Posted inଫୁରସତ

ମକରା କାକେରା ସଂଘ

ମୋ ବିଚାରରେ ଯେଉଁମାନଙ୍କ ଘଟ (ଶରୀର)ରେ ଧର୍ମ ଭାରି ଓଜନରେ ଭରି କରିଥାଏ ସେଇମାନେ ‘ଧର୍ମଘଟ’ କରନ୍ତି । ଆଉ ଏଇ ଧର୍ମଘଟିଆଙ୍କ ମନକଥା ବୁଝିବାକୁ ଧର୍ମଛଡ଼ା ନୁହଁ, ଧର୍ମଧାରୀମାନେ ଚେଷ୍ଟା କରନ୍ତି । ତାଙ୍କର ସବୁ ଇଚ୍ଛାପୂରଣ କରାନ୍ତି। ମତେ ଲାଗୁଥିଲା ଅଳ୍ପଦିନ ଭିତରେ ପିଏମ୍‌ଜି ଛକରେ ଭୁବନେଶ୍ୱରଠାରେ ଗୋଟେ ବିରାଟ ଧର୍ମଘଟିଆଙ୍କ ଧାରଣା ଦିଆଯିବ। ଦାବି ପୂରଣ ନ ହେଲେ ବିରାଟ ଆନ୍ଦୋଳନର ରୂପ ନବ । ହୁଏତ ଶାସନର ମୂଳଦୁଆ ଭୁଶୁଡ଼ିଯିବ, ହୁଗୁଳିଯିବା ଯାଏ କଥା ଯିବ।

ସେଦିନ ମୁଁ ଗାଁକୁ ଯାଇଥାଏ । ସଞ୍ଜବୁଡ଼କୁ ଦୋଳବେଦି ଚଉରାଉପରେ ବସି ବୁଢ଼ାମାନେ ଯୋଉ ଆଲୋଚନା କରୁଥିଲେ ତାହା ଶୁଣି ଆମ୍ଭର ଏମନ୍ତ ସନ୍ଦେହ ଜାତ ହେଲା । ମଉସାଙ୍କ ପେଟ ପରି ମନ ବି ସଫା । ପିଲାବେଳେ ପତଳା ଝାଡ଼ା ଢେରଦିନ ହେବାରୁ ମକରାରୁ ହଗୁରା ନାଁରେ ପରିଚିତି ତାଙ୍କର । ନିଜଠୁ ପର ହିତ ଚିନ୍ତା ବେଶି । ତେଣୁ ଟାୟାର୍ଡ ନ ହେଇ ବି ରିଟାୟାର୍ଡ ହେଇ ସହରରୁ ଗାଁକୁ ବୁଲି ଆସି ଅଟକି ଯାଇଥିବା ଚେଣ୍ଡୁଳ ଜେଜେଙ୍କ ପାଖରେ ଗାଁ ବୁଢ଼ାମାନଙ୍କ ଜବର ଭିଡ଼ । ଏଇ ଅବସରରେ ହଗୁରା ମଉସା ବନାମ ମକରା ମଉସା ଚେଣ୍ଡୁଳ ଜେଜେଙ୍କୁ ମନକଥା ଓ ଉଦ୍ଦେଶ୍ୟ କହି ଉପାୟ କରିବାକୁ କହିଲେ । ତାଙ୍କ କହିବା କଥା ହେଲା ତେମେ ଆପଣେ ସର୍କାରୀ ସେକ୍ରେଟାରୀ ଥିଲେ। ମୁଣ୍ଡରେ ବହୁତ ଜ୍ଞାନ । ତେବେ କହନ୍ତୁ ସର୍କାର ଜନମରୁ ଜୁଇଯାଏ ସବୁ ଯୋଜନା କଲେ । ଗର୍ଭବତୀ ମା’ଙ୍କୁ ଅଣ୍ଡା, ଛତୁଆ ଖୁଆଇ ପିଲା ଜନମେଇ ଟିକାଦାନ ଭଳି ମହତ୍‌ କାମ କରି ମା’ ଛୁଆଙ୍କ ପାଇଁ ସୁବିଧା କଲେ । ଛାତ୍ରଙ୍କ ପାଇଁ ମାଗଣା ବହି, ମାଗଣା ଶିକ୍ଷା, ପୋଷାକ, ଖାଦ୍ୟ, ସାଇକେଲ, ଲାପଟପ୍‌ ଯାଏ ଦେଲେ । ଶ୍ରମିକଙ୍କୁ ଛତା ଜୋତା ଦେଲେ । ଏମିତି କି ବୁଢ଼ୀମାନଙ୍କୁ ଆଣି କାର୍ତ୍ତିକ ଧର୍ମମାସରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଠୁଳ କରି ମାଗଣା ରହିବା, ଅବଢ଼ା ଖୁଆଇବା, ସେବାଦି କରି ଧର୍ମଅର୍ଜନ କଲେ ା ମଲାପରେ ଜୁଇକୁ ନେଇ ଶବଦାହ କଲେ । ହେଲେ ଆମ ବୁଢ଼ାମାନଙ୍କ ପାଇଁ କ’ଣ କଲେ ? କେଇଜଣ ସିନା ବାର୍ଦ୍ଧକ୍ୟ ଭତ୍ତା କେତୁଟା ଟଙ୍କା ପାଉଛନ୍ତି, ହେଲେ ବୁଢ଼ାକୁ ଗାଁରେ ଛାଡ଼ି ସହରରେ ରହୁଥିବା ପୁଅ ବୋହୂଙ୍କ ବିନା ସେମାନେ ବି ରନ୍ଧାବଢ଼ା ସେବାରୁ ଫୁଲ ବଞ୍ଚିତ ା ଆମେ ବୁଢ଼ାମାନେ କ’ଣ ନିଆଁରେ ସୁସୁ କରିଛୁ ଯେ ଏମିତି କଲବଲ ହବୁ ? ହେଇ ଦେଖୁନ ତେନ୍ତୁଳିଆ ଭାଇ, ପୁଅ ବୋହୂ ଠୁ ମାଡ଼ଗାଳି ହତାଦର ପାଇ ସିଏ ଗାଁରେ କି କଲବଲ । ଶୁକୁଟାକୁ ତା’ ପୁଅ ବୋହୂ ଭାରି ଭଲ ପା’ନ୍ତି ବୋଲି ତାଙ୍କୁ ନେଇ ବାଙ୍ଗାଲୋରରେ ରଖିଥିଲେ । କିନ୍ତୁ ସେମାନେ ୧୨ଘଣ୍ଟା ଡିଉଟିକି ଗଲାପରେ ବୁଢ଼ାଟା ଏକା କେତେ ଘରେ ରହିବ । ନ ରହି ପାରି ଆସି ଗାଁରେ । ଆମ୍ଭେ ବୁଢ଼ାମାନେ ହଇରାଣ ହରକତ ହେଲେ ବି ଜନମକଲା ପୁଅର ସମ୍ମାନ ହାନି ହବ ବୋଲି ଜରା ନିବାସରେ ସମସ୍ତେ ରହି ପାରୁନୁ । ତେଣୁ କ’ଣ କଲେ ଆମ ସମସ୍ୟା ସମାଧାନ ହବ ଉପାୟ କର । ତାଙ୍କ କଥାକୁ ସମର୍ଥନ ଜଣାଇ ଧଡ଼ିଆ କକା, ଅଇଁଠା ଭାଇନା, କାକରା ନନା, ଗନ୍ଧିଆ ପିଇସା, ଚକୁଳିଆ ଦାଦି ବି ଦାବି ଜଣେଇଲେ ।
କହିଲେ ଚେଣ୍ଡୁଳ ବାବୁ କିଛି ଗୋଟେ କର ! ନଇଲେ ଆମେ ସବୁ ଜିଇ ଥାଉଁ ଥାଉଁ ମରିଯିବୁ ।

ମକରା ମଉସାଙ୍କର କଥାକୁ ଗମ୍ଭୀର ଭାବରେ ଚିନ୍ତାକରି ଚେଣ୍ଡୁଳ ଜେଜେ କହିଲେ, ହଁ ସତ କଥା । ସରକାର କାର୍ତ୍ତିକ ମାସରେ ବୁଢ଼ୀମାନଙ୍କ ପାଇଁ ଶ୍ରୀକ୍ଷେତ୍ରରେ ହବିଷ କରି ମହୋଦଧି ସ୍ନାନ, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନାଦି ସେବା ଦେଇ କାହିଁକି ମାସକର ଧର୍ମ ଅର୍ଜନ କରୁଛନ୍ତି ! ବରଂ ଏମିତି କରିବା ଜୀବନ ଥିବା ଯାଏ ସରକାର ସବୁବେଳେ ଧର୍ମ ଅର୍ଜୁଥା’ନ୍ତୁ । କାକରା ନନା ଉଠି କହିଲେ ଶୁଣ । ମୁଁ ଦେଖୁଛି ଅନେକ ଅଭକ୍ତ ଆସି ପୁରୀରେ ରହୁଥିବା କୋଠାର ନଁା ବି ‘ଭକ୍ତନିବାସ’ ଦିଆଯାଇଛି। କୋଉଠି ଧର୍ମଶାଳାକୁ ଭାଙ୍ଗି ବିକ୍ରିବଟା ବି ହୋଇଯାଉଛି । ସ୍ବର୍ଗଦ୍ୱାର ଜମିକି ମାଡ଼ିବସି କେତେ କେତେ ଲଜିଂ, ହୋଟେଲ କରି ବେପାର ଜୋରଦାର ଚାଲିଛି । ତେବେ ଆମ ପାଇଁ କ’ଣ ବ୍ୟବସ୍ଥା କରାଯାଉ ।

ଚଟାପଟ ଚେଣ୍ଡୁଳ ଜେଜେଙ୍କ ମୁଣ୍ଡରେ ଚେତା ପଶିଲା । କହିଲେ ମିଳିଗଲା । ଉପାୟ ମିଳିଗଲା। ଆମେ ଗୋଟେ ବରିଷ୍ଠ ନାଗରିକ ସଂଘ ରାଜ୍ୟସ୍ତରୀୟ ଭାବରେ ଗଢ଼ି ଧର୍ମଘଟ କରି ସର୍କାରଙ୍କୁ ଦାବି ଜଣେଇବା । ହଗୁରାଙ୍କ ପ୍ରସ୍ତାବ କାକେରାଙ୍କ ପରାମର୍ଶ ଯୋଗୁଁ ଯୋଉ ପ୍ରବଳ ବୁଦ୍ଧି ଜୁଟିଲା, ସେଇ ବରିଷ୍ଠ ନାଗରିକ ସଂଘର ନାମ ହଗୁରାଙ୍କ ଅର୍ଜିନାଲ ନାଁ ‘ମକରା କାକେରା ବରିଷ୍ଠ ନାଗରିକ ସଂଘ’ ଦିଆଯାଉ । ଖବରକାଗଜରେ ପ୍ରକାଶିତ କରି ବ୍ୟକ୍ତିଗତ ସମ୍ପର୍କ ଯୋଡ଼ି ସଭ୍ୟ ସଂଖ୍ୟା ବୃଦ୍ଧି କରାଯାଇ ବୃଦ୍ଧଙ୍କ ଦାବି ଧର୍ମଘଟକୁ ଜୋରଦାର କରାଯିବ । ଆଉ ସ୍ବର୍ଗଦ୍ୱାରର ସର୍କାରୀ ଜମିର ଜବରଦଖଲ ହୋଟେଲ, ଲଜିଂକୁ ଉଚ୍ଛେଦ କି ଭଙ୍ଗା ନ ଯାଉ । ସ୍ବର୍ଗଦ୍ୱାର ଚାରିକଡ଼େ ମାଡ଼ି ବସିଥିବା ସବୁ କୋଠା, ଲଜିଂ, ହୋଟେଲର ସବୁ ଘର ଆମ ବୁଢ଼ାବୁଢ଼ୀଙ୍କ ନାମରେ ରିଜର୍ଭ ହେଉ । ଓଡ଼ିଶାର ସବୁ ବୁଢ଼ାବୁଢ଼ୀ ବିଭିନ୍ନ କାରଣରୁ ଘରେ ରହି ହରକତ ନ ହେବାପାଇଁ ସମସ୍ତଙ୍କୁ ଆଣି ଶ୍ରୀକ୍ଷେତ୍ରରେ ସ୍ବର୍ଗଦ୍ୱାର ସନ୍ନିକଟରେ ସମସ୍ତ କୋଠାର ତଳ ମହଲାରେ ରଖାଇ ତାଙ୍କର ଖାଇବା, ପିଇବା, ସ୍ବାସ୍ଥ୍ୟସେବାଦି ସହିତ ମଠ, ମନ୍ଦିର ଦର୍ଶନାଦି ଏମିତିକି ଶେଷରେ ଶବଦାହର ସୁବନ୍ଦୋବସ୍ତ କରି ସର୍କାର ସବୁଦିନିଆ ଧର୍ମ ଅର୍ଜନ କରନ୍ତୁ ା ଆମ୍ଭେ ସବୁ ବୁଢ଼ା ଧର୍ମଘଟିଆ ପ୍ରତିଶ୍ରୁତି ଦେଇ ଆମ୍ଭ ଧର୍ମବଳରେ ସର୍କାର ସବୁଦିନ ଶାସନଗାଦିରେ ରହିପାରିବେ; ଯଦ୍ଦ୍ବାରା ଆମ୍ଭର ପୁତ୍ରକନ୍ୟାଦି ଆଉ ଗାଡ଼ିଭଡ଼ା କରି ମଡ଼ା ଆଣି ହଇରାଣ ହେଇ ସ୍ବର୍ଗଦ୍ୱାରରେ ପୋଡ଼ାପୋଡ଼ି କରିବେନି ା ଦ୍ୱିତୀୟରେ କରୋନା କବଳରେ କେବଳ ଶ୍ରୀକ୍ଷେତ୍ରବାସୀଙ୍କ ଛଡ଼ା ଅନ୍ୟ ଜିଲାର ମଡ଼ା ପୋଡ଼ାଯିବାର ପ୍ରତିବନ୍ଧକ ରହିବ, ଆମ୍ଭେ ସମସ୍ତ ବୃଦ୍ଧ ଶ୍ରୀକ୍ଷେତ୍ରବାସୀ ଭାବରେ ସବୁ ସୁବିଧା ପାଇବାରୁ ବଞ୍ଚିତ ହେବାନି ା

ସ୍ବର୍ଗର ଦେବତା ମରତକୁ ଓହ୍ଲାନ୍ତି, ଆଉ ମର୍ତ୍ତ୍ୟର ମାନବ ସ୍ବର୍ଗକୁ ଚଢ଼ନ୍ତି, ସେଇ ଜାଗାର ନାମ ପବିତ୍ର ‘ସ୍ବର୍ଗଦ୍ୱାର’ ା“ ଯାହା କି ଶ୍ରୀକ୍ଷେତ୍ର ମହୋଦଧି କୂଳରେ ଆମ୍ଭର ଶେଷଜୀବନ ସୁଖରେ ବିତିବା ସହ ଶାନ୍ତିରେ ହରିଶ୍ଚନ୍ଦ୍ର ଯୋଜନାରେ ଶବଦାହ ବି ହବ । ଆମ୍ଭର ସ୍ବର୍ଗଯାତ୍ରା ଇଚ୍ଛା ପୂରଣ ହେବ ।
ମନକୁ କଥାଟା ପାଇଲା । ଏଥର ସମସ୍ତେ ନିଖିଳ ଉତ୍କଳ ମକରା କାକେରା ବରିଷ୍ଠ ନାଗରିକ ସଂଘର ଜୟ… ନାରା ଦେଇ ସଭା ସାଙ୍ଗ କଲେ।

ଶ୍ରୀମାନ୍‌ ସର୍ବଗିଳା
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ,
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri