରକୃତି ବର୍ଣ୍ଣନାରେ ଲେଖନ୍ତି: ଗ୍ରୀଷ୍ମଋତୁରେ ନଦୀ ଓ ସରୋବରର ଶୀତଳ ଜଳରେ ସ୍ନାନକରି ଲୋକେ ସୁଖ ଅନୁଭବ କରନ୍ତି। ସ୍ଥଳ ପଦ୍ମ ସମ୍ପର୍କରେ ଆସି ପବନ ସୁଗନ୍ଧିତ ହୋଇଉଠେ, ଘନଛାୟାଯୁକ୍ତ ସ୍ଥଳରେ ସହଜରେ ନିଦ ଆସିଯାଇଥାଏ ଓ ଗ୍ରୀଷ୍ମର ସାୟଂକାଳ ରମଣୀୟ ହୋଇଉଠେ: ପ୍ରଚ୍ଛାୟସୁଲଭନିଦ୍ରା ଦିବସାଃ ପରିଣାମରମଣୀୟାଃ (୧/୩.ଖ)।
ଛାୟା ଏକ ପ୍ରାକୃତିକ ଓ ବଡ଼ ସବୁଜ ଆରାମଦାୟକ ଚାନ୍ଦୁଆ। ଏକ ଖୋଲାମେଲା ମୁକ୍ତଜାଗାରେ ଗ୍ରୀଷ୍ମକ୍ଳାନ୍ତ ପ୍ରାଣୀମାନଙ୍କୁ ତତ୍କାଳ ଶୀତଳ ଅନୁଭବ ସହିତ କିଛି ସମୟ ପାଇଁ ସୂର୍ଯ୍ୟଙ୍କ କ୍ଷତିକାରକ(ୟୁ.ଭି.) କିରଣରୁ ବିରତି ଦେଇଥାଏ ଛାୟା। ଚର୍ମକୁ ସୁରକ୍ଷା ମିଳେ। ମନରୁ ଉତ୍ତେଜନା ହ୍ରାସକରେ ଆଉ ଆତ୍ମାକୁ ଶାନ୍ତି ଆଶ୍ୱସ୍ତି ଦିଏ। ଅପୂର୍ବ ସଂଗୀତ ରଚନା କରେ। ବହଳିଆ ଛାଇରେ ଶବ୍ଦ ପ୍ରଦୂଷଣ କମିଥାଏ। ସିଧା ପଡ଼ୁଥିବା ସୂର୍ଯ୍ୟକିରଣର ପ୍ରଚଣ୍ଡତାକୁ ଗ୍ରହଣ କରିନିଏ, ତାପତୋପ କମାଇଦିଏ। ପାଖରେ ଗଛବୃଚ୍ଛ ଥିଲେ ଶୀତତାପ ନିୟନ୍ତ୍ରିତ ହୋଇ ରହେ। ଛାୟା ଘର ବାହାରେ ଗମନାଗମନକୁ ଆନନ୍ଦଦାୟକ କରେ। ଜଙ୍ଗଲ ହେଉଛି ପୃଥିବୀର ଫୁସ୍‌ଫୁସ୍‌, ଯିଏ ଦୂଷିତ ପବନକୁ ଶୁଦ୍ଧ କରେ ଓ ଆମର ଲୋକମାନଙ୍କୁ ସଦ୍ୟଶକ୍ତି ଯୋଗାଇଦିଏ। କଣ୍ବମୁନିଙ୍କ ଆଶ୍ରମରେ ତାପତପ୍ତ ମୃଗମାନେ ଦଳ ଦଳ ହୋଇ ବୃକ୍ଷଛାୟାରେ ବିଶ୍ରାମକରି ନିର୍ଭୟରେ ପାକୁଳି କରୁଥିଲେ : ଛାୟାବଦ୍ଧକଦମ୍ବକଂ ମୃଗକୁଳଂ..(୨/୬)ା କବିଙ୍କ ଏ ବର୍ଣ୍ଣନାଚିତ୍ର ଆଜି ବର୍ଦ୍ଧିଷ୍ଣୁ ପରିବେଶ ପ୍ରଦୂଷଣରେ ବିଚିତ୍ର ଲାଗୁଛି। ଛାୟାପ୍ରଦ ଗଛ ଏକ ଆବଶ୍ୟକତା। ଏହା ବିନା ଜୀବକୁଳ ବଞ୍ଚତ୍ପାରିବ ନାହିଁ। ରିଚାର୍ଡ ମେବେଙ୍କ ଭାଷାରେ,”ଗଛ ବିନା ରହିବା ଯାହା, ଆମେ ଆମ ମୂଳ ବିନା ରହିବା ତାହା।“ ଗଛକୁ ଓପାଡ଼ିଲେ ମଣିଷର ଚେର ଉପୁଡ଼ିଯାଏ। ପ୍ରକୃତି ସହିତ ଆମର ସଂଯୋଗସୂତ୍ର ଗଛ। ମଣିଷ ଛାଇ ପାଇଁ ହାଇଁପାଇଁ। ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରକାଶକୁ ସାମୟିକ ଛେଦନ କରି ଶୀତଳତା ଦେଉଥିବା ଛାୟା ଦୁର୍ଲଭ। ସକାଳୁ ସଞ୍ଜଯାଏ ଅତ୍ୟନ୍ତ ଶୀତଳଛାୟା, ଯାହାର ତଳକୁ ଛାଡ଼ିଯାଏ ନାହିଁ ସେଭଳି ଛାୟାଦ୍ରୁମ ଆଜି ସାତସପନ।
ଆମ ଓଡ଼ିଶା ରାଜ୍ୟର ୪୫ ଭାଗ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଯେଉଁ ଦେଶରେ ବନାଞ୍ଚଳ ଯେତେ ଅଧିକ ସେ ଦେଶ ସେତେ ସୁଖୀ। ଫିନ୍‌ଲାଣ୍ଡରେ ୭୫ ଭାଗ ଜଙ୍ଗଲ ଥିବାରୁ ସେ ଦେଶର ଅଧିବାସୀ ବିଶ୍ୱରେ ସବୁଠୁ ଅଧିକ ସୁଖୀ। ମଣିଷ, ଜୀବଜନ୍ତୁ, ଉଦ୍ଭିଦ ଥିଲେ ପ୍ରକୃତିର ମୁକ୍ତ ସନ୍ତାନ। ମାଟି ଆଉ ଆକାଶରେ ଲେଖୁ ନାହିଁ ବୃକ୍ଷର କବିତା କି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଆଉ ପ୍ରସରୁନାହିଁ ବାୟୁମଣ୍ଡଳରେ।
ଉଷ୍ଣ ଜଳବାୟୁର ଛାୟାପ୍ରଧାନ ବୃକ୍ଷରାଜି ଓ ଲତାକୁଞ୍ଜ ପ୍ରକୃତିର ବରଦାନ। ଦେବସଦନ ଗଛର ସୁନ୍ଦର ଛାୟାରେ ଥାଏ ଜୀବର ଜୀବନ ଓ ପାରିବେଶିକ ସନ୍ତୁଳନ। ଛାୟା ପ୍ରାକୃତିକ ସୁରକ୍ଷାକବଚ। ପ୍ରଚଣ୍ଡ ରୌଦ୍ରତାପକୁ ହ୍ରାସକରି ପରିବେଶକୁ ଶୀତଳ ରଖେ ଓ ଶକ୍ତି ସଂରକ୍ଷଣ କରେ। ଦେବ, ଦାନବ, ଗନ୍ଧର୍ବ, କିନ୍ନର, ପଶୁପକ୍ଷୀ ଓ ମନୁଷ୍ୟ ସମସ୍ତେ ଆନନ୍ଦରେ ଗଛକୁ ଆଶ୍ରୟ କରିଥା’ନ୍ତି। ସୁରଗଣ ପୁଷ୍ପ, ପିତୃପୁରୁଷ ଫଳ ଓ ଛାୟା ଦ୍ୱାରା ମନୁଷ୍ୟ, ପଶୁପକ୍ଷୀମାନେ ପରିତୃପ୍ତ ହୋଇଥା’ନ୍ତି। ସେଦିନ କୋମଳାଙ୍ଗୀ ଶକୁନ୍ତଳା ନରେଶ ଦୁଷ୍ୟନ୍ତଙ୍କ ପାଖକୁ ଯିବା ଅବସରରେ ବାଟରେ ଛାୟାଦ୍ରୁମମାନେ ତାଙ୍କ ଉପରେ ପ୍ରଚଣ୍ଡ ସୂର୍ଯ୍ୟ କିରଣକୁ ପଡ଼ିବାକୁ ନ ଦେଇ ନିୟନ୍ତ୍ରଣ କରୁଥିଲେ: ଛାୟାଦ୍ରୁମୈ-ର୍ନିୟମିତାର୍କ-ମୟୂଖତାପଃ। ଆଜି ସହରର ଟ୍ରାଫିକ୍‌ ଛକରେ ଦ୍ରୁମଛାଇ ସ୍ଥାନରେ ସବୁଜ କୃତ୍ରିମ ଛାମୁଣ୍ଡିିଆ। ବାସ୍ତବରେ ପ୍ରାଣୀମାନେ ତ୍ୟାଗ କରୁଥିବା ଅଙ୍ଗାରକାମ୍ଳକୁ ଗ୍ରହଣକରି ଛାୟାବୃକ୍ଷ ତାପର ପ୍ରଚଣ୍ଡତାକୁ କମ୍‌ କରି ଦେଇଥାଏ। ତେଣୁ ବୃକ୍ଷ ଦେବତା। ଜୀବଜଗତକୁ ବଞ୍ଚାଇବାରେ ବିଫଳ ହେଲେ ପରିଶେଷରେ ବୃକ୍ଷ ଧରାତ୍ୟାଗ କରିଥାଏ।
ନିଜ ସୁଖରେ ଅଭିଳାଷୀ ନ ହୋଇ ଗଛ ଲୋକମାନଙ୍କର ମଙ୍ଗଳ ପାଇଁ ପ୍ରତିଦିନ କଷ୍ଟସହନ କରୁଥାଏ। ଗଛ ମଥାରେ ତୀବ୍ର ଉଷ୍ଣ ଅନୁଭବ କରି ତଳେ ଆଶ୍ରୟ ନେଇଥିବା ଜୀବମାନଙ୍କ ତାପକ୍ଳେଶ ଓ ସନ୍ତାପକୁ ଛାୟା ଦ୍ୱାରା ପ୍ରଶମିତ କରିଥାଏ। ମହାକବି କାଳିଦାସଙ୍କ ଭାଷାରେ: ଅନୁଭବତି ହି ମୂଧର୍‌ନା ପାଦପସ୍ତୀବ୍ରମୁଷ୍ଣଂ, ଶମୟତି ପରିତାପଂ ଛାୟୟା ସଂଶ୍ରିତାନାମ… (୫/୭)। ବଡ଼ ଓ ତୈଳାକ୍ତ ପତ୍ରରେ ଛାଇଦେବାରେ ଓ ଅମ୍ଳଜାନ ଯୋଗାଇବାରେ ଶ୍ରେଷ୍ଠ ବୋଲି ଭାରତ ଜାତୀୟ ବୃକ୍ଷର ନାଁ ବର। ଅଶ୍ୱ ଓ ପିପଲ ବା ବୋଧିବୃକ୍ଷ ଓ ପାଇନ୍‌ ପତ୍ରର ତାପସହନଶକ୍ତି ଅଧିକ। ନାଲି ରଙ୍ଗଭରା କୃଷ୍ଣଚୂଡ଼ା ଓ ପେନ୍ଥା ପେନ୍ଥା ହଳଦିଆ ଫୁଲର କାଶିଆ ପିସ୍ତୁଲାର ଗଛ ଛାଇ ସହିତ ଜନମନ ହରଣ କରେ। ଆସନ୍ତୁ ଗଛଟି ପୋତିବା। ୱାଘାଂରି ମାଥାଇ ଉକ୍ତିଟି ମନକୁ ଛୁଏଁ-”ଗୋଟିଏ ଗଛ ଲଗାଇବା ଅର୍ଥ ଆମେ ଶାନ୍ତି ଓ ଆଶାର ମଞ୍ଜି ପୋତୁ।“ ସତରେ ଫଳପୁଷ୍ପ ଭାରରେ ଗଛଟି ନଇଁପଡ଼େ ମଣିଷକୁ କୋଳେଇ ନେବାକୁ ଆଉ ତା’ ହୃଦୟରେ ଛାଇର ଶୀତଳତା ଭରିଦେବାକୁ। ଗଛ ଆମର ଆଦର୍ଶ, ସ୍ବପ୍ନ, ପ୍ରେରଣା ଓ ବାସ୍ତବତା। ଯେଉଁ ଗଛର ମୂଳ ଦୃଢ଼, ସେ ଝଡ଼କୁ ଦେଖିଲେ ହସେ। ତାସନିରନ୍‌ ହାର୍ନିଡ୍‌ କହନ୍ତି, ”ଗଛର ଚେରରୁ ଚରିତ୍ର ଓ ମୂଲ୍ୟବୋଧ ଓ ପତ୍ରରୁ ପରିବର୍ତ୍ତନ ଶିଖ।“
ମୋ: ୭୦୦୮୪୭୫୪୪୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri