ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍ଙ୍କ ବିରୋଧରେ ମହିଳା ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସର ସୂଚନା ଅନୁସାରେ, ଗତ ୨୨ ତାରିଖରେ ପରିବାର ସହ ଝଗଡ଼ା ପରେ ଯୁବତୀ ଘରୁ ବାହାରି ରେଳ ଷ୍ଟେଶନ୍କୁ ଯାଇଥିଲେ। ସେଠାରେ ଜଣେ ଲୋକୋ ପାଇଲଟ୍ଙ୍କ ସହ ତାଙ୍କର ଦେଖା ହୋଇଥିଲା। ଅଭିଯୋଗ ଅନୁସାରେ, ଲୋକୋ ପାଇଲଟ୍ ତାଙ୍କୁ ରେଳବାଇରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ।ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କୁ ସହାୟକ ଥାନା ଅଞ୍ଚଳର ବରମସିଆ ମହଲ୍ଲାରେ ଥିବା ଏକ ଭଡ଼ା ଘରକୁ ନେଇଯାଇଥିଲେ। ସେଠାରେ ତାଙ୍କ ସହ ବଳାତ୍କାର କରାଯାଇଥିବା ଯୁବତୀ ଅଭିଯୋଗ କରିଛନ୍ତି।
ଯୁବତୀଙ୍କ ଦାବି ଅନୁସାରେ, ଅଭିଯୁକ୍ତ କିଛି ପରିଚିତଙ୍କୁ ମଧ୍ୟ ସେଠାକୁ ଡାକିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଯୁବତୀ କୌଣସିମତେ ଘରୁ ବାହାରି ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଯୁବତୀ ଥାନାରେ ଲିଖିତ ଅଭିଯୋଗ ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କଟିହାର ଏସ୍ପିଙ୍କ ସୂଚନା ଅନୁସାରେ, ଅଭିଯୋଗ ମିଳିବା ପରେ ତୁରନ୍ତ ଏଫ୍ଆଇଆର୍ ରୁଜୁ କରାଯାଇଛି। ଘଟଣାର ତଦନ୍ତରେ ରେଳ ଷ୍ଟେସନ୍ ଓ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି । ଏହାସହ ଘଟଣାସ୍ଥଳରେ FSL ଟିମ୍ ଯାଞ୍ଚ କରିଛି । ଆଖପାଖର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।
ପୋଲିସ ଯୁବତୀଙ୍କ ମେଡିକାଲ୍ ପରୀକ୍ଷା କରାଇବା ସହ କୋର୍ଟରେ ତାଙ୍କ ବୟାନ ରେକର୍ଡ କରାଯାଉଛି । ଯେଉଁ ଘରେ ଘଟଣା ଘଟିଥିବା ଯୁବତୀ ଅଭିଯୋଗ କରିଛନ୍ତି, ସେହି ଘର ଜଣେ ଲୋକୋ ପାଇଲଟ୍ଙ୍କୁ ଭଡ଼ାରେ ଦିଆଯାଇଥିବା ପୋଲିସ କହିଛି।

