ଜ୍ଞାନ ଅଜ୍ଞାନ

ରିତେଶ କୁମାର ଶିଶୁ

 

ସାରା ସଂସାରରେ ଯେତେସବୁ ଜ୍ଞାନ ଅଛି, ତାହା ଏ ମାନବ ଜାତିର ଏକ ସାମୂହିକ ସଫଳତା। ପିଢ଼ି ପରେ ପିଢ଼ି ଅନେକ ବ୍ୟକ୍ତିଙ୍କର ଲବ୍ଧ ଜ୍ଞାନ ମିଶି ଆଜି ମାନବ ସମାଜର ସାମଗ୍ରିକ ବିକାଶ ହୋଇଛି। ଏମିତି ଦେଖିଲେ ସଂସାରର ସମସ୍ତ ବ୍ୟକ୍ତି କିଛି ନା କିଛି ଜ୍ଞାନର ଅଧିକାରୀ। ହେଲେ ସେହି ଲବ୍ଧ ଜ୍ଞାନ ମଧ୍ୟରୁ ଅଧିକାଂଶ ଜୀବନରେ ଅନ୍ୟମାନଙ୍କୁ ଅନୁସରଣ, ଅନୁକରଣ ଓ ପଠନ ପୂର୍ବକ ମିଳିଥାଏ ତ କିଞ୍ଚତ୍ତ୍‌ ଜ୍ଞାନ ନିଜସ୍ବ ଓ ମୌଳିକ ଥାଏ। ସେଥିମଧ୍ୟରୁ ବ୍ୟକ୍ତିର ନିଜସ୍ବ ଓ ମୌଳିକ ଜ୍ଞାନ ସମାଜରେ ନୂତନ ପରିବର୍ତ୍ତନର କାରଣ ହୋଇଥାଏ। ହେଲେ ଏହି ଜ୍ଞାନର ଜଡ଼ ଆଗରୁ ପ୍ରକୃତି ମଧ୍ୟରେ ଲୁକ୍କାୟିତ ଥାଏ ଓ ମଣିଷ ଏହାକୁ ଉନ୍ମୋଚନ କରିବାର ଏକ ମାଧ୍ୟମ ମାତ୍ର। ଉଦାହରଣ ସ୍ବରୂପ ବିଜୁଳି ଶକ୍ତି ଆଗରୁ ପ୍ରକୃତିରେ ଥିଲା। କିନ୍ତୁ ବେଞ୍ଜାମିନ୍‌ ଫ୍ରାଙ୍କ୍‌ଲିନ ଥିଲେ ପ୍ରଥମ ବ୍ୟକ୍ତି, ଯିଏ ବିଜୁଳି ଶକ୍ତିକୁ ଉଦ୍ଭାବନ କରି ମଣିଷ ସମାଜକୁ ଜଣାଇଲେ। ସେହିପରି ଆଜିଯାଏ ଯେତେସବୁ ସାମାଜିକ, ବୈଜ୍ଞାନିକ ବା ବୈଷୟିକ ଆବିଷ୍କାର ଓ ଉଦ୍ଭାବନ ହୋଇଛି, ସବୁ ଏହି ପ୍ରକୃତିରେ ଲୁକ୍କାୟିତ ଥିଲା, ଯାହା କାଳକ୍ରମେ ଆମେ ଉନ୍ମୋଚନ କରି ଆମ କାର୍ଯ୍ୟରେ ଲଗାଇପାରିଛେ।
ଜ୍ଞାନ ପ୍ରାପ୍ତି ପାଇଁ ଯେଉଁ ଧୀଶକ୍ତି, ସାଧନା, ଅଧ୍ୟବସାୟ ଓ ଜିଜ୍ଞାସା ଆବଶ୍ୟକ, ତାହା ଆସିଥାଏ ମାନସିକ ଏକାଗ୍ରତାରୁ ଓ ଏହି ମାନସିକ ଏକାଗ୍ରତା ଦୃଢ଼ କରିବାକୁ ଆବଶ୍ୟକ ହୋଇଥାଏ ଜପ, ଧ୍ୟାନ ଆଦି ଆଧ୍ୟାମତ୍ିକ ମାର୍ଗ। ଏକ ପ୍ରଚଣ୍ଡ ମାନସିକ ଶକ୍ତିସମ୍ପନ୍ନ ବ୍ୟକ୍ତି ହିଁ ବେଦ, ଉପନିଷଦ ଆଦିକୁ ମନେରଖିପାରିବ, ଅନ୍ୟଥା ଲିଖିନ ପଦ୍ଧତିର ଆବିଷ୍କାର ପୂର୍ବରୁ ଏହିସବୁ ଗ୍ରନ୍ଥଗୁଡ଼ିକୁ ପିଢ଼ି ପରେ ପିଢ଼ି ମନେରଖିବା ହୁଏତ ଅସମ୍ଭବ ହୋଇଥାଆନ୍ତା। ଆଜି ଲିଖନ ଓ ମୁଦ୍ରଣ ପଦ୍ଧତିର ଆବିଷ୍କାର ପରେ ବୋଧହୁଏ ସେହି ପ୍ରଚଣ୍ଡ ମାନସିକ କସରତର ଆଉ ବିଶେଷ ଆବଶ୍ୟକତା ପଡ଼ୁନାହିଁ। ତେବେ ଆଜି ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଅନେକ ଆବିଷ୍କାର ଓ ଉଦ୍ଭାବନ ହୋଇଛି, କିନ୍ତୁ ଏହି ଜ୍ଞାନ ବିଶାଳ ବିଶ୍ୱବ୍ରହ୍ମାଣ୍ଡର ଅଜ୍ଞତା ତୁଳନାରେ ଅତି ସୀମିତ। ଅଜ୍ଞାନ ତ ଏହି ସୀମାହୀନ ବିଶ୍ୱ ପରି ଅସୀମ, ଯାହାର କିଛି କିଛି ଅଂଶ ଆମେ ଅନାବୃତ କରି ଚାଲିଛେ। ଆଜି ଅନାବୃତ ଜ୍ଞାନ ଆସନ୍ତାକାଲି ପରିବର୍ତ୍ତନ ମଧ୍ୟ ହୋଇଯାଉଛି। ଜ୍ଞାନର ସତ୍ୟତା ଆଜି ଯାହା କାଲି ତାହା ଆଉ କିଛି ପ୍ରମାଣିତ ହୋଇଯାଉଛି। ଯେପରି କି କିଛି ଶତାବ୍ଦୀ ପୂର୍ବରୁ ମଣିଷର ଜ୍ଞାନ ଥିଲା ଯେ ସମସ୍ତ ଗ୍ରହ ନକ୍ଷତ୍ର ତଥା ସୂର୍ଯ୍ୟ ପୃଥିବୀ ଚାରିପଟେ ଘୂରି ବୁଲୁଛନ୍ତି, କିନ୍ତୁ ଆଜି ସେହି ଜ୍ଞାନ ଅସତ୍ୟ ପ୍ରମାଣିତ। ଜ୍ଞାନ ପରିବର୍ତ୍ତନଶୀଳ ଓ ଆଜିର ଜ୍ଞାନ କାଲି ଅଜ୍ଞତାରେ ପରିଣତ ହୋଇଯାଉଛି।
ସେହିପରି ଏ ଜଗତରେ ଯେତିକି ବସ୍ତୁ ବା ଶକ୍ତି ମାନବକୁ ଦୃଶ୍ୟମାନ, ତାହାଠାରୁ ଅନେକ ଗୁଣ ଅଧିକ ଅଦୃଶ୍ୟ ହୋଇ ରହିଛି। ଆମେ ଦେଖୁଥିବା ଆଲୋକ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ଆୟାମର ମାତ୍ର ୦.୦୦୩୫%, ଯାହାଦ୍ୱାରା ଆମେ ଦୃଶ୍ୟମାନ ଜଗତକୁ ଦେଖିପାରୁଛେ। ଆଲୋକର ଏହି ଦୃଶ୍ୟମାନ ତରଙ୍ଗ ବାହାରେ ବେତାର ତରଙ୍ଗ, ଇନ୍‌ଫ୍ରାରେଡ୍‌ ତରଙ୍ଗ, ଅଲଟ୍ରା ଭାଓଲେଟ ତରଙ୍ଗ, ଏକ୍ସ-ରେ, ଗାମା-ରେ ଭଳି ଅନେକ ଅଦୃଶ୍ୟ ଆଲୋକ ତରଙ୍ଗ ଅଛି, ଯାହାକୁ ମଣିଷ ଚର୍ମଚକ୍ଷୁରେ ଦେଖିବା ଅସମ୍ଭବ; କିନ୍ତୁ ମଣିଷ ବ୍ୟତୀତ ଅନେକ ଏମିତି ଜୀବ ଅଛନ୍ତି, ଯେଉଁମାନେ ଏହି ଅଦୃଶ୍ୟ ତରଙ୍ଗର କେତେକ ଆୟାମକୁ ଦେଖିପାରନ୍ତି। ଯେମିତି କି ପେଚା ଇନ୍‌ଫ୍ରାରେଡ ତରଙ୍ଗକୁ ଦେଖିପାରେ। ସେହିପରି ଆମେ ସମସ୍ତେ ନିଃଶ୍ୱାସ ପ୍ରଶ୍ୱାସରେ ନେଉଥିବା ବାୟୁ ଆମକୁ ଅଦୃଶ୍ୟ ଓ ସେଥିରେ ବିଜ୍ଞାନ ଦୃଷ୍ଟିକୋଣରୁ ଅନେକ ପ୍ରକାରର ବାୟୁକଣିକା ଭରି ରହିଛି; ଯେପରିକି ଯବକ୍ଷାରଯାନ, ଅମ୍ଳଜାନ, ଅଙ୍ଗାରକାମ୍ଳ ଇତ୍ୟାଦି ଯାହା ଦିନେ ଆମକୁ ଅଜଣା ଥିଲା। ଏ ସବୁ ବଖାଣିବାର ତାତ୍ପର୍ଯ୍ୟ ହେଲା, ସାରା ଜଗତରେ ଏମିତି ଅନେକ କିଛି ଅଦୃଶ୍ୟ ଓ ଅଜଣା ଜିନିଷ ଅଛି, ଯାହା ଖୋଜି ବାହାର କରିବା ବେଳକୁ ହୁଏତ ଏ ମଣିଷ ସଭ୍ୟତା ବିଲୁପ୍ତ ହୋଇଯାଇଥିବ। ଆଉ ମଣିଷ ସଭ୍ୟତା ବ୍ୟତୀତ ଯେତେସବୁ ଲବ୍ଧ ଜ୍ଞାନ, ପୁଣି ଉଭେଇଯାଇ ଜଗତର ବିଶାଳତା ଭିତରେ ପୁଣି ହଜିଯିବ। ଅର୍ଥାତ୍‌ ଜ୍ଞାନର ସ୍ବରୂପ ଓ କାୟା କେବଳ ମଣିଷଦ୍ୱାରା ହିଁ ପରିପୁଷ୍ଟ ହୁଏ।
ଏଠାରେ ମହାଭାରତରେ ବର୍ଣ୍ଣିତ ଯକ୍ଷ ଓ ଯୁଧିଷ୍ଠିରଙ୍କ ମଧ୍ୟରେ ହୋଇଥିବା କାଳଜୟୀ ପ୍ରଶ୍ନୋତ୍ତରର ଏକ ଅଂଶ ବିଶେଷ ପ୍ରାସଙ୍ଗିକତା ବହନ କରେ। ଯକ୍ଷଙ୍କ ପ୍ରଶ୍ନ ଥିଲା ‘ଏ ସାରା ସଂସାର ବା ବିଶ୍ୱକୁ କ’ଣ ଢାଙ୍କି ରଖିଛନ୍ତି’ ଓ ଏହାର ଉତ୍ତର ସ୍ବରୂପ ଯୁଧିଷ୍ଠିର କହିଲେ, ‘ଏ ସାରା ସଂସାରକୁ ଅଜ୍ଞାନ ଢାଙ୍କି ରଖିଛନ୍ତି।’ ଉଲ୍ଲେଖଯୋଗ୍ୟ ଯେ ମଣିଷସମାଜ ଯେତେ ଉନ୍ନତି କରୁଛି, ତାହା ସେହି ଅଜ୍ଞାନରୁ ଜ୍ଞାନ ଆଡ଼କୁ ହିଁ ତ ଅଗ୍ରସର ହେବାର ଏକ ପ୍ରୟାସମାତ୍ର। ଅର୍ଥାତ୍‌ ଜନ୍ମରୁ ମରଣଯାଏ, ସଭ୍ୟତାର ବିକାଶରୁ ବିନାଶ ଯାଏ ଆମେ ସମସ୍ତେ ଅଜ୍ଞାନରୁ ଜ୍ଞାନ ଆଡ଼କୁ ଧାବମାନ। ସେଥିପାଇଁ ବୋଧେ ଗୀତାରେ ଜ୍ଞାନକୁ ସବୁଠାରୁ ପବିତ୍ର କୁହାଯାଇଛି। ଆଉ ଜ୍ଞାନ ପ୍ରତି ଶ୍ରଦ୍ଧା ରଖୁଥିବା ଲୋକମାନେ ଏହାର ବିଶେଷ ଅଧିକାରୀ ହୁଅନ୍ତି, ଆଉ ଜ୍ଞାନ ଦ୍ୱାରା ସମାହିତ କର୍ମ ମଧ୍ୟ ସର୍ବଦା ସମାଜର ହିତ ସାଧନ କରେ। କେତେକ କ୍ଷେତ୍ରରେ ଜଣକର ଜ୍ଞାନ ଅନ୍ୟମାନଙ୍କର ଈର୍ଷାର କାରଣ ବି ହୁଏ, କିନ୍ତୁ ଯେ ପ୍ରକୃତ ଜ୍ଞାନୀ ସେ ଅନ୍ୟର ଜ୍ଞାନକୁ ସମ୍ମାନଦିଏ ଓ ଏହାକୁ ଅଧିକ ସମୃଦ୍ଧ କରିବାକୁ ଚେଷ୍ଟା କରେ।
ଆଜିକାଲି କେତେକେ ସ୍ବାର୍ଥସାଧନ ପାଇଁ ଜ୍ଞାନର ଅସଦ୍‌ ଉପଯୋଗ କରୁଥିବାର ଦେଖାଯାଏ। ଯେପରି କି କିଛି ଦେଶ ନିଜର ଜ୍ଞାନକୁ ଅଧିକ ପରିପୁଷ୍ଟ କରି ଅନ୍ୟ ଦେଶର ଜନତାଙ୍କୁ ଶୋଷଣ କରିବା, ପ୍ରକୃତିର ଭାରସାମ୍ୟକୁ ବ୍ୟାହତ କରିବା, ଯୁ୍‌ଦ୍ଧରେ ମାରାମତ୍କ ଅସ୍ତ୍ର ବ୍ୟବହାର କରି ବିଶ୍ୱରେ ଶାନ୍ତି ଭଙ୍ଗ କରିବା ଇତ୍ୟାଦି। କିନ୍ତୁ ପ୍ରକୃତି ଏହିସବୁ ସମସ୍ୟାକୁ ପ୍ରଶମିତ କରିବା ପାଇଁ ନିଜ ଶକ୍ତି ମାଧ୍ୟମରେ ପୁଣି ଅଜ୍ଞାନକୁ ଆଚ୍ଛାଦିତ କରି ଏପରି କଳୁଷିତ ଜ୍ଞାନକୁ ପରାହତ କରିବାର କ୍ଷମତା ରଖେ ଓ ଏହା ଅତୀତର ଇତିହାସକୁ ପର୍ଯ୍ୟାଲୋଚନା କଲେ ଜାଣିପାରିବା। ବିଶ୍ୱ ବିଜୟ ପାଇଁ ଆଲେକ୍‌ଜାଣ୍ଡାର କେତେ ସ୍ବପ୍ନ ଦେଖି ନଥିଲେ! ହେଲେ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇ ଏହାର ନିଦାନ ସମ୍ପର୍କରେ ତାଙ୍କର ଅଜ୍ଞତା ହିଁ ତ ଥିଲା ତାଙ୍କର ଏତେ କମ୍‌ ବୟସରେ ମୃତ୍ୟୁର କାରଣ। ସେହିପରି ନିଜକୁ ସର୍ବଜ୍ଞାତା ଭାବୁଥିବା କେତେକ ମଣିଷ ପ୍ରକୃତିର ଅସୀମ ଅଜ୍ଞତା ଆଗରେ ଦିନେ ନତମସ୍ତକ ହେବେ ଆଉ ଏହି ପ୍ରକୃତି କୋଳରେ ସେହି ଅଜ୍ଞତା ଭିତରେ କୁଆଡ଼େ ଉଭେଇଯିବେ। ପ୍ରକୃତି ସର୍ବଦା ଜ୍ଞାନକୁ ସଦ୍‌ମାର୍ଗରେ ପରିଚାଳିତ କରୁଥିବା ବ୍ୟକ୍ତି ବା ସମାଜକୁ ପରିପୁଷ୍ଟ କରିଥାଏ, ଅନ୍ୟଥା ପୁଣି ଟାଣି ନେଇ ସେହି ବିଶାଳ ଅଜ୍ଞତା ଭିତରେ ହଜାଇଦିଏ।
ସାଇଲୋ ବଡ଼ବିଲ, କଟକ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri