ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି । ସେହି ସମୟରେ ସାଧାରଣ ପ୍ରଜାଙ୍କ ଜମିର ମୂଲ୍ୟ କମ ଆକଳନ କରାଯାଇଥିଲା। ବହୁ ଦାବି ପରେ ଏକର ପ୍ରତି ସାରଦ-୨ କିସମ ଜମିର ମୂଲ୍ୟ ୧ ଲକ୍ଷ ୫୭ ହଜାର ଟଙ୍କା ଓ ପତିତ ଜମିର ମୂଲ୍ୟ ୧ ଲକ୍ଷ ଟଙ୍କା ଚାଷୀ ପାଇଛନ୍ତି। ଏହି କ୍ରମରେ ଇଡ୍‌କୋ ଜରିଆରେ କେବଳ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ୯ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ଆବଣ୍ଟନ କରାଯାଇଛି। ଲୋକଙ୍କ ଜମିରେ ବଡ଼ ବଡ଼ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି। କିନ୍ତୁ ଜମିହରାମାନେ ସର୍ବହରା ହୋଇ ନିଯୁକ୍ତି କିମ୍ବା ଅତିରିକ୍ତ କ୍ଷତିପୂରଣ ପାଇଁ ଅନଶନ, ଧାରଣା, ଆନ୍ଦୋଳନ କରୁଥିଲେ ବି ସରକାର ଶୁଣୁ ନାହାନ୍ତି। ଏହି କ୍ରମରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ତହସିଲ ଅନ୍ତର୍ଗତ ଯଖପୁରା ଗ୍ରାମବାସୀ ଭିସିଆଇ କେମିକାଲ ପ୍ରାଇଭେଟ ଲିଃ ଏବଂ ଅନ୍ୟ କମ୍ପାନୀଗୁଡିକୁ ଇଡ୍‌କୋ ଜରିଆରେ ମିଳିଥିବା ଜମିର ଅତିରିକ୍ତ କ୍ଷତିପୂରଣ ବାବଦକୁ ଏକର ପ୍ରତି ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି। ତେଣୁ ଭିସିଆଇ ପକ୍ଷରୁ ପୂର୍ବରୁ ଅର୍ଥାତ୍‌ ୨୦ା୮ା୨୦୨୩ରେ ହୋଇଥିବା ଜନଶୁଣାଣିକୁ କ୍ଷତିଗ୍ରସ୍ତ ପ୍ରଜାମାନେ ବିରୋଧ କରିଥିବାବେଳେ ପରବର୍ତ୍ତୀ ସମୟରେ ୧୯ା୧୧ା୨୦୨୩ରେ କଳେବଳେ କୌଶଳେ ଅନୁମତି ନେଇଥିବା ମତପ୍ରକାଶ ପାଇଛି। ଇତିମଧ୍ୟରେ ଉକ୍ତ ଜମିରେ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଥିବା ସହ ବିନା ଅନୁମତିରେ ମୋରମ ଲକ୍ଷାଧିକ ଟ୍ରିପ ଖନନ କରି ରାତିରେ ବାହାରକୁ ଚାଲାଣ କରୁଛି। ଏନେଇ ଲଘୁ ଖଣି ବିଭାଗ ମଧ୍ୟ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପରୋକ୍ଷରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି।
ଯାଜପୁର ଜିଲାର ଦାନଗଦି ତହସିଲ ଅନ୍ତର୍ଗତ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳସ୍ଥିତ ଯଖପୁରା ଏବଂ କଚେରୀଗାଁରେ ୧.୦ ଏଲ୍‌ଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ ଫିଲ୍ଡ କୋଲଟାର ଡିଷ୍ଟିଲେଶନ ପ୍ରକଳ୍ପ ପ୍ରସ୍ତାବ ରହିଛି। ଗତ ୧୯ା୧୧ା୨୦୨୩ରେ ଦାନଗଦି ଭବନଠାରେ ଅନୁଷ୍ଠିତ ସର୍ବସାଧାରଣ ଶୁଣାଣିରେ ଜନକଲ୍ୟାଣ, ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କମ୍ପାନୀ ପ୍ରତିଷ୍ଠା କରାଯିବ। କିନ୍ତୁ ଜନସାଧାରଣଙ୍କ ଦ୍ୱାରା ଦର୍ଶାଯାଇଥିବା ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ପଦଟିଏ ବି ଜନଶୁଣାଣୀ ବିବରଣୀରେ ପ୍ରତିଶ୍ରୁତି ଦେଇ ନାହାନ୍ତି। ଏହି କ୍ରମରେ କ୍ଷତିଗ୍ରସ୍ତ ପ୍ରଜା ଅସନ୍ତୋଷ ପ୍ରକାଶ କରି ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଦେଇଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି, ଦ୍ୱିତୀୟ ଇସ୍ପାତ୍‌ କାରଖାନା ନିର୍ମାଣ ପାଇଁ ୧୯୯୨ରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜମି ଅଧିଗ୍ରହଣ ହୋଇଥିଲା। ପରନ୍ତୁ ଦ୍ୱିତୀୟ ଇସ୍ପାତ୍‌ କାରଖାନା ନିର୍ମାଣ ନ ହେବାରୁ ଉକ୍ତ ଅଧିଗ୍ରହଣ ଜମି ଦୀର୍ଘ ବର୍ଷ ଧରି ପଡି ରହିଲା। ପରେ ବିଭିନ୍ନ ଘରୋଇ କାରଖାନାଗୁଡିକୁ ସରକାର ଖଣ୍ଡ ଖଣ୍ଡ କରି ଅଧିଗୃହୀତ ଜମି ଦେଇ ଚାଲିଛନ୍ତି। ପୂର୍ବରୁ ଟାଟା ଷ୍ଟିଲ ଓ ଅନ୍ୟାନ୍ୟ କାରଖାନାଗୁଡିକୁ ବିରୋଧ ହେବା ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏକର ପ୍ରତି ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଛି। କିନ୍ତୁ କଚେରୀଗାଁ, ଦଶମାଣିଆ, ଯଖପୁରା ମୌଜାରେ ଥିବା ଜମିରେ କୌଣସି କାରଖାନା ନିର୍ମାଣ ନ ହେବାରୁ ଚାଷୀମାନେ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। ବର୍ତ୍ତମାନ ଭିସିଆଇ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡିକୁ ଇଡ୍‌କୋ ଉକ୍ତ ଜମି ଉପରେ କାରଖାନା ନିର୍ମାଣ କରିବା ପାଇଁ ଅନୁମତି ଦେଇଛନ୍ତି। ତେଣୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ଏବଂ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ କାରଖାନା ନିର୍ମାଣକୁ ବିରୋଧ କରୁଛୁ ବୋଲି କ୍ଷତିଗ୍ରସ୍ତ ଚାଷୀ ଆଦିକାନ୍ତ ରାଉତ, ମନୋଜ କୁମାର ରାଉତ, ବାବାଜୀ ଚରଣ ସାମଲ, କୈଳାସ ଚନ୍ଦ୍ର ଜେନା, ବେଣୁଧର ରାଉତରାୟ, ହୃଦାନନ୍ଦ ରାଉତ, ଜୟନ୍ତ କୁମାର ରାଉତ, ଶରତ କୁମାର ରାଉତ, ସହଦେବ ସାମଲ, ବନମାଳୀ ସାମଲ, ଭାଗିରଥୀ ସାମଲ, ଶଙ୍କର ମଳିକ, ଚନ୍ଦ୍ରକାନ୍ତ ଜେନା, ମଦନମୋହନ ଜେନା ପ୍ରମୁଖ ଦାବି କରିଛନ୍ତି।
ରାଜ୍ୟର ଅନ୍ୟ ଶିଳ୍ପାଞ୍ଚଳଗୁଡ଼ିକରେ ରୟତମାନେ ଜମିର କ୍ଷତିପୂରଣ ବାବଦକୁ ଏକର ପ୍ରତି ୧୦ଲକ୍ଷ ୮୨ ହଜାର ଟଙ୍କା ପାଇଛନ୍ତି। ସମ୍ବଲପୁର ଜିଲାରେ ଏହାର ଉଦାହରଣ ରହିଛି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଥମେ ଜମି ଅଧିଗ୍ରହଣ ବେଳେ ଏକର ପିଛା ୫୨ ହଜାର ଟଙ୍କା ମିଳିଥିଲା। ଏହାପରେ ୨୦୦୬-୦୭ରେ ସଂଶୋଧିତ ଆଇନରେ ୪୮ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଗଲା। ଏହାକୁ ମିଶି ୧ ଲକ୍ଷ ଟଙ୍କା ମିଳିଥିଲା। ତେଣୁ ଏକର ପିଛା ଆହୁରି ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ ବାସଚ୍ୟୁତ କମିଟି ଦାବି କରି ଆସୁଛି। ଏହାବାଦ୍‌ ଜମି ହରାଇଥିବା ବିସ୍ଥାପିତଙ୍କୁ ବଂଶାନୁକ୍ରମେ ନିଯୁକ୍ତି, ସରକାରୀ ଜମିକୁ ୨୦ ବର୍ଷରୁ ଊର୍ଦ୍ଧ୍ୱ ଜବରଦଖଲ ହୋଇଥିବା ଜମିକୁ ଭୂ-ଅର୍ଜନ ଆଇନ ୧୮୯୪ରେ ଅନ୍ତର୍ଭୁକ୍ତ କରାଯାଇ ଏକର ପିଛା ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦେବାକୁ ଦାବି ହେଉଛି। ଏହାକୁ ମଧ୍ୟ କୌଣସି ସରକାରୀ ଅଧିକାରୀ ଶୁଣିବାକୁ ନାରାଜ। ଜୋରଜବରଦସ୍ତ ଜମି ଅଧିଗ୍ରହଣ ପାଇଁ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା ଭଳି ବର୍ବରତା ଉଦାହରଣ ରହିଛି। ଯେଉଁ କେତେଜଣ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ଜମି ଅଧିଗ୍ରହଣକୁ ସେତେବେଳେ ସମର୍ଥନ କରିଥିଲେ ସେମାନେ କୋଟିପତି ହୋଇଥିବାବେଳେ ଜମିହରାମାନେ ସର୍ବହରା ହୋଇଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri