ଶ୍ରୀଜଗନ୍ନାଥ ଓ ଗଜପତି

ଶ୍ରୀଜଗନ୍ନାଥଙ୍କ ସେବକ ତାଲିକାରେ ସର୍ବାଗ୍ରେ ଗଜପତିଙ୍କ ନାମ ଥିବାରୁ ସେ ଶ୍ରୀଜୀଉମାନଙ୍କର ଆଦ୍ୟ ସେବକ ଭାବେ ସ୍ବୀକୃତ। ସ୍କନ୍ଦ ପୁରାଣ ବର୍ଣ୍ଣିତ ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି, ନୀଳମାଧବ ପ୍ରମୁଖଙ୍କ ବ୍ୟାଖ୍ୟାନ ସମୟରୁ ଏ ଯାବତ ହିନ୍ଦୁ ମତବାଦୀଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ, ହିନ୍ଦୁ ଏବଂ ଓଡ଼ିଶା ଏକ ଓ ଅଭିନ୍ନ ରହିଛନ୍ତି। ସମୟକ୍ରମେ ଗଙ୍ଗବଂଶୀୟ ଶାସକମାନେ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ଭାବେ ମାନ୍ୟତା ଦେଇଥିଲେ। ସେହି ବଂଶଜ ଅନଙ୍ଗ ଭୀମ ଦେବ(୩) ନୂତନ ମନ୍ଦିର ନିର୍ମାଣ କରି ନିଜକୁ ଶ୍ରୀଜୀଉଙ୍କ ରାଉତ (ସେବକ) ବୋଲାଇ ସମର୍ପିତ ଆଚରଣ ଓ ଉଚ୍ଚାରଣରେ ରାଜ୍ୟ ଶାସନ କରିବା ଯୋଗୁ ଜନମାନସରେ ରାଜାଙ୍କ ପ୍ରତି ସ୍ବତନ୍ତ୍ର ସ୍ଥାନ ରହିଲା। ପରବର୍ତ୍ତୀ ସମୟରେ କପିଳେନ୍ଦ୍ର ଦେବ ନିଜକୁ ସୂର୍ଯ୍ୟବଂଶୀ ଓ ଗଜପତି ଘୋଷଣା କରି ଦାକ୍ଷିଣାତ୍ୟର ବହୁ ରାଜ୍ୟ ଜୟକରି ଆଣିଥିବା ଷୋହଳଟି ହାତୀ ପିଠିରେ ବହୁ ମହଣ ସ୍ବର୍ଣ୍ଣ ଓ ରତ୍ନାଦିକୁ ଶ୍ରୀମନ୍ଦିରକୁ ସମର୍ପଣ କରିଥିଲେ। ନିଜ ବଡ଼ପୁଅକୁ ସେ ଖେମଣ୍ଡି ବା ବର୍ତ୍ତମାନର ପାରଳାଖେମୁଣ୍ଡି ରାଜ୍ୟ ଦାୟିତ୍ୱ ଦେଇଥିବାରୁ ଏବେବି ସେହି ରାଜବଂଶ ଗଜପତି ଭାବେ ନାମିତ ହେଉଛନ୍ତି। କପିଳେନ୍ଦ୍ର ଦେବ ନିଜକୁ ଶ୍ରୀଶ୍ରୀ ଗଜପତି ଗୌଡ଼େଶ୍ବର ନବକୋଟୀ କର୍ନାଟ ଉତ୍କଳ କଳବର୍ଗେଶ୍ବର ବିରାଧିବୀରବର ଉପାଧିରେ ଭୂଷିତ କରିଥିଲେ, ଯାହା କି ଏବେ ମଧ୍ୟ ଭୋଇ ବଂଶ ରାଜାଙ୍କ ଶାସନରେ ପ୍ରଚଳିତ ହୋଇଆସୁଛି । ତାଙ୍କ ସାନପୁଅ ପୁରୁଷୋତ୍ତମ କାଞ୍ଚି ଜୟ କରି ପଦ୍ମାବତୀଙ୍କ ସହ ଆଣିଥିବା ଧନରତ୍ନ ମଧ୍ୟ ଶ୍ରୀଜୀଉମାନଙ୍କ ସମ୍ପତ୍ତି ବୋଲି ବିବେଚନା କରିଥିଲେ। ସେତେବେଳକୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଚତୁଃପାର୍ଶ ଓ ବାଇଶି ପାହାଚରେ ରାଜାଙ୍କ ଦ୍ୱାରା ସମାର୍ଜନୀ ସେବା ବା ଛେରାପହଁରା ହେଉଥିଲା, ଯାହାକି କାଞ୍ଚି ରାଜାଙ୍କ ଦୃଷ୍ଟିକଟୁ ହୋଇଥଲା। ତା’ ପରବର୍ତ୍ତୀ ମୋଗଲ ଶାସନ ବେଳେ ଶ୍ରୀମନ୍ଦିର ୧୮ଥର ଲୁଣ୍ଠିତ ହୋଇଛି। ଶ୍ରୀଜୀଉମାନଙ୍କୁ କଳାପାହାଡ଼ ଅଗ୍ନିରେ ଦଗ୍ଧ କରିଥିଲା। ବିଶର ମହାନ୍ତି ଦ୍ୱାରା ଉଦ୍ଧାର ବ୍ରହ୍ମକୁ ନୂତନ ମୂର୍ତ୍ତିରେ ସ୍ଥାପନ ଓ ସେବାପୂଜା ପ୍ରଚଳନ କରି ଅଭିନବ ଇନ୍ଦ୍ରଦ୍ୟୁମ୍ନ ପଦପ୍ରାପ୍ତ ରାମଚନ୍ଦ୍ର ଦେବ(୧) ନିଜ ଶାସନ କାଳର ଯେଉଁ ଅଙ୍କ ପ୍ରଚଳନ କରିଥିଲେ ତାହା ପରମ୍ପରା ଭାବେ ଏବେବି ପୁରୁଷାନୁକ୍ରମେ ପ୍ରଚଳିତ ହୋଇ ପ୍ରତ୍ୟେକଙ୍କ ଜନ୍ମଜାତକରେ ଲିପିବଦ୍ଧ ରହୁଛି।
ଶ୍ରୀଜୀଉମାନଙ୍କ ସୁରକ୍ଷା ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ରଖିବାରେ ତତ୍କାଳୀନ ରାଜା, ପ୍ରଜା ଓ ସେବକ ଏକ ହେବା ନିଶ୍ଚିତ ବିରଳ ଘଟଣା। ଅତି ବିପଦ ଏବଂ ପ୍ରତିକୂଳ ସମୟରେ ଗଜପତି ରାମଚନ୍ଦ୍ର ଦେବ(୨) କେବଳ ଶ୍ରୀଜୀଉଙ୍କ ସୁରକ୍ଷା ପାଇଁ ବିଧର୍ମୀ ହେବାକୁ ମଧ୍ୟ ବାଧ୍ୟ ହୋଇଥିଲେ। କିନ୍ତୁ ଶ୍ରୀଜୀଉଙ୍କ ନିତ୍ୟ ଦର୍ଶନ ପାଇଁ ସେବକ ଓ ରାଜଗୁରୁଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଗୁମୁଟରେ ପତିତପାବନଙ୍କୁ ସ୍ଥାପନା କରାଯାଇଥିଲା। ସମ୍ଭବତଃ ଶ୍ରୀଜୀଉମାନଙ୍କ ସ୍ଥାନାନ୍ତର ବେଳେ ରଥଯାତ୍ରା ବନ୍ଦ ଯୋଗୁ ପ୍ରତୀକାତ୍ମକ ଛେରାପହଁରା କେବଳ ରଥ ଉପରେ ସୀମିତ ଯୋଗୁ ତାହା କ୍ରମେ ବିଧି ହୋଇଯାଇଛି।
୧୮୦୪ରେ ଗଜପତି ମୁକୁନ୍ଦ ଦେବ ଶ୍ରୀମନ୍ଦିର ତତ୍ୱାବଧାରକ ଓ ଶ୍ରୀଜୀଉମାନଙ୍କ ସେବା ଦାୟିତ୍ୱ ପାଇଥିଲେ। ବାର୍ଷିକ ୫୬,୩୪୨ଟଙ୍କା ପାଇ ୧୮୦୯ ମସିହାଠାରୁ ରାଜ୍ୟ ଓ ରାଜାପଦ ଛାଡ଼ି ପୁରୀରେ ସ୍ଥାୟୀ ଭାବେ ଅବସ୍ଥାନ କରିଥିଲେ । ‘ରାଜ୍ୟ ବିହୀନ ରାଜା’ଭାବେ ଓଡ଼ିଶା ରାଜାଙ୍କ ସ୍ଥାନ ଭାରତରେ ଏକମାତ୍ର ଉଦାହରଣ ହୋଇଥିଲା। ଯାହାକି ବାସ୍ତବରେ ଗଜପତିଙ୍କୁ ନିଃସ୍ବ କରିଦେଲା। ଶ୍ରୀମନ୍ଦିରରୁ ତାଙ୍କ ପାଇଁ ସ୍ବତନ୍ତ୍ର ଭୋଗରୁ ପ୍ରାପ୍ତ ଶ୍ରୀମହାପ୍ରସାଦ ସେବନ ଓ ଶ୍ରୀଜୀଉଙ୍କର ସେବା ହିଁ ତାଙ୍କର ଏକାନ୍ତ କାମ୍ୟ ରହିଲା। ଫଳତଃ ଶ୍ରୀଜୀଉମାନଙ୍କ ସେବକ ଭାବେ ତାଙ୍କର ଅନନ୍ୟ ସମର୍ପିତ ଭାବ ଯୋଗୁ ଜନସମର୍ଥନ ଅତୁଟ ରହିଲା ।
ଓଡ଼ିଶାରେ ଗଡ଼ଜାତ ସୃଷ୍ଟି ପରେ ପ୍ରତ୍ୟେକ ଗଡଜାତରେ ଶ୍ରୀଜଗନ୍ନାଥ ମନ୍ଦିର ନର୍ମାଣ ହେଲା। ସମ୍ପୃକ୍ତ ରାଜାମାନେ ନିଜକୁ ଶ୍ରୀଜୀଉମାନଙ୍କର ପୁରୀ ରାଜାଙ୍କ ଅନୁରୂପ ସେବକ ଭାବରେ ବିବେଚନା କରୁଥିଲେ। ଇଂରେଜ ଶାସନ କାଳରେ ଶ୍ରୀମନ୍ଦିର ଅକ୍ତିଆର ପାଇଁ ୧୮୮୨ରେ ପ୍ରଣୀତ ଆଇନ XIV ପୁରୀର ସେବକ ଓ ବ୍ରାହ୍ମଣମାନଙ୍କ ଆବେଦନ କ୍ରମେ ଲର୍ଡ ରିପନ୍‌ଙ୍କ ଦାରା ନିଷ୍କ୍ରିୟ ହୋଇଥିଲା। କିନ୍ତୁ ୧୮୮୪ ର ତତ୍କାଳୀନ ଗଜପତି ଦିବ୍ୟସିଂହ ଦେବ ଏକ ନରହତ୍ୟା ଅଭିଯୋଗରେ ଦେଶାନ୍ତରୀ ଦଣ୍ଡ ପାଇଥିଲେ। ନାବାଳକ ମୁକୁନ୍ଦ ଦେବଙ୍କୁ ନୂତନ ରାଜା ସ୍ବୀକାର ପରିବର୍ତ୍ତେ ଇଂରେଜ ସରକାର ଶ୍ରୀମନ୍ଦିର ପୁନଃ ଅକ୍ତିଆର ପ୍ରୟାସ କେବଳ ଉତ୍କଳ ଗୌରବ ମଧୁବାବୁଙ୍କ ଯୋଗୁ ନିଷ୍ଫଳ ହୋଇଥିଲା।
ଶ୍ରୀଜଗନ୍ନାଥ ଆଦ୍ୟ ସେବକ ଭାବରେ ପୁରୀ ଗଜପତି ମହାରାଜାଙ୍କର ନିତ୍ୟ ଚଳଣି ଓ ଆଚରଣ ପାଇଁ ମଧ୍ୟ ଲକ୍ଷ୍ମଣରେଖା ରହିଛି। ତାଙ୍କ ପାଇଁ ବ୍ରାହ୍ମଣ, ରାଜଗୁରୁ, ଦେବଦେବୀଙ୍କ ବ୍ୟତୀତ ଅନ୍ୟ କାହାକୁ ମଥାନତ ପ୍ରଣାମ ଓ କନ୍ୟାଦାନ ନିଷେଧ। ପିତା ମାତାଙ୍କ ଦେହାନ୍ତରେ ଅଶୌଚ ହୁଅନ୍ତି ନାହିଁ। ଜଣେ ବ୍ରାହ୍ମଣ ମୃତକଙ୍କ କ୍ରିୟା କର୍ମ କରନ୍ତି। ଗଜପତିଙ୍କ ପାର୍ଥତ୍ବ ଶରୀର ରାଜନଅର ମୁଖ୍ୟ ଦ୍ୱାର ଦେଇ ବାହାରକୁ ଆସେନାହିଁ। ଗଜପତି ଦିଜ ଭାବେ ନିଜ ଇଷ୍ଟଦେବୀଙ୍କ ନିତ୍ୟ ଆରାଧନା କରନ୍ତି। କୌଣସି ଅନୁଗ୍ରହ ପ୍ରତିଗ୍ରହଠାରୁ ଦୂରରେ ରହିବା ଏବଂ ସ୍ବପାକ ବା ସାତ୍ତ୍ୱିକ ଦେବପାକ ବ୍ୟତୀତ ପରପାକାନ୍ନ ଭୋଜନ ବାରଣ ରହିଛି। ଗଜପତି ରାଜନୀତି ସେବା ପାଇଁ ସିଂହଦ୍ୱାର ଦେଇ ଏବଂ ଅନ୍ୟବେଳେ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଆନ୍ତି। ଶ୍ରୀଜୀଉମାନଙ୍କ ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରାରେ ରଥ, ସ୍ନାନ ପୂର୍ଣ୍ଣିମା ସ୍ନାନବେଦୀ ଏବଂ ଚନ୍ଦନଯାତ୍ରାର ଆରମ୍ଭ ଓ ଶେଷ ଦିନ ବି ନୌକାରେ ଛେରାପହଁରା କରିବା ବିଧି ରହିଛି। ରାଜା ତାଙ୍କ ଅନୁପସ୍ଥିତିରେ ଶ୍ରୀଜୀଉମାନଙ୍କ ସେବା ପାଇଁ ଜଣେ ନାବାଳକ ପୁଷ୍ପାଳକଙ୍କୁ ମୁଦିରସ୍ତ ଭାବେ ନିଯୁକ୍ତ କରିଥାନ୍ତି। ଦେଶ ସ୍ବାଧୀନ ହେବା ପରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତକୁ ଗଲା। ଗଜପତିଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ କରାଗଲା। କିନ୍ତୁ ଶ୍ରୀମନ୍ଦିରର ପରିଚାଳନାରେ ଧାର୍ମିକ ନିଷ୍ପତ୍ତିର ଗୁରୁତ୍ୱ ରହୁଥିବାରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପରିଚାଳନା ପରାମର୍ଶଦାତା, ଗଜପତିଙ୍କୁ ପାରମ୍ପରିକ ନୀତି ପାଳନରେ ବ୍ରତୀ ହେବା ପାଇଁ ସୁଯୋଗ ଦେବା ଉଚିତ ନୁହେଁ କି?

– ହରିଶଙ୍କର ମିଶ୍ର
୧୧୩ ଗୁଣ୍ଡିଚା ବିହାର, ପୁରୀ
ମୋ- ୭୯୭୮୭୮୫୪୭୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri