କୋରାପୁଟ କଫି

କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ବହୁ ଲୋକଙ୍କ ଧାରଣା ଯେ, ଏହା ଏକ ଅନଗ୍ରସର ଅଞ୍ଚଳ। କିନ୍ତୁ ଯେଉଁମାନେ କୋରାପୁଟ ଯାଇଛନ୍ତି ସମସ୍ତେ ଜାଣନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟ ସହ କୋରାପୁଟରେ ଅନେକ ଆଧୁନିକ ଶିଳ୍ପ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରାଯାଉଛି। ଏଠାରେ ଅନେକ ପ୍ରତିଷ୍ଠାନ ଗଢ଼ିଉଠିଛି ଯାହାକି ଏହି ଅଞ୍ଚଳର ମାନକୁ ଜାତୀୟ ସ୍ତରକୁ ନେଇପାରିଛନ୍ତି। ଏବେ ବୈଶ୍ୱିକ କଫି ମାନଚିତ୍ରରେ କୋରାପୁଟ ସ୍ଥାନ ପାଇପାରିଛି। ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ୫ମ ବିଶ୍ୱ କଫି ସମ୍ମିଳନୀରେ କୋରାପୁଟ ଉତ୍ପାଦିତ କଫି ୩ଟି ପୁରସ୍କାର ଲାଭ କରିଛି। ସେଠାରେ ଉତ୍ପାଦିତ ଗୋଟିଏ କିସମ(କୃତି କଫିର ‘କିନ୍ଦିରିଗୁଡ଼ା ନେଚୁରାଲ’୍ସ୨୦୨୨-୨୩ ବ୍ୟାଚ୍‌)କୁ ସର୍ବୋତ୍କୃଷ୍ଟ ନେଚୁରାଲ କଫି ପୁରସ୍କାର ମିଳିଥିବାବେଳେ ଆଉ ଗୋଟିକୁ ସେମି ଓ୍ବାଶ୍‌ଡ ବର୍ଗରେ ସବୁଠୁ ଭଲ ଓ ଅନ୍ୟ ଏକ କିସମକୁ ଓ୍ବାଶ୍‌ଡ ବର୍ଗରେ ୫ମ ସ୍ଥାନ ମିଳିଥିବା କଫି ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି। କୋରାପୁଟ ଜିଲାର ପ୍ରାକୃତିକ ପରିବେଶରେ ଚାଷ କରାଯାଉଥିବା ସବୁଠୁ ପୁରାତନ କିସମର କଫି ଏବେ ବିଶ୍ୱ କଫି ପ୍ରତିଯୋଗିତାରେ ନିଜକୁ ଉତ୍କୃଷ୍ଟ ବୋଲି ସାବ୍ୟସ୍ତ କରିପାରିଛି। ଉଲ୍ଲେଖନୀୟ ଯେ, କୋରାପୁଟ କଫି ଚାଷର ଇତିହାସ ବହୁ ପୁରୁଣା। ପ୍ରଥମେ ଜୟପୁର ମହାରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ୧୯୩୦ରେ ଏହି ଚାଷ ଆରମ୍ଭ କରିଥିଲେ। ଜୟପୁର ଜମିଦାରି ଉଚ୍ଛେଦ ହେବା ପରେ ଏହା ପ୍ରାୟ ବନ୍ଦ ହୋଇଯାଇଥିଲା। ପରେ ୨୦୧୭ରେ ଜିଲା ପ୍ରଶାସନ କଫି ଡେଭଲପମେଣ୍ଟ ଟ୍ରଷ୍ଟ ଗଠନ କରି କୋରାପୁଟକୁ କଫି କେନ୍ଦ୍ର କରିବାକୁ ପ୍ରୟାସ ଜାରି ରଖିଛି। ଏବେ କୋରାପୁଟରେ ପାଖାପାଖି ୪ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଛି। ଏକ ସରକାରୀ ଅନୁଧ୍ୟାନରୁ ଜଣାପଡ଼ିଛି ,ଏହି ଜିଲାରେ ୧.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ। ରାଜ୍ୟ ସରକାର ଚଳିତ ବର୍ଷ କଫି ମିଶନ ଘୋଷଣା କରିବା ପରେ କୃଷି ବିଭାଗ କଫିଚାଷକୁ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରକୁ ବିସ୍ତାରକରି ଆଗାମୀ ୫ ବର୍ଷ ମଧ୍ୟରେ ଉତ୍ପାଦନ ୧୦ ଗୁଣ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ପ୍ରଥମେ କେବଳ ଆଦିବାସୀମାନେ ଏହି ଚାଷ କରୁଥିଲେ ଓ ଏବେ ଅଣ ଆଦିବାସୀମାନେ ଏଥିରେ ସାମିଲ ହୋଇଛନ୍ତି। କୋରାପୁଟ ଉତ୍ପାଦିତ କଫିକୁ ଆନ୍ଧ୍ର ବ୍ୟବସାୟୀ କିଣିନେଇ ତାହାକୁ ‘ଆର୍‌କୁ’ କଫି ନାମରେ ଦେଶବ୍ୟାପୀ ବିକୁଥିବା ଅନେକେ ଜାଣିଥିବେ। ତେବେ ଟ୍ରାଇବାଲ ଡେଭଲପ୍‌ମେଣ୍ଟ କୋ-ଅପରେଟିଭ କର୍ପୋରେଶନ ଅଫ୍‌ ଓଡ଼ିଶା ଲମିଟେଡ୍‌(ଟିଡିସିସିଓଏଲ୍‌) କଫି ପ୍ରୋସେସିଂ କରି ତାହାକୁ କୋରାପୁଟ କଫି ବ୍ରାଣ୍ଡ୍‌ରେ ବିକ୍ରି କରୁଛି। ଏହା ଅନେକ ଶହ ପରିବାରର ଜୀବିକାର ମାଧ୍ୟମ ହୋଇଛି।
କଫି ଉତ୍ପାଦନରେ ବିଶ୍ୱରେ ଷଷ୍ଠ ସ୍ଥାନରେ ଅଛି ଭାରତ। କଫି ଉତ୍ପାଦନ ଓ ଏହାର ବଜାର ଅଭିବୃଦ୍ଧି ଲାଗି କଫି ବୋର୍ଡ ଅଫ୍‌ ଇଣ୍ଡିଆ ପ୍ରୟାସ ଜାରି ରଖିଛି। ଭାରତରେ ମୋଟ କଫି ଉତ୍ପାଦନର ୯୦% କର୍ନାଟକ ଓ କେରଳରେ, ୫% ତାମିଲନାଡୁରେ ଏବଂ ଅବଶିଷ୍ଟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ରାଜ୍ୟରେ ହେଉଛି। ଭାରତରେ ଯୁବବର୍ଗଙ୍କ ମଧ୍ୟରେ କଫିର ଆଦର ବଢୁଥିବାରୁ ଏହାର ବଜାର ବୃଦ୍ଧି ପାଉଛି। କାଫେ ସଂସ୍କୃତି ମଧ୍ୟ ସମୟ ସହ ତାଳଦେଇ ଆଗକୁ ବଢୁଛି। ସାଧାରଣ ଲୋକେ ମଧ୍ୟ ଚା’ ବଦଳରେ କଫିର ସ୍ବାଦ ଜାଣିଲେଣି । ନୂତନ ଯୁଗର କଫି ଚେନ୍‌ ବଜାରରେ ପ୍ରବେଶକରି ସେମାନଙ୍କ ସ୍ଥିତି ବଢ଼ାଇବାରେ ଲାଗିଛନ୍ତି। ଏହି କାଫେ ବିପ୍ଳବରେ ଚେନ୍‌ ଦୋକାନ ଭାବେ ବାରିଷ୍ଟା,କାଫେ କଫି ଡେ,କୁମ୍ବାକୋନମ୍‌, ବ୍ରୁବେଣୀ ଭଳି କେତୋଟି ନାମ ଭାରତ ବ୍ୟାପୀ ସୁପରିଚିତ ହୋଇସାରିଲାଣି। ଏତଦ୍‌ବ୍ୟତୀତ ଆମେରିକାର କଫି ଚେନ୍‌ ଷ୍ଟାର୍‌ ବକ୍‌ ୨୦୧୨ରେ ଭାରତରେ ପ୍ରବେଶ କରିବା ପରେ ଏବେ ଦେଶର ୪୪ ସହରରେ ୩୬୦ ଷ୍ଟୋର ଖୋଲି ସାରିଲାଣି। ତେବେ ଓଡ଼ିଶାରେ ଉତ୍ପାଦିତ କୋରାପୁଟ କଫିକୁ ଜାତୀୟ ସ୍ବୀକୃତି ମିଳିବା ପରେ ଏହାର ଉତ୍ପାଦନ ବୃଦ୍ଧି ଓ ବଜାରୀକରଣ ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ୍‌ ହୋଇପାରେ। ଏଣୁ କଫି ମିଶନର ଲକ୍ଷ୍ୟ ହାସଲ ପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଚାଷ କ୍ଷେତ୍ରରେ ଗବେଷଣା ଓ ଆଧୁନିକ ପଦ୍ଧତିକୁ ଗୁରୁତ୍ୱ ଦେଲେ ଓଡ଼ିଶା କଫି ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ହୋଇପାରନ୍ତା। କଫି ଚାଷକୁ ୬ଜିଲାରେ ବ୍ୟାପକ କରାଗଲେ ତାହା ଚାଷୀଙ୍କୁ ସ୍ଥାୟୀ ଜୀବିକା ଯୋଗାଇଦେବ। କିନ୍ତୁ ଦୁଃଖର ବିଷୟ କେତେଜଣ ଅମଲାତନ୍ତ୍ରୀଙ୍କ ମସୁଧା ଯୋଗୁ ଓଡ଼ିଶାର କଫି ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ଟାଟା କମ୍ପାନୀକୁ ଧରାଇ ଦିଆଯାଇଛି, ଯାହାକି ଭବିଷ୍ୟତରେ ସାଧାରଣ ଚାଷୀଙ୍କୁ କ୍ଷତି ପହଞ୍ଚାଇପାରେ। କୋରାପୁଟ କଫିର ବଜାର ଏବେ ପୁରୀ ଓ ଭୁବନେଶ୍ୱରରେ ସୀମିତ ଥିବା ଜଣାଯାଏ। ଏହାର ପ୍ରସାର ଗୋଟିଏ କମ୍ପାନୀକୁ ଦେବା ପରିବର୍ତ୍ତେ ସେଥିରେ ପ୍ରତିଯୋଗିତାମୂଳକ ବ୍ୟବସାୟକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri