ହଜିଯାଇଥିବା ସ୍ମୃତି

ଇବ୍ରାର ଖାଁ

ସଭ୍ୟତା ସହିତ ତାଳ ଦେଇ ଗ୍ରାମ୍ୟ କଳେବର ଆଜି ବଦଳିଯାଇଛି। ଗାଁ ରେ ନୁଆଁଣିଆ ଚାଳଘର ପରିବର୍ତ୍ତେ ଏବେ କୋଠାଘରସବୁ ଗଢ଼ି ଉଠି ଛୋଟକାଟିଆ ସହରର ଭ୍ରମ ସୃଷ୍ଟି କରୁଛି। ଗାଁ ଦାଣ୍ଡ ଏବେ କଂକ୍ରିଟ୍‌ ରାସ୍ତାରେ ପରିବର୍ତ୍ତିତ ହୋଇ ବିଜୁଳି ଖୁଣ୍ଟରେ ଲାଗିଥିବା ହାଇମାକ୍ସ ଲାଇଟ୍‌ ଆଲୋକରେ ଝଲସୁଛି। ଗାଁ ଉପକଣ୍ଠରେ ଥିବା ଆମ୍ବତୋଟା କେଉଁକାଳୁ ନିଶ୍ଚିହ୍ନ ହୋଇଗଲାଣି। ଚିଲ, ଶାଗୁଣା ଗାଁ ଆକାଶରେ ଚକ୍କର କାଟି ଉଡ଼ିବା ଦୃଶ୍ୟ ଆଉ ପରିଦୃଷ୍ଟ ହେଉନି। ତାଳଗଛରେ ଝୁଲୁଥିବା ବାଇଚଢ଼େଇର ବସା ଦେଖିବା ସାତସପନ । ଗ୍ରାମ ଗୋହିରି ଏବଂ ଦଣ୍ଡାମାନଙ୍କରେ ଭରି ରହିଥିବା କିଆବଣ ସହ କଣ୍ଟେଇକୋଳି, ତୁଣ୍ଡପୋଡ଼ା କୋଳି ଏବଂ ବେତ ଆଉ ଅନ୍ୟାନ୍ୟ ବଣୁଆ କୋଳିର ଅସ୍ତିତ୍ୱ ଲୋପ ପାଇଗଲାଣି। ଭୋଟ ରାଜନୀତିର ଦଳୀୟ କନ୍ଦଳ ଗ୍ରାମ୍ୟ ସମାଜକୁ ଭାଗ ଭାଗ କରିଦେଇଥିବାରୁ ଭାଇଚାରା, ସ୍ନେହ, ସୌହାର୍ଦ୍ଦ୍ୟ ବ୍ୟାହତ ହେଲାଣି।
କିନ୍ତୁ ଏମିତି ଏକ ସମୟ ଥିଲା, ଗଁାର ନୁଅଁାଣିଆ ଚାଳଘରେ ଲଣ୍ଠନ ଆଲୁଅରେ ରହୁଥିବା ନିଷ୍କପଟ ସରଳ ମଣିଷ ଭିତରେ ଗୋଟିଏ ଦରଦୀ ହୃଦୟ ସ୍ପନ୍ଦିତ ହେଉଥିଲା। ଆପଣା ଭିତରେ ଉପୁଜୁଥିବା କଳିତକରାଳ ସେହି ଗଁାର ମୁରବିମାନଙ୍କ ଦ୍ୱାରା ସମାଧାନ ହୋଇ ପାରୁଥିଲା। ରୋଗ ବୈରାଗ୍ୟ ହେଉ କିମ୍ବା ବିପଦ ଆପଦରେ ସଭିଏଁ ପୀଡ଼ିତ ପାଖରେ ଠିଆ ହୋଇ ସାଧ୍ୟମତେ ସାହାଯ୍ୟ, ସହଯୋଗର ହାତ ବଢ଼ାଇ ତା’ ଆମତ୍ବିଶ୍ୱାସକୁ ଫେରାଇ ଆଣୁଥିଲେ। ସେତେବେଳର ରାଜନୀତି, ନୀତି ଆଦର୍ଶ ଉପରେ ପର୍ଯ୍ୟବସିତ ହେଉଥିବାରୁ ନିର୍ବାଚନ ସମୟରେ ଅଞ୍ଚଳର ପ୍ରତିନିଧିତ୍ୱ ପାଇଁ କେଉଁ ବ୍ୟକ୍ତି ଉପଯୁକ୍ତ, ସେ ବିଷୟରେ ଗ୍ରାମ ବୈଠକରେ ବିଚାରବିମର୍ଶ କରାଯାଇ ଯୋଗ୍ୟ ବିବେକବାନ୍‌ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଦାନ କରାଯାଉଥିଲା। ବାହାପୁଆଣି ହେଉ ଅବା ପର୍ବପର୍ବାଣି, ମେଳା ମହୋତ୍ସବ କିମ୍ବା ଯାନିଯାତ୍ରାରେ ଜାତିଗୋତ୍ରର ଭେଦଭାବ ଭୁଲି ସମସ୍ତେ ଏକାକାର ହୋଇ ଆନନ୍ଦ ଉଲ୍ଲାସରେ ଯେପରି ନିଜକୁ ହଜାଇ ଦେଉଥିଲେ ତାହା ଥିଲା ଅପୂର୍ବ, ଅତୁଳନୀୟ। ଗ୍ରାମ୍ୟ ଜୀବନରେ ପ୍ରତିଷ୍ଠିତ ହୋଇଥିବା ବଳିଷ୍ଠ ଭାଇଚାରାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳୁଥିଲା ପୋଖରୀରୁ ମାଛଧରା ବେଳେ, ତୋଟାରୁ ଆମ୍ବତୋଳା ସମୟରେ। ସେତେବେଳେ ଯଦି କାହା ପୋଖରୀରୁ ମାଛ ଧରାଯାଉଥିଲା ଦେଖଣାହାରି ଭାବେ ଗଁାଟାଯାକର ପ୍ରାୟ ଲୋକ ପୋଖରୀ କୂଳରେ ରୁଣ୍ଡ ହେଉଥିଲେ। ମାଛଧରା ସରିଲା ପରେ ପ୍ରତି ପରିବାରର ସଂଖ୍ୟାକୁ ଦେଖି କିଛି ନା କିଛି ମାଛ ସମସ୍ତଙ୍କୁ ଦିଆଯାଉଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ପର୍ବପର୍ବାଣିରେ ପିଠାପଣା ସାହିପଡ଼ିଶାରେ ବଣ୍ଟା ଯାଉଥିଲା। ସେତେବେଳେ ଗାଁର ସାଦାସିଧା ମଣିଷ ଭଲଭାବରେ ବୁଝିଥିଲା ବାଣ୍ଟିବାରେ ଯେଉଁ ଆନନ୍ଦ ଥାଏ, ତାହା ପାଇବାରେ ନ ଥାଏ।
ସେ ସମୟରେ ଗାଁର ଓସାରିଆ ଦାଣ୍ଡର ଦୁଇପାଖେ ଚାଳକୁ ଚାଳ ଲାଗି ଘରଗୁଡ଼ିକ ଲମ୍ବିଥାଏ କାହିଁ କେତେଦୂର। ଧାଡ଼ି ଧାଡ଼ି ହୋଇ ବନ୍ଧା ହୋଇଥିବା କାଳିଆ, କସରା, କଇଁଫୁଲିଆ ଧଳା ବଳଦ ସବୁ ଗାଁ ଦାଣ୍ଡର ଶୋଭାବର୍ଦ୍ଧନ କରୁଥିଲେ। ସକାଳୁଆ ଖରା ଟିକେ ଟାଣ ହୋଇଗଲେ ଗାଈଆଳ ପିଲା ଗାଈଗୋଠକୁ ଅଡ଼େଇ ନେଇ ଚାରଣଭୂମିକୁ ଯାଉଥିଲା ଆଉ ଫେରୁଥିଲା ସଞ୍ଜ ନଇଁଲା ବେଳେ। ପୁଷମାସରେ କଟା ହୋଇ ବିଲରେ ପଡ଼ିଥିବା ଧାନ କଚଡ଼ାକୁ ଜଗିବା ପାଇଁ ତାଳପତ୍ର ତିଆରି ତାଟକୁ ନେଇ ବିଲହୁଡ଼ାରେ କୁଡ଼ିଆ କରି ସେଥିରେ ରାତ୍ରିଯାପନ କରିବାର ଥିଲା ନିଆରା ଅନୁଭୂତି। ଦୁଇ ଚାରି କୁଡ଼ିଆର ଲୋକମାନେ ଏକତ୍ର ହୋଇ ସେହି ବିଲହୁଡ଼ାରେ ରୋଷେଇ କରି ଖାଇବା, ପରସ୍ପର ପ୍ରତି ଥିବା ସ୍ନେହ ଆଦରକୁ ଉଜାଗର କରୁଥିଲା। ବଳଦ ବେକରେ ଘଣ୍ଟି ଘାଗୁଡ଼ି ପକାଇ ତାଟ ଶଗଡ଼ରେ ବସି ନବବଧୂ ବାପଘରୁ ଶାଶୁଘରକୁ ଫେରିବାର ବିରଳ ଦୃଶ୍ୟ ଥିଲା ଅକଳ୍ପନୀୟ। ଦାଣ୍ଡରେ ଶଗଡ଼ ଆଗକୁ ଗଡ଼ିଲା ବେଳେ ଝିଅବୋହୂମାନେ କବାଟ କୋଣରେ ଅବା ଝରକା ଉହାଡ଼ରେ ରହି ନବବଧୂକୁ ଦେଖିବା ପାଇଁ ଯେପରି ପ୍ରୟାସ କରୁଥିଲେ ତାହା ମଧ୍ୟ ଉପଭୋଗ୍ୟ ହେଉଥିଲା।
ସେତେବେଳର ପାରିବାରିକ ଜୀବନ ଏତେ ଶୃଙ୍ଖଳିତ ଏବଂ ପରିମାର୍ଜିତ ଥିଲା ଯେ, ଯାହା ଏବେବି ମାନସପଟରେ ଲିପିବଦ୍ଧ ହୋଇ ରହିଛି। ଏକାନ୍ନବର୍ତ୍ତି ପରିବାରରେ ମା’ବାପାଙ୍କ ସହ ଜେଜେ, ଜେଜେମା’, ବଡ଼ମା’, ବଡ଼ବାପା, ଦାଦା ଖୁଡ଼ୀ, ପିଉସୀ ଓ ଭାଇଭଉଣୀମାନଙ୍କ ଗହଣରେ ବିତିଯାଇଥିବା ଅନେକ ସୁଖଦୁଃଖର ଦିନଗୁଡ଼ିକ ଅଭୁଲା ସ୍ମୃତି ଭାବେ ସାଇତା ହୋଇ ରହିଛି। ମା’ଙ୍କ ହାତପରଷା କଂସାଏ ପଖାଳ ସାଙ୍ଗକୁ ମହୁରାଡ଼ି ମାଛ ଚୁଡୁଚୁଡ଼ା, ବଡ଼ିଚୂରା ଆଉ ଶାଗ ଖରଡ଼ା ଖାଇ ଛାଙ୍କେ ତୋରାଣି ପିଇଦେଇ ଯେଉଁ ଆମତ୍ତୃପ୍ତି ମିଳୁଥିଲା, ସେପରି ତୃପ୍ତି ଆଜିର ତାରକା ହୋଟେଲରେ କାହିଁ! ଶିଳବଟା ମସଲା ଦେଇ କାଠଚୁଲିରେ ମାଟିହାଣ୍ଡି ବସାଇ ଯେଉଁ ମାଂସ ତରକାରି ରନ୍ଧା ଯାଉଥିଲା ତା’ର ମହକ ଆଉ ସ୍ବାଦ ଥିଲା ସ୍ବତନ୍ତ୍ର। ଚକିଚୂରା ଚାଉଳ ଅଟାରେ ପ୍ରସ୍ତୁତ ଚକୁଳି, ମଣ୍ଡା, ଏଣ୍ଡୁରି, ଆରିସା ଆଉ ପୁଆପିଠାର ଅଭୁଲା ସ୍ବାଦ ଆଜି କୌଣସି ଦାମିକା ରେଷ୍ଟୁରାଣ୍ଟରେ ପାଇବା ଅସମ୍ଭବ। ପ୍ରାୟ ପ୍ରତ୍ୟେକଙ୍କ ଘରେ ଦୁହଁାଳିଆ ଗାଈ ରହୁଥିବା ଗାଁରେ କ୍ଷୀର, ଦହି, ଛେନା, ଲହୁଣି, ଘିଅର ଅଭାବ ନଥିଲା। ଖରାବେଳେ ଝିଅବୋହୂମାନେ କଉଡ଼ି ଖେଳରେ ମାତି ଅନ୍ୟ ସାଥୀମାନଙ୍କ ସହ ଯେପରି ମଧୁର ସମ୍ପର୍କ ସ୍ଥାପନ କରୁଥିଲେ, ତାହା ଅତୁଟ ରହୁଥିଲା।
ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଲୋକେ ବିଦ୍ୟାର ମନ୍ଦିର ବୋଲି ବିବେଚନା କରୁଥିଲେ। ସେତେବେଳର ଶିକ୍ଷକମାନେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ପ୍ରତି ସଚେତନ ଥିଲେ, ଆଜି ତାହା ଦେଖିବା ବିରଳ। ପାଠପଢ଼ା ସମୟରେ ଶ୍ରେଣୀକକ୍ଷରେ ଶିକ୍ଷକମାନେ ଉପରକୁ କଠୋର ବୋଲି ପ୍ରତୀୟମାନ ହେଉଥିଲେ ମଧ୍ୟ ସାମାଜିକ ଜୀବନରେ ନିଜର ଭଦ୍ର, ନମ୍ର ଆଉ ବିନୟୀ ସ୍ବଭାବକୁ ପ୍ରତିପାଦିତ କରି ସବୁରି ଦୃଷ୍ଟିରେ ନମସ୍ୟ ହୋଇ ପାରୁଥିଲେ। ସମୟ ସ୍ରୋତରେ ଆଜି ସମାଜରେ ଅନେକ କିଛି ଓଲଟପାଲଟ ହୋଇଯାଇଛି। କିନ୍ତୁ ଇଚ୍ଛାହୁଏ, ସେହି ସ୍ମୃତିବିଜଡ଼ିତ ବିତିଯାଇଥିବା ଅତୀତର ଅଭୁଲା ଦିନଗୁଡ଼ିକ ପାଖକୁ ପୁଣିଥରେ ଫେରିଯିବା ପାଇଁ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ:୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri