ଦିଗପହଣ୍ଡି, ୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ତିଳେଶ୍ୱର ଗ୍ରାମର ପ୍ରମୁଖ ଗ୍ରାମ୍ୟ କମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମାନନ୍ଦ (ପ୍ରେମା) ବିଷୋୟୀଙ୍କୁ ହାଣି ହତ୍ୟା ଉଦ୍ୟମ କରିବା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଦିଗାପାଳୋ (ଦିଗା) ସ୍ୱାଇଁ (୨୪)ଙ୍କୁ ଗିରଫ କରିଛି ପୋଲିସ। ମୋବାଇଲ ଫୋନ୍ ଟ୍ରାକିଂ ଆଧାରରେ ବୁଧବାର ସନ୍ଧ୍ୟାରେ ଦିଗପହଣ୍ଡି ସହର ଉପକଣ୍ଠରୁ ଆଇଆଇସି କିଶୋର କୁମାର ସାମଲ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ଗୋଟିଏ ଖଣ୍ଡା, ଲୁହା ପଞ୍ଝା ଜବତ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ-ଜେଲ୍କୁ ପଠାଇ ଦିଆଯାଇଛି (ମାମଲା ନଂ. ୩୭୬/୨୬ BNS)।
ପୋଲିସ ସୂଚନା ମୁତାବକ, ପ୍ରାୟ ୨ ମାସ ପୂର୍ବେ ଗାଁରେ ଅସାମାଜିକ କାର୍ଯ୍ୟକଳାପକୁ ନେଇ ପ୍ରେମା, ଦିଗାଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ। ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲେ ବି ଦିଗା ଏହାର ପ୍ରତିଶୋଧ ନେବାକୁ ପୁରୀ ଯାଇ ଆକ୍ରମଣର ନୀଳନକ୍ସା ପ୍ରସ୍ତୁତ କରିଥିଲେ।
ଗତ ୩ ତାରିଖ ରାତି ପ୍ରାୟ ୧୦ଟାରେ ପ୍ରେମା ନିକଟସ୍ଥ ନୂଆ ବଳଧିଆ ଗ୍ରାମ ଛକରେ ଥିବା ଏକ କୁକୁଡ଼ା ଫାର୍ମରେ ଥିବାବେଳେ, ଦିଗା ଓ ତାଙ୍କ ସହଯୋଗୀମାନେ ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରିଥିଲେ। ପ୍ରେମା ଜମି ଆଡ଼କୁ ଦୌଡ଼ି ପଳାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ବାରମ୍ବାର ଚୋଟ ପକାଇଥିଲେ, ଯାହାଫଳରେ ତାଙ୍କ ଡାହାଣ ହାତଟି ସମ୍ପୂର୍ଣ୍ଣ କଟି ଓହଳି ପଡ଼ିଥିଲା। ସେ ଚେତାଶୂନ୍ୟ ହୋଇପଡ଼ିବାରୁ ଅଭିଯୁକ୍ତମାନେ ତାଙ୍କୁ ମୃତ ଭାବି ଫେରାର ହୋଇଯାଇଥିଲେ।
ପ୍ରେମାଙ୍କ ସାଙ୍ଗ ସିଲୁ ଓ ଫାର୍ମ ମାଲିକ ଜଗନ୍ନାଥ ପଣ୍ଡାଙ୍କ ସହାୟତାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ଗୁରୁତର ଅବସ୍ଥା ଯୋଗୁଁ ପରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବିବେକ ଏମ.ଙ୍କ ନିର୍ଦ୍ଦେଶ ଓ ଚିକିଟି SDPO ବିଶ୍ୱାମିତ୍ର ହରପାଲଙ୍କ ତତ୍ତ୍ୱାବଧାନରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଥିଲେ।
ପୋଲିସ ପୂର୍ବରୁ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ୪ ଜଣ ସହଯୋଗୀ— ସ୍ୱାଧୀନ ବିଷୋୟୀ, ଶଙ୍କର ସ୍ୱାଇଁ, ଲିଙ୍କୁନ ପଣ୍ଡା ଓ ଚନ୍ଦନ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ସେମାନଙ୍କ ନିକଟରୁ ୨ଟି ବାଇକ୍, ୩ଟି ମୋବାଇଲ୍ ଓ ରକ୍ତଭିଜା ଖଣ୍ଡା ଜବତ କରାଯାଇଛି।

