Posted inଫୁରସତ

ପ୍ରେମଦିବସ ପାଇଁ ପ୍ରେମସ୍ଥଳୀ

ପ୍ରତିବର୍ଷ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସକୁ ପ୍ରେମୀଯୁଗଳଙ୍କର ଅପେକ୍ଷା ରହିଥାଏ। କେବେ ଆସିବ ଏହି ଶୁଭଦିନ, ଆଉ ସେମାନେ ସାଥୀ ହୋଇ ବୁଲିଯିବେ ଦୂର କେଉଁ ଏକ ନିକାଞ୍ଚନ ସ୍ଥାନକୁ; ଯେଉଁଠି ତାଙ୍କୁ ବାଧାଦେବାକୁ କେହି ନ ଥିବେ। ସେଠାରେ ସେମାନେ ମନଖୋଲି ଦୁଇପଦ କଥା ହେବା ସହ ସୁନେଲି ଭବିଷ୍ୟତକୁ ନେଇ ଅନେକ ରଙ୍ଗିନ ସ୍ବପ୍ନ ଦେଖିପାରିବେ। ତେଣୁ ଏଠାରେ ସେମିତି କିଛି ଲଭ୍‌ ଡେଷ୍ଟିନେଶନ୍‌ ବା ପ୍ରେମସ୍ଥଳୀ ସମ୍ପର୍କରେ ଉଲ୍ଲେଖ କରାଗଲା…

ଗୋଆ: ଏହାକୁ ଅନେକେ ହନିମୁନ୍‌ ଡେଷ୍ଟିନେଶନ୍‌ ବୋଲି ବି କହିଥାନ୍ତି। କାରଣ ଦେଶବିଦେଶର ବିଭିନ୍ନ ପ୍ରାନ୍ତରୁ ନବଦମ୍ପତି ଏଠାକୁ ଖାସ୍‌ ହନିମୁନ୍‌ ପାଇଁ ଆସିଥାନ୍ତି। ଖାସ୍‌ କରି ଏଠାକାର ସୁନେଲି ବେଳାଭୂମିରେ ଦମ୍ପତିମାନେ ପରସ୍ପର ସହ ହାତ ଛନ୍ଦାଛନ୍ଦି ହୋଇ ବୁଲିବାରେ ଯେଉଁ ମଜା ଥାଏ, ତାହାକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। କେବଳ ଦମ୍ପତି କାହିଁକି ପ୍ରେମିକା-ପ୍ରେମିକଙ୍କ ପାଇଁ ବି ଗୋଆ ହେଉଛି ଏକ ପ୍ରିୟତମ ସ୍ଥାନ।

ଖଣ୍ଡାଲା: ମହାରାଷ୍ଟ୍ରସ୍ଥିତ ଖଣ୍ଡାଲା ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ପର୍ଯ୍ୟଟକ ପାହାଡ଼, ପର୍ବତ, ଝରଣା ସହିତ ଅନେକ ମନଲାଖି ଭ୍ରମଣସ୍ଥଳୀ ଦେଖିବାକୁ ପାଇପାରିବେ। ଖାସ୍‌ ସେଥିପାଇଁ ପ୍ରତିବର୍ଷ ପ୍ରେମଦିବସ ଅବସରରେ ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ତନ୍ମଧ୍ୟରୁ ଅଧିକାଂଶ ଥାନ୍ତି ନବବିବାହିତା ଦମ୍ପତି ଓ ପ୍ରେମୀଯୁଗଳ। ସେଥିପାଇଁ ଅନେକେ ଖଣ୍ଡାଲାକୁ ଲଭର୍ସ ପଏଣ୍ଟ ବୋଲି ବି କହିଥାନ୍ତି।

କେରଳ: ପିକ୍‌ନିକ୍‌ ପାଇଁ ହେଉ ଅବା ହନିମୁନ୍‌ ପାଇଁ, କେରଳ ନିଜର ଆକର୍ଷଣୀୟ ରୂପରେଖ ସକାଶେ ସବୁବେଳେ ସମସ୍ତଙ୍କର ମନ ଜିଣି ଆସିଛି। ବିଶେଷକରି ଏଠାରେ ଦେଖିବାକୁ ମିଳୁଥିବା ବ୍ୟାକ୍‌ ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ବୁଲିବାରେ ଯେଉଁ ମଜା ଥାଏ, ତାହାକୁ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ କେବଳ ଜାଣିଛି ଏହାର ଉପଭୋଗକୁ। ତେଣୁ ଏହି ପ୍ରେମଦିବସ ଅବସରରେ ପ୍ରେମୀଯୁଗଳ ଚାହିଁଲେ ଏଠାକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ବି ନିଜ ସାଙ୍ଗରେ ଆଣିପାରିବେ।

ଊଟି: ଏହା ମଧ୍ୟ ତାମିଲନାଡୁସ୍ଥିତ ଏକ ଶୈଳନିବାସ। ଏହାକୁ ଅନେକେ ହିଲ୍‌ଷ୍ଟେଶନର ରାଣୀ ବୋଲି ମଧ୍ୟ କହିଥାନ୍ତି। କାରଣ ଭାରତରେ ଯେତେସବୁ ହିଲ୍‌ଷ୍ଟେଶନ ବା ଶୈଳନିବାସ ରହିଛି, ତନ୍ମଧ୍ୟରୁ ଊଟିର ସୌନ୍ଦର୍ଯ୍ୟ ନିଆରା ଲାଗେ। ଏଠାରେ ଦେଖିବାକୁ ମିଳୁଥିବା ବଟାନିକାଲ୍‌ ଗାର୍ଡେନ, ରୋଜ୍‌ ଗାର୍ଡେନ, ଉଟି ହ୍ରଦ ତଥା ଦୋଦ୍ଦାବେଟ୍ଟା ଗିରିଶୃଙ୍ଗ ଇତ୍ୟାଦି କେବଳ ସାଧାରଣ ଲୋକଙ୍କୁ ନୁହେଁ ନବଦମ୍ପତି ତଥା ପ୍ରେମୀଯୁଗଳଙ୍କୁ ବି ଖୁବ୍‌ ପସନ୍ଦ ଆସିଥାଏ।

ଜୈସଲମେର୍‌: ପ୍ରେମଦିବସ ଅବସରରେ ଯଦି ନିଜ ସାଥୀ ସହ କୁଆଡ଼େ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି, ତା’ହେଲେ ଥରେ ରାଜସ୍ଥାନସ୍ଥିତ ଜୈସଲମେର୍‌ ଆଡ଼େ ବୁଲି ଆସନ୍ତୁ ନା! କାରଣ ଏଠାରେ ବହୁ ଐତିହାସିକ କୀର୍ତ୍ତିରାଜି ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ, ଏଠାକୁ ଆସୁଥିବା ପର୍ଯ୍ୟଟକ ଖାସ୍‌କରି ପ୍ରେମୀଯୁଗଳମାନେ ଜୈସଲମେର୍‌ ଦୁର୍ଗ ବୁଲି ଦେଖିବା ସହ ଓଟ ପିଠିରେ ବସିବାର ମଜା ମଧ୍ୟ ନେଇପାରିବେ।

ନୈନିତାଲ୍‌: ଉତ୍ତରାଖଣ୍ଡସ୍ଥିତ ନୈନିତାଲ୍‌ ବି ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ଘଞ୍ଚ ଜଙ୍ଗଲରେ ଘେରି ହୋଇ ରହିଥିବା ଖୁବ୍‌ ଉଚ୍ଚ ଉଚ୍ଚ ପାହାଡ଼ ସାଙ୍ଗକୁ ଝରଣା ଦେଖିବାକୁ ମିଳିଥାଏ। ଖାସ୍‌ ସେଇଥିପାଇଁ ଅନେକ ନବଦମ୍ପତି ଏଠାକୁ ହନିମୁନ୍‌ ପାଇଁ ବୁଲି ଆସିଥାନ୍ତି। କେବଳ ନବଦମ୍ପତି କାହିଁକି, ପ୍ରେମଦିବସକୁ ସ୍ମରଣୀୟ କରିବା ପାଇଁ ଏଠାକୁ ବହୁ ସଂଖ୍ୟାରେ ପ୍ରେମୀଯୁଗଳ ବି ଆସିଥାନ୍ତି।

କେବଳ ଏହିସବୁ ସ୍ଥାନ ନୁହେଁ, ଦାର୍ଜିଲିଂ, ସିଲଂ, ମସୁରୀ ତଥା ତାଜମହଲ ଆଡ଼େ ବି ବୁଲିଯାଇ ପ୍ରେମୀଯୁଗଳମାନେ ପ୍ରେମଦିବସକୁ ଭରପୂର ଉପଭୋଗ କରିବା ସହ ଅନେକ କିଛି ଅଭୁଲା ସ୍ମୃତିକୁ ନିଜ ସାଥିରେ ସାଉଁଟି ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?