ଉଦାରବାଦୀ ବିଦ୍ୱାନ୍‌

ଭାରତୀୟ ଧର୍ମୀୟଧାରାକୁ ଦେଖିଲେ ପ୍ରତ୍ୟେକ ଧର୍ମରେ ରକ୍ଷଣଶୀଳ ଚିନ୍ତାଧାରାକୁ ଅନେକେ ଗ୍ରହଣ କରିଥାଆନ୍ତି। କିନ୍ତୁ କେତେକେ ସେହି ଶଗଡ଼ଗୁଳାରେ ନ ଯାଇ ବାସ୍ତବବାଦୀ ଆଭିମୁଖ୍ୟ ନେଇଥାଆନ୍ତି। ମଣିଷର ଜୀବନଧାରାକୁ ଏଭଳି ବ୍ୟକ୍ତି ଧର୍ମଠାରୁ ଊର୍ଦ୍ଧ୍ୱରେ ଦେଖୁଥିବାରୁ ସେମାନେ ଉଦାହରଣ ପାଲଟିଥାଆନ୍ତି। ନିକଟରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମବିଭୂଷଣ’ ପାଇବା ଲାଗି ୭ ଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ମୌଲାନା ଓ୍ବାହିଦୁଦ୍ଦିନ୍‌ ଖାନ୍‌ଙ୍କୁ ଆଧ୍ୟାତ୍ମବାଦ ଲାଗି ମନୋନୀତ କରାଯାଇଛି। ଏହି ଇସ୍‌ଲାମୀୟ ବିଦ୍ୱାନ୍‌ ଗତାନୁଗତିକ ଧାରାରୁ ଉପରକୁ ଉଠି ବହୁ ସଂସ୍କାରମୂଳକ ପଦକ୍ଷେପ ନେଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଉଜ୍ଜ୍ୱଳ ହୋଇଛି।
ଭାରତୀୟ ଇସ୍‌ଲାମୀୟ ବିଦ୍ୱାନ୍‌ ତଥା ଶାନ୍ତିକାମୀ ବ୍ୟକ୍ତି ଭାବେ ପରିଚିତ ଓ୍ବାହିଦୁଦ୍ଦିନ୍‌ ଉତ୍ତରପ୍ରଦେଶ ଆଜମଗଡ଼ ଜିଲାର ବାଢରିଆଠାରେ ୧ ଜାନୁୟାରୀ ୧୯୨୫ରେ ଜନ୍ମଗ୍ରହଣ କରିଥିଲେ। ଧର୍ମଗ୍ରନ୍ଥ ‘କୋରାନ୍‌’ର ସେ ସରଳ ଭାଷାନ୍ତର କରିଛନ୍ତି। ତାହା ଇଂଲିଶ ଭାଷାରେ ଅନୁବାଦିତ ହେବା ପରେ ଚାରିଆଡ଼େ ଆଦୃତ ହୋଇଛି। ଇସ୍‌ଲାମରେ ମହିଳାଙ୍କ ଅଧିକାର, ତତ୍‌କ୍ଷଣାତ୍‌ ଟ୍ରିପଲ୍‌ ତଲାକ୍‌, ଜେହାଦ, ଆତଙ୍କବାଦ ଓ ପରିବାର କଲ୍ୟାଣ (ଫାମିଲ୍‌ ପ୍ଲାନିଂ) ଆଦି ଅତି ବିବାଦୀୟ ବିଷୟ ଉପରେ ୯୬ ବର୍ଷୀୟ ଖାନ୍‌ଙ୍କ ସୁଚିନ୍ତିତ ମତ ଯୁକ୍ତିସଙ୍ଗତ ମନେହୋଇଛି। ଏସବୁ ସରଳ ଓ ସାବଲୀଳ ଢଙ୍ଗରେ ବର୍ଣ୍ଣନା କରାଯାଇଥିବାରୁ ଅନେକଙ୍କ ବୌଦ୍ଧିକ ବିକାଶରେ ସହାୟକ ହୋଇପାରିଛି। ଉର୍ଦ୍ଦୁ ଭାଷାରେ ଅଭ୍ୟସ୍ତ ବ୍ୟକ୍ତିଙ୍କ ନିକଟରେ ତାଙ୍କ ଚିନ୍ତାଧାରା ସୀମିତ ନ ରହି ହିନ୍ଦୀ ଓ ଇଂଲିଶ୍‌ଭାଷୀଙ୍କ ଦ୍ୱାରା ଶ୍ରଦ୍ଧାଭାଜନ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷରେ ତାଙ୍କର ସିଧାସଳଖ ଓ ଯୁକ୍ତିସଙ୍ଗତ ମତକୁ ଇସ୍‌ଲାମ ଧର୍ମାବଲମ୍ବୀଙ୍କ ମଧ୍ୟରୁ କେତେକେ ସ୍ବାଗତ କରୁ ନ ଥିବାରୁ ସେ ଜମାତ୍‌ ଉଲେମା ଓ ତବଲିଘି ଜମାତ୍‌ ପରି ସଙ୍ଗଠନଠାରୁ ନିଜକୁ ଦୂରେଇ ରଖିଛନ୍ତି। ଗତ ୩୦ ବର୍ଷ ତଳେ ସେ ଦେଇଥିବା ସ୍ବଧୀନଚେତା ବିଚାରକୁ କେତେକେ ବିରୋଧ କରିଆସୁଛନ୍ତି। ବାବ୍ରୀ ମସ୍‌ଜିଦ୍‌କୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ମତୈକ୍ୟ ନ ରହିବା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସେହିପରି ବିଶିଷ୍ଟ ଲେଖକ ସଲମାନ୍‌ ରଶ୍‌ଡୀଙ୍କ ‘ସାଟାନିକ୍‌ ଭର୍ସେସ୍‌’ ଉପରେ ପ୍ରତିବନ୍ଧକ ଲଗାଯିବାକୁ ବିରୋଧ କରିଥିଲେ। ସେ କହିଥିଲେ ଯେ, ରଶ୍‌ଡୀଙ୍କ ଚିନ୍ତାଧାରା ଓ ଲେଖା ସହ କୌଣସି ମୁସଲ୍‌ମାନ ଏକମତ ହୋଇ ନ ପାରନ୍ତି। କିନ୍ତୁ ଲେଖକଙ୍କ ଅଧିକାରକୁ କ୍ଷୁଣ୍ଣ କଲାଭଳି ମନ୍ତବ୍ୟ ବା କାର୍ଯ୍ୟ କରାଯିବା ଉଚିତ ନୁହେଁ । ସାଟାନିକ୍‌ ଭର୍ସେସ୍‌ ରଶ୍‌ଡୀଙ୍କ ଏକ କାଳ୍ପନିକ କୃତି। ତାହାକୁ ଧର୍ମୀୟ ପରିଧି ଭିତରକୁ ଅଣାଯାଇ ବିବାଦୀୟ କରାଯିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ।
ସଂସ୍କାରଧର୍ମୀ ପଦକ୍ଷେପ ଯୋଗୁ ଓ୍ବାହିଦୁଦ୍ଦିନ୍‌ ବିଶ୍ୱର ୫୦୦ ଶ୍ରେଷ୍ଠ ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ସ୍ଥାନିତ ହୋଇପାରିଛନ୍ତି। ରାଜନୀତି ସହ ଧର୍ମ ବିଶ୍ୱାସକୁ ମିଶ୍ରଣ କରାଯିବା ଠିକ୍‌ ନୁହେଁ। ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ ସୃଷ୍ଟି କରିବା ଲାଗି ସେ ୨୦୦୪ରେ ‘ବାଜପେୟୀ ହିମ୍ମତ କମିଟି’ ଗଠନ କରିଥିଲେ। ଅବଶ୍ୟ ସେତେବେଳେ ଖାନ୍‌ଙ୍କ ଭାରତୀୟ ଜନତା ପାର୍ଟି (ଭାଜପା)ର ନୈକଟ୍ୟ ହୋଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏଭଳି ସମାଲୋଚନାରେ ସେ ବ୍ୟତିବ୍ୟସ୍ତ ନ ହୋଇ ନିଜ ଶକ୍ତି ଓ ଭାବନାକୁ ଦେଶରେ ଶାନ୍ତି ଓ ଆଧ୍ୟାତ୍ମିକତା ଦିଗରେ ଉପଯୋଗ କରିଥିଲେ। ତାଙ୍କ ଲେଖକୀୟ କୃତି ଦେଖିଲେ ସେ ଇସ୍‌ଲାମ, ଧର୍ମ ପ୍ରବର୍ତ୍ତକଙ୍କ ସମ୍ବନ୍ଧୀୟ ପ୍ରଜ୍ଞା, ଆଧ୍ୟାତ୍ମିକତା, ଆଧୁନିକତା ସହ ଇସ୍‌ଲାମର ବହୁବିଧ ସମାଜରେ ସହାବସ୍ଥାନ ଏବଂ ଧର୍ମନିରପେକ୍ଷତା ଉପରେ ୨୦୦ ପୁସ୍ତକ ରଚନା କରିଛନ୍ତି। ସମ୍ପାଦନା ଓ ପ୍ରକାଶନ କ୍ଷେତ୍ରରେ ଖାନ୍‌ଙ୍କ ଅବଦାନ ରହିଆସିଛି। ୧୯୭୬ରେ ‘ଅର୍‌-ରିସାଲା’ (ବାର୍ତ୍ତା) ନାମରେ ଏକ ଉର୍ଦ୍ଦୁ ପତ୍ରିକା ଆରମ୍ଭ କରିଥିଲେ। ୧୯୮୪ ଫେବୃୟାରୀରେ ଏହାର ଇଂଲିଶ୍‌ ଓ ୧୯୯୦ରେ ହିନ୍ଦୀ ସଂସ୍କରଣ ବାହାରିବା ପରେ ବହୁଳ ଆଦୃତ ହୋଇଥିଲା। ଜୀବନବ୍ୟାପୀ ଧର୍ମନିରପେକ୍ଷତା, ସାମାଜିକ ସଂସ୍କାର ଓ ଲେଖକୀୟ ଅଭିବ୍ୟକ୍ତି ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇପାରିଛନ୍ତି। ସେଥିମଧ୍ୟରେ ରୁଷିଆର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭ୍‌ଙ୍କ ପୃଷ୍ଠପୋଷକତାରେ ଦିଆଯାଉଥିବା ଡେମ୍ୟୁର୍ଗସ୍‌ ଅନ୍ତର୍ଜାତୀୟ ଶାନ୍ତି ପୁରସ୍କାର, ୨୦୦୦ ମସିହାରେ ପଦ୍ମଭୂଷଣ, ମଦର ଟେରେସାଙ୍କ ଦ୍ୱାରା ‘ନ୍ୟାଶନାଲ ସିଟିଜେନ୍ସ ଆଓ୍ବାର୍ଡ’, ୨୦୦୯ରେ ରାଜୀବ ଗାନ୍ଧୀ ଜାତୀୟ ସଦ୍‌ଭାବନା ସମ୍ମାନ ଏବଂ ୨୦୨୧ରେ ପଦ୍ମବିଭୂଷଣ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟର ସ୍ବୀକୃତି ବହନ କରୁଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri