Posted inଜାତୀୟ

ମଧ୍ୟରାତ୍ରିରେ ମହାନାଟକ

ମୁମ୍ବାଇ,୩୦ା୬: ହିନ୍ଦୁ ହୃଦୟ ସମ୍ରାଟ ସ୍ବର୍ଗତ ବାଲାସାହେବ ଠାକ୍‌ରେଙ୍କ ଲିଗାସି ଏବଂ ସବୁଠୁ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ୧୧ ଦିନ ଧରି ଚାଲିଥିବା ଟଣାଓଟରା ବୁଧବାର ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆସ୍ଥାଭୋଟର ସମ୍ମୁଖୀନ ହୋଇ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବା ପରେ ଶିବସେନା ମୁଖ୍ୟ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏଥିସହ ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କ ସମର୍ଥନରେ ଭାଜପା ପୁଣି ଥରେ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସଙ୍କ ପାଇଁ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପଥ ପରିଷ୍କାର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡ୍‌ନବିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ସିନ୍ଧେ ତାଙ୍କ ମନ୍ତ୍ରିମଣ୍ଡଳରେ ନମ୍ବର ଦୁଇ ପାହ୍ୟା ପାଇବେ ବୋଲି କୁହାଯାଉଛି। ଅର୍ଥାତ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ହେବେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଅନେକଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ମନ୍ତ୍ରୀପଦ ମିଳିପାରେ। ସମ୍ଭବତଃ ଏହି ଲୋଭରେ ସିନ୍ଧେ ଭାଜପା ସହ ଭିତିରି ସମ୍ପର୍କ ରଖି ଶିବସେନାରେ ବିଦ୍ରୋହ ଘଟାଇଥିବା ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କଠାରୁ କ୍ଷମତା ଛଡ଼ାଇ ରାଜ୍ୟରେ ଭାଜପା ସରକାରକୁ ପୁନଃ ପ୍ରତିଷ୍ଠିତ କରାଇବା ପାଇଁ ଚାଲିଥିବା ଉଦ୍ୟମ ଏହି କିଛି ଦିନ ହେଲା ଖୋଲାଖୋଲି ଦେଖିବାକୁ ମିଳିଛି। କିନ୍ତୁ ଏହି ନାଟକର ପଟକଥା ଅନେକ ମାସ ତଳୁ ଦିଲ୍ଲୀରେ ଲେଖାଯାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ପୁନର୍ବାର କ୍ଷମତାସୀନ ହେବା ପାଇଁ ରାଜ୍ୟଗୁଡ଼ିକରେ ଯେଉଁ ସାଙ୍ଗଠନିକ ଶକ୍ତିର ଆବଶ୍ୟକତା ଥିଲା ସେଥି ସକାଶେ ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ପ୍ରତିବନ୍ଧକ ସାଜିପାରେ ବୋଲି ଗୈରିକ ଦଳର ଶୀର୍ଷ ନେତୃତ୍ୱଙ୍କ ଆଶଙ୍କା ଦୃଢ଼ୀଭୂତ ହୋଇଥିଲା। କାରଣ ଭାରତର ରାଜନୈତିକ କ୍ଷମତା କେନ୍ଦ୍ର ନୂଆଦିଲ୍ଲୀ ହୋଇଥିଲେ ହେଁ ଆର୍ଥତ୍କ ରାଜଧାନୀ ହେଉଛି ମୁମ୍ବାଇ। ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ହେଁ ସରକାରରେ ଏକୁଟିଆ କୌଣସି ବଡ଼ ନିଷ୍ପତ୍ତି ନେଉ ନ ଥିଲେ। ପ୍ରକୃତ କ୍ଷମତା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି), ଶିବସେନା ଓ କଂଗ୍ରେସକୁ ନେଇ ୩୦ ମାସ ତଳେ ଗଠିତ ଏମ୍‌ଭିଏର ସ୍ଥପତି ତଥା ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ବୋଲାଉଥିବା ଶରଦ ପାଓ୍ବାରଙ୍କ ହାତରେ ଥିଲା। ଏନ୍‌ସିପି ମୁଖ୍ୟ ପାଓ୍ବାର ନିଜ ପାଓ୍ବାର ଉପଯୋଗ କରି ସରକାରୀ ସ୍ତରରେ ନୀତି ଓ ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିଲେ ବୋଲି କୁହାଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବଡ଼ ପଦପଦବୀରେ ଏକାଧିକ ଥର ରହି ଆସିଥିବା ଏହି ଅଭିଜ୍ଞ ରାଜନେତା ଆଗାମୀ ଦିନରେ କେନ୍ଦ୍ରରେ କ୍ଷମତା ଦଖଲବେଳେ ଭାଜପାକୁ ଚେକ୍‌ ଦେଇପାରନ୍ତି ବୋଲି ଅନେକେ ମନେ କରୁଥିଲେ। ତେଣୁ ‘ମୂଳୁ ମାଇଲେ ଯିବ ସରି’ ରୀତିରେ ସରକାର ଭାଙ୍ଗିବା ପାଇଁ କେନ୍ଦ୍ରରେ ଅନେକ କସରତ କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଉଛି।

କ୍ଷମତା ନୁହେଁ, ଲୋକଙ୍କ ଆଶୀର୍ବାଦ ବଡ଼

ମୁଁ ଅପ୍ରତ୍ୟାଶିତ ଭାବେ କ୍ଷମତାକୁ ଆସିଥିଲି। ଆଜି ସମାନ ଢଙ୍ଗରେ କ୍ଷମତାରୁ ଓହରି ଯାଉଛି। କିନ୍ତୁ ସବୁଦିନ ପାଇଁ ନୁହେଁ। ପୁଣି ଫେରିବି। ଶିବସେନା ଭବନରେ ପୁନର୍ବାର ବସିବି। ମୋ ଲୋକଙ୍କୁ ଠୁଳ କରିବି ବୋଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି ଉଦ୍ଧବ ଠାକ୍‌ରେ। ଉଦ୍ଧବଙ୍କ ମତରେ କ୍ଷମତା ସବୁକିଛି ନୁହେଁ, ଲୋକଙ୍କ ଆଶୀର୍ବାଦ ହିଁ ଗଣତନ୍ତ୍ରରେ ବଡ଼ ଶକ୍ତି, ଯାହା କି ତାଙ୍କ ସହ ରହିଛି। ରାଜ୍ୟପାଳ ଭଗତସିଂ କୋଶିୟାରୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ ପରେ ଶିବସେନା ମୁଖ୍ୟ ଗଣମାଧ୍ୟମକୁ କହିଥିଲେ, ବାଲାସାହେବ ଠାକ୍‌ରେଙ୍କ ଇଚ୍ଛା ଥିଲା ଔରଙ୍ଗାବାଦକୁ ସମ୍ଭାଜୀନଗର ଏବଂ ଓସ୍‌ମାନାବାଦକୁ ଧରାଶିବରେ ପରିବର୍ତ୍ତିତ କରିବା। ଏହି ଦୁଇ ସହରର ନୂତନ ନାମକରଣ କରି ମୁଁ ସନ୍ତୁଷ୍ଟ। ଏହି ନିଷ୍ପତ୍ତି ନେବା ବେଳେ ସହଯୋଗୀ ଏନ୍‌ସିପି ଏବଂ କଂଗ୍ରେସ ଆଦୌ ବିରୋଧ କରିନାହାନ୍ତି। ଅଢ଼େଇ ବର୍ଷ କାଳ ସମର୍ଥନ ଦେଇଥିବାରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ନିକଟରେ କୃତଜ୍ଞ। ମହାରାଷ୍ଟ୍ରବାସୀଙ୍କ ଭାବାବେଗକୁ ମୁଁ ସମ୍ମାନ ଜଣାଉଛି। ଦୁଃଖର କଥା ହେଉଛି କେନ୍ଦ୍ରର ଅବାଞ୍ଛିତ ହସ୍ତକ୍ଷେପ। ମୁମ୍ବାଇରେ କେନ୍ଦ୍ରୀୟ ବଳ ଯବାନମାନଙ୍କୁ ମୁତୟନ କରାଯାଇଛି। ସେମାନେ ସେନାକୁ ବି ମୁତୟନ କରିପାରନ୍ତି। ଏପରି କି ଚାଇନା ସୀମାରୁ ଯବାନଙ୍କୁ ଡକାଇ ମୁମ୍ବାଇରେ ଠୁଳ କରିପାରନ୍ତି ବୋଲି ଉଦ୍ଧବ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି।

ବିଦ୍ରୋହୀଙ୍କ ପାଇଁ ‘ହିନ୍ଦୁତ୍ୱ’ ବାହାନା

ରାଜନୀତିରେ ସବୁ ସମ୍ଭବ। କେହି ଚିର ଶତ୍ରୁ କିମ୍ବା ମିତ୍ର ନୁହନ୍ତି। ଏହି କଥାର ଉଦାହରଣ ଭାରତୀୟ ରାଜନୀତିରେ ଅନେକ ଦେଖିବାକୁ ମିଳିଛି। ଏହାର ଆଉ ଏକ ଉଦାହରଣ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଦେଖିବାକୁ ମିଳିଥିଲା। ନିର୍ବାଚନରେ ଶିବସେନା ଓ ଭାଜପା ମେଣ୍ଟ ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଶିବସେନା ଓ ଭାଜପା ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀ ଉଭୟ ଦଳ ମଧ୍ୟରେ ବାଧକ ସାଜିଥିଲା। ଶେଷରେ ଶିବସେନା ସଭାପତି ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦବୀ ଜିଦ୍‌ରେ ପୁରୁଣା ସହଯୋଗୀ ଭାଜପା ହାତ ଛାଡ଼ିଥିଲେ। ଏହା ଯେତିକି ଚକିତ କରିଥିଲା, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ଶିବସେନା ଯେତେବେଳେ ନିଜ ବିଚାରଧାରା ବିରୋଧୀ କଂଗ୍ରେସ, ଏନ୍‌ସିପି ସହ ମିଶି ସରକାର ଗଢ଼ିଥିଲା। ଲାଜକୁଳା ରାଜନେତା ଭାବେ ପରିଚିତ ଉଦ୍ଧବ ସେତେବେଳେ ବଡ଼ଭାଇପଣିଆ ଦେଖାଉଥିବା ଭାଜପାକୁ କେବଳ କଡ଼ା ଜବାବ ଦେଇଥିଲେ। ଏହାସାଙ୍ଗକୁ ଶିବସେନା ସହ ବିଶ୍ୱାସଘାତ କରି ଭାଜପା ପାହାନ୍ତିଆ ପ୍ରହରରେ ଏନ୍‌ସିପି ନେତା ଅଜିତ୍‌ ପାଓ୍ବାରଙ୍କ ସମର୍ଥନରେ ସରକାର ଗଢ଼ିବାର ବିଫଳ ପ୍ରୟାସର ପ୍ରତିଶୋଧ ନେଇଥିଲେ ଉଦ୍ଧବ।
ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ଦୁଇ ହାତ ଥିଲେ ପୁଅ ଉଦ୍ଧବ ଠାକ୍‌ରେ ଓ ପୁତୁରା ରାଜ ଠାକ୍‌ରେ। ବାଲ୍‌ ଠାକରେ ଉଦ୍ଧବକୁ ନିଜ ରାଜନୈତିକ ଦାୟାଦ ଘୋଷଣା କରିବା ପରେ ରାଜ୍‌ ଠାକ୍‌ରେ ଭିନ୍ନ ପଥ ବାଛିଥିଲେ। ବାଲ୍‌ ଠାକ୍‌ରେ ସରକାରୀ ପଦପଦବୀରେ ନ ରହି କ୍ଷମତାର ରିମୋଟ କଣ୍ଟ୍ରୋଲ ନିଜ ହାତରେ ରଖୁଥିଲେ। ୨୦୧୨ରେ ତାଙ୍କ ପରଲୋକ ପରେ ଉଦ୍ଧବ ହିଁ ଶିବସୈନିକମାନଙ୍କୁ ଏକତ୍ରିତ କରି ସେମାନଙ୍କ ମନୋବଳ ବଢ଼ାଇଥିଲେ।
ବର୍ଷୀୟ ମିଷ୍ଟଭାଷୀ ନେତା ଉଦ୍ଧବ ଠାକ୍‌ରେ ଜନ୍ମ ୧୯୬୦ ଜୁଲାଇ ୨୭ରେ ହୋଇଥିଲା। ବାଲ୍‌ ଠାକ୍‌ରେ ଓ ମୀନା ଠାକ୍‌ରେଙ୍କ ସେ ହେଉଛନ୍ତି ତୃତୀୟ ସନ୍ତାନ। ବାଲ୍‌ ମୋହନ ବିଦ୍ୟାମନ୍ଦିରରେ ପ୍ରାଥମିକ ଶିକ୍ଷା ଓ ସାର୍‌ ଜେ. ଜେ. ଇନ୍‌୍‌ଷ୍ଟିଚ୍ୟୁଟ ଅଫ୍‌ ଆପ୍ଲାଏଡ୍‌ ଆର୍ଟରେ ଫଟୋଗ୍ରାଫି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଉଦ୍ଧବ। ‘ଦିଗା’ ନାମରେ ପରିଚିତ ଉଦ୍ଧବ ୧୯୯୦ ଦଶକରେ ତାଙ୍କ ବାପାଙ୍କୁ ଦଳୀୟ ବ୍ୟାପାରରେ ସହଯୋଗ କରିଥିଲେ। ୨୦୦୨ରେ ବ୍ରିହାନ ମୁମ୍ବାଇ ମହାନଗର ନିଗମ (ବିଏମ୍‌୍‌ସି) ନିର୍ବାଚନବେଳେ ସେ ପ୍ରଚାର ମଙ୍ଗ ଧରି ଦଳ ପାଇଁ ଅଭୂତପୂର୍ବ ସଫଳତା ଆଣିଦେଇଥିଲେ। ଶିବସେନା ମୁଖପତ୍ର ‘ସାମ୍‌ନା’ର ସମ୍ପାଦକ ଭାବେ ଉଦ୍ଧବଙ୍କ ମର୍ମସ୍ପର୍ଶୀ ଓ ସମାଲୋଚନାଭିତ୍ତିକ ଆଲେଖ୍ୟ ଅନେକ ସମୟରେ ଚର୍ଚ୍ଚିତ ହୋଇଛି। ଏକ ଦକ୍ଷିଣପନ୍ଥୀ ସଙ୍ଗଠନର ମୁଖ୍ୟ ଭାବେ ହିନ୍ଦୁମାନଙ୍କ ସ୍ବାର୍ଥରକ୍ଷା ଓ ହିନ୍ଦୁତ୍ୱବାଦୀ ବିଚାରଧାରାକୁ ଉଦ୍ଧବ ପ୍ରାଧାନ୍ୟ ଦେଇଆସିଛନ୍ତି। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନ ପରେ ଭାଜପା ସହ କ୍ଷମତା ଭାଗବଣ୍ଟା ହିସାବ ନ ଛିଣ୍ଡିବାରୁ ଉଦ୍ଧବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସହ ଦୀର୍ଘ ୨୫ ବର୍ଷର ସମ୍ପର୍କ ଛିଣ୍ଡାଇ ବିପରୀତ ବିଚାରଧାରାର ଏନ୍‌ସିପି ଏବଂ କଂଗ୍ରେସ ସହ ମେଣ୍ଟ କରିଥିଲେ। ଏହାକୁ ନେଇ ଉଭୟ ଦଳ ଭିତରୁ ଓ ବାହାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ବର୍ତ୍ତମାନ ଶିବସେନାରେ ବିଦ୍ରୋହୀ ସାଜି ବଡ଼ କ୍ଷମତା ଆଶା କରିଥିବା ଏକନାଥ ସିନ୍ଧେ ମଧ୍ୟ ଏହି ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି।

‘ଜଣେ ଭଦ୍ର ମୁଖ୍ୟମନ୍ତ୍ରୀଙ୍କୁ ହରାଇଲୁ’

ମହାରାଷ୍ଟ୍ର ଜଣେ ଭଦ୍ର ଓ ସମ୍ବେଦନଶୀଳ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ବୋଲି ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ପରେ ଦୁଃଖପ୍ରକାଶ କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ସିନ୍ଧେ ଗୋଷ୍ଠୀ ଉଦ୍ଧବଙ୍କୁ ଷଣ୍ଢୁଆଶି ଆକ୍ରମଣ କରୁଥିବାବେଳେ ଶିବସେନାରେ ବିଭାଜନ ଓ ସରକାରର ସମ୍ଭାବ୍ୟ ପତନ ରୋକିବା ପାଇଁ ସଞ୍ଜୟ ଯଥାସାଧ୍ୟ ଉଦ୍ୟମ ଜାରି ରଖିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜନୈତିକ ଘଟଣାକ୍ରମ ବଦଳି ଯାଇଥିଲା। ଏ ନେଇ ଦଳୀୟ ଏମ୍‌ପି ସଞ୍ଜୟ ଟୁଇଟ୍‌ କରିଥିଲେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅତ୍ୟନ୍ତ ଶାଳୀନତା ସହ ପଦ ତ୍ୟାଗ କରିଛନ୍ତି। ଆମେ ଜଣେ ସମ୍ବେଦନଶୀଳ, ଭଦ୍ର ମୁଖ୍ୟମନ୍ତ୍ରୀଙ୍କୁ ହରାଇଛୁ। ବିଶ୍ୱାସଘାତକତାର ପରିଣାମ କେବେ ଭଲ ହୋଇ ନ ଥାଏ। ଇତିହାସ ଏହାର ସାକ୍ଷୀ। ଉଦ୍ଧବ ଲାଠିମାଡ଼ ଖାଇବେ, ଜେଲ ଯିବେ। ହେଲେ ଶିବସେନାକୁ ମଜଭୁତ କରି ରଖିବେ ବୋଲି ସେ ଟୁଇଟ୍‌ କରିଛନ୍ତି। ଏହା ପୂର୍ବରୁ ସଞ୍ଜୟ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ତରତର ହୋଇ ଫ୍ରାନ୍ସରୁ ରାଫାଲ ଯୁଦ୍ଧବିମାନ କିଣିଲେ ତାହାଠାରୁ ଆହୁରି ଦ୍ରୁତ ଗତିରେ ବିଧାନସଭାରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ନିନ୍ଦନୀୟ।

ମୋ ପାଖରେ ୫୦ ବିଧାୟକ

ଭାଜପା ସହାୟତାରେ ଉଦ୍ଧବଙ୍କ ସରକାରକୁ ଭାଙ୍ଗି ଉପମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଦେଖିଥିବା ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁଜରାଟ ପରେ ଗୁଆହାଟୀ ଛାଡ଼ି ବୁଧବାର ଗୋଆରେ ପହଞ୍ଚିଛନ୍ତି। ନିଜ ସମର୍ଥକମାନଙ୍କ ସହ ଚାର୍ଟାର୍ଡ ପ୍ଲେନ୍‌ରେ ଗୋଆ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସିନ୍ଧେ ଗଣମାଧ୍ୟମକୁ କହିଥିଲେ, ଆମେ ବାଲାସାହେବ ଠାକ୍‌ରେଙ୍କ ବିଚାରଧାରା ଆଗକୁ ବଢ଼ାଇବୁ। ଉଦ୍ଧବ ଆସ୍ଥା ଭୋଟ୍‌ରେ ପରାଜିତ ହେବା ନିଶ୍ଚିତ। କାରଣ ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟାବଳ ନାହିଁ। ମୋ ସହ ସ୍ବାଧୀନ ବିଧାୟକଙ୍କୁ ମିଶାଇ ମୋଟ ୫୦ ଏମ୍‌ଏଲ୍‌ଏ ଅଛନ୍ତି। ଗଣତନ୍ତ୍ରରେ ସଂଖ୍ୟାବଳ ସବୁକିଛି ହୋଇଥିବାରୁ ଆମେ ହିଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବୁ। ବାଲ୍‌ଠାକ୍‌ରେଙ୍କ ସ୍ମୃତିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ପରେ ମହାରାଷ୍ଟ୍ର ଓ ମରାଠୀ ମାନୁଷଙ୍କ ବିକାଶ କଥା ଚିନ୍ତା କରିବୁ ବୋଲି ସିନ୍ଧେ ପ୍ରକାଶ କରିଛନ୍ତି।

ଭାଜପା ଶିବିରରେ ଉତ୍ସବ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଜ ସପକ୍ଷରେ ସଂଖ୍ୟା ଗରିଷ୍ଠତା ନ ଥିବା ଜାଣି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଶିବସେନା ଶିବିରରେ ନୈରାଶ୍ୟ ଛାଇ ହୋଇଥିବାବେଳେ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ଭାଜପା ବିଧାୟକମାନେ ନୂଆ ସରକାର ଗଠନ ଆଶାରେ ଅତ୍ୟଧିକ ଉତ୍‌ଫୁଲ୍ଲିତ ହୋଇଯାଇଛନ୍ତି। ସେମାନେ ମୁମ୍ବାଇର ତାଜ୍‌ ପ୍ରେସିଡେଣ୍ଟ ହୋଟେଲରେ ଏକତ୍ରିତ ହୋଇ ଉତ୍ସବ ପାଳିଛନ୍ତି। ପରସ୍ପରକୁ ମିଷ୍ଟାନ୍ନ ଖୁଆଇ ଜୁଲାଇ ୧କୁ ଅପେକ୍ଷା କରିଛନ୍ତି।

ଆଜି ଫେରିବେ ସିନ୍ଧେ ଗୋଷ୍ଠୀ

ଏକନାଥ ସିନ୍ଧେଙ୍କ ସହ ୫୦ ବିଧାୟକ ଗୋଆର ପଣଜୀସ୍ଥିତ ଡୋନାପଉଲାର ଏକ ହୋଟେଲରେ ବୁଧବାର ସନ୍ଧ୍ୟାରେ ପହଞ୍ଚିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ସେମାନେ ରହୁଥିବା ହୋଟେଲକୁ ରାତି ୧୦ଟା ୪୫ରେ ଯାଇ ରାଜନୈତିକ ଘଟଣାକ୍ରମ ଉପରେ ଆଲୋଚନା କରିଛନ୍ତି। ସିନ୍ଧେ ଓ ତାଙ୍କ ସମର୍ଥକମାନେ ଗୁରୁବାର ସକାଳେ ମୁମ୍ବାଇରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟାରେ ଆସ୍ଥାଭୋଟ ବେଳେ ସେମାନେ ରହିବେ। ଭାଜପା ଏବଂ ମେଣ୍ଟ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

କଂଗ୍ରେସ ଏହି ଖୁସିକୁ ସହି ପାରିଲା ନାହିଁ, କାହିଁକି ଏମିତି କହିଲେ କଙ୍ଗନା

ଶିମଲା,୨୯।୩: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ...

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri