ମାଙ୍ଗାଲୋର ନ ଯାଇ ମଙ୍ଗଳ

ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ରହିଛନ୍ତି ବେଜୋସ୍‌। ସେ ଆମାଜନ ବିଜ୍‌ନେସ୍‌ ସହ ମହାକାଶ ଗବେଷଣା କ୍ଷେତ୍ରରେ ପ୍ରଚୁର ନିବେଶ କରିଛନ୍ତି। ବେଜୋସ୍‌ଙ୍କ ବ୍ୟତୀତ ଟେସ୍‌ଲା କମ୍ପାନୀ ଓ ସ୍ପେସ୍‌-ଏକ୍ସର ମାଲିକ ଏଲନ୍‌ ମସ୍କ, ଭର୍ଜିନ ଗାଲାକ୍‌ଟିକର ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‌ସନ, ବିଗେଲୋ ଏରୋସ୍ପେସ୍‌ ମାଲିକ ରବର୍ଟ ବିଗେଲୋ ପ୍ରମୁଖ ଅତି ଧନୀ ବ୍ୟକ୍ତିବିଶେଷ ମଧ୍ୟ ମହାକାଶ ଗବେଷଣାରେ ଅଧିକ ନିବେଶ କରିଛନ୍ତି। ଫେସ୍‌ବୁକ ମାଲିକ ମାର୍କ ଜୁକରବର୍ଗ ମଧ୍ୟ ଷ୍ଟାର୍‌ଶଟ୍‌ ପ୍ରୋଜେକ୍ଟ ଆରମ୍ଭ କରି ଏମାନଙ୍କ ସହ ସାମିଲ ହୋଇଛନ୍ତି। ମନେରଖିବାକୁ ହେବ ଯେ, ଏହି କ୍ଷେତ୍ରରେ ସ୍ପେସ୍‌-ଏକ୍ସ ସର୍ବାଗ୍ରେ ଅଛି। ସର୍ବପ୍ରଥମେ ପ୍ରାଇଭେଟ୍‌ କମ୍ପାନୀ ଭାବରେ ଏଲନ୍‌ ମସ୍କ ମହାକାଶକୁ ଯାନ ପଠାଇଥିଲେ। ଏହି ଗବେଷଣା କ୍ଷେତ୍ର ସହିତ ସମ୍ପୃକ୍ତ ଶିଳ୍ପ ଓ ତତ୍‌ସହିତ ଜଡ଼ିତ ଅର୍ଥନୀତି ବିଦେଶରେ ଗୁରୁତ୍ୱ ବହନ କରୁଛି। ବିଶେଷକରି ଆମେରିକାରେ ଘରୋଇ କମ୍ପାନୀଗୁଡ଼ିକର ଏହି କ୍ଷେତ୍ରରେ ପ୍ରବେଶ ଯୋଗୁ ତାହାର ଭବିଷ୍ୟତ ଅଛି ବୋଲି ଏବେ ଧାରଣା ସୃଷ୍ଟି ହେଉଛି। ମହାକାଶକୁ ଯାତ୍ରାର ଅର୍ଥ କେବଳ ପର୍ଯ୍ୟଟନରେ ସୀମିତ ରହିବ ନାହିଁ ବୋଲି ବୁଝାପଡ଼ିଲାଣି। ବେଜୋସ୍‌ଙ୍କ ଭଳି ବ୍ୟକ୍ତି ଏହି ଯାତ୍ରାରେ ଯିବେ ବୋଲି ଘୋଷଣା କରିବା ପରେ ତାହାର ଗୁରୁତ୍ୱ ବୃଦ୍ଧିପାଇଛି।
ସ୍ବୀକାର କରିବାକୁ ହେବ ଯେ, ମହାକାଶ ଯାତ୍ରା ସବୁବେଳେ ବିପଜ୍ଜନକ। ପୃଥିବୀକୁ ଫେରି ଆସିବାର ନିଶ୍ଚିତତା ନ ଥାଏ। ସେଥିପାଇଁ ବେଜୋସ୍‌ଙ୍କର ନିଷ୍ପତ୍ତି ଅଧିକ ଗୁରୁତ୍ୱ ଧାରଣ କରୁଛି, କାରଣ ଏଥିରୁ ବୁଝାପଡୁଛି ଯେ, ଏହି ଧନୀ ବ୍ୟକ୍ତିବିଶେଷ ନିଜ ଜୀବନକୁ ବାଜି ଲଗାଇବା ପଛରେ କେବଳ ବ୍ୟବସାୟିକ ଲାଭ ରହିଛି। ବେଜୋସ୍‌ ତାଙ୍କ ପ୍ରତିଯୋଗୀ ଭାବେ ସ୍ପେସ୍‌-ଏକ୍ସର ମାଲିକ ଏଲନ୍‌ ମସ୍କଙ୍କୁ ଆଖିଆଗରେ ରଖିଥିବା ଭଳି ମନେହେଉଛି। ଟେସ୍‌ଲା ଇଲେକ୍‌ଟ୍ରିକ୍‌ ଗାଡ଼ିର ନିର୍ମାତା ହେବା ସହିତ ଏଲନ୍‌ଙ୍କର ବ୍ୟବସାୟିକ ବୃଦ୍ଧି ଓ ମହାକାଶ ଗବେଷଣା ତାଙ୍କୁ ଏକ ଅତି ଉଚ୍ଚ ସ୍ଥାନକୁ ନେଇଗଲାଣି। ସମୟ ଥିଲା, ନିକଟ ଅତୀତ, ଯେତେବେଳେ ବେଜୋସ୍‌ଙ୍କୁ ପୃଥିବୀର ସର୍ବାଧିକ ଧନୀ ବ୍ୟକ୍ତି ବିବେଚନା କରାଯାଉଥିଲା। ଆଜି ସେହି ପରିସ୍ଥିତି ବଦଳିଯାଇଛି। ବ୍ୟକ୍ତିଗତ ଧନରେ ଏଲନ୍‌ ପୃଥିବୀର ସବୁଠାରୁ ଆଗକୁ ଚାଲିଗଲେଣି। ବ୍ୟବସାୟରେ ଆଧୁନିକ ପଦକ୍ଷେପ ନେବାର ସତ୍‌ସାହସ ଯୋଗୁ ତାଙ୍କର ଏଭଳି ଉନ୍ନତି ଘଟିପାରିଛି।
ମହାକାଶକୁ ଯିବାର ପ୍ରତିଯୋଗିତା ଏକ ବିପଦ ମଧ୍ୟ ସୃଷ୍ଟି କରିପାରେ। ଆଗୁଆ ରହିବା ଉଦ୍ୟମରେ ସମସ୍ତେ ଯଦି ଲାଗି ପଡ଼ିବେ, ତେବେ ତାହାର ଶିକାର ହେବ ଗବେଷଣା ଏବଂ ପ୍ରାରମ୍ଭିକ ପ୍ରସ୍ତୁତି। ତରବରିଆ ଭାବେ ଏହିଭଳି ବୈଜ୍ଞାନିକ ପରୀକ୍ଷଣ କରାଗଲେ ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦିଆଯାଇ ନ ପାରେ। ଫଳସ୍ବରୂପ, ଭବିଷ୍ୟତରେ ମହାକାଶ ଦୁର୍ଘଟଣା ଘଟିବା ବୃଦ୍ଧି ପାଇବ। ତେବେ ଏଭଳି ପ୍ରତିଯୋଗିତା କାହିଁକି ହେଉଛି? ଉତ୍ତର ଭାବେ କୁହାଯାଇପାରେ ଯେ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହଗୁଡ଼ିକରେ ଅନେକ ଧାତୁ ରହିଛି, ଯାହାକୁ ହାତେଇବା ପାଇଁ ହୁଏତ ଏହି କମ୍ପାନୀମାନେ ବ୍ୟଗ୍ର। ଉଦାହରଣ ସ୍ବରୂପ ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରି ସେଠାରୁ ମୂଲ୍ୟବାନ୍‌ ସମ୍ପଦ ଖନନ କରିବା ଲକ୍ଷ୍ୟ ଥାଇପାରେ। ଏଥିସହିତ ପର୍ଯ୍ୟଟନର ମଧ୍ୟ ଅନେକ ବ୍ୟବସାୟିକ ଗୁରୁତ୍ୱ ରହିଛି। ଭବିଷ୍ୟତ ପିଢ଼ି ଯଦି ଯଥେଷ୍ଟ ଧନୀ ହୋଇପାରିବେ, ତେବେ ମାଙ୍ଗାଲୋର ନ ଯାଇ ମଙ୍ଗଳ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର: ବଢ଼ିଲା ଖର୍ଚ୍ଚ

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ସେଠାକୁ ୧୦,୦୦୦ ଅତିରିକ୍ତ ଯବାନ ପଠାଇବା ଆରମ୍ଭ କରିଛନ୍ତିି। କେନ୍ଦ୍ର ପକ୍ଷରୁ...

ବିଦାୟ ପାହାଡ଼ରାଣୀ

ଡ. ଆଲୋକ ରଞ୍ଜନ ମିଶ୍ର ଇତିହାସ ରଚିବାକୁ ଯାଇ ନିଜେ ଇତିହାସ ପାଲଟିଗଲ। ଭାରତୀୟ ସଂସ୍କୃତିର ପ୍ରତୀକ ଶାଢ଼ି ପରିଧାନ କରି ତୁମେ ଅଷ୍ଟ୍ରେଲିଆର ସର୍ବୋଚ୍ଚ...

ସରପଞ୍ଚଙ୍କୁ ଜିଲାପାଳ କ୍ଷମତା

ଘାସିରାମ ପଣ୍ଡା ସବୁ ସରପଞ୍ଚ ଏବେ ଜଣେ ଜଣେ ଜିଲାପାଳ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୨୨ (ଛ) ଅନୁଯାୟୀ ବିପର୍ଯ୍ୟୟ ବା ଦୁର୍ବିପାକ...

ଏଇ ଭାରତରେ

ଶିଶୁସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ଜଗଦୀପ ଗମ୍ଭୀରଙ୍କ ପ୍ରୟାସ ବେଶ୍‌ ପ୍ରେରଣାଦାୟକ। ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସରୁ ଶିକ୍ଷା ଶେଷ କରି ସେ ଚାକିରି କରିଥିଲେ।...

ବିବାଦୀୟ ବଦଳି

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଅନେକ ଲୋକଙ୍କୁ ପ୍ରଭାବିତ କରିଛି। କିନ୍ତୁ ଏହା ସମ୍ଭବତଃ କର୍ନାଟକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ ।...

ଆଜିର ଅର୍ଥନୀତି/ଏସ୍‌ବିଆଇକୁ ଅନୁସରଣ କର

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ହେଉଛି ଭାରତର ବୃହତ୍ତମ ବାଣିଜି୍ୟକ ବ୍ୟାଙ୍କ, ଯାହାର ଜମାରାଶି ସମଗ୍ର ଭାରତର ମୋଟ ସଞ୍ଚୟ ବ୍ୟାଙ୍କ ଜମାରାଶିର ପ୍ରାୟ ତିନିଚତୁର୍ଥାଂଶ।...

ଏଇ ଭାରତରେ

ଚିଠି ଲେଖି ଭଗବାନଙ୍କ ନିକଟରେ ଗୁହାରି କରୁଛନ୍ତି ଯୁବତୀ। ମଧ୍ୟପ୍ରଦେଶର ମଣ୍ଡସୌରରେ ଥିବା ପଶୁପତିନାଥ ମହାଦେବଙ୍କ ଦାନବାକ୍ସରୁ ମିଳିଛି ଏମିତି କିଛି ପତ୍ର ଯାହାକୁ ପଢିଲେ...

ପଳାଇଲେ, ପଳାଇଲେ

ଦେଶର ୫ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଯେଉଁ ବିଷୟରେ ଅଧିକ ଚର୍ଚ୍ଚା ଆରମ୍ଭ ହେଲାଣି ତାହା ହେଉଛି ଲକ୍‌ଡାଉନ୍‌ ବା...

Advertisement


Archives

Model This Week