ଭାଇଚାରା ବଜାୟ ରହୁ

ଦେଶର ପ୍ରକୃତ ବିକାଶ କେବଳ ଭିତ୍ତିଭୂମିର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଉପରେ ନିର୍ଭର କରେନାହିଁ। ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତିିପୂର୍ଣ୍ଣ ସହାବସ୍ଥାନ ବିନା ପ୍ରକୃତ ବିକାଶ ସମ୍ଭବ ନୁହେଁ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆମ ଦେଶର ଜନସାଧାରଣ ପରସ୍ପର ସହିତ ସ୍ନେହ, ପ୍ରେମ ଓ ଭାଇଚାରାର ଭାବନାରେ ଯୋଡ଼ିହୋଇ ରହିବା ଅତ୍ୟନ୍ତ ଜରୁରୀ। ନ ହେଲେ ହିଂସା ଓ ଘୃଣାର ବଣିକମାନେ ଲୋକମାନଙ୍କୁ ଭାଗ ଭାଗ କରିବା ପାଇଁ ଯେପରି ଭାବେ ଚେଷ୍ଟା କରୁଛନ୍ତିି, ତା’ର ଶିକାର ହେବାକୁ ବେଶି ସମୟ ଲାଗିବ ନାହିଁ। ମିଛ ଓ ଅର୍ଦ୍ଧସତ୍ୟ ତତ୍ତ୍ୱ, ଭୁଲ୍‌ ତଥ୍ୟ ଆଦି ଧରି ସେମାନେ ପ୍ରତି ମୂହୂର୍ତ୍ତରେ ବିଷର ମଞ୍ଜି ବୁଣିବାରେ ଲାଗିଛନ୍ତିି। ସାମାନ୍ୟ ଅସାବଧାନ ହେଲେ ଧର୍ମ, ଜାତି, ବର୍ଗ ଆଦିକୁ ନେଇ ଖଣ୍ଡ ଖଣ୍ଡ ହେବାକୁ ବେଶି ଡେରି ହେବ ନାହିଁ। ତେଣୁ ପ୍ରତିକାର ସ୍ବରୂପ ଆମ ଦେଶ ଭାରତ ଯୋଡ଼ି ହୋଇରହିବା ଜରୁରୀ। କେବଳ ଦେଶର ଭୂଗୋଳ ନୁହେଁ , ଜନସାଧାରଣଙ୍କ ମନ ବି।
ବିବିଧତା ମଧ୍ୟରେ ଏକତାର ଦେଶ ଭାରତବର୍ଷ। ଅନେକ ବିବିଧତା ସତ୍ତ୍ୱେ ଏକତା ହିଁ ଆମର ବିଶେଷତ୍ୱ। କିନ୍ତୁ ସମ୍ପ୍ରତି କିଛି ବର୍ଷ ହେବ ଦେଖାଯାଉଛି ଯେ, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉଦ୍ଦେଶ୍ୟମୂଳକ ଭାବେ ସାରା ଦେଶରେ ଘୃଣା ଓ ହିଂସାର ବାତାବରଣକୁ ଉସ୍‌କେଇବାରେ ଲାଗିଛନ୍ତି। ସେହି ଗୋଷ୍ଠୀର ଆଇଟି ସେଲ୍‌ ଏହି କାମକୁ ଅତ୍ୟନ୍ତ ନିଷ୍ଠାର ସହ କରି ଲୋକମାନଙ୍କ ମନରେ ଘୃଣାର ମଞ୍ଜି ବୁଣୁଛନ୍ତି । ଏଥିରେ କେଉଁ ଧର୍ମ ବା ବର୍ଗକୁ ଛୋଟ କରି ଦେଖେଇବାର କୁତ୍ସିତ ପ୍ରୟାସ କରାଯାଉଛି କିମ୍ବା ଏକାଧିକ ମିଛ ଭିତ୍ତିହୀନ ମନ୍ତବ୍ୟ ମାଧ୍ୟମରେ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଘୃଣା କରିବା ପାଇଁ ଭରପୂର ମସଲା ଯୋଗାଇ ଦିଆଯାଉଛି। ନିଜ ଧର୍ମକୁ ସମ୍ମାନ ଦେବା ବା ମାନିବାରେ କୌଣସି ଅସ୍ବାଭାବିକତା ନାହିଁ। କିନ୍ତୁ ନିଜ ଧର୍ମକୁ ଭଲପାଇବା ସହିତ ଅନ୍ୟ ଧର୍ମ ଓ ଧର୍ମାବଲମ୍ବୀମାନଙ୍କୁ ଘୃଣା କରିବାରେ ହିଁ ଅସଲ ବିପଦ। ଏପରି ଭାବନା ହିଁ ଜନ୍ମ ଦିଏ ଭୟ, ହିଂସା ଓ ଅଶାନ୍ତିି। କେବଳ ଆଇଟି ସେଲ୍‌ ନୁହେଁ, ସେମାନଙ୍କ ପୁଞ୍ଜିରେ ପ୍ରତିପାଳିତ ଗଣମାଧ୍ୟମ ଗୋଷ୍ଠୀ ମଧ୍ୟ ଆମ ଦେଶର ଭାଇଚାରା ଭାବନାକୁ ପ୍ରତି ମୁହୂର୍ତ୍ତରେ ହତ୍ୟା କରିବାକୁ ଚେଷ୍ଟିତ।
ଆମ ଭିତରୁ ଅନେକଙ୍କର ଅନ୍ୟ ଧର୍ମ ବା ଧର୍ମାବଲମ୍ବୀଙ୍କ ବିଷୟରେ କୌଣସି ବି ପ୍ରତ୍ୟକ୍ଷ ଧାରଣା ତଥା ଅଭିଜ୍ଞତା ନାହିଁ। କିନ୍ତୁ ପରିସ୍ଥିତି ଏପରି ହୋଇଯାଇଛି ଯେ, ପାଟି ଖୋଲିବା ମାତ୍ରେ ଆମେ ଅନ୍ୟ ଧର୍ମର ଲୋକମାନଙ୍କୁ ଗାଳି କରିବାକୁ ପଛାଉ ନାହେଁ। ୫ଶହ ବର୍ଷ ତଳେ କୌଣସି ଧର୍ମାବଲମ୍ବୀ ଗୋଷ୍ଠୀର ରାଜା ମହାରାଜା ଆମ ଭୂଖଣ୍ଡ ଉପରେ ଆକ୍ରମଣ କରିଥିଲେ ବୋଲି ଏବେ ଆମେ ସେହି ଧର୍ମାବଲମ୍ବୀମାନଙ୍କ ରକ୍ତର ପିପାସୁ ହୋଇପଡ଼ିବା କେତେ ଦୂର ସମୀଚୀନ! କଥାରେ କଥାରେ ସେମାନଙ୍କୁ ଗାଳି କରିବା କ’ଣ ଯୁକ୍ତିଯୁକ୍ତ! ଏପରି ଭାବନାରେ ରହିଲେ ମଣିଷ କେବେହେଲେ ଶାନ୍ତିର ସହିତ ବଞ୍ଚିପାରିବ ନାହିଁ। ଆମ ସମସ୍ତଙ୍କର ଗୋଟେ ଅତୀତ ଅଛି। ଅତୀତ ପାଇଁ ବର୍ତ୍ତମାନକୁ ନଷ୍ଟକରିବା କେବେ ବୁଦ୍ଧିମାନ୍‌ର କାମ ନୁହେଁ। ଅତୀତର ପ୍ରତିଶୋଧ ପାଇଁ ଆମେ ଯଦି ବର୍ତ୍ତମାନ ହିଂସାର ରାସ୍ତା ଆପଣେଇବା, ତେବେ ଭବିଷ୍ୟତରେ ଆମର ଦାୟାଦମାନଙ୍କ ଉପରେ ବି କେହି ପୁଣି ଥରେ ଅତୀତର ଦ୍ୱାହିଦେଇ ହିଂସା କରିବ। ପରିଣାମ ହେବ କେବଳ ଘୃଣା, ହିଂସା, ଭୟ ଓ ଅଶାନ୍ତି। ଦୁର୍ଭାଗ୍ୟର ବିଷୟ ଯେ, ସେହି ଗୋଷ୍ଠୀ ନିଜ ରାଜନୈତିକ ଉତ୍‌ଥାନ କେବଳ ଘୃଣା ଓ ହିଂସାର ରାସ୍ତା ଦେଇ ହିଁ ଦେଖନ୍ତି।
ସମ୍ପ୍ରତି ଧର୍ମର ସୁରକ୍ଷା ନାଁରେ ଅନ୍ୟ ଧର୍ମର ଲୋକମାନଙ୍କୁ ଜାଣି ଜାଣି ଟାର୍ଗେଟ୍‌ କରାଯାଉଛି। କିନ୍ତୁ ଅସଲରେ ଏହାଦ୍ୱାରା କାହାରି ବି ସୁରକ୍ଷା ହୋଇପାରିବ ନାହିଁ। କେବଳ ଅସୁରକ୍ଷା ଭାବନା ହିଁ ବଢ଼ିବ। ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନେ କ୍ଷମତାର ଶିଡ଼ିରେ ଉପରକୁ ଉପରକୁ ଚଢ଼ିବେ ଓ ସାଧାରଣ ଲୋକମାନେ ନିଜ ଜୀବନ ଜୀବିକା ଆଦି ପ୍ରସଙ୍ଗକୁ ପଛକରି ଅନ୍ଧ ଭଳି ଧର୍ମ, ସମ୍ପ୍ରଦାୟକୁ ନେଇ ନିଜ ନିଜ ଭିତରେ ଘୃଣା ଓ ଲଢ଼େଇରେ ମସ୍ତ ରହିବେ; ଯାହା କ୍ଷମତାରେ ଚୌକି ସହିତ ସେମାନଙ୍କୁ ଅଠା ଭଳି ଯୋଡ଼ି ହୋଇ ରହିବାରେ ସାହାଯ୍ୟ କରିବ। ସାଧାରଣ ଲୋକମାନଙ୍କର ଅସହାୟତା ବୃଦ୍ଧି ପାଇବ।
ଘୃଣା, ଭୟ ଓ ହିଂସାକୁ ବଢ଼େଇବାର ଧାରା ଏବେ ଏତେ ତଳକୁ ଗଲାଣି ଯେ, ଜାଣି ଜାଣି କିଛି ନିର୍ଦ୍ଦିଷ୍ଟ କଳାକାରଙ୍କ ଫିଲ୍ମକୁ ବଏକଟ୍‌ କରାଯିବାର ଟ୍ରେଣ୍ଡ ଆରମ୍ଭ ହୋଇଛି। ଲୋକମାନଙ୍କୁ ବିଭିନ୍ନ ଉପାୟରେ ବାଧ୍ୟ କରାଯାଉଛି ସେମାନଙ୍କର ଫିଲ୍ମ ନ ଦେଖିବାକୁ। ଯଦି କିଏ ଦେଖୁଛି, ତାକୁ ଦେଶଦ୍ରୋହୀ ନ ହେଲେ ଧର୍ମଦ୍ରୋହୀର ଆଖ୍ୟା ଦିଆଯାଉଛି। ଏତଦ୍‌ବ୍ୟତୀତ ଯେତେବେଳେ କୌଣସି ଜଘନ୍ୟ ଅପରାଧ ଘଟୁଛି, ସେତେବେଳେ ଅପରାଧର ଗୁରୁତ୍ୱ ଅପେକ୍ଷା ପ୍ରଥମେ ଅପରାଧୀର ଧର୍ମକୁ ଦେଖାଯାଉଛି। ଅପରାଧୀର ଧର୍ମ ହିସାବରେ ସେହି ଅପରାଧ ଘଟଣାକୁ ବଢ଼େଇ ଚଢ଼େଇ ପ୍ରଚାର କରାଯାଉଛି ନ ହେଲେ ଦବେଇ ଦିଆଯାଉଛି। ଏକ ସମାନ ପ୍ରକାର ଅପରାଧରେ ଅପରାଧୀର ଧର୍ମକୁ ଦେଖି ଆମ ଗଣମାଧ୍ୟମ ପ୍ରତିକ୍ରିୟାର ତୀବ୍ରତା ନିର୍ଣ୍ଣୟ କରୁଛି। କେବଳ ଫିଲ୍ମ କଳାକାର ନୁହନ୍ତି; ଲେଖକ, କବି ଆଦି ସମସ୍ତଙ୍କୁ ସେମାନଙ୍କ ଧର୍ମ ହିସାବରେ ନ ହେଲେ ରାଜନୈତିକ ବିଚାର ଆଧାରରେ ଟାର୍ଗେଟ୍‌ କରାଯାଉଛି। ବଡ଼ ଖେଳ କରାଯାଉଛି, ସାଧାରଣ ଲୋକମାନଙ୍କୁ ଧର୍ମ, ସମ୍ପ୍ରଦାୟ, ଜାତି ଓ ବର୍ଗ ନାଁରେ ଭାଗ ଭାଗ କରିବାକୁ। ଏହି ଖେଳକୁ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅତନ୍ତ୍ୟ ଚତୁରତାର ସହିତ ଖେଳୁଛି। ଫଳରେ ମିଳିମିଶି ଭାଇଚାରା ଭାବନାରେ ବଞ୍ଚି ଆସୁଥିବା ଲୋକମାନେ ସମ୍ପ୍ରତି ପରସ୍ପରଙ୍କ ଧର୍ମକୁ ନେଇ ନିନ୍ଦା ଅପବାଦ ଦେବାରେ ଲାଗୁଛନ୍ତି। କୌଣସି କାରଣ ନ ଥାଇ ବି ଜଣେ ଅନ୍ୟ ଜଣଙ୍କ ଧର୍ମକୁ ନିଚା ଦେଖାଉଛି। ଏହାଦ୍ୱାରା ଧର୍ମର ସୁରକ୍ଷା ହେଉଛି ନା ଧର୍ମର ଅପବ୍ୟବହାର କରାଯାଉଛି! ଅସଲରେ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଧର୍ମ ନାମରେ ଲୋକମାନଙ୍କୁ ଭାଗ ଭାଗ କରି ନିଜ ପତିଆରା ବଢ଼େଇ ରାଜନୈତିକ ରୁଟି ସେକିବାକୁ ଚାହୁଁଛି। ସେଥିପାଇଁ ଜନସାଧାରଣଙ୍କୁ ହୁସିଆର ହେବାକୁ ହେବ। ସେମାନଙ୍କୁ ଭାଗ ଭାଗ କରିବା ତଥା ଘୃଣା ଓ ହିଂସାର ଖେଳରୁ ଦେଶକୁ ବଞ୍ଚେଇବା ପାଇଁ ଲୋକମାନଙ୍କ ଭିତରେ ସ୍ନେହ, ପ୍ରେମ ଓ ଭାଇଚାରାର ଭାବନାକୁ ବଢ଼େଇବାକୁ ପଡ଼ିବ। ସେମାନେ ପଛେ ଯେତେ ଯେତେ ଭାରତକୁ ଭାଙ୍ଗିବାକୁ ଚାହାନ୍ତୁ ସାଧାରଣ ଲୋକମାନଙ୍କୁ ଭାରତକୁ ଯୋଡ଼ିବାକୁ ପ୍ରୟାସ କରିବାକୁ ପଡ଼ିବ। କାରଣ ଭାରତ ତଥା ଆମ ଦେଶର ଲୋକମାନେ ପରସ୍ପରଙ୍କ ସହିତ ଯୋଡ଼ିହୋଇ ରହିଲେ ହିଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ଏକ ସମୃଦ୍ଧ ଜୀବନ ଦେଇପାରିବ। ଭାରତର ଏକତା ରହିବା ଅର୍ଥ କେବଳ ଚାଇନା କି ପାକିସ୍ତାନ କବଳରୁ ଆମ ଭୂଖଣ୍ଡକୁ ସୁରକ୍ଷା ଦେବା ନୁହେଁ, ସାମ୍ପ୍ରଦାୟିକ ଗୋଷ୍ଠୀ ତଥା ଧର୍ମର ବେପାରୀମାନଙ୍କ କବଳରୁ ଲୋକଙ୍କ ଭାଇଚାରା ଭାବନାକୁ ସୁରକ୍ଷା ଦେବା ହିଁ ଅସଲ ଦେଶର ସୁରକ୍ଷା।

  • ବିଚିତ୍ର ବିଶ୍ୱାଳ
    ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର,
    ମୋ- ୯୪୩୮୪୬୮୪୭୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri