ସାହିତ୍ୟ ଓ ଅର୍ଥନୀତି

ମଣୀନ୍ଦ୍ର କୁମାର ମେହେର

 

୧୯୪୭ ରୁ ଆଜିପର୍ଯ୍ୟନ୍ତ ଯଦି ଆମେ କୌଣସି ଅର୍ଥନୀତି ବିଶାରଦଙ୍କ ଦୃଷ୍ଟି ନେଇ ନୁହେଁ, ସାଧାରଣ ବିବେଚନା ଶକ୍ତିସମ୍ପନ୍ନ ମଣିଷ ହିସାବରେ ବିଚାର କରିବା ତେବେ ଏକଥା ଉପଲବ୍ଧି କରିବା ପାଇଁ ବିଳମ୍ବ ହେବ ନାହିଁ ଯେ କୌଣସି ଯୋଜନା ଦରିଦ୍ରତମ ଲୋକଟିର ମଙ୍ଗଳ ସକାଶେ ଉଦ୍ଦିଷ୍ଟ ହୋଇ ରହିନାହିଁ।
ଯଦି କାହା କର୍ତ୍ତୃତ୍ୱରେ ହୋଇଥାନ୍ତା ତା’ହେଲେ ଭାରତବର୍ଷରେ ଦାରିଦ୍ର୍ୟ ସୀମାରେଖା ତଳେ କୋଟି କୋଟି ଲୋକ ରହି ନ ଥାନ୍ତେ। କେଉଁ ଯୋଜନା ସେମାନଙ୍କ ପାଇଁ ପ୍ରସ୍ତୁତ ହେଉଛି ତାହା ଜାଣିପାରିବା ଭଳି ଗଭୀର ଜ୍ଞାନ ଆମ ପାଖରେ ଅନୁପସ୍ଥିତ। ବିଶିଷ୍ଟ ଅର୍ଥନୀତିଜ୍ଞ ବୈଦ୍ୟନାଥ ମିଶ୍ର ଭାରତର ଏଭଳି ଯୋଜନା ସମ୍ପର୍କରେ ଅନେକ ପ୍ରବନ୍ଧ ରଚନା କରିଛନ୍ତି। ସେସବୁ ଅର୍ଥନୈତିକ ବିଷୟ ଆଧାରିତ ସାହିତି୍ୟକ ଗଦ୍ୟ ରଚନା ଭାବରେ ପରିଗୃହୀତ। ଅର୍ଥନୀତି ସମ୍ପର୍କରେ ଯେତେବେଳେ ବିଶ୍ଳେଷଣାତ୍ମକ ବୋଧଗମ୍ୟ ପ୍ରବନ୍ଧ ରଚନା କରାଯିବ ତାହା ସାହିତ୍ୟ ପର୍ଯ୍ୟାୟବାଚୀ ହେବା ସାଭାବିକ। ଓଡ଼ିଶାର ଚୌଧୁରୀ ପରିବାରର ବିଶିଷ୍ଟ ସଂଗ୍ରାମୀ ମନମୋହନ ଚୌଧୁରୀ ମଧ୍ୟ ଏପରି କେତେକ ପ୍ରବନ୍ଧ ରଚନା କରିଯାଇଛନ୍ତି। ସେଗୁଡ଼ିକର ଭାଷା ଏତେ ସରଳ ସୁସ୍ପଷ୍ଟ ଓ ବୋଧଗମ୍ୟ ଯେ କୌଣସି ଜଟିଳ ତତ୍ତ୍ୱ ମଧ୍ୟକୁ ପ୍ରବେଶ କରିବା ପରି ଆଦୌ ଲାଗେ ନାହିଁ। ଅର୍ଥନୈତିକ ଚିନ୍ତାଧାରା ଏବଂ ବିଭିନ୍ନ ତତ୍ତ୍ୱକୁ ଲୋକାଭିମୁଖୀ ସେତେବେଳେ କରାଯାଇପାରିବ, ଯେତେବେଳେ ଏହାର ଉପସ୍ଥାପନ ଶୈଳୀ ହେବ ସମସ୍ତଙ୍କ ପାଇଁ ଏକାନ୍ତ ପଠନୀୟ ଓ ଗ୍ରହଣୀୟ। ଅର୍ଥନୀତି ସମ୍ପର୍କରେ ବିରାଟ ବିରାଟ ବିବରଣାତ୍ମକ ତଥା ଗବେଷଣାତ୍ମକ ଗ୍ରନ୍ଥ ରହିଛି। ଯେଉଁମାନେ ଅର୍ଥନୀତିର ଛାତ୍ରୀଛାତ୍ର ଓ ଅଧ୍ୟାପକ ଅଧ୍ୟାପିକା ସେମାନେ କଠିନ ପରିଶ୍ରମ ସ୍ବେଦନିର୍ଗତ କରି ସେସବୁ ତତ୍ତ୍ୱ ପରୀକ୍ଷା ପାଇଁ ମୁଖସ୍ଥ କରନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହାର ପ୍ରୟୋଗ କିପରି କରାଯାଇଛି ଓ ସେପରି ତତ୍ତ୍ୱ ଲୋକ କଲ୍ୟାଣ ନିମିତ୍ତ କେତେ କାର୍ଯ୍ୟରେ ରୂପାନ୍ତରିତ ହୋଇଛି ତାହା ଅନୁଭବ କରିବାର ଶକ୍ତି ସେମାନଙ୍କଠାରେ ଲକ୍ଷ୍ୟ କରାଯାଏ ନାହିଁ। ଅର୍ଥନୀତି ଅଥବା ବାଣିଜ୍ୟ ପାଠ୍ୟ ବିଷୟ ଶ୍ରେଣୀ କକ୍ଷରେ ଆକର୍ଷଣୀୟ ଭାବରେ ଉପସ୍ଥାପନ କରିବା ଲାଗି ଯଦି କୌଣସି ଅଧ୍ୟାପିକା ଅଧ୍ୟାପକ ଇଚ୍ଛା ପୋଷଣ କରିବେ ତା’ ହେଲେ ସେମାନଙ୍କୁ ଉପସ୍ଥାପନ କୌଶଳରେ ଅତ୍ୟନ୍ତ ନରମ ଓ ସରଳ ହେବା ପାଇଁ ପଡ଼ିବ। ଏପରି କୋମଳତା ଓ ସାରଲ୍ୟ ଯେଉଁଠି ଉପସ୍ଥିତ ତାହା ସାହିତ୍ୟ ଭାବରେ ଗୃହୀତ ହେବ ନିଶ୍ଚୟ।
ପ୍ରତ୍ୟେକ ମଣିଷର ହୃଦୟରେ ସାହିତ୍ୟର ଭାବରାଶି ପରିପୂର୍ଣ୍ଣ ହୋଇ ରହିଛି। ଯିଏ ଯେଉଁ ବିଦ୍ୟା ଅଧ୍ୟୟନ କରନ୍ତୁନା କାହିଁକି ଯଦି ତାହା କଲ୍ୟାଣକର ଭାବନାରେ ଅନୁସିକ୍ତ ହୋଇ ନ ପାରିଛି, ତାହା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସିନା ସାହାଯ୍ୟ କରିବ; କିନ୍ତୁ ବିଦ୍ୟାର୍ଥୀ ଅନ୍ତରରେ କୌଣସି ଦେଶପ୍ରେମ ଭରିଦେଇ ପାରିବ ନାହିଁ। ତେଣୁ ପ୍ରଥମ କଥା ହେଲା ଅର୍ଥଶାସ୍ତ୍ର ସାହିତ୍ୟସିକ୍ତ ହେବା ଆବଶ୍ୟକ। ଦ୍ୱିତୀୟକଥା ହେଉଛି ତାହା ସର୍ବଦା ସମାଜ କଲ୍ୟାଣ ପାଇଁ ଦିଗ୍‌ଦର୍ଶନ ଦେଉଥିବା ଆବଶ୍ୟକ। ମହାତ୍ମା ଗାନ୍ଧୀ ଏକ ମହାନ୍‌ ନୀତିର ଅବତାରଣା କରିଛନ୍ତି ଏ କ୍ଷେତ୍ରରେ। ତାହାକୁ କୁହାଯାଏ ତସ୍ତିଷ୍ଠିତ ବା ନ୍ୟାସିତତ୍ତ୍ୱ। ଏହାର ଗୁଣାର୍ଥ ହେଲା ଯେ ପ୍ରତ୍ୟେକ ବ୍ୟକ୍ତିର ସ୍ବାଧୀନତା ଅଛି ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ। ମାତ୍ର ନିଜ ପାଇଁ ଯେତିକି ଅର୍ଥ ଆବଶ୍ୟକ କେବଳ ସେତିକି ସ୍ବତଃପ୍ରବୃତ୍ତ ଭାବରେ ଗ୍ରହଣ କରି ବଳକା ସମସ୍ତ ଲାଭାଂଶ ସମାଜ ନିମିତ୍ତ ନିୟୋଜିତ ହେବ। ଏପରି ମହାନ୍‌ କାର୍ଯ୍ୟ ଯେଉଁମାନେ କରିଛନ୍ତି ସେମାନେ ହେବେ ଦେଶର ଟ୍ରଷ୍ଟି। ଏହାକୁ ଅନେକ ଅର୍ଥନୀତିଜ୍ଞ ୟୁକୋପିଆ ବା ଅବାସ୍ତବ ପରିକଳ୍ପନା ବୋଲି ଅଭିହିତ କରିଛନ୍ତି। ଗାନ୍ଧିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୀତି କିପରି ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ, ତାହା ଆକଳନ କରିବା ପାଇଁ ସେମାନେ ଅପ୍ରସ୍ତୁତ। ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ସନ୍ଥବିନୋବା ଗାନ୍ଧିଜୀଙ୍କ ଏହି ଭାବାଦର୍ଶକୁ କିପରି ବାସ୍ତବ ରୂପ ପ୍ରଦାନ କରିଯାଇଛନ୍ତି ତାହା କାହାକୁ ଅଜଣା ନୁହେଁ। ତାହା ହେଲା ”ଭୂଦାନ ଯଜ୍ଞ ନା ଭୂଦାନ ଆନ୍ଦୋଳନ।“ ବିନୋବାଜୀ ଦେଶର ରାଜା ମହାରାଜା ଗୌନ୍ତିଆ ତଥା ଅଗଣିତ ଜମି ମାଲିକମାନଙ୍କୁ ଆହ୍ବାନ ଦେଇଥିଲେ ଯେ ଭାରତବର୍ଷରେ ଯେଉଁମାନେ ଭୂମିହୀନ ସେମାନଙ୍କୁ ଏହି ବହୁଳ ଭୂସମ୍ପତ୍ତିର ଅଧିକାରୀମାନେ ସ୍ବେଚ୍ଛାକୃତ ଭାବରେ ଜମିଦାନ କରିବେ। ଆଶ୍ଚର୍ଯ୍ୟର କଥା ଅତ୍ୟନ୍ତ ଅଲୌକିକ ଭାବରେ ଏହା ଭାରତବର୍ଷର ଚତୁର୍ଦ୍ଦିଗରେ ବାସ୍ତବ ରୂପ ପରିଗ୍ରହ କରିଥିଲା। ବିନୋବାଜୀଙ୍କ ପରେ ଆଉ ଏ ଧାରା ଅବ୍ୟାହତ ହୋଇ ରହିପାରିଲା ନାହିଁ।
ସାମ୍ପ୍ରତିକ ଅର୍ଥନୀତିଜ୍ଞଙ୍କ ତତ୍ତ୍ୱାଦର୍ଶ ଉପରେ ମଧ୍ୟ ଆଲୋକପାତ କରାଯାଇପାରେ। ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିବା ଅମର୍ତ୍ତ୍ୟ ସେନଙ୍କ ପ୍ରସଙ୍ଗ ବିଚାର କରାଯାଉ। ସେ କାହିଁକି ଅର୍ଥନୀତିରେ ନୋବେଲ ପୁରସ୍କାର ଅର୍ଜନ କରିବାକୁ ଯୋଗ୍ୟ ବିବେଚିତ ହେଲେ। ତାଙ୍କ ଦ୍ୱାରା ବର୍ଣ୍ଣିତ ତତ୍ତ୍ୱ ଏହି ସତ୍ୟ ଉଦ୍‌ଘାଟନ କଲା ଯେ, ପୃଥିବୀରେ ଖାଦ୍ୟାଭାବରୁ ମରୁଡି ହୁଏ ନାହିଁ। ବରଂ ଖାଦ୍ୟର ସମବଣ୍ଟନ ଅଭାବରୁ ଏହି ସମସ୍ୟା ଦେଖାଦିଏ। ବାସ୍ତବରେ ଆମ ପୃଥିବୀରେ ଯେ ଖାଦ୍ୟର ଅଭାବ ରହିଛି ତାହା ନୁହେଁ। ଯେଉଁମାନେ ଖାଦ୍ୟାଭାବରୁ ଅସୁସ୍ଥ ହେଉଛନ୍ତି ଅଥବା ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ନିକଟକୁ ପୁଷ୍ଟିକର ଖାଦ୍ୟ ପହଞ୍ଚତ୍ପାରୁ ନାହିଁ ବା ପହଞ୍ଚାଇ ଦେବାର ବ୍ୟବସ୍ଥା ହେଉଛି ଦୁର୍ବଳ। ଭୋକିଲା ମଣିଷର ଅନ୍ତର୍ବେଦନା ଯଦି ଅମର୍ତ୍ତ୍ୟ ସେନଙ୍କୁ ଆଲୋଡିତ କରି ନ ଥାନ୍ତା ତା’ ହେଲେ ସେ ଏହି ନିରାଟ ସତ୍ୟକଥାଟିକୁ ତାଙ୍କ ଦ୍ୱାରା ପରିବେଷିତ ତତ୍ତ୍ୱରେ ପ୍ରତିପାଦିତ କରିପାରି ନ ଥାନ୍ତେ। ଜଣେ ମାକ୍ସବାଦୀ କବି ବା ଲେଖକ ମଧ୍ୟରେ ଯେଉଁ ସହାନୁଭୂତି ରହିଥାଏ ଅମର୍ତ୍ତ୍ୟ ସେନଙ୍କ ହୃଦୟରେ ସେହି ସାହିତି୍ୟକ ଭାବଧାରା ଗୁମ୍ପିତ ଥିଲା ବୋଲି ସେ ମାନବ ଜାତିର କଲ୍ୟାଣ ସକାଶେ ନିଜ ଗବେଷଣାରେ ଅଗ୍ରଗତି ସାଧନ କରିପାରିଥିଲେ।
ଯେକୌଣସି ପ୍ରକାରର ବିଦ୍ୟାହେଉ, ତାହା ଯେ ଲୋକ କଲ୍ୟାଣ ସାଧନ ନିମିତ୍ତ ଉଦ୍ଦିଷ୍ଟ ଏହି ସତ୍ୟକୁ କିଏ ବା ଅସ୍ବୀକାର କରିପାରିବ। ସେ ଦୃଷ୍ଟିରୁ ଅର୍ଥନୀତି ଯେହେତୁ ଜନକଲ୍ୟାଣକାମୀ ତାହା ଯେପରି ଭାବରେ ଉପସ୍ଥାପିତ ହୋଇଥାଉନା କାହିଁକି ତାହାର ମୂଳ ପ୍ରେରଣା ହେଲା ସାହିତ୍ୟ। ଏ ପୃଥିବୀରେ ଏମିତି କୌଣସି ଅର୍ଥନୀତିଜ୍ଞ ନାହାନ୍ତି ଯେଉଁମାନେ ବୈଦିକ ଋଷିର ମନ୍ତ୍ରଦ୍ୱାରା କିମ୍ବା କୌଣସି ସାହିତ୍ୟର ସର୍ବଶ୍ରେଷ୍ଠ ପଦ ପଂକ୍ତି ବା ବାକ୍ୟାଂଶ ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ତେନ ତ୍ୟକ୍ତେନ ଭୁଞ୍ଜିଥାଃ ଅର୍ଥାତ୍‌ ସମସ୍ତଙ୍କ ସହିତ ବଣ୍ଟନ କରି ଖାଦ୍ୟ ଗ୍ରହଣ କର ଏହାହିଁ ଯଦି ସକଳ ଅର୍ଥତତ୍ତ୍ୱର ମୂଳ ସନ୍ଦେଶ ତାହା ହେଲେ ତାହା ସାହିତ୍ୟର ଆଭିମୁଖ୍ୟଠାରୁ ଯେ ଭିନ୍ନ ନୁହେଁ। ଏକଥା ଯେ କେହି ନିର୍ଦ୍ୱନ୍ଦ୍ୱରେ ସ୍ବୀକାର କରିବେ। ସାହିତ୍ୟର ସର୍ଜନା ଯେଉଁ ମହାନ ଉଦ୍ଦେଶ୍ୟ ନେଇ ସମ୍ଭବ ହୋଇଛି ତା’ଠାରୁ କେଉଁ ବିଦ୍ୟା ଅବା ନିଜକୁ ବିଚ୍ଛିନ୍ନ କରି ରଖିପାରିବ ? ଅର୍ଥନୀତିର ଛାତ୍ରୀଛାତ୍ର, ଗବେଷକ ଗବେଷିକା ଓ ଶିକ୍ଷାବିତ୍‌ମାନେ ଏହି କଲ୍ୟାଣମୂଳକ ବିଦ୍ୟାର ଉପଯୋଗିତା ଅନୁଭବ କରିବା ଦ୍ୱାରା ପରୋକ୍ଷ ଭାବରେ ସାହିତ୍ୟର ଆତ୍ମା ସହିତ ସେମାନଙ୍କ ସମ୍ବନ୍ଧ ସ୍ଥାପିତ ହୋଇଯାଏ। ଏହି ନିଗୂଢ଼ ଉପଲବ୍ଧି ଅର୍ଥନୀତି ଓ ଅର୍ଥନୀତି ବିଶାରଦମାନଙ୍କୁ ଯେ ସାହିତ୍ୟାଭିମୁଖୀ କରିଛି, କରୁଛି ଓ କରୁଥିବ ଏଥିରେ ସନ୍ଦେହ ନାହିଁ।
ପ୍ରଫେସର ଓ ବିଭାଗ ମୁଖ୍ୟ,
ସ୍ନାତକୋତ୍ତର ଭାଷ୍ୟ ଓ ସାହିତ୍ୟ ବିଭାଗ
ଫକୀରମୋହନ ବିଶ୍ୱବିଦ୍ୟାଳୟ,ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri