Posted inଫୁରସତ

ପ୍ରେମର ଦୁଇଟି ଡେଣା କୃଷ୍ଣଚନ୍ଦ୍ର-ପଦ୍ମଜା

ଯୋଡ଼ି କୁଆଡ଼େ ଈଶ୍ୱର ପ୍ରଦତ୍ତ । ଦୁଇ ଦେହ ଗୋଟିଏ ଆତ୍ମା , ଚାରି ଆଖି ଗୋଟିଏ ଦୃଷ୍ଟି , ଦୁଇ ମନ ଗୋଟିଏ ବିଚାର ଲାଗେ ଯେମିତି ଜଣେ ଜଣଙ୍କ ବିସ୍ତାର । ବ୍ୟକ୍ତିତ୍ୱର ବିଭିନ୍ନତା ସତ୍ତ୍ୱେ ଅଭିନ୍ନ ଜୀବନବୋଧର ସ୍ବରକୁ ନେଇ ଈଶ୍ୱର ଯେମିତି ବିଛେଇ ଦେଇଥାନ୍ତି ଆବାମିକାର ରାସ୍ତା। ଏମିତି ଏକ ସୁନ୍ଦର ପ୍ରେମୀ ଯୁଗଳ ହେଉଛନ୍ତି ଯାଜପୁର ଜିଲା ଅନ୍ତର୍ଗତ ନୀଳକଣ୍ଠପୁରନିବାସୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଏବଂ ପଦ୍ମଜା ଶରଣ…

ଗୋଟିଏ ବିଦ୍ୟାଳୟରେ ବାଲ୍ୟକାଳ ଓ କୈଶୋର । ମହାବିଦ୍ୟାଳୟରେ ତାରୁଣ୍ୟ। ନିରୁତା ବନ୍ଧୁତା ଥିଲା ସମ୍ପର୍କର ଭିତ୍ତି । ପଦ୍ମଜାଙ୍କ ଗଭୀର ବ୍ୟକ୍ତିସତ୍ତା, କଳାମନସ୍କ ଆତ୍ମା, ପ୍ରତିଭା ଓ ସ୍ନେହୀ ଗୁଣ ଟିକକ ଯେମିତି କୃଷ୍ଣଚନ୍ଦ୍ରଙ୍କୁ ପସନ୍ଦ ସେମିତି କୃଷ୍ଣଚନ୍ଦ୍ରଙ୍କ ଅଧ୍ୟବସାୟ, କଳାରୁଚି, ଗାର୍ଜନସୁଲଭ ବ୍ୟକ୍ତିତ୍ୱ, ଦାୟିତ୍ୱବତ୍ତା ଓ ଯତ୍ନବାନ ସ୍ବରୂପ ଟିକକ ପଦ୍ମଜାଙ୍କୁ ପସନ୍ଦ । ଘରୋଇ ବନ୍ଧୁତା। ପଦ୍ମଜାଙ୍କ ଘରେ କୃଷଚନ୍ଦ୍ରଙ୍କୁ ଏବଂ କୃଷ୍ଣଚନ୍ଦ୍ରଙ୍କ ଘରେ ପଦ୍ମଜାଙ୍କୁ ମିଳେ ଗୁରୁତ୍ୱ ଓ ପ୍ରଭୂତ ଯତ୍ନ । ଏମିତି ବି କୁହାଯାଇପାରେ ଉଭୟଙ୍କ ନିବିଡ ବନ୍ଧୁତା ଭିତରେ ଛପି ଚାପି ହୋଇଯାଇଥିଲା ପ୍ରେମ । ଘରୋଇ ଦାୟିତ୍ୱ ନିର୍ବାହ କରିବା ସଙ୍ଗେ ସଙ୍ଗେ ପରସ୍ପରର ଛୋଟବଡ଼ ଦାୟିତ୍ୱ ତୁଲେଇଲାବେଳେ ର୍ନିଭରଶୀଳତା ବଢିବା ସ୍ବାଭାବିକ । ଯୁକ୍ତିତର୍କ, ରାଗରୁଷା, ମାନ ଅଭିମାନରେ ଆଧା ସମୟ କଟି ପଡ଼େ। କଟି ପୁଣି ଫିଟୁଥାଏ ନିଜ ବାଟରେ ଅକପଟ ବନ୍ଧୁତା ଖାତିରରେ ।

ବଡ଼ ଝିଅ ପଦ୍ମଜା ସୁନ୍ଦରୀ, ପ୍ରତିଭାମୟୀ ଓ ଦାୟିତ୍ୱସମ୍ପନ୍ନା। ବାପାମାଆଙ୍କ ଦମ୍ଭ ଓ ବିଶ୍ୱାସ । ଖୁବ୍‌ ମାନନ୍ତି ପଦ୍ମଜାଙ୍କୁ ତାଙ୍କ ସାନ ଭାଇ ଓ ଭଉଣୀ । ସେହିମାନଙ୍କୁ ପ୍ରତ୍ୟହ ପଢେଇବାକୁ ଆସନ୍ତି ସହପାଠୀ କୃଷ୍ଣଚନ୍ଦ୍ର। ପାଠପଢ଼ା ଭିତରେ ସାହିତ୍ୟ ଚର୍ଚ୍ଚା ହୁଏ । କୃଷ୍ଣଚନ୍ଦ୍ର କଳାପ୍ରେମୀ। ନିଜେ ଗପ ଓ ନାଟକ ଲେଖନ୍ତି । କବିତା ବି । ଯାତ୍ରା କି ନାଟକରେ ଅଭିନୟ କଲାବେଳେ କାୟାପ୍ରବେଶ ହୁଏ ଯେମିତି ତାଙ୍କର ଚରିତ୍ରରେ । ପଦ୍ମଜା କୁହନ୍ତି , ‘କଳା ପ୍ରଦର୍ଶନ କରି ତାରିଫ୍‌ ମିଳୁ କି ନମିଳୁ ସେଥିପ୍ରତି ସେ ଉଦାସୀନ ଥାଆନ୍ତି। ଯେକୌଣସି ଚରିତ୍ରରେ ସେ ଅଭିନୟ କରନ୍ତୁ,ସେ ଚରିତ୍ର ଭିତରେ ନିଜକୁ ସଂପୂର୍ଣ୍ଣ ମିଶାଇ ଦିଅନ୍ତି। ସେ ଖୁବ୍‌ ଗୁଣଗ୍ରାହୀ, ନିଷ୍ଠାପର । ଯେକୌଣସି ବର୍ଗର କଳାକାରଙ୍କ ପ୍ରତି ତାଙ୍କର ସମ୍ମାନବୋଧ ଅତ୍ୟନ୍ତ ଅଧିକ ।’ କଳା ପ୍ରତି ସମର୍ପିତ କୃଷ୍ଣଚନ୍ଦ୍ରଙ୍କ ସ୍ବଭାବ ପଦ୍ମଜା ଶରଣଙ୍କୁ ଖୁବ୍‌ ଭଲ ଲାଗେ। ଭଲ ଲାଗେ ଗଭୀର ସମୁଦ୍ର ଭଳି କୃଷ୍ଣଚନ୍ଦ୍ରଙ୍କ ବିଶାଳତା ।

ଅଛି ବୋଲି ଜାଣିଲେ କେମିତି ’ର ପ୍ରଶ୍ନରେ ଉଭୟେ ହସନ୍ତି ସଲ୍ଲଜ ହସ। କୃଷ୍ଣଚନ୍ଦ୍ରଙ୍କ ବିବାହ ପାଇଁ ପାତ୍ରୀ ନିର୍ବାଚନ ସମୟରେ ପଦ୍ମଜାଙ୍କ ଭୂମିକା ବନ୍ଧୁ ଭଳି ଥିଲା । ଥରେ ଏମିତି ନିଜ ପାଇଁ କନ୍ୟାଦେଖା ଫେରନ୍ତା ରାସ୍ତାରେ କହୁ କହୁ ପଦ୍ମଜାଙ୍କୁ କହିଦେଇଥିଲେ କୃଷ୍ଣଚନ୍ଦ୍ର, କେହି ତ ମନ ମୁତାବକ ହେଉନାହାଁନ୍ତି । ତୋ ଭଳି କେହି ଜଣେ ହେଲେ ହୁଅନ୍ତା । ତୁ ମୋତେ ବାହା ହେବୁ ? ବନ୍ଧୁତା ଓ ଘରୋଇ ସମ୍ପର୍କକୁ ଡେଇଁ ପଦ୍ମଜାଙ୍କ ଭଳି କନ୍ୟାପାତ୍ରୀଙ୍କ ପାଇଁ ତାଙ୍କ ପ୍ରସ୍ତାବ ହୁଏତ ସେହି ସମୟ ପାଇଁ ଠିକ୍‌ ଲାଗୁନଥିଲା କୃଷ୍ଣଚନ୍ଦ୍ରଙ୍କୁ । ନିରୁତ୍ତର ରହିଲେ ପଦ୍ମଜା ଅଥଚ ତାଙ୍କ ହୃଦୟର ପ୍ରତି କୋମଳ ତନ୍ତ୍ରୀରେ ତାଙ୍କ ଅଜାଣତରେ ଲେଖି ହୋଇଗଲା ଅସଂଖ୍ୟ ପ୍ରେମ ଗାଥା । ଖୁବ୍‌ ବେଶି ପ୍ରସ୍ତାବ ଆସୁଥାଏ ପଦ୍ମଜାଙ୍କ ପାଇଁ । ଅସ୍ବଚ୍ଛଳ ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ଥାଆନ୍ତି ପଦ୍ମଜାଙ୍କ ପରିବାରଜନ । ସାମାଜିକ ରୀତିନୀତି, ଘରୋଇ ବିଶ୍ୱାସର ଅନୁଶାସନ ସଙ୍କୁଚିତ କରିପକାଉଥିଲା ପଦ୍ମଜାଙ୍କୁ ଯଦିଓ ଅତ୍ୟନ୍ତ ନିର୍ଭୀକ ଥିଲେ କୃଷ୍ଣଚନ୍ଦ୍ର ବୋଲି ପରେ ଜାଣିପାରିଥିଲେ ପଦ୍ମଜା । ଖୁବ୍‌ ପ୍ରତିକୂଳ ଥିଲା ଉଭୟଙ୍କ ଘରୋଇ ଆର୍ଥିକ ସ୍ଥିତି । ଆର୍ଥିକ ଭାବରେ ସ୍ବାବଲମ୍ବୀ ନଥିଲେ ଉଭୟେ । ସୁତରାଂ ନିଜ ଜୀବନ ପାଇଁ ସ୍ବାଧୀନ ଭାବରେ ବିଚାର କରିବାର ଆତ୍ମବିଶ୍ୱାସ ଟିକକ ଜୁଟେଇ ପାରୁନଥିଲେ ଉଭୟେ। ପଦ୍ମଜାଙ୍କ ଭଳି ବାନ୍ଧବୀଙ୍କ ପାଇଁ କେଉଁଟା ଭଲ ହେବ ବୋଲି କୃଷ୍ଣଚନ୍ଦ୍ର ଚେଷ୍ଟା କରୁଥିଲେ ଓ କେଉଁଠି ପଦ୍ମଜା ବୋହୂ ହୋଇ ଖୁସିରେ ରହିବେ ସେଥିପ୍ରତି ଯତ୍ନବାନ ଥିଲେ । ପ୍ରେମ ଆଉ କ’ଣ ଯେ ? ବନ୍ଧୁତା ତ !

ତା ବାଟରେ କିନ୍ତୁ ତିଆରି କରିଥିଲା ବିଧାନ । ଉଭୟଙ୍କ ଘରେ ଉଭୟଙ୍କ ବିବାହ ପ୍ରସ୍ତାବ ପାଇଁ ଖୋଜାଲୋଡ଼ା ଚରମ ପର୍ଯ୍ୟାୟରେ ଚାଲିଥିଲା । କୃଷ୍ଣଚନ୍ଦ୍ରଙ୍କୁ ମୁଦି ପିନ୍ଧେଇ ବିବାହ କାର୍ଯ୍ୟକୁ ଚୂଡାନ୍ତ କରିବାକୁ ଦିନେ ସଞ୍ଜରେ ପହଞ୍ଚିଗଲେ କନ୍ୟାପକ୍ଷ । ସେତେବେଳେ ପଦ୍ମଜାଙ୍କ ଘରେ ଭାଇଭଉଣୀଙ୍କୁ ପାଠ ପଢ଼ାଉଥିଲେ କୃଷ୍ଣଚନ୍ଦ୍ର । କନ୍ୟାପକ୍ଷଙ୍କ ଗାଡ଼ିରେ ଆସିବା, ପାଠ୍ୟଦାନ ଅଧାରୁ କୃଷ୍ଣଚନ୍ଦ୍ରଙ୍କୁ ଗାଡ଼ିରେ ଉଠେଇନେବା ଏବଂ କୃଷ୍ଣଚନ୍ଦ୍ରଙ୍କ ସାଇକେଲ ଦାଣ୍ଡ ଦୁଆରେ ଅସହାୟ ହୋଇ ପଡିରହିଥିବାଟା ଦେଖିସମ୍ଭାଳି ପାରିନଥିଲେ ପଦ୍ମଜା । ଅସହାୟତାର ଅସମ୍ଭବ ଜ୍ବାଳା ଓ ବ୍ୟାକୁଳତା ଭିତରେ ସେ ଭିଜିଥିଲେ ସାରା ରାତି ଲୁହରେ । ବାରମ୍ବାର ଭାଙ୍ଗୁଥିବା ବିବାହ ପ୍ରସ୍ତାବ ସ୍ଥିର ହୋଇଗଲା ପରେ ସେ କୃଷ୍ଣଚନ୍ଦ୍ରଙ୍କ ପାଇଁ କାହିଁ ଖୁସି ହୋଇପାରୁନାହାନ୍ତି ବୋଲି ଜାଣି ପାରୁନଥିଲେ। ଅଥଚ ତା ପୂର୍ବରୁ ସୁନ୍ଦରୀ ଗୁଣବତୀ ବୋହୂଟିଏ ପାଇଁ ବ୍ୟସ୍ତ ହୋଇ ପଡୁଥିବା କୃଷ୍ଣଚନ୍ଦ୍ରଙ୍କ ମାଆଙ୍କ ସହ ମେଳଣ ଯାତ୍ରାରେ ଠାକୁରଙ୍କ ପାଖରେ ମାନସିକ କରି ଆସିଥିଲେ ପଦ୍ମଜା । ତାଙ୍କୁ ଲାଗିଲା ସେଇ ବୋଧେ ଶେଷ । ତେଣିକି ଅପହଞ୍ଚ ହୋଇଯିବେ କୃଷ୍ଣଚନ୍ଦ୍ର । ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ଯତ୍ନ ଦେଖାଉଥିବା ସାଥୀଜଣଙ୍କୁ ସେ ଆଉ ପାଇପାରିବେ ନାହିଁ । ଅବୁଝା ହୋଇ ସାରା ରାତି କାନ୍ଦିଥିଲେ ପଦ୍ମଜା ଆବେଗପ୍ରବଣ ହୋଇ। ଲୁହବତୁରା ଶବ୍ଦରେ ସେ ସାହସ ଠୁଳ କରି ଲେଖିଲେ ଦୀର୍ଘ ଗୋଟିଏ ଚିଠି ଏବଂ ସାଇକେଲ ଫେରେଇ ନେବାକୁ ଆସିଥିବା କୃଷ୍ଣଚନ୍ଦ୍ରଙ୍କ ହାତରେ ଧରେଇ ଦେଇ କହିଥିଲେ, ଘରେ ନେଇ ପଢିବ ।

ଘରର ଦାୟିତ୍ୱବାନ ବଡ଼ପୁଅ କୃଷ୍ଣଚନ୍ଦ୍ର ଘରକୁ ଆସି ଚିଠି ପଢି ନିଷ୍ପତ୍ତି ନେଲେ। ତାଙ୍କୁ ଅତ୍ୟନ୍ତ ଭଲ ପାଉଥିବା ମାଆଙ୍କୁ କହିଲେ ତାଙ୍କୁ ବିବାହ କରିବାର ଅଛି ପଦ୍ମଜାଙ୍କୁ । ମାଆ ପୁଅଙ୍କ ମନକୁ, ପସନ୍ଦକୁ ଜାଣିଲେ । ସମ୍ମତି ଦେଲେ । କିନ୍ତୁ ବୁଝୁପାରୁନଥିଲେ ପରିବାର ସ୍ବଜନ । ଯଦି ଏହାହିଁ ଥିଲା ନିର୍ଦ୍ଦିଷ୍ଟ ପୁଣି ଏତେ ଆୟୋଜନ କାହିଁକି ଓ କେଉଁଥିପାଇଁ ହେଉଥିଲା ! ଦ୍ବନ୍ଦ୍ୱ ଓ ଅପ୍ରୀତିକର ପରିସ୍ଥିତିଟେ ଉପୁଜିବା ସ୍ବାଭାବିକ । ହେଲା ବି । ବନ୍ଦ ହୋଇଗଲା ଯୋଗାଯୋଗର ମାଧ୍ୟମ ଉଭୟଙ୍କ ମଧ୍ୟରେ କିଛି ଦିନ । ନଥିଲା ଆଜି ଭଳି ଫୋନ୍‌ । ଯୋଗାଯୋଗର ମାଧ୍ୟମ ହୋଇ ଯିଏ ଖବର ପହଞ୍ଚାଉଥିଲେ ତାଙ୍କୁ ପଚାରୁଥିଲେ କୃଷ୍ଣଚନ୍ଦ୍ର, କେମିତି ଅଛି ମୋ ରାଧା ? ବାନ୍ଧବୀ ଇଭାରୁ ପ୍ରେମିକା ରାଧାର ଯାତ୍ରା ସତରେ ଥିଲା ଅତ୍ୟନ୍ତ କାବି୍ୟକ ଓ କଳାତ୍ମକ । କୃଷ୍ଣଚନ୍ଦ କେବଳ ଭଲପାଇ ଜାଣନ୍ତି । ଭଲପାଇବା ଭିତରେ ଢାଳି ହୋଇ ଜାଣନ୍ତି । ସେ ଭଲପାଆନ୍ତି ପଦ୍ମଜାଙ୍କ କବିତାଙ୍କୁ ତାଙ୍କ ଭିତରେ ମୁହୂର୍ତ୍ତରୁ ମୁହୂର୍ତ୍ତ ସ୍ଫୁରୁଥିବା ନୂଆପଣମାନଙ୍କୁ, ତାଙ୍କ ବ୍ୟକ୍ତିତ୍ୱକୁ , ତାଙ୍କ ଖୁସିକୁ ତାଙ୍କ ପ୍ରେମିକାପଣକୁ । ପଦ୍ମଜା କୁହନ୍ତି , ଦୁହେଁ ସ୍ବପ୍ନ ଦେଖୁ , କଳ୍ପନାର ସୁଅରେ ଭାସୁ। କିନ୍ତୁ ଅଧାରୁ ସଜାଗ ହୁଅନ୍ତି କୃଷ୍ଣଚନ୍ଦ୍ର ଯେହେତୁ ସମ୍ପୂର୍ଣ୍ଣ ଡୁବି ଅଣନିଃଶ୍ୱାସୀ ହେବା ପୂର୍ବରୁ ସେ ଉଠେଇ ଆଣିବେ ପଦ୍ମଜାଙ୍କୁ । ପ୍ରେମ ଆଉ କଣ ଯେ !

ନିଜ ସର୍ଜକସତ୍ତାକୁ ଧରି ଦାମ୍ପତ୍ୟ ନିର୍ବାହ କଲାବେଳେ ‘ମୁଁ’ର ଭାବ ‘ଆମେ ଦୁହେଁ’ର ଭାବରେ ରୂପାନ୍ତରିତ ହୋଇ ଅତ୍ୟନ୍ତ ପାରିବାରିକ ହୋଇ ଜୀବନ ର୍ନିବାହ କରୁଥିବା ଏହି ସର୍ଜନ ଯୁଗଳ ଲାଗନ୍ତି ସତସତିକା ଆଶୀର୍ବାଦିତ। ଉଭୟେ ଶିକ୍ଷାକ୍ଷେତ୍ରରେ କାମ କରନ୍ତି । ପ୍ରାଚୀନ ଲୋକଗୀତ, ଲୋକକଳାକୁ ନେଇ ସାଂଗଠନିକ କାମ କରନ୍ତି । ଫୁଲକୁ , ଶବ୍ଦକୁ , ସଙ୍ଗୀତକୁ, ଛାତ୍ରଛାତ୍ରୀଙ୍କୁ, ସମ୍ପର୍କକୁ ମଣିଷଙ୍କୁ ଖୁବ୍‌ ଭଲପାଉଥିବା ଏହି ଯୋଡ଼ିଙ୍କୁ ଦେଖିଲେ ମନରେ ଯେଉଁ ପବିତ୍ରତାର ଭାବ ସଂଚାର ହୁଏ ତାହା ହିଁ ପ୍ରେମ । -ମାନମୟୀ ରଥ
ସେଣ୍ଟଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?