
୧୯୯୮ ମେ’ ୧୦ରେ ମୁମ୍ବାଇଠାରେ ଡା. ମଦନ କାଟାରିଆଙ୍କ ତତ୍ତ୍ୱାବଧାନରେ ପ୍ରଥମେ ବିଶ୍ୱ ହସ ଦିବସ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମେ’ ପ୍ରଥମ ରବିବାରକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତବର୍ଷ ଏହି ଦିବସ ଲାଗି ଥିମ୍ ରହିଛି ‘ସ୍ବାସ୍ଥ୍ୟ, ଶାନ୍ତି ଏବଂ ଖୁସି ପାଇଁ ହସ’। ୧୫ ମିନିଟ୍ର ହସ ୪୦ କ୍ୟାଲୋରି ପର୍ଯ୍ୟନ୍ତ ଦହନ କରିଥାଏ ଏବଂ ଏହା ଶାରୀରିକ ଓଜନ କମାଇବା ତଥା ସୁସ୍ଥ ରହିବାରେ ସହାୟକ ହୋଇଥାଏ।
ପ୍ରଖ୍ୟାତ ହାସ୍ୟାଭିନେତା ଚାର୍ଲି ଚାପଲିନ୍ କହିଥିଲେ, ‘ଯେଉଁଦିନ ମୁଁ ହସି ନ ଥାଏ, ସେ ଦିନ ମୋର ବେକାର ଗଲା ପରି ମନେକରେ।’ ବାସ୍ତବରେ ‘ହସ’ ଏପରି ଏକ ଅମୂଲ୍ୟ କାର୍ଯ୍ୟ ଯାହା ପ୍ରତ୍ୟେକ ମଣିଷ ପାଇଁ ଅଶେଷ ହିତକାରୀ। ଏଥିସହ ଏହା ଅନେକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାରରୁ ମୁକ୍ତି ଦେଇଥାଏ।
ମଣିଷ ବିଷାଦଗ୍ରସ୍ତ ହେଲେ ତା’ର ଉପକାରୀ ହରମୋନ୍ ଓ ରାସାୟନିକ ତତ୍ତ୍ୱ କ୍ଷରଣରେ ବାଧା ସୃଷ୍ଟି ହୋଇଥାଏ। ମନ ଓ ମାନସିକ ଅବସ୍ଥାକୁ ସନ୍ତୁଳନ କରୁଥିବା ରାସାୟନିକ ପଦାର୍ଥ ଯଥା- ଗାବା, ସିରୋଟୋନିନ୍, ଆଡ୍ରେନାଲିନ୍ ଓ ଡୋପାମିନ୍ଗୁଡ଼ିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆମର ଦୁଃଖ, ବ୍ୟାକୁଳତା, ଆନନ୍ଦ ଓ ହସ ସହିତ ଜଡ଼ିତ ଥାଆନ୍ତି। ଡୋପାମିନ କମ୍ ହେଲେ ବିଷାଦ ଆସିଥାଏ ଓ ଆଡ୍ରେନାଲିନ୍ ଅଧିକ ହେଲେ ଉନ୍ମାଦନା ଓ ଚଞ୍ଚଳତା ଆସିଥାଏ। ମଣିଷ ଚାପଗ୍ରସ୍ତ, ବିଷାଦଗ୍ରସ୍ତ ଓ ଆତୁର ନ ରହିଲେ ତା’ର ଆଭ୍ୟନ୍ତରୀଣ ଶରୀରର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ଚାଲିଥାଏ, ନଚେତ୍ ସବୁ କାର୍ଯ୍ୟ ଶିଥିଳ ହୋଇଯାଏ। ଅଧିକାଂଶ ରୋଗ ମନ ସହିତ ଜଡ଼ିତ ଓ ଖାଲି ଶାରୀରିକ ରୋଗର ଚିକିତ୍ସା କଲେ ସେସବୁ ଭଲ ହୋଇ ନ ଥାଏ। ବରଂ ଉଭୟ ଶାରୀରିକ ଓ ମାନସିକ ବ୍ୟତିକ୍ରମର ଚିକିତ୍ସା କଲେ ରୋଗୀଟି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ।
ହସ ଓ କାନ୍ଦ ଦୁଇଟି ମଧ୍ୟରୁ ହସ ପାଇଁ ଅଧିକ ମାଂସପେଶୀ କାର୍ଯ୍ୟ କରିଥାଆନ୍ତି। କାନ୍ଦ ଯଦିଓ ମଣିଷର ଅନ୍ତରରୁ ଅନେକ ଦୁଃଖ ଓ କଷ୍ଟ ଧୋଇଦେଇଥାଏ। ହସ ମଣିଷକୁ ପ୍ରଫୁଲ୍ଲତା ପ୍ରଦାନ କରିଥାଏ। ଗୋଟିଏ ହସ କୋଟିଏଙ୍କ ମନରେ ପୁଲକ ଭରି ଦେଇଥାଏ, ମାତ୍ର ଏହା ଆକ୍ଷେପପୂର୍ଣ୍ଣ, ଅପମାନିତ କରିବା ଭଳି ହେବା ଉଚିତ ନୁହେଁ।
-ଡା. ରାମଚନ୍ଦ୍ର ରାଉତ, ପୂର୍ବତନ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ମୋ:୮୨୪୯୦୮୭୯୯୮