ମାଟ୍ରିକ ପରୀକ୍ଷା ଫଳ: ଏକ ବିଶ୍ଳେଷଣ

ଅଧ୍ୟାପକ ଶରତ କୁମାର ଦାସ

ଓଡ଼ିଶା ରାଜ୍ୟ ସରକାର କରୋନା ସଂକ୍ରମଣର ଭୟାବହତା ଦୃଷ୍ଟିରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ବାତିଲ କରିବା ପରେ ମୂଲ୍ୟାଙ୍କନର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ପୂର୍ବକ ଗତ ୨୫ ତାରିଖରେ ଫଳାଫଳ ପ୍ରକାଶ କରିଛନ୍ତି। ଅନେକ ଆଶା ଆଶଙ୍କା ତଥା କଳ୍ପନାଜଳ୍ପନାର ଅବସାନ ଘଟିଥିଲେ ମଧ୍ୟ ଏହି ଫଳାଫଳକୁ ନେଇ ରାଜ୍ୟର ଅନେକ ମେଧାବୀ ଛାତ୍ରୀଛାତ୍ର ତଥା ସେମାନଙ୍କ ଅଭିଭାବକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି କହିଲେ ଅତ୍ୟୁକ୍ତି ହେବନାହିଁ। କାହାର ‘ପୁଷ ମାସ ତ ଆଉ କାହାର ସର୍ବନାଶ’ ନ୍ୟାୟରେ ଅନେକ ମେଧାବୀ ଛାତ୍ରୀଛାତ୍ର ନିଜନିଜର ଭବିଷ୍ୟତକୁ ନେଇ ଏବେ ବି ସନ୍ଦିହାନ। ଉଚ୍ଚଶିକ୍ଷାକୁ ନେଇ ସେମାନେ ଘୋର ଚିନ୍ତା ଓ ଚାପରେ ରହିବା ଆମ ସମସ୍ତଙ୍କ ପାଇଁ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି। ଅବଶ୍ୟ ରାଜ୍ୟ ସରକାର ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ର ଚାହିଁଲେ ଜୁଲାଇ/ଅଗଷ୍ଟ ମାସ ଶେଷ ସୁଦ୍ଧା ଅଫ୍‌ଲାଇନରେ ପୁନର୍ବାର ପରୀକ୍ଷା ଦେଇ ପାରିବେ ବୋଲି ସ୍ପଷ୍ଟ କରିବା ହୁଏତ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇପାରେ।
ପରିସଂଖ୍ୟାନ ଅନୁଯାୟୀ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ବୋର୍ଡ ଇତିହାସରେ ସର୍ବକାଳୀନ ରେକର୍ଡ । ସର୍ବୋଚ୍ଚ ଉତ୍ତୀର୍ଣ୍ଣ ହାର ୯୭.୮୯ ପ୍ରତିଶତ, ଯାହା କି ଗତ ୨୦୨୦ ବର୍ଷର ଉତ୍ତୀର୍ଣ୍ଣ ହାର ୭୮.୭୬ ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ଗତବର୍ଷ ଏ-୧ ଗ୍ରେଡ୍‌ରେ ସମୁଦାୟ ୧୨୭୯ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚଳିତବର୍ଷ ଏହାର ସଂଖ୍ୟା ପ୍ରାୟ ଦୁଇ ଗୁଣରୁ ଅଧିକ; ଯାହା କି ୨୬୫୬। ସେହିଭଳି ଗତବର୍ଷ ଏ-୨ ଗ୍ରେଡ୍‌ରେ ୮୪୫୮ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ ଚଳିତବର୍ଷ ଏହାର ସଂଖ୍ୟା ୨୨୧୩୧। ଗତବର୍ଷ ବି-୧ ଓ ବି-୨ ଗ୍ରେଡ୍‌ରେ ଯଥାକ୍ରମେ ୧୮୧୮୮ ଓ ୩୧୩୨୮ ଜଣ ଛାତ୍ରୀଛାତ୍ର ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ବହୁଗୁଣିତ ହୋଇ ଯଥାକ୍ରମେ ୫୨୨୯୯ ଓ ୯୪୪୭୫ରେ ପହଞ୍ଚିଛି। ଗତବର୍ଷ ସି, ଡି ଓ ଇ ଗ୍ରେଡ୍‌ରେ ଯଥାକ୍ରମେ ୪୯୧୫୩, ୮୯୫୫୬ ଓ ୨,୨୩,୧୯୫ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଥିବେଳେ ଚଳିତବର୍ଷ ଯଥାକ୍ରମେ ୧୩୭୦୧୪, ୧୫୧୬୩୯ ଓ ୧୦୧୭୯୬ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଚଳିତବର୍ଷ ସମୁଦାୟ ୫,୭୪,୧୨୫ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫,୬୨,୦୧୦ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। କୌଣସି ବିଦ୍ୟାଳୟର ଫଳ ଶୂନ ହୋଇନାହିଁ। ଏପରି କି ୫୯୪୫ ବିଦ୍ୟାଳୟରେ ଫଳ ଶତପ୍ରତିଶତ ହେବା ଆମ ସମସ୍ତଙ୍କ ପାଇଁ ଏକ ଉତ୍ସାହଜନକ ଫଳାଫଳ କୁହାଯାଇପାରେ। ଅନ୍ୟପକ୍ଷରେ ଦେଖିଲେ ଏକ୍ସ-ରେଗୁଲାର ଓ ପତ୍ରବିନିମୟ ଏକ୍ସ-ରେଗୁଲାରରେ ଯଥାକ୍ରମେ ୮୮.୩୩ ଓ ୮୮.୦୮ ପ୍ରତିଶତ ପରୀକ୍ଷାର୍ଥୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାସହିତ ମଧ୍ୟମା( ସଂସ୍କୃତ), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଦ୍ରାସା ବୋର୍ଡରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ରହିଛି। ସବୁ ବର୍ଗର ପରୀକ୍ଷାର୍ଥୀଙ୍କ ଫଳାଫଳ ମିଶିଲେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୬ ଲକ୍ଷ ୧୭ ହଜାର ୮୭୬ ହେବ। ଆହୁରି ପୁଣି ସିବିଏସ୍‌ଇ ଓ ଆଇସିଏସ୍‌ଇ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଏହି ସଂଖ୍ୟା ପ୍ରାୟ ୧୦ ହଜାର ଅଧିକ ହେବାର ସମ୍ଭାବନା ରହିଛି। ଏ ସମସ୍ତଙ୍କ ସଂଖ୍ୟା ମିଶିଲେ ରାଜ୍ୟରେ ଏ ବର୍ଷ ପ୍ରାୟ ୬ ଲକ୍ଷ ୨୮ ହଜାର ଛାତ୍ରୀଛାତ୍ର ଚଳିତବର୍ଷ ନାମଲେଖାରେ ଭାଗନେବେ।
ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଫଳର ଉପରୋକ୍ତ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ନିଶ୍ଚିତ ଭାବେ ଚମତ୍କାର ତଥା ଉତ୍ସାହଜନକ ଫଳାଫଳ କୁହାଯାଇପାରେ। ମାତ୍ର ଏହାର ଚମତ୍କାରିତା ତଥା ବାସ୍ତବତାକୁ ନେଇ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ, ଅଭିଭାବକ, ଛାତ୍ରୀଛାତ୍ର ତଥା ସାଧାରଣ ଜନତାଙ୍କ ମଧ୍ୟରେ ଆଲୋଚନା, ସମାଲୋଚନା ତଥା ତର୍କ ବିତର୍କ ଦାନାବାନ୍ଧିବା ସ୍ବାଭାବିକ ମନେହୁଏ। ପୁନଶ୍ଚ ଏହି ପରୀକ୍ଷା ଫଳକୁ ନେଇ ଅନେକ ବୁଦ୍ଧିଜୀବୀ ‘ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ’ କହି ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିବା ବାସ୍ତବିକ ଦୁଃଖଦାୟକ। ଏ ବର୍ଷ ସରକାରଙ୍କ ନିଷ୍ପତ୍ତି କ୍ରମେ ଯେଉଁ ବିକଳ୍ପ ମାନଦଣ୍ତ ଦ୍ବାରା ମୂଲ୍ୟାଙ୍କନ କରାଗଲା ତାକୁ ନେଇ ସାଧାରଣରେ ଅନେକ ବାଦବିବାଦ ସୃଷ୍ଟିହେବା ଦେଖିବାକୁ ମିଳେ। ସରକାରଙ୍କ ନିଷ୍ପତ୍ତି କ୍ରମେ ନବମ ଶ୍ରେଣୀ ଷାଣ୍ମାସିକ, ବାର୍ଷିକ ଏବଂ ଦଶମ ଶ୍ରେଣୀର ଅଭ୍ୟାସ ପରୀକ୍ଷାଗୁଡ଼ିକର ନମ୍ବରକୁ ମିଶାଇ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ମାଧ୍ୟମରେ ଏଥରର ମାଟ୍ରିକ ଫଳ ପ୍ରକାଶ ପାଇଛି। ଏହି ବ୍ୟବସ୍ଥା ରାଜ୍ୟର ଅନେକ ମେଧାବୀ ଛାତ୍ରୀଛାତ୍ରୀଙ୍କ ପାଇଁ ନୈରାଶ୍ୟଜନକ ବୋଲି କୁହାଯାଉଛି। ଏ ନେଇ ଅନେକ ମେଧାବୀ ଛାତ୍ରୀଛାତ୍ର ମଧ୍ୟ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ, ଅପେକ୍ଷାକୃତ ଦୁର୍ବଳ ତଥା ମଧ୍ୟମ ବର୍ଗର ଛାତ୍ରୀଛାତ୍ରମାନେ ସେମାନଙ୍କ ମେଧା ଓ ଦକ୍ଷତାଠାରୁ ଯଥେଷ୍ଟ ଅଧିକ ନମ୍ବର ପ୍ରାପ୍ତ ହୋଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନେକ ଛାତ୍ରୀଛାତ୍ର ଯେଉଁମାନେ କି ପରୀକ୍ଷା ଦେଇଥିଲେ ଅକୃତକାର୍ଯ୍ୟ ହୋଇଥାନ୍ତେ ସେମାନେ ମଧ୍ୟ ଆଶାତୀତ ସଫଳତା ପ୍ରଦର୍ଶନ କରିବା ପ୍ରକୃତ ମେଧାବୀ ତଥା ପରିଶ୍ରମୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର ନୈରାଶ୍ୟ ସୃଷ୍ଟି କରିଛି।
ଚଳିତବର୍ଷର ମାଟ୍ରିକ ଫଳକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ହେବା ଯଥାର୍ଥ ମଧ୍ୟ। କାରଣ ସରକାରଙ୍କ ନିଷ୍ପତ୍ତି ପରେ ପରେ କିଛି ବିଦ୍ୟାଳୟରେ ଅନିୟମିତତା ହେବାର ଦେଖିବାକୁ ମିଳିଥିଲା। ଏପରି କି କେତେକ ବିଦ୍ୟାଳୟ ଅସାଧୁ ଉପାୟ ଅବଲମ୍ବନ ପୂର୍ବକ ତରବରିଆ ଭାବେ ପିଲାଙ୍କୁ ଡାକି ରୁଦ୍ଧଦ୍ବାର ପରୀକ୍ଷା କରି ନମ୍ବର ଦେବାର ସୁବ୍ୟବସ୍ଥା କରିଦେଲେ। ଏହାକୁ ନେଇ ଅତୀତରେ ଅନେକ ସମାଲୋଚନା ଓ ତର୍କ ବିତର୍କ ସୃଷ୍ଟି ହୋଇଥିଲା, ଯାହା କି ବହୁ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲା। ଏ ସମସ୍ତ ବ୍ୟବସ୍ଥାକୁ ତର୍ଜମା କଲେ କୋଉଠି ନା କୋଉଠି ଚଳିତବର୍ଷ ମାଟ୍ରିକ ଫଳରେ ବଡ଼ଧରଣର ତ୍ରୁଟି ବିଚ୍ୟୁତି ରହିଥିବା ଜଣାଯାଏ। ସ୍ବଚ୍ଛତା, ସାଧୁତା ଓ ନିରପେକ୍ଷତା ପ୍ରସଙ୍ଗ ବିଚାର ସାପେକ୍ଷ।
ମାଟ୍ରିକ ପରୀକ୍ଷା ଫଳାଫଳ ଛାତ୍ରୀଛାତ୍ରଙ୍କ ଦକ୍ଷତାର ମାପକାଠି। ଭବିଷ୍ୟତ ଗଢ଼ିବାର ମୂଳଦୁଆ ଓ ପ୍ରବେଶ ପଥ। ଏହି ଫଳାଫଳ ଉପରେ ହିଁ ଛାତ୍ରୀଛାତ୍ର ସେମାନଙ୍କ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ସୁନାମଧନ୍ୟ ଅନୁଷ୍ଠାନରେ ନାମଲେଖାଇବା ଲାଗି ସୁଯୋଗ ପାଇଥାନ୍ତି। ନିଜର ଦକ୍ଷତା ବୃଦ୍ଧି ସହ ଯୋଗ୍ୟତା ହାସଲ ପୂର୍ବକ ସମାଜର ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ହୋଇ ଦେଶ ମାତୃକାର ସେବାକରିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। କରୋନା ମହାମାରୀ ପ୍ରଭାବରେ ଯେଉଁଭଳି ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ତାହା ନିଶ୍ଚିତ ଚିନ୍ତା ଓ ଉଦ୍‌ବେଗର ବିଷୟ। ଏଥିସହ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ନିର୍ଦ୍ଧାରଣ କରିବାର ମାନଦଣ୍ତ ଯେ ଅନେକ ଛାତ୍ରୀଛାତ୍ରଙ୍କୁ ନିରୁତ୍ସାହିତ କରିଛି ଏକଥା ଆମ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିବ। ପୁନଶ୍ଚ ଏହାର ନକାରାତ୍ମକ ପ୍ରଭାବ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପରୀକ୍ଷା ପ୍ରସ୍ତୁତି ଓ ଫଳାଫଳ ଉପରେ ଯେ ପଡ଼ିବ ନାହିଁ, ଏଭଳି ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇ ନ ପାରେ।
ଏଥର ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳର ଅନ୍ୟ ଏକ ଦିଗ ବିଷୟରେ ଆଲୋଚନା କରାଯାଉ, ଯାହା କି ଅନେକ ଶିକ୍ଷାବିତ୍‌, ଅଭିଭାବକ ଓ ଛାତ୍ରୀଛାତ୍ରଙ୍କର ଚିନ୍ତାର କାରଣ ହୋଇଛି। ଏତେ ସଂଖ୍ୟାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ର ପଢ଼ିବେ କେଉଁଠି? ଉଚ୍ଚ ଶିକ୍ଷା ପାଇଁ ଆମ ରାଜ୍ୟରେ ଥିବା ଭିତ୍ତିଭୂମି ବା ସିଟ୍‌ ପର୍ଯ୍ୟାପ୍ତ ହେବ ତ ? ଏକ ଆକଳନରୁ ଜଣାଯାଏ ଯେ, ରାଜ୍ୟରେ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଓ ସଂସ୍କୃତ କଲେଜର ମୋଟ ସିଟ୍‌ ସଂଖ୍ୟା ମିଶିଲେ ୪ ଲକ୍ଷ ୪୩ ହଜାର ୩୫୪ଟି ଅଛି ।
ସେହିପରି ଡିପ୍ଲୋମା ଓ ଆଇଟିଆଇଗୁଡ଼ିକରେ ସିଟ୍‌ ସଂଖ୍ୟା ମିଶାଇଲେ ଏହା ୧ ଲକ୍ଷ ୫୯ ହଜାର ୭୫୯ ହେବ। ଗତବର୍ଷ ଯୁକ୍ତ ୨ ନାମଲେଖା ସମୟରେ ସେଥିରୁ ୩ ଲକ୍ଷ ୪୩ ହଜାର ୫୫ଟି ସିଟ୍‌ ପୂରଣ ହୋଇଥିଲା। ଫାଙ୍କା ରହିଥିଲା ୧ ଲକ୍ଷ ୨୯୯ଟି ସିଟ୍‌। ଏହି ଅନୁପାତରେ ଗତବର୍ଷ ୪ ଲକ୍ଷ ୨୧ ହଜାର ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଥିଲେ। ସେଥିରୁ ୮୨ ପ୍ରତିଶତ ଛାତ୍ରୀଛାତ୍ର ଯୁକ୍ତ ୨ରେ ନାମଲେଖାଇଥିଲେ। ପ୍ରାୟ ୫୦ ହଜାର ଛାତ୍ରୀଛାତ୍ର ଆଇଟିଆଇ ଓ ଡିପ୍ଲୋମାରେ ନାମଲେଖାଇଥିଲେ।
ମାତ୍ର ଏ ବର୍ଷର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ କଲେଜ ସିଟ୍‌ ପୂରଣ ହେବ ବୋଲି କୁହାଯାଇପାରେ। ସମୁଦାୟ ୪ ଲକ୍ଷ ୪୩ ହଜାର ୩୫୪ଟି ସିଟ୍‌ ପୂରଣ ହୋଇଗଲା ପରେ ବି ୧ ଲକ୍ଷ ୮୦ ହଜାର ଛାତ୍ରୀଛାତ୍ର ବଳକା ରହିଯିବେ। ସେଥିରୁ ଯଦି ୮୦ ହଜାର ଆଇଟିଆଇ କିମ୍ବା ଡିପ୍ଲୋମାରେ ନାମଲେଖାନ୍ତି ତଥାପି ୧ ଲକ୍ଷ ଛାତ୍ରୀଛାତ୍ର ଏ ବର୍ଷ ପାଠପଢ଼ାରୁ ବଞ୍ଚିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ସରକାର ଏ ଦିଗରେ ବିଶେଷ ଯତ୍ନବାନ ହେବା ଉଚିତ। ନମ୍ବର ଆଧାର ବଦଳରେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଯୁକ୍ତ ୨ ନାମଲେଖା ବ୍ୟବସ୍ଥା ଗ୍ରହଣ କଲେ ସମସ୍ତ ଛାତ୍ରୀଛାତ୍ର ଉପଯୁକ୍ତ ନ୍ୟାୟ ପାଇପାରିବେ ବୋଲି ଆଲୋଚନା ଜୋର ଧରିଛି। ତେଣୁ ଛାତ୍ରୀଛାତ୍ରମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏ ଦିଗରେ ସରକାର ଯଥେଷ୍ଟ ବିଚାର ବିମର୍ଷ କରିବା ସହିତ ଯଥାର୍ଥ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରାଯାଏ।
ବଡବିଲ ମହାବିଦ୍ୟାଳୟ, ବଡବିଲ, କେନ୍ଦୁଝର
ମୋ-୮୨୪୯୧୩୭୦୯୧


Enter your email to get our daily news in your inbox.

All Right Reserved By Dharitri.Com

ଅଧୁରା ସ୍ବପ୍ନ

ଦ୍ୱିତୀ ଚନ୍ଦ୍ର ସାହୁ ସ୍ବପ୍ନ କାଳେ କ୍ଷଣ ସ୍ଥାୟୀ ଠିକ୍‌ କଳାହାଣ୍ଡିଆ ମେଘ ପରି । ଆସିବ ରାଝିଯିବ । ନ ହେଲେ ପବନ ସହ...

କାହିଁ ବନ୍ଧୁତା

ଡା. ସୁରେନ୍ଦ୍ର ନାଥ ପତି ବନ୍ଧୁତା ବା ଇଂଲିଶରେ ‘ଫ୍ରେଣ୍ଡ୍‌ଶିପ୍‌’ ଶବ୍ଦଟି ଉଚ୍ଚାରଣ କଲାମାତ୍ରେ, ଚକ୍ଷୁ ସମକ୍ଷରେ ଭାସିଉଠେ ଏକ ହସହସ ମୁଖ ଓ ସେହି...

ଈଶୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ ଈଶୋପନିଷଦର ବିଷୟବସ୍ତୁ ସମନ୍ବୟ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଏହି ଉପନିଷଦର ମୁଖ୍ୟ ଆଲୋଚ୍ୟ ବିଷୟ ହେଉଛି ସଂସାରରେ ଉପଲବ୍ଧ ସମସ୍ତ...

ଓଡ଼ିଆ ସ୍ବାଭିମାନର ପ୍ରତୀକ

ଡ. ପ୍ରଫୁଲ୍ଲ କୁମାର ସାହୁ ବେଳେ ବେଳେ ମହାକାଳକୁ ଚକିତ କରି ଏମିତି ଜଣେ ଜଣେ ଯୋଗଜନ୍ମା ପୁରୁଷ ଜନ୍ମ ନିଅନ୍ତି, ଯିଏ ନିଜର ଅସାଧାରଣ...

ଜୀବନ ଏମିତି ଚାଲିବ

ଆକାର ପଟେଲ ପୂର୍ବରୁ କିଛି ସପ୍ତାହ ପର୍ଯ୍ୟନ୍ତ ଭାରତର ଗଣମାଧ୍ୟମରେ କୋଭିଡ୍‌ ପରିଚାଳନା ଘଟଣା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରିକି ତାହା କିଛିଦିନ ଧରି ବିଶ୍ୱ...

ସାହିତ୍ୟ ଓ ଯୋଗସାଧନା

ମଣୀନ୍ଦ୍ର କୁମାର ମେହେର ସାହିତ୍ୟର ଆଭିମୁଖ୍ୟ କେବଳ ଚିତ୍ତବିନୋଦନ ବୋଲି ଯେଉଁମାନେ ମନେକରନ୍ତି ସେମାନେ ସାହିତ୍ୟ ସହିତ ଯୋଗସାଧନାର ସମ୍ପର୍କ କି ନିବିଡ଼ ତାହା ଉପଲବ୍ଧି...

ଏଇ ଭାରତରେ

ଆଜି ମଧ୍ୟ ଦେଶର ଅନେକ ଲୋକ ଦିନକୁ ଦୁଇବେଳା ପେଟପୂରା ଖାଇବାକୁ ପାଉନାହାନ୍ତି। ଏମାନଙ୍କ ଭୋକ ଦୂର କରିବା ଲାଗି ବି ବହୁ ବ୍ୟକ୍ତି ସେମାନଙ୍କ...

ଟାଣିଆଣି ସମ୍ମାନ

ଗତ ସପ୍ତାହର ଶେଷଦିନକୁ ଦେଶବ୍ୟାପୀ ଏକ ପର୍ବ ଭାବେ ପାଳନ କରାଯିବାର ପ୍ରଚେଷ୍ଟା ହୋଇଥିଲା। ସ୍ବାଧୀନତା ସଂଗ୍ରାମୀ, ଜାତୀୟ କଂଗ୍ରେସର ସଭାପତି ଏବଂ ଇଣ୍ଡିଆନ୍‌ ନ୍ୟାଶନାଲ୍‌...

Advertisement
Archives

Model This Week