ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ପୋକ୍ସୋ (POCSO) କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜମିସ୍ତ୍ରୀ କାମ କରୁଥିବା ଜଗଦୀଶ ବେହେରା (୨୬)। କୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଅଭିଯୁକ୍ତ ଜଗଦୀଶ ସମ୍ପୃକ୍ତ ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ନାବାଳିକା ଜଣଙ୍କ ଭୟରେ ପାଟି କରିବାରୁ ଅଭିଯୁକ୍ତ ଜଣକ ସେଠାରୁ ଦୌଡ଼ି ପଳାଇଥିଲେ। ଏହାପରେ ନାବାଳିକା ଜଣଙ୍କ ନିଜ ପରିବାର ଲୋକଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଥାନା ଆଇଆଇସି କିଶୋର କୁମାର ସାମଲ ମାମଲା ନଂ. ୩୮୨/୨୬ ଏବଂ ପୋକ୍ସୋ ଆକ୍ଟର ଧାରା ୧୨ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।
ମାମଲାର ତଦନ୍ତକାରୀ ଅଫିସର ଏସ୍.ଆଇ. ସୋଫିଆ ମିଶ୍ର ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତକୁ କୌଶଳକ୍ରମେ ଗିରଫ କରିଥିଲେ। ବ୍ରହ୍ମପୁର ଡାକ୍ତରଖାନାରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ନାବାଳିକାଙ୍କ ସହ ଅଭିଯୁକ୍ତ ଜଗଦୀଶଙ୍କର ପୂର୍ବରୁ ସମ୍ପର୍କ ଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅନ୍ୟତ୍ର ବିବାହ କରିଥିଲେ ମଧ୍ୟ ମନ୍ଦ ଉଦ୍ଦେଶ୍ୟ ରଖି ନାବାଳିକାଙ୍କୁ ପିଛା କରୁଥିଲେ। ଏପରିକି ତାଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ଅଯଥା ଫୋନ୍ କଲ୍ କରି ନିର୍ଯାତନା ଦେଉଥିଲେ। ଶେଷରେ ମଙ୍ଗଳବାର ସେ ନାବାଳିକାଙ୍କୁ ପିଛା କରି ଅସଦାଚରଣ କରିଥିବା ଏତଲାରେ ଉଲ୍ଲେଖ ରହିଛି।

