ଭୋପାଳ,୧୩।୧୧: ରସଗୋଲା କହି ଜଣେ ବ୍ୟକ୍ତିଙ୍କୁ ଦେଶୀ ବୋମା ଖୁଆଇଦେବା ଅଭିଯୋଗ । ମୁହଁରେ ପକାଇ କାମୁଡ଼ିବା ମାତ୍ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ହିଁ ଜୀବନ ହରାଇଛନ୍ତି ଜଣେ ବ୍ୟକ୍ତି । ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲାର ପଡ଼ାରିଆ ଗାଁରେ ନଭେମ୍ବର ୧୦ ତାରିଖ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି ।
ମୃତକଙ୍କ ନାମ ରାଜେନ୍ଦ୍ର ବାରୋଟିଆ। ସେ ନିଜ ଘରେ ବସିଥିବା ବେଳେ ଅଭିଯୁକ୍ତ ରାମ ଭଗତ ବାରୋଟିଆ ସେଠାରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ସମୟରେ ରାମ ଭଗତ ଏକ ଦେଶୀ ବୋମାକୁ ରସଗୋଲା ବୋଲି କହି ରାଜେନ୍ଦ୍ରଙ୍କୁ ଦେଇଥିବା ଅଭିଯୋଗ ହୋଇଛି । ରାଜେନ୍ଦ୍ର ଏହାକୁ ରସଗୋଲା ଭାବି ପାଟିରେ ପକାଇ କାମୁଡ଼ିବା ମାତ୍ରେ ବୋମାଟି ବିସ୍ଫୋରଣ ହୋଇଥିଲା।
ରାଜେନ୍ଦ୍ରଙ୍କ ପତ୍ନୀ ସୁଶୀଳା ବାଇଙ୍କ କହିବା ଅନୁସାରେ, ଏହା ପଶୁ ଶିକାର ପାଇଁ ବ୍ୟବହୃତ ଏକ ବୋମା ଥିଲା। ବିସ୍ଫୋରଣ ଶବ୍ଦ ଶୁଣିବା ପରେ ସେ ପଡ଼ୋଶୀଙ୍କ ସହାୟତା ଲୋଡ଼ିଥିଲେ ଏବଂ ଏକ ଅଟୋରିକ୍ସାରେ ରାଜେନ୍ଦ୍ରଙ୍କୁ ହସ୍ପିଟାଲ ନେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ କୋତୱାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ଦୁର୍ଗା ପ୍ରସାଦ ନାଗପୁରେଙ୍କ ସୂଚନା ଅନୁସାରେ, ରାମ ଭଗତଙ୍କ ସହ ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଘଟଣା ସମୟରେ ଅନ୍ଧାର ଥିବାରୁ ରାଜେନ୍ଦ୍ରଙ୍କୁ ତାଙ୍କୁ ଦିଆଯାଇଥିବା ଜିନିଷଟି ବୋମା ନା ରସଗୋଲା, ତାହା ସ୍ପଷ୍ଟ ଜଣାପଡ଼ିନଥିଲା। ସେ ଏହାକୁ କାମୁଡ଼ିବା ମାତ୍ରେ ବିସ୍ଫୋରଣ ହୋଇଥିଲା। ପଚରାଉଚରା ବେଳେ ରାମ ଭଗତ ଜଣେ ନାବାଳକ ତାଙ୍କୁ ବୋମା ଦେଇଥିବା କହିଥିବା ପୋଲିସ ସୂଚନା ଦେଇଛି । ସମ୍ପୃକ୍ତ ନାବାଳକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି । ବ୍ୟକ୍ତିଗତ ଶତ୍ରୁତା ସମେତ ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

