ସମୟ ନେଇ ମଣିଷ

ଡ. ସୁବାସ ଚନ୍ଦ୍ର ପାତ୍ର

ସମୟକୁ ନେଇ ମଣିଷର ଚାଲିଚଳଣ, ଗତିବିଧି, ପୋଷାକ ପରିଚ୍ଛଦ, ଖାଦ୍ୟପାନୀୟ, ଅଭାବ ଅସୁବିଧା, ଦୁଃଖସୁଖ ପରିଚାଳିତ ତଥା ନିୟନ୍ତ୍ରିତ ହୁଏ। ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ସମୟ ହିଁ ବଳବାନ ରୂପରେ ପ୍ରତୀୟମାନ ହେଉଥିଲା ବେଳେ ଏକ ସମୟରେ ମଣିଷ ନିଜ ଭଙ୍ଗୀରେ ସମୟସୃଷ୍ଟ ଅଭାବ ଅସୁବିଧା, ଦୁଃଖସୁଖକୁ ପ୍ରତିହତ କରିବା କ୍ରମରେ ସମୟକୁ ବେଶି ଭାରି ହେବାକୁ ଦେଉ ନ ଥିଲା। ବ୍ୟକ୍ତିଗତ ଭାବରେ ତ ସେ ଯାହା କିଛି କରୁଥିଲା କିନ୍ତୁ ତା’ର ସାମାଜିକ ସଂପ୍ରସାରଣ ମାଧ୍ୟମରେ ସେ ଏହି ସୂକ୍ଷ୍ମ ଲଢ଼େଇ ଓ ସୂକ୍ଷ୍ମ ବିଷୟର କିଞ୍ଚିତ ସୂଚନା ମଧ୍ୟ ପ୍ରଦାନ କରୁଥିଲା। ତେବେ ସାମାଜିକ ସଂପ୍ରସାରଣ ପାଇଁ ଦରକାର ଏକ ଆସର। ତାହା ହୋଇପାରେ ଗାଁ ହାଟ ଓ ଗାଁ ମୁଣ୍ଡର ଗୋଟିଏ ଚାହା, ପାନ ଦୋକାନ ବା ଏକ ଯୌଥ ପରିବାରର ସଞ୍ଜଘେରା ବାରଣ୍ଡା। ଏହି ଶେଷ ଆସରଟି ଉପରେ ଆଖି ବୁଲେଇ ଦେବା।
ଏହି ଆସରଟି ମିଶ୍ର ବାତାବରଣରେ ଗଢ଼ା। ବାରଣ୍ଡାରେ ପଡ଼ିଥାଏ ସପ ବା ହେଁସଟିଏ। ମଝିରେ ଥାଏ ଗୋଟିଏ ଡିବିରି ବା ଲଣ୍ଠନ। ସେହି ଲଣ୍ଠନକୁ ଘେରି ପାଠ ପଢୁଥାନ୍ତି ବିଭିନ୍ନ ଶ୍ରେଣୀର ପୁଅପିଲା। ଦ୍ୱିତୀୟ ବୃତ୍ତ ବା ତା’ର ସ୍ପର୍ଶକକୁ ଲାଗି ଏକ କୃଷିଜୀବୀ ପରିବାରର ସଦସ୍ୟମାନେ ଲାଗିଥାନ୍ତି ବିଭିନ୍ନ କାମରେ। ଅର୍ଥାଭାବ। ତେଣୁ ଗୋଟିଏ ଆଲୋକଉତ୍ସରେ କାମ ତୁଲାଇବାକୁ ପଡ଼ିବ। କିଏ ଝୋଟତନ୍ତୁରୁ ସୁତୁଲି ବାହାର କରିବାରେ ବ୍ୟସ୍ତ ତ କିଏ ସୁତୁଲିରୁ ଦଉଡ଼ି, ଆଉ କିଏ ଦଉଡ଼ିରୁ ପଘା ବୋଳିବାରେ ତ, କିଏ ପୁଣି ଜାଲ ବୁଣିବାରେ ନିୟୋଜିତ। ପିଲାମାନଙ୍କର ପାଠପଢ଼ା ଚାଲୁଥାଏ, ବୟସ୍କମାନଙ୍କର କଥାକୁହା ବି। ଆସରଟା ଜମି ଉଠେ ଯେତେବେଳେ ଜଣେ ପୋଖତ ଆସରିଆ ପହଞ୍ଚିଯାନ୍ତି ଏବଂ ତାଙ୍କ ଆଗମନ ସହିତ ଖୋଲିଯାଏ କିଛି ସ୍ମରଣୀୟ ଗ୍ରାମ୍ୟ ଚରିତ୍ରମାନଙ୍କ ଜୀବନକାହାଣୀ। ପିଲାମାନେ ଏହି ପେଡ଼ି ଉନ୍ମୋଚନକୁ ଅପେକ୍ଷା କରିଥାନ୍ତି। କାନ ଥାଏ କାହାଣୀ ପାଖରେ, ଆଖିଥାଏ ବହିରେ। ବେଳେବେଳେ ଧରାପଡ଼ି ପାହାରେ ଖାଇଲେ ବି ପାଠପଢ଼ାର ଛଳନା ଜାରି ରହେ। ଧରା ତ ଏମିତି ପଡ଼ନ୍ତି। ‘ବୈ, ପାଠ ପଢୁଛୁ ନା କଥା ଶୁଣୁଛୁ?’ ‘ପଢୁଛି ।’
‘କ’ଣ ପଢୁଥିଲୁ କହିଲୁ।’ ‘ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା।’ ‘କହିଲୁ ବାବରଙ୍କ ପୁଅ ନାମ କ’ଣ?’ ‘ଆକବର’। ପିଠିରେ ଧୂମକିନା ପଡ଼ିଲା ପାଠ। ‘ସ୍ବର ପଡ଼ିଲା ଭଳି କହିଲୁ ବାବରଙ୍କ ପୁଅ ନାମ ଆକବର। ବହି ଦେଖିଲୁ ?’ ‘ନା, ନା’ ହୁମାୟୁନ।’ ‘ବଦମାସ୍‌।’ ଏ ବି ଏକ ପ୍ରକାର ପାଠପଢ଼ା ! ପାଖରେ ଯାବତୀୟ କାମ ଚାଲିବ, ଗପସପ ଚାଲିବ। ପିଲାଏ ତା’ରି ଭିତରେ ପଢ଼ିଚାଲିବେ। ଏ ବ୍ୟବସ୍ଥା ବୋଧହୁଏ ବିଦ୍ୟାର୍ଥୀଙ୍କ ମନୋନିବେଶ ଶକ୍ତିର ପରୀକ୍ଷା!
ଆସରର ପ୍ରଥମ ଉପସ୍ଥାପିତ ଚରିତ୍ର ରୂପେ ଉଭା ହେଲେ ଭଗବାନ ମହାପାତ୍ର । ବହୁ ପୁରୁଣା ଲୋକ। ଉପସ୍ଥାପନ ବେଳକୁ ସେ ପୃଥିବୀ ଛାଡ଼ିଲେଣି। ଉପସ୍ଥାପକ କହୁଛି- ସେ ଭଗବାନ ଭାଇ ଲୋକଟା କ’ଣ? ସେ ସର୍ଜରିଟାକୁ ପେନ୍‌ସିଲ ଚାଞ୍ଛିବା କାମ ଭାବିଲା କି? ସ୍ତ୍ରୀକୁ କହିଲା ସିନ୍ଦୁକରୁ ଛୁରିଟା ଆଣ। କାରଣ ପଚାରନ୍ତେ କହିଲା, ‘ତୋର କିଛି ବୁଝିବାର ନାହିଁ।’ ଟିକିଏ ଦୂରରେ ପଡ଼ିଥିବା ପଥରରେ ଛୁରିକୁ ବେଶ୍‌ ଶାଣ କଲା। ତା’ପରେ ଡାକ ପକେଇ କହିଲା ଚୂନ ଟିକେ ଆଣିଲୁ। ଘରଣୀ ପହଞ୍ଚି ଦେଖନ୍ତି କି ପାପୁଲିର ଉପରେ ବଢ଼ିଥିବା ଆବୁଟି ମହାଭାରତ ଯୁଦ୍ଧର କାହାରି କଟାମୁଣ୍ଡ ପରି ଟିକେ ଦୂରରେ ପଡ଼ି ଛଟପଟ ହେଉଛି। ବୁଢ଼ା କଟାଦାଗଟାକୁ ଆଙ୍ଗୁଠିରେ ଚାପି ଧରିଛି। ଏବେ ପୁଣି ଚୂନ ପ୍ରୟୋଗ! କାନେଇ ଥିବା ପିଲାଟି ଭାବୁଚି ‘କଟା ଘା’ରେ ଚୂନ? ଏ କେମିତିକା କଥା?’ ନିଜ ଶରୀର ପ୍ରତି ଏହିପରି ବ୍ୟବହାର କରୁଥିବା ମହାପାତ୍ରେ ଏହିପରି ଭାବରେ ଥିଲେ ଜଣେ ଡାକ୍ତର, ଜଣେ ସର୍ଜନ, ଜଣେ କବିରାଜ ମଧ୍ୟ! ଅଭାବଜନିତ କାରଣରୁ ଘରେ ପାନ, ଗୁଆ ନ ଥିଲେ ତାଙ୍କର ବାହାରେ କବିରାଜି। କିଛି କଅଁଳ ଆମ୍ବପତ୍ର, ଆଉ କିଛି କଅଁଳ ଦୂବଘାସ ସଂଗ୍ରହ କରି ଧୋଇ ଧାଇ, ଆମ୍ବପତ୍ରକୁ ପାନ ଆକାରରେ ମୋଡ଼ି ତା’ ଭିତରେ ଏହି କଅଁଳ ଦୂବଘାସ ଆଉ କିଛି ଜୁଆଣି ବା ଧଣିଆ ଭର୍ତ୍ତି କରି ଚୋବାଇ ଦେଇ କହିଥାନ୍ତି, ‘ଆମ୍ବପତ୍ର ଓ ଦୂବଘାସରେ ଥିବା ଔଷଧୀୟ ଗୁଣ ଏ ପାନ, ଗୁଆ ମସଲାରେ କ’ଣ ଅଛି?’ ଦାରିଦ୍ର୍ୟ ମୋଚନର ଇଏ ବି ଏକ କାରସାଦି! ଅବଶ୍ୟ ଏହା ଭିତରେ ଭଗବାନ ମହାପାତ୍ରଙ୍କ ଜାଗା ଗୁଣଧର ସାହୁ ମାଡି଼ ବସିଲେଣି। ପଢୁଥିବା ପିଲାମାନଙ୍କ କାନ ଠିଆ। ଏ ଭଦ୍ରବ୍ୟକ୍ତି ଜଣକ ଯେତିକି ସାହସୀ, ସେତିକି କୁଶଳୀ। ବିପଦ, ବେଳେବେଳେ ନିଶ୍ଚିତ ମୃତ୍ୟୁ ସହିତ ଖେଳି ସେ ଚହଳ ପକାନ୍ତି, ଯାହା ଏ ପ୍ରକାର ଆସରକୁ ଚଳଚଞ୍ଚଳ କରେ ଏବଂ ସାମାଜିକ ଅଭାବ, ଅସୁବିଧା, ପାରିବାରିକ ଦୁଃଖକଷ୍ଟକୁ ସାମୟିକ ଭାବେ ଟାଳିବାରେ ସାହାଯ୍ୟ କରେ। ଶୀତ ସକାଳ। ଧାନ ଅମଳର ସମୟ। କ୍ଷେତରେ ଧାନବିଡ଼ା ଗୋଟି ଗୋଟି ବନ୍ଧା ଚାଲିଛି। ବିଡ଼ା ମୁଣ୍ଡ ବନ୍ଧା ହୋଇ ଓଲଟି ଦେଲା ବେଳକୁ କୁଣ୍ଡଳୀ କରି ଶୋଇଥିବା ନାଗସାପଟି ଦୌଡ଼ି ପଳାଇଲା। ଆଉ ଗୁଣଧରକୁ ରୋକେ କିଏ ? ଦୌଡ଼ିଲା ନାଗ ପଛରେ। ଯେ ଯେତିକି ଡାକିଲେ ବି ଫେରି ଚାହିଁଲା ନାହିଁ। ସାପଟି ଗୋଟିଏ ଗାତରେ ଅଧା ପଶିଯାଉଥିବାବେଳେ ସେ ତା’ର ଲାଙ୍ଗୁଡ଼ ଧରି ପକାଇଲା। ସେ ଜାଣେ ସାପ ଗାତରେ ପଶି ସାରିଲା ପରେ ଦେହ ବୁଲେଇ ଗାତ ମୁହଁ ପାଖକୁ ତା’ ଫଣା ନେଇଆସିବ। ଅଧା ପଶିଥିବା ଅବସ୍ଥାରେ ସେ କାମ ସମ୍ଭବ ନୁହେଁ। ବସିପଡି଼ଲା ତଳେ ଗୁଣଧର। ଗାତ ମୁହଁ ପାଖାପାଖି ଦୁଇ ପାଦରଖି ନିଜର ସମସ୍ତ ଶକ୍ତି ଖଟେଇ ଟାଣିଲା ସାପକୁ। ସାପ ସେତେବେଳେ ତା’ର କାତିକୁ ଠିଆ କରି ମାଟିରେ କଣ୍ଟା ଭଳିଆ ପୋତି ଦେଇଥାଏ। ସାପକୁ ଘୋଷାରି ବାହାର କରିବା କଷ୍ଟ। ଯୁବକ ଗୁଣଧର ନ ଛୋଡ଼ବନ୍ଦା। ଟିକିଏ ଟିିକିଏ କରି ସାପକୁ ଓଟାରି ଆଣୁଥାଏ ସେ ଏବଂ ବହିଷ୍କୃତ ଅଂଶକୁ ନିଜ ହାତରେ ଗୋଡ଼ାଇ ଦେଉଥାଏ। ଶେଷରେ ଗୋଟିଏ ବିଶାଳ ଝଟକାରେ ସାପକୁ ବାହାର କରି ଆଣି ମୁଣ୍ଡ ଉପରେ ଚକ୍ରାକାରରେ ବୁଲାଇ ଦୂରକୁ ଫିଙ୍ଗିଦେଲା। ସାପ ନିସ୍ତେଜ। ଘଟଣାଟି ଅନ୍ୟ ପ୍ରକାର ବି ଘଟି ପାରିଥାନ୍ତା, କିନ୍ତୁ ଗୁଣଧର ସେ କଥା ଭାବିନାହାନ୍ତି। ଯେତେ ସାମୟିକ ହେଲେ ବି ଏ ଦୁଃସାହସିକ କାର୍ଯ୍ୟ ହିଁ ଗୁଣଧରମାନଙ୍କୁ ଅନ୍ୟାନ୍ୟ ଦୁଃଖକଷ୍ଟ ସହିବାକୁ ସାହସ ଯୋଗାଉଥିଲା। ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କ୍ରମରେ, ଗୋପନରେ ସେମାନେ ବେଶ୍‌ ଆହ୍ଲାଦିତ ହେଉଥିଲେ।
ଏବେ କିନ୍ତୁ ଭିନ୍ନ ଚରିତ୍ରର ଆଗମନ। ନୁରୁଦ୍ଦିନ। କିଶୋରଟିଏ। ତା’ର କପାଳ ହିଁ ତା’ର ପରିଚୟ, ତାହା ହିଁ କଥା କହେ। ନଡ଼ିଆ ଫଟେଇବା ପାଇଁ କଟୁରି ଦରକାର ନାହିଁ, ତା’ କପାଳ ହିଁ ଯଥେଷ୍ଟ। ଏହି ଦୃଶ୍ୟ ଦେଖିବା ପାଇଁ ଢେର ଲୋକ ତା’ଘରେ ନଡି଼ଆ ନେଇ ପହଞ୍ଚନ୍ତି, ତା’ର କପାଳର ଦୃଢ଼ତା ପରୀକ୍ଷା କରିବାକୁ। ରୂଢ଼ି ପ୍ରୟୋଗରେ କପାଳ ଫାଟିବା କଥା ସିନା କୁହାଯାଇଛି, ହେଲେ ତା’ କପାଳ ଫାଟେ ନାହଁି। ଅନ୍ୟ କାହାର ଫାଟିପାରେ! ଘରକୁ କେହି ଆଗନ୍ତୁକ ଆସିଲେ ସେ ତା’ ଶୈଳୀରେ ଅଭିବାଦନ ଜଣାଏ। ଅତି ଜରୁରୀ କାମ ନ ଥିଲେ ବା ପରିବାରର ଅତି ଘନିଷ୍ଠ ହୋଇ ନ ଥିଲେ ନୁରୁଦ୍ଦିନର କପାଳର ସ୍ବାଦ ଚାଖିଲାପରେ ଆଗନ୍ତୁକଟି ନିଜ ଘରମୁହାଁ ହୁଏ। ପରିବାର ଲୋକ ଏ ବାବଦରେ ତାକୁ ବେଶି କିଛି ତାଗିଦ କରନ୍ତି ନାହିଁ। କାରଣ ସେ ତା’ କାମକରି ଘରକୁ କିଛି ସେବା ଯୋଗାଉଛି ତ!
ଏକ ପ୍ରତିକୂଳ ସମୟ ସହ ଯୁଝୁଥିଲେ ଏହି ଚରିତ୍ର ବା ସେମାନଙ୍କର ପ୍ରତିନିଧି ଅବା ମନୋଭାବମାନ। ଅଭାବ ହିଁ ଅଭାବ। ରାସ୍ତାଘାଟ, ପାନୀୟଜଳ, ବିଜୁଳି, ସ୍ବାବଲମ୍ବୀ ହେବା ପାଇଁ ରାହା-କିଛି ବି ନାହିଁ। ମାସକୁ ଶହେ ଟଙ୍କା ରୋଜଗାର କରିବା କାଠିକର ପାଠ । ଖାଲି ଦୁଃଖ ଓ ଅସହାୟତା। ଏହି ପ୍ରକାର ଏକ ଦୁଃସମୟରେ ମଣିଷ ନିଜ ଆଖପାଖରେ ବଞ୍ଚିଥିବା କିଛି ଲୋକଙ୍କ କଥା ମିଛସତ ସହ ପରିବେଷଣ କରି ନିଜେ ଆମୋଦିତ ହେବା ସହ ସାମାଜିକ ଆମୋଦ ପ୍ରଦାନ କରୁଥିଲା। ଖାଲି ମାନବିକ ଚରିତ୍ର ନୁହେଁ, ଭୂତ, ପ୍ରେତ, ଡାହାଣୀ ତଥା ଗଛ, ଲତା, ପକ୍ଷୀ, ନଦୀ, ସମୁଦ୍ର ଭିତରେ ସେ କାହାଣୀ ପୂରେଇ ସାଧାରଣକୁ ଅସାଧାରଣ କରି ତୋଳୁଥିଲା। ଏ ଥିଲା ଜୀବନ ଜିଇବାର ଏକ ଫର୍ମୁଲା। ଆଜି ସ୍ଥିତି ବଦଳି ଯାଇଛି। ସେ ଅଭାବ ନାହିଁ, କି ଅସୁବିଧା ନାହିଁ, କି ସେ ଦିନର ସେ ଦୁଃଖକଷ୍ଟ ନାହିଁ। ମଣିଷ ଆଜି ସ୍ବଚ୍ଛଳ ହୋଇ ବି ଦୁର୍ବଳ। ନାହିଁ ସେ ଶାରୀରିକ ସବଳତା, ନାହିଁ ସେ ଦୁର୍ଦ୍ଧର୍ଷଭାବ, ନାହିଁ ସେ ଦୁଃସାହସିକତା, ନାହିଁ ପ୍ରତିକୂଳତା ବା ଛାଇ ମୃତ୍ୟୁ ସହ ଲଢ଼ିବାର ପ୍ରବଣତା। ଆଧୁନିକ ଜୀବନରେ ସମୃଦ୍ଧି ଅଛି, ରଙ୍ଗ ଅଛି କିନ୍ତୁ ନାହିଁ ବୈଚିତ୍ର୍ୟ, ନାହିଁ ପ୍ରାଣପ୍ରାଚୁର୍ଯ୍ୟ। ଡାକ୍ତରୀ ଅର୍ଥରେ ହେଉ ଅବା ଅନ୍ୟ ଅର୍ଥରେ, ଅଧିକାଂଶ ଆଧୁନିକ ମଣିଷ ଜଣେ ଜଣେ ରୋଗୀ। ଆମ ପୂର୍ବପୁରୁଷମାନେ ବାହ୍ୟଜୀବନର ଦୁଃଖକଷ୍ଟକୁ ସହିବା ଅବା ତାକୁ ଅବାନ୍ତର କରିବାର କଳା ଶିଖିଲା ପରି ଆମ ମନଜଗତରେ ଭିଡ଼ ଜମାଇଥିବା ଯାବତୀୟ ଅଶାନ୍ତିକୁ ପ୍ରଶମିତ କରିବା ପାଇଁ ନିଜ ମାର୍ଗ ନିଜକୁ ଉନ୍ମୋଚନ କରିବାକୁ ପଡ଼ିବ। ଅବଶ୍ୟ ଆମ ପୂର୍ବପିଢ଼଼ିର ମଣିଷମାନଙ୍କ କଥା ନିରୋଳାରେ ବସି ଭାବିଲେ, ବିଶେଷତଃ ସେମାନଙ୍କ ଦୁର୍ଦ୍ଧର୍ଷତା, ଦୁଃସାହସିକତା, ପ୍ରାଣପାଚୁର୍ଯ୍ୟ କଥା ମନେପଡ଼ିଲେ ନିଜକୁ ଜଣେ ନାବାଳକ ଭଳି ମନେହୁଏ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର
ମୋ. :୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri